ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ନୂଆଦିଲ୍ଲୀ-କଲମ୍ବୋ ସମ୍ପର୍କରେ ଯୋଡ଼ିଛି ନୂଆ ଫର୍ଦ୍ଦ, ଡ୍ରାଗନ୍‌ର ‘ମିଶନ୍‌ ଭାରତ ମହାସାଗର'କୁ ଲାଗିବ ବଡ଼ ଝଟକା

Published By : Prameya | December 22, 2024 11:52 AM

ଭୁବନେଶ୍ୱର ୨୨/୧୨: ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ‘ଇଣ୍ଡିଆ ଫାଷ୍ଟ୍‌’ ନୀତି ଭାରତ ମହାସାଗରରେ ଚୀନ୍‌ର  ଦବ୍‌ଦବାକୁ ଚାଲେଞ୍ଜ ଦେବ । ଭାରତକୁ ଚାପଗ୍ରସ୍ତ କରି ରଖିବାକୁ ଚୀନ୍‌ ଆକ୍ରମଣାତ୍ମକ ଢଙ୍ଗରେ  ‘ମିଶନ୍‌ ଭାରତ ମହାସାଗର’କୁ ଆଗକୁ ବଢ଼ାଉଥିବା  ବେଳେ ଦିସାନାୟକେ ଡ୍ରାଗନ୍‌ର ନିଆଁରେ ପାଣି ଢାଳିଛନ୍ତି । ତାଙ୍କ ଭାରତ ଗସ୍ତ ନୂଆଦିଲ୍ଲୀ-କଲମ୍ବୋ ସମ୍ପର୍କରେ ଯୋଡ଼ିଛି ନୂଆ ଫର୍ଦ୍ଦ ।

ଜଳୁଛି ମରମ । ଜିଓ ପଲିଟିକ୍ସକୁ ଧକ୍କା । କଟା ଘା’ରେ  ଲାଗିଛି ଚୂନ । ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଭାରତ ଗସ୍ତ ଡ୍ରାଗନ୍‌ ଚୀନ୍‌କୁ ଦେଇଛି ଝଟ୍‌କା । ଭାରତ ସହ ଶ୍ରୀଲଙ୍କାର ସମ୍ପର୍କ ଯୁଗ ଯୁଗର । ଶ୍ରୀଲଙ୍କାର ବିଶ୍ୱାସ ଜିତିଛି ଭାରତ । ଚୀନ୍‌କୁ ଆଇନା ଦେଖାଇଛି । ନୂଆଦିଲ୍ଲୀ  ସହ ସମ୍ପର୍କକୁ ନୂଆ ସୋପାନକୁ ନେବା ଏବଂ ଅଧିକ ସଶକ୍ତ  କରିବାକୁ କଲମ୍ବୋ ଆଗ୍ରହୀ ବୋଲି ଦିସାନାୟକେଙ୍କ ଭାବଭଙ୍ଗୀ  କହୁଛି । ଯଦି ଏ ଅନୁମାନ ସତ ହୁଏ, ତେବେ ଭାରତଶ୍ରୀଲଙ୍କାର ସମ୍ପର୍କ ନୂଆ ଉଡ଼ାଣ ଭରିବ । ଉଭୟ ଦେଶକୁ  ଏ ବଳୁଆ ଦ୍ୱିପାକ୍ଷିକ ସମ୍ପର୍କ ଲାଭ ହିଁ ଲାଭ ଦେବ । ଫାଶ  ବିଛାଇ ଶିକାର କରିବା ସହ ନିଜ ସ୍ୱାର୍ଥ ସାଧନ ପାଇଁ ଚୀନ୍‌ର  ମାଷ୍ଟର୍‌ପ୍ଲାନ୍‌ ପାଣିଫୋଟକା ଭଳି ମିଳେଇଯିବ ।  

ଭାରତ ବିରୋଧୀ ଅଭିଯାନକୁ ନା’

ଭାରତ ମାଟିରେ ଦୃଢ଼ ପ୍ରତିଶ୍ରୁତି । କଥା ଦେଇଛନ୍ତି ଶ୍ରୀଲଙ୍କା  ରାଷ୍ଟ୍ରପତି । ଭାରତ ବିରୋଧରେ ବ୍ୟବହାର ହେବନି  ଶ୍ରୀଲଙ୍କା । ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା  କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟିରେ କେବେ ହେଲେ  ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ଦିସାନାୟକେ  ସ୍ପଷ୍ଟ କରିଛନ୍ତି । ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ପ୍ରଥମ  ଥର ଦିଲ୍ଲୀ ଗସ୍ତରେ ଆସି ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ।  

