ଭୁବନେଶ୍ୱର: କିଛି ଦିନ ତଳେ ମୋତେ ଦକ୍ଷିଣ କୋରିଆ ଗସ୍ତ କରିବାର ସୁଯୋଗ ମିଳିଥିଲା, ଯାହାକୁ ପ୍ରାୟତଃ "ସକାଳର ଶାନ୍ତି ଭୂମି’ ବୋଲି କୁହାଯାଏ। କେ-ଡ୍ରାମା, କେ- ପପ୍ ଏବଂ ଉନ୍ନତ ଖାଦ୍ୟ ପାଇଁ ଦକ୍ଷିଣ କୋରିଆ ବିଶ୍ୱସ୍ତରରେ ସ୍ୱୀକୃତି ପାଇଥିବାବେଳେ, ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର (ବିକଶିତ ଭାରତ)ରେ ପରିଣତ ହେବାକୁ ପ୍ରୟାସ କରୁଥିବା ଭାରତ ପାଇଁ ମୂଲ୍ୟବାନ ଶିକ୍ଷା ପ୍ରଦାନ କରୁଛି । ଦକ୍ଷିଣ କୋରିଆ ଏକ ନିମ୍ନ ଆୟବିଶିଷ୍ଟ କୃଷି ଅର୍ଥନୀତିରୁ ଏକ ଉଚ୍ଚ ଆୟକାରୀ ଶିଳ୍ପୋଦ୍ୟୋଗିକ ରାଷ୍ଟ୍ରରେ ପରିଣତ ହେବାର ଯାତ୍ରା ଉଲ୍ଲେଖନୀୟ । ଔପନିବେଶିକ ସମ୍ପତ୍ତିର ଶୋଷଣ କରି ସମୃଦ୍ଧ ହୋଇଥିବା ଅନେକ ବିକଶିତ ଦେଶ ତୁଳନାରେ ଦକ୍ଷିଣ କୋରିଆ ଏବଂ ଭାରତ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତୁଳନାତ୍ମକ ଅର୍ଥନୈତିକ ସଂଘର୍ଷ କରିଥିଲେ । ୧୯୪୭ ମସିହାରେ ଉଭୟ ଦେଶର ମୁଣ୍ଡପିଛା ଆୟ ପ୍ରାୟ ୬୦୦ ଆମେରିକୀୟ ଡଲାର (ବାର୍ଷିକ ହାରାହାରି ୨୦୦୦ ଟଙ୍କା) ଥିଲା । ତେବେ ଦକ୍ଷିଣ କୋରିଆର ନିରନ୍ତର ସଂସ୍କାର ଏହାକୁ ଏକ ନିମ୍ନ-ଆୟକାରୀ କୃଷିଭିତ୍ତିକ ସମାଜରୁ ଏକ ଉଚ୍ଚ ଆୟକାରୀ ଶିଳ୍ପୋଦ୍ୟୋଗିକ ରାଷ୍ଟ୍ରରେ ପରିଣତ କରିଥିଲା । ବର୍ତ୍ତମାନ ଏହାର ମୁଣ୍ଡପିଛା ଆୟ ୩୩,୦୦୦ ଆମେରିକୀୟ ଡଲାର (ପାଖାପାଖି ୨୭ଲକ୍ଷ ଟଙ୍କା) ରହିଛି, ଯାହାକି ଭାରତର ପ୍ରାୟ ଦଶ ଗୁଣ ।
ରପ୍ତାନିଭିତ୍ତିକ ଉତ୍ପାଦନ ଉପରେ ଦକ୍ଷିଣ କୋରିଆର ଗୁରୁତ୍ୱ ଏବଂ ଉଚ୍ଚ ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଯୋଗୁଁ ଏହି ପରିବର୍ତ୍ତନ ଘଟିଥିଲା । ଭାରତର ୨୮% ତୁଳନାରେ ଦକ୍ଷିଣ କୋରିଆର ଜିଡିପିରେ ଉତ୍ପାଦନ କ୍ଷେତ୍ରର ଯୋଗଦାନ ୪୦% ରହିଛି, ଯାହା ରପ୍ତାନିରେ ଭାରତର ଅବ୍ୟବହୃତ ସମ୍ଭାବନାକୁ ପ୍ରତିଫଳିତ କରୁଛି । ଆଇଟିଆଇ ଏବଂ ପଲିଟେକ୍ନିକ୍ ଭଳି ଅନୁଷ୍ଠାନ ମାଧ୍ୟମରେ ବୈଷୟିକ ଶିକ୍ଷାକୁ ପ୍ରାଥମିକତା ଦେଇ ଦକ୍ଷିଣ କୋରିଆ ବେରୋଜଗାରୀକୁ ୩% ତଳକୁ ହ୍ରାସ କରିଛି ଏବଂ କୃଷିଭିତ୍ତିକ ଅର୍ଥନୀତିରୁ ଏକ ସନ୍ତୁଳିତ ଶିଳ୍ପ ଏବଂ ସେବାଭିତ୍ତିକ ସମାଜରେ ପରିଣତ ହୋଇଛି । ଘରୋଇ ବ୍ୟବହାର ଉପରେ ଅଧିକ ନିର୍ଭରଶୀଳ ହୋଇ ଭାରତର ଅଭିବୃଦ୍ଧି କାହାଣୀ ଅନନ୍ୟ । ତେବେ ଦକ୍ଷିଣ କୋରିଆର ଆଭିମୁଖ୍ୟ ବିଶେଷ କରି ଶିଳ୍ପାୟନ ଦ୍ୱାରା ସୃଷ୍ଟି ହେଉଥିବା ସହରୀକରଣ ଆହ୍ୱାନର ମୁକାବିଲା ଦିଗରେ ଶିକ୍ଷା ପ୍ରଦାନ କରୁଛି ।
