ଆଜିର ପୃଥିବୀର ଅନନ୍ତ ଆକାଶ ତଳେ ଅଧାଭଙ୍ଗା କାନ୍ଥକୁ ଆହତ ଆଖିରେ ଚାହିଁଥିଲେ, ଭାରି ଅସହାୟ ଦିଶୁଥିଲା ମାଟି ଆଞ୍ଚର ପୋଡ଼ା ଇଟା, ଯାହା ରାସ୍ତାକଡ଼ରେ ଶିଝୁଥିଲା । ସ୍ୱପ୍ନ ସହ ଆକାଶ ଭାଙ୍ଗିଯିବାର ଖବର ଥିଲା । ପାରାମାନେ ହରେଇଦେଲେ ଘର, ରିଫ୍ୟୁଜି ପରି ଘୂରି ବୁଲୁଥିଲେ ଆକାଶରେ ।
ମୁଁ ଜାଣିଥିଲି ତମେ ଦୁରାରୋଗ୍ୟ କର୍କଟ ରୋଗରେ ଶଯ୍ୟାଶାୟୀ ଥିଲ । ମୃତ୍ୟୁର ଦ୍ୱାରଦେଶରେ ପଦାର୍ପଣ କରି ମଧ୍ୟ ବଞ୍ଚିବାର ମୋହରେ ଅହରହ ସଂଗ୍ରାମ କରିଚାଲିଥିଲ ମୃତ୍ୟୁ ବିରୁଦ୍ଧରେ । ତମେ ତୁମର ଏକ କବିତାରେ ପ୍ରକାଶ କରିଥିଲ "ମୁଁ ଆସନ୍ନ ମୃତ୍ୟୁର ବି ଦି’ ଦି’ଟା ଧକ୍କା ସମ୍ଭାଳି ସାରିଛି । ଏ ରୋଗ ଆଉ ଅଧିକ ମୋତେ କ'ଣ ଡରେଇବ?’ ତମ ସାହସ, ତମ ଧୈର୍ଯ୍ୟ, ତମ ଗମ୍ଭୀର ସ୍ୱର, ପ୍ରେରଣାଦାୟକ କଥା ଓ କବିତା ଏମିତି ଶୁଣିଲେ ମନ ଭରିଯାଏ, ହୃଦୟରେ ଆଶାର କିରଣ ଉଦ୍ରେକ ହୁଏ, ମୃତ ବ୍ୟକ୍ତି ପୁନଃ ଜୀବନ ଲାଭ କରେ । ସତରେ ତୁମେ ତ ଥିଲ ଆଶାର ଅବାରିତ ଉତ୍ସ, ପ୍ରେରଣାର ଉତ୍ତପ୍ଳାବନୀ ସ୍ରୋତ । ଏହା ମୁଁ କହୁନାହିଁ, ଏକଥା କହନ୍ତି ତୁମର ଅଗଣିତ ପାଠକ, ପାଠିକା ଆଉ ବିଛେଇ ହୋଇ ରହିଥିବା ତୁମର ଅସୁମାରୀ ମାନସ ସନ୍ତାନ । ତୁମ ସହିତ ସାକ୍ଷାତ କାଳରେ କହିଥିଲ ନା, "ମୁଁ ଜାଣ, ଫେସ୍ବୁକ୍ରେ ହଜାରେ ସନ୍ତାନର ମାଆ’ । ହଁ, ଯେଉଁମାନେ ପୃଥିବୀର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ, ତୁମ ଜୀବନ୍ତ ଲେଖାର ମୁଗ୍ଧ ପ୍ରଶଂସକ, ତୁମ ବଳିଷ୍ଠ ଲେଖନୀର ସମର୍ଥକ । ପୁନଶ୍ଚ କହିଥିଲ "ସେମାନଙ୍କ ଅକୃତ୍ରିମ ସ୍ନେହ, ଶ୍ରଦ୍ଧା ଓ ବିଶ୍ୱାସରେ ମୁଁ ଅଭିଭୂତ’ । ବାସ୍ତବିକ ତମେ ଅଗଣିତ ପାଠକ ପାଠିକାଙ୍କ ହୃଦୟ ବିଜେତା, ହଜାରେ ପିଲାଙ୍କ ସୁଖ ଲାଭ କରିଚୁ । ୟେ କ'ଣ କମ୍ ସୌଭାଗ୍ୟ! ୟେ ତ ତୁମର କୁବେର ସମ୍ପତ୍ତି ସହ ସମାନ । ଏତେ ଭାଗ୍ୟ କାହାର, ଏତେ ସ୍ନେହ ଓ ମମତା କିଏ ଦେବ? ଶୈଶବରୁ ଆଜିଯାଏଁ ଦୀର୍ଘ ଜୀବନର ସମ୍ପର୍କ, ଏକାଠି ଖେଳୁଥିଲୁ, ଏକାଠି ବୁଲୁଥିଲୁ ।
ସମୟ ସହ ବୟସ ବଢ଼ିଲା । ତମେ ତମ ବାଟ ଓ ସମୟରେ, ମୁଁ ବି ମୋ ବାଟ ଓ ସମୟରେ । କବିତା ଆସର ପୁଣି ଭେଟେଇଲା ଆମ ଦୁହିଁଙ୍କୁ । ସମ୍ପର୍କ ପୁଣି ଉଜ୍ଜୀବିତ ହେଲା ଫୋନ୍ରେ, ସାକ୍ଷାତରେ । ତୁମ ପରିବାରରେ ତମେ ଥିଲ ସଂସାରନିଷ୍ଟ ଏକ ଜାଗ୍ରତ ସତ୍ତା । ପିଲାମାନଙ୍କୁ ମଣିଷ ପରି ମଣିଷ କରି ଗଢ଼ିଲ । ପରିବାର ପରିପୂର୍ଣ୍ଣ କଲ । ଚାକିରିର ଶିକ୍ଷାର ଭାର ସହିତ ପରିବାରର ଗୁରୁଦାୟିତ୍ୱ ସୁନ୍ଦର ଭାବେ ତୁଲାଇଥିଲ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ କଲମ ତୁମର ଚଳଚଞ୍ଚଳ ହେଲା । ଓଡ଼ିଆ ସାହିତ୍ୟକୁ ଦେଇଯାଇଚ ବିପୁଳ ଅବଦାନ । ତମର ଶିକ୍ଷଣୀୟ ଗଳ୍ପ, ଉପନ୍ୟାସ ଯେମିତି ସରଳ ଭାଷାରେ ଭାବପୂର୍ଣ୍ଣ, ତମ ଉପାଦେୟ କବିତା ସେମିତି ପ୍ରାଣରସର ମାଧୁର୍ଯ୍ୟରେ ହୃଦୟସ୍ପର୍ଶୀ । ତୁମେ ରୋଗଶଯ୍ୟାରେ କଷ୍ଟ ପାଉଥିଲ, ବହୁତ କଷ୍ଟ । କର୍କଟ ରୋଗର ଜ୍ୱାଳା ତମର ଅନ୍ତରକୁ ଖିନ୍ଭିନ୍ କରୁଥିଲା, ଶରୀରକୁ କ୍ଷୀଣ ଓ ମନକୁ ଦୁର୍ବଳ କରିଦେଉଥିଲା