ମାର୍କ୍ସବାଦୀ ନେତା ଭାବେ ପରିଚିତ ଦିସାନାୟକେ ଶ୍ରୀଲଙ୍କାର  ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଗସ୍ତ  ପାଇଁ ଭାରତକୁ ବାଛିବା ଭାରତର କୂଟନୈତିକ ବିଜୟ ବୋଲି  ବିଦେଶ ନୀତି ବିଶେଷଜ୍ଞମାନେ କହୁଛନ୍ତି । ନୂଆଦିଲ୍ଲୀରେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ  ଦିସାନାୟକେ ସିଂହଳ ମାଟି ଭାରତ ବିରୋଧୀ ଅଭିଯାନକୁ ପ୍ରଶ୍ରୟ  ଦେବନାହିଁ ବୋଲି ଦମ୍ଭ ବାଢ଼ିବା ଚାଇନାର ଚିନ୍ତା ବଢ଼ାଇଛି ।  

ଶ୍ରୀଲଙ୍କାର ନବନିର୍ବାଚିତ  ରାଷ୍ଟ୍ରପତିଙ୍କ ‘ଇଣ୍ଡିଆ ଫାଷ୍ଟ’ ନୀତି  ଭାରତ ମହାସାଗରରେ ଡ୍ରାଗନ୍‌ର  ଦବ୍‌ଦବାକୁ କେତେକାଂଶରେ ହ୍ରାସ  କରିବ । ଭାରତକୁ ଚାପଗ୍ରସ୍ତ କରି  ରଖିବାକୁ ଚୀନ୍‌ ଆକ୍ରମଣାତ୍ମକ  ଢଙ୍ଗରେ ‘ମିଶନ୍‌ ଭାରତ  ମହାସାଗର’କୁ ଆଗକୁ ବଢ଼ାଉଥିବା ବେଳେ ଦିସାନାୟକେ  ଡ୍ରାଗନ୍‌ର ନିଆଁରେ ପାଣି ଢ଼ାଳିଛନ୍ତି । ଅବଶ୍ୟ ଶ୍ରୀଲଙ୍କା  ରାଷ୍ଟ୍ରପତିଙ୍କର ଏହା ଅନ୍ତରର କଥା ନା ଦୋମୁହାଁ ତା’ର ଉତ୍ତର  ତ ଭବିଷ୍ୟତ କହିବ । ମାତ୍ର ଶ୍ରୀଲଙ୍କାର ସାମ୍ପ୍ରତିକ ସ୍ଥିତି ଯାହା  କଲମ୍ବୋ ଭାରତକୁ ବାଦ୍‌ ନେଇ ଅନ୍ୟ ଦେଶ ସହ ସମ୍ପର୍କ  ଆଧାରରେ ଯେ ଆଗକୁ ଯାଇପାରିବନି ତାହା ଜଳଜଳ ।  ପୂର୍ବରୁ ଭାରତ ବିରୋଧୀ ମନୋଭାବ ପୋଷଣ କରି ଆସୁଥିବା  ବାମପନ୍ଥୀ ଦିସାନାୟକେ ଏହାକୁ ଭଲଭାବରେ ବୁଝି ସାରିଛନ୍ତି ।  ବେଜିଂକୁ ପଛକୁ ଠେଲି ଦିଲ୍ଲୀକୁ ପ୍ରଥମ ପସନ୍ଦ ଭାବେ  ବାଛିଛନ୍ତି । ନମ୍ବର୍‌ୱାନ୍‌ ସୁପର୍‌ପାୱାର୍‌ ପାଇଁ ବ୍ୟାକୁଳ ଚୀନ୍‌  ଯେ ଏବେ ଚୁପ୍‌ ବସିବ ଭାବିବା ଭୁଲ୍‌ । ବେଜିଂ ନିଶ୍ଚୟ ଗୋଟି  ଚଳାଇବ । ଚାଲ୍‌ ଖେଳିବ । ମାତ୍ର ଭାରତ ମଧ୍ୟ ନଛୋଡ଼ବନ୍ଧା  ଆଭିମୁଖ୍ୟକୁ ଅପରିବର୍ତ୍ତିତ ଯେ ରଖିବ ତାହା ସ୍ପଷ୍ଟ ।  

ପଡ଼ୋଶୀ ପ୍ରଥମ

ଭାରତର ବୈଦେଶିକ ନୀତିରେ ‘ପଡ଼ୋଶୀ ପ୍ରଥମ’ ନୀତିକୁ  ବଳବତ୍ତର ରଖିଛି । ମାତ୍ର ବିଶ୍ୱର ବିଗ୍‌ବ୍ରଦର୍‌ ହେବାକୁ  ରେସ୍‌ରେ ଥିବା ଆମେରିକା ଓ ଚୀନ୍‌ କିନ୍ତୁ ଏ ପଡ଼ୋଶୀ  ରାଷ୍ଟ୍ରକୁ ହତିଆର କରି ଭାରତରେ ଅଶାନ୍ତି ଓ ଅସ୍ଥିରତା  ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।  ଉପରକୁ ବନ୍ଧୁତାର ହାତ ବଢ଼ାଇ ପଛରୁ ଛୁରି ମାରୁଛନ୍ତି ।  ଏହି କାରଣରୁ ପାକିସ୍ତାନ, ନେପାଳ, ଭୁଟାନ୍‌, ବାଂଲାଦେଶ, ମିଆଁମାର ଓ ଶ୍ରୀଲଙ୍କା ସବୁଠି ବିସ୍ତାରବାଦୀ ଶକ୍ତିମାନେ ଭାରତ  ବିରୋଧୀ ମିଶନ୍‌ରେ ଲିପ୍ତ ଅଛନ୍ତି ।  

ବିନା ଲଢ଼େଇରେ ଯୁଦ୍ଧ ଜୟ ଫର୍ମୁଲା ଆପଣାଇଛି ଆମେରିକା ।  ବାଂଲା-ଭାରତର ସମ୍ପର୍କ ହଜମ ହେଲାନି । ଦକ୍ଷିଣ ଏସିଆ  ଓ ପ୍ରଶାନ୍ତ ମହାସାଗର ଉପରେ ନିଜ ଦବ୍‌ଦବା ଜାହିର  କରିବାକୁ କଳ, ବଳ ଓ କୌଶଳ ଲଗାଇ ସଫଳ ହୋଇଛି  ହ୍ୱାଇଟ୍‌ହାଉସ୍‌ । ଭାରତର ଘନିଷ୍ଠ ବନ୍ଧୁ ହସିନାଙ୍କୁ ଗାଦିଚ୍ୟୁତ  ସହ ନୂଆଦିଲ୍ଲୀ-ଢ଼ାକା ସମ୍ପର୍କର ପକ୍ଷଛେଦନ ଓ ବାଂଲା  ଅଶାନ୍ତର ମାଷ୍ଟର୍‌ମାଇଣ୍ଡ୍‌ ଯୁକ୍ତରାଷ୍ଟ୍ରର ମୁଖା ଧରାପଡ଼ିଛି । ଡ୍ରାଗନ୍‌ ଚୀନ୍‌ ବି କିଛି କମ୍‌ ନୁହଁ । ଦୀର୍ଘମିଆଦି ଭିତ୍ତିରେ  ଚୀନ୍‌ ଯେ ଭାରତ ବିରୋଧରେ କିଛି ଷଡ଼ଯନ୍ତ୍ରରେ ଲିପ୍ତ  ତାହା ଜଳଜଳ । ଗୁଇନ୍ଦାଗିରି କରି  ଚୀନ୍‌ ‘ହାଇବ୍ରିଡ୍‌ ୱାର୍‌ଫେୟାର୍‌’  ସାମରିକ କୌଶଳ ଆପଣାଇଛି ।  

ଭବିଷ୍ୟତରେ ଏ ବ୍ୟକ୍ତିଗତ  ତଥ୍ୟକୁ ଆଧାର କରି ଚୀନ୍‌  ଚାହିଁଲେ ଦେଶରେ ଅସ୍ଥିରତା ସୃଷ୍ଟି  କରିପାରିବ । ଭାରତର କୌଣସି  ସହରରେ ଦଙ୍ଗା ଓ ହିଂସା ସୃଷ୍ଟି ପାଇଁ ବେଶୀ କଷ୍ଟ କରିବାକୁ ପଡ଼ିବନି । ଭାରତ ଭୂ-ଖଣ୍ଡ ଉପରେ ଚୀନ୍‌ର ସବୁବେଳେ  ଆଖି । ଚାଇନା ଭାରତ ମହାସାଗରରେ ନିଜର ଗୁପ୍ତ ମିଶନ୍‌  କାର୍ଯ୍ୟକାରୀ କରୁଛି। ଏହା ଭାରତର ମୁଣ୍ଡ ବିନ୍ଧାର କାରଣ  ସାଜିଛି । ଚାଇନା ଠାରୁ ଶ୍ରୀଲଙ୍କା ବିପୁଳ ପରିମାଣର ଋଣ  ନେଇଥିଲା । ଏହାକୁ ପରିଶୋଧ ନ କରିବାରୁ ବେଜିଂ ଶ୍ରୀଲଙ୍କାର ହଂବନଟୋଟା ବନ୍ଦରକୁ ଅକ୍ତିଆର କରି ସାମରିକ  ଘାଟି ଭଳି ବ୍ୟବହାର କରୁଛି । ଡ୍ରାଗନ୍‌ ଏଠାରେ ବାଲେଷ୍ଟିକ୍‌ ମିସାଇଲ୍‌ ଟ୍ରାକିଂ ଜାହାଜ ମୁତୟନ ସହ ଭାରତ ଉପରେ ତୀକ୍ଷ୍ଣ  ନଜର ରଖିଛି । 

ଭାରତ ମହାସାଗର ସୀମାରେ ଭାରତକୁ  ଘେରିବାକୁ ଚୀନ୍‌ ସମସ୍ତ ପ୍ରକାର ଖେଳ ଖେଳୁଛି । ମାତ୍ର  ଦିସାନାୟକେଙ୍କ ସହ ସମ୍ପର୍କକୁ ମଜଭୁତ କରି ଭାରତ ଚୀନ୍‌ର  ଏ ମିଶନ୍‌କୁ ବିଫଳ କରିବା ଲକ୍ଷ୍ୟରେ ରହିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ମଧ୍ୟ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।  ସେ ସ୍ପଷ୍ଟ କରିଛନ୍ତି, ଦିଲ୍ଲୀ-କଲମ୍ବୋ ସହଯୋଗ ଆହୁରି  ମାର୍ଜିତ ହେବ । ଆମ ସଙ୍କଟ ସମୟରେ ଭାରତ କାନ୍ଥ ଭଳି  ଛିଡ଼ା ହୋଇଛି । ବନ୍ଧୁ ଭଳି ସହଯୋଗ କରିଛି । ଭାରତ ପ୍ରତି  ଆମର ସମର୍ଥନ ଜାରି ରହିବ ।  

ନୂଆ ସୋପାନ ଛୁଇଁବ ଭାଗୀଦାରୀ 

ରାଷ୍ଟ୍ରପତି ଦିସାନାୟକେଙ୍କ ଗସ୍ତକୁ ନେଇ ବିଦେଶ ନୀତି  ବିଶେଷଜ୍ଞମାନେ ବେଶ୍‌ ଆଶାବାଦୀ । ଏହା ଦୁଇ ଦେଶ  ମଧ୍ୟରେ ସମ୍ପର୍କର ନୂଆ ଗତିଶୀଳତା ସୃଷ୍ଟି କରିଛି । ଦୁଇଦେଶ  ଚୁକ୍ତି କରିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭାଗୀଦାରୀ ଆହୁରି ବଢ଼ିବ ।  ନିବେଶଭିତ୍ତିକ ଅଭିବୃଦ୍ଧି, ଯୋଗାଯୋଗ, ଡିଜିଟାଲ୍‌ ଏବଂ  ଶକ୍ତି ସଂଯୋଗ ହେବ ଭାଗୀଦାରୀ ମୂଳସ୍ତମ୍ଭ । ଉଭୟ ଦେଶ  ମଧ୍ୟରେ ବିଜୁଳି ଗ୍ରୀଡ୍‌ ସଂଯୋଗ, ମଲ୍ଟି ପ୍ରଡକ୍ଟ ପେଟ୍ରୋଲିୟମ୍‌  ପାଇପ୍‌ଲାଇନ୍‌ ସ୍ଥାପନ ହେବ । ସାମପୁର ସୌର ଶକ୍ତି ପ୍ରକଳ୍ପ  କାମ ତ୍ୱରାନ୍ୱିତ ହେବ । ଶ୍ରୀଲଙ୍କାର ପାୱାର୍‌ ପ୍ଳାଣ୍ଟ ପାଇଁ ଭାରତ  ଯୋଗାଇଦେବ ଏଲ୍‌ଏନ୍‌ଜି । ଆଞ୍ଚଳିକ ଶାନ୍ତି, ନିରାପତ୍ତା,  ସାମୁଦ୍ରିକ ନିରାପତ୍ତା, ଆତଙ୍କବାଦ ମୁକାବିଲା, ସାଇବର  ସୁରକ୍ଷା ଓ ସଂଗଠିତ ଅପରାଧର ମୁକାବିଲା କରିବାକୁ  ସହଯୋଗ ଜାରି ରହିବ ।  

ଆସନ୍ତା ୫ ବର୍ଷ ମଧ୍ୟରେ ୧୫୦୦ ଶ୍ରୀଲଙ୍କା ପ୍ରଶାସନିକ  ଅଧିକାରୀଙ୍କୁ ଭାରତରର ତାଲିମ୍‌ ମିଳିବ । ଗୃହ ନିର୍ମାଣ,  ଅକ୍ଷୟ ଶକ୍ତି ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ତ୍ୱରିତ୍‌ ହେବ ।  ବୌଦ୍ଧ ସର୍କିଟ୍‌ ଜରିଆରେ ପର୍ଯ୍ୟଟନ ଆଗକୁ ବଢ଼ାଇବାକୁ  ମୋଦି-ଦିସାନାୟକେ ସହମତି ହୋଇଛନ୍ତି।  ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଓ ଦେବାଳିଆ ସ୍ଥିତି ଭଳି ଦୁର୍ଦ୍ଦଶାର  ଖଳନାୟକ ହେଉଛି ଖୋଦ ଚୀନ୍‌ । ଭାରତ କିନ୍ତୁ ତ୍ରାଣକର୍ତ୍ତା ଭାବେ କଲମ୍ବୋର ବିପଦରେ ସବୁବେଳେ ଛିଡ଼ା ହୋଇଛି ।  

ଦିସାନାୟକେ ବେଜିଂ ସହ ସମ୍ପର୍କରେ ରହିଲେ ମଧ୍ୟ ଭାରତକୁ  ସେ ପ୍ରଥମ ପସନ୍ଦ ଭାବେ ବାଛି ନିଜ ରଜନୈତିକ ଓ  କୂଟନୈତିକ ପରିପକ୍ୱତାର ପ୍ରମାଣ ଦେଇଛନ୍ତି ।  ହଁ...ଏହା ସତ ଯେ ଏକବିଂଶ ଶତାବ୍ଦୀ ଏସିଆର ହେବାକୁ  ଯାଉଛି । ଚୀନ୍‌ ସୁପର୍‌ପାୱାର୍‌ ଭାବେ ଉଭା ହୋଇଛି ।  ଭାରତ ମଧ୍ୟ ରାଇଜିଂ ସୁପର୍‌ପାୱାର୍‌ ଭାବେ ନିଜକୁ ପରିଚିତ କରାଇପାରିଛି । ଭାରତ ଟପିଯିବ କି? ଏମିତି ଭୟରେ  ଘାଣ୍ଟି ହେଉଛି ବେଜିଂ । ଚୀନ୍‌ ଭଳି ମହାଶକ୍ତି ସହ ଦ୍ୱିପାକ୍ଷିକ  ସମ୍ପର୍କକୁ ବର୍ତ୍ତମାନ ସନ୍ତୁଳିତ କରି ରଖିବାକୁ ଭାରତ ନିଶ୍ଚୟ  ଚାହିଁବ । ମାତ୍ର ନିଜ ପଡ଼ୋଶୀମାନଙ୍କ ସହ ସମ୍ପର୍କକୁ ସୁଦୃଢ଼  କରିବାକୁ ନୂଆଦିଲ୍ଲୀ ନିଜ ରଣନୀତିକୁ କରିଛି ତେଜୀୟାନ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.