କୋରିଆ ଯୁଦ୍ଧ (୧୯୫୦-୧୯୫୩) ପରେ ଦକ୍ଷିଣ କୋରିଆରେ ଦ୍ରୁତ ସହରୀକରଣ ଦେଖିବାକୁ ମିଳିଥିଲା । ୧୯୭୦ ଦଶକ ବେଳକୁ ସହରାଞ୍ଚଳରେ ଜମିର ମୂଲ୍ୟ ବୃଦ୍ଧି ପାଇବା ଫଳରେ ସାଧାରଣ ନାଗରିକଙ୍କ ଜୀବନଧାରଣରେ ଖର୍ଚ୍ଚ ବୃଦ୍ଧି ପାଇଥିଲା । ଅର୍ଥନୈତିକ ସ୍ଥିରତା ପାଇଁ ସୁଲଭ ଗୃହର ଗୁରୁତ୍ୱକୁ ସ୍ୱୀକାର କରି ଦକ୍ଷିଣ କୋରିଆ ନିମ୍ନ ଆୟବର୍ଗଙ୍କୁ ଲକ୍ଷ୍ୟ କରି ବଡ଼ଧରଣର ପ୍ରକଳ୍ପ ଆରମ୍ଭ କରିଛି । ଗୃହ ଭିତ୍ତିଭୂମିରେ ପୁଞ୍ଜିନିବେଶ, ଗରିବଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ଜମିର ମୁଦ୍ରାକରଣ ଏବଂ ଗୃହ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଅନୁଷ୍ଠାନ ପ୍ରତିଷ୍ଠା କରି ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଦକ୍ଷିଣ କୋରିଆର ରଣନୀତିର ଏକ ଉଲ୍ଲେଖନୀୟ ଦିଗ ହେଲା ମିଶ୍ରିତ ବ୍ୟବହାର ପ୍ରକଳ୍ପ ବିକଶିତ କରିବା ପାଇଁ ଘରୋଇ କ୍ଷେତ୍ର ସହ ସହଯୋଗ । ଏହି ସମନ୍ୱିତ ଟାଉନସିପ୍ଗୁଡ଼ିକ ଆବାସିକ, ବାଣିଜ୍ୟିକ ଏବଂ ମନୋରଞ୍ଜନ ସ୍ଥାନଗୁଡ଼ିକୁ "ଲାଇଭ୍-ୱାର୍କ-ପ୍ଲେ’ ଧାରଣା ଅଧୀନରେ ମିଶ୍ରଣ କରିଥିଲେ । ଏହିପରି ବିକାଶ ଗମନାଗମନ ସମୟକୁ ହ୍ରାସ କରିଥିଲା, ସ୍ଥାୟୀ ସହରୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥିଲା ଏବଂ ପଡ଼ୋଶୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା । ଏହା ବ୍ୟତୀତ ସେମାନେ ଚାକିରି ଓ ଅର୍ଥନୈତିକ ଭାଗିଦାରୀରେ ଉନ୍ନତି ଆଣି ମହିଳାମାନଙ୍କୁ ସଶକ୍ତ କରିଛନ୍ତି । ପ୍ରମୁଖ ସହରଗୁଡ଼ିକ ଉପରେ ବୋଝ ହ୍ରାସ କରିବା ପାଇଁ, ଦକ୍ଷିଣ କୋରିଆ ସାଟେଲାଇଟ୍ ଟାଉନ୍ ବିକଶିତ କରିଛି, ଯାହା ସହରୀ ଏବଂ ଗ୍ରାମୀଣ ବିକାଶ ମଧ୍ୟରେ ସନ୍ତୁଳନ ସ୍ଥାପନ କରିଛି ।
ଭାରତରେ ଦ୍ରୁତ ସହରୀ ପରିବର୍ତ୍ତନ ହେଉଛି, ସହରୀକରଣ ବର୍ତ୍ତମାନ ୩୫% ରହିଛି ଏବଂ ୨୦୩୦ ସୁଦ୍ଧା ଏହା ୪୦%ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଦେଶର ଜିଡିପିରେ ସହରାଞ୍ଚଳର ଯୋଗଦାନ ୭୦% ରହିବ ଏବଂ ନୂତନ ନିଯୁକ୍ତିର ସମାନ ଅଂଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ତେବେ ସହରାଞ୍ଚଳରେ ବଢ଼ୁଥିବା ଆବାସ ଅଭାବ- ଆନୁମାନିକ ୩-୪ କୋଟି ୟୁନିଟ୍- ମୁଖ୍ୟତଃ ଅର୍ଥନୈତିକ ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟବର୍ଗଙ୍କୁ ପ୍ରଭାବିତ କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହରାଞ୍ଚଳ (ପିଏମଏୱାଇ-ୟୁ) ଭଳି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ଏବଂ ୧ କୋଟିରୁ ଅଧିକ ଘର ମଞ୍ଜୁର ହୋଇଛି । ତଥାପି, ନିଅଣ୍ଟ ପଡୁଥିବା ଘରର ଅଭାବ ପୂରଣ ପାଇଁ ଅଧିକ ଘରୋଇ କ୍ଷେତ୍ରର ଅଂଶଗ୍ରହଣ, ଅଭିନବ ଆର୍ଥିକ ସହାୟତା ଏବଂ ପ୍ରଭାବଶାଳୀ ଜମି ଉପଯୋଗ ଆବଶ୍ୟକ କରେ ।
ଦକ୍ଷିଣ କୋରିଆର ଆଭିମୁଖ୍ୟ- ସହରାଞ୍ଚଳ ରକ୍ଷଣାବେକ୍ଷଣ, ମିଶ୍ରିତ ବ୍ୟବହାର ବିକାଶ ଏବଂ ଜମିର ମୂଲ୍ୟ ଖୋଲିବା, ଭାରତ ପାଇଁ ସମାଧାନର ପ୍ରତିଚ୍ଛବି ପ୍ରଦାନ କରୁଛି । ଜାତୀୟ ହାର ତୁଳନାରେ ଓଡ଼ିଶା ରାଜ୍ୟରେ ମଧ୍ୟ ସହରାଞ୍ଚଳ ଅଭିବୃଦ୍ଧି ହାର ମଧ୍ୟମ ରହିଛି । ବର୍ତ୍ତମାନ ଏହାର ଜନସଂଖ୍ୟାର ପ୍ରାୟ ୧୯% ସହରାଞ୍ଚଳରେ ରହୁଥିବା ବେଳେ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୩୦% ଟପିଯିବ ବୋଲି ଅନୁମାନ କରାଯାଉଛି। ସହରାଞ୍ଚଳର ଏହି ବଢୁଥିବା ଜନସଂଖ୍ୟା ବିଶେଷ କରି ନିମ୍ନ ଆୟବର୍ଗଙ୍କ ପାଇଁ ସୁଲଭ ଆବାସରେ ବ୍ୟବଧାନ ସୃଷ୍ଟି କରିସାରିଛି ।
ଦକ୍ଷିଣ କୋରିଆରୁ ମିଳିଥିବା ଶିକ୍ଷା, ଯେପରିକି ମିଶ୍ରିତ ବ୍ୟବହାର ପୁନଃବିକାଶ, ଉନ୍ନତିକରଣ ଏବଂ ସାଟେଲାଇଟ୍ ଟାଉନସିପ୍ ଓଡ଼ିଶାକୁ ଏହାର ଆବାସ ଆହ୍ୱାନର ମୁକାବିଲା କରିବାରେ ସହାୟକ ହୋଇପାରିବ ଏବଂ ଏହାର ଗୃହ ବଜାରକୁ ସ୍ଥିର କରିପାରିବ । ମୁଦ୍ରାକରଣ ମାଧ୍ୟମରେ ଜମିର ସମ୍ଭାବ୍ୟତାକୁ ଖୋଲିବା ଏକ ପ୍ରମୁଖ ରଣନୀତି ହେବ । ସୁଲଭ ଆବାସ ଏକ ନୀତି ଠାରୁ ଅଧିକ, ଏହା ଲୋକଙ୍କୁ ସମ୍ମାନ, ସ୍ଥିରତା ଏବଂ ସୁଯୋଗ ପ୍ରଦାନ କରିବା ବିଷୟରେ । ଦକ୍ଷିଣ କୋରିଆ ଆହ୍ୱାନକୁ ଅତିକ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କୁ ଘର ଯୋଗାଇବାର ଦକ୍ଷତା ଦର୍ଶାଉଛି ଯେ, ନିର୍ଦ୍ଧାରିତ ପଦକ୍ଷେପ କ'ଣ ହାସଲ କରିପାରିବ । ଯେହେତୁ ଭାରତ ଏହାର ବିକଶିତ ଭାରତର ପରିକଳ୍ପନାକୁ ଆଗକୁ ବଢ଼ାଉଛି, ସୁଲଭ ଆବାସ ଏହାର ବିକାଶ ଏଜେଣ୍ଡାର ମୂଳଦୁଆ ଭାବରେ ରହିବା ଆବଶ୍ୟକ । କୁହାଯାଏ, କାନ୍ଥ ଏବଂ ଛାତ ଠାରୁ ଘର ଅଧିକ- ଏହା ଏକ ଉନ୍ନତ ଜୀବନର ମୂଳଦୁଆ ଅଟେ ।