ନୂଆଦିଲ୍ଲୀ,୦୨/୦୧:ଉତ୍ତରପ୍ରଦେଶ ମୀରଟରେ ମାନସିକ ଅବସାଦରେ ପୀଡି଼ତ ଜଣେ ୨୩ ବର୍ଷୀୟ ଯୁବକ ଏକ ବିଚିତ୍ର କାମ କରି ଗିରଫ କରିଛନ୍ତି । ସେ ମନ ଖୁସି ଲାଗି ଅନ୍ୟମାନଙ୍କୁ ଚାପୁଡ଼ା ମାରୁଥିଲେ । ବିଗତ କିଛି ମାସ ହେଲା ତାଙ୍କର ଏହି କାମ ଜାରି ଥିବାବେଳେ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ର ଧାରା ୧୧୫ ଅନୁସାରେ ମାମଲା ରୁଜୁ ହୋଇଛି ।
ପୁଲିସ ଅନୁସାରେ, କପିଲ କୁମାର ପ୍ରାୟ ୫ ବର୍ଷ ହେଲା ତାଙ୍କ ବାପାଙ୍କୁ ହରାଇଥିଲେ । କିଛି ମାସ ତଳେ ତାଙ୍କ ମା’ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କଲେ । ବେରୋଜଗାର କପିଲ ବର୍ତ୍ତମାନ ମୀରଟର ସୁରଟକୁଣ୍ଡ ଅଞ୍ଚଳରେ ତାଙ୍କର ମା’ ଓ ସାବତ ବାପାଙ୍କ ସହ ରହୁଛନ୍ତି । ତେବେ ଜୀବନରେ ଘଟିଥିବା ଏହି ବିପର୍ଯ୍ୟୟ ଯୋଗୁ ସେ ମାନସିକ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ । ତେଣୁ ସ୍ପଳ୍ପ ସମୟ ଲାଗି ହେଉ ପଛକେ ଖୁସି ଅନୁଭବ ଲାଗି ସେ ଏକ ଅଜବ କାମ କରୁଥିଲେ । ନିଜେ ସ୍କୁଟିରେ ଗଲାବେଳେ ରାସ୍ତାରେ ଚାଲି ଚାଲି ଯାଉଥିବା ଅଜଣା ଲୋକଙ୍କୁ ଦେଖି ଚାପୁଡ଼ା ମାରୁଥିଲେ । ବିଗତ କିଛି ମାସ ଧରି ଏହି ଧାରା ଜାରି ରହିବାପରେ ପୁଲିସ ନିକଟରେ ଅଭିଯୋଗ ପହଞ୍ଚିଲା । ଭାଇରାଲ୍ ହେଉଥିବା ଘଟଣାର ଭିଡିଓ ଆଧାରରେ ରବିବାର ପୁଲିସ ତାଙ୍କୁ ଗିରଫ କରିଛି । ତେବେ ମାନସିକ ଅବସାଦ ଲାଗି ସେ ଔଷଧ ଖାଉଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।