ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର (ଡିସେମ୍ବର ୩୦) ଫୁଣି ଏକ ବମ୍ପର ନିର୍ବାଚନି ପ୍ରତିଶ୍ମୃତି ଘୋଷଣା କରିଛନ୍ତି। ଆଗାମୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଫେରିଲେ ମନ୍ଦିରର ପୁରୋହିତ ତଥା ଗୁରୁଦ୍ୱାରର ଗ୍ରନ୍ଥିମାନଙ୍କ ପାଇଁ ମାସିକ ୧୮,୦୦୦ ଟଙ୍କା ଦରମା ଦେବାକୁ ପ୍ରତିଶୃତି ଦେଇଛନ୍ତି।
ଦିଲ୍ଲୀର ହେବାକୁଥିବା ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ସୋମବାର କେଜ୍ରିୱାଲ କିଛି ଏହିଭଳି ଘୋଷଣା କରିଛନ୍ତି। ପୁରୋହିତ ଏବଂ ଗ୍ରନ୍ଥିମାନେ ଆମର ଧାର୍ମିକ ରୀତିନୀତିର ଜଗୁଆଳି ହୋଇ ସମାଜରେ ନିଃସ୍ୱାର୍ଥପର ଭାବେ ସେବା କରୁଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ, ସେମାନଙ୍କର ଆର୍ଥିକ ସ୍ଥିତି ପାଇଁ ଆଜିଯାଏ କେହି କେବେ ଚିନ୍ତା କରିନାହାଁନ୍ତି ବୋଲି ସାମ୍ବାଦିକ ସମ୍ମିଳନିରେ ସେ କହିଛନ୍ତି।
କେଜ୍ରିୱାଲ କହିଛନ୍ତି ଯେ ଏହି ଯୋଜନା ପାଇଁ ପଞ୍ଜୀକରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏବଂ ସେ ବ୍ୟକ୍ତିଗତ ଭାବେ ହନୁମାନ ମନ୍ଦିରରେ ଏହି ପ୍ରକ୍ରିୟା ଆରମ୍ଭ କରିବେ। ପଞ୍ଜୀକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି ନକରିବାକୁ ମୁଁ ବିଜେପିକୁ ଅନୁରୋଧ କରୁଛି। ଏଥିରେ ବାଧା ସୃଷ୍ଟି କଲେ ପାପ ହେବା ସୁନିଶ୍ଚିନ୍ତ, କାରଣ ପୂଜକମାନେ ଭଗବାନ ଓ ଆମ ଭିତରେ ସେତୁ ଭଳି କାମ କରନ୍ତି ବୋଲି ସେ କହିଛନ୍ତି।
ଅରବିନ୍ଦ କେଜ୍ରିୱାଲଙ୍କ ଏହି ଘୋଷଣା ଦିଲ୍ଲୀର ଲୋକଙ୍କ ପାଇଁ ଘୋଷଣା ହେଉଥିବା ଜନ କଲ୍ୟାଣ ଯୋଜନାର ଏକ ଅଂଶ ଅଟେ। ସେ ପ୍ରଥମେ ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଜୀବନୀ ଯୋଜନା, ପରେ ମହିଳା ମାନଙ୍କ ପାଇଁ ମହିଳା ସମ୍ମାନ ଯୋଜନା ଓ ଏବେ ପୁରୋହିତମାନଙ୍କ ପାଇଁ ମାସିକ ବେତନ ଯୋଜନା ଘୋଷଣା କରିଛନ୍ତି।
ସଞ୍ଜୀବନୀ ଯୋଜନା ଅଧୀନରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିଶ୍ମୃତି ରହିଥିବାବେଳେ ମହିଳା ସମ୍ମାନ ଯୋଜନାରେ ମହିଳାମାନଙ୍କୁ ୨୧୦୦ ଟଙ୍କାର ସହାୟତାରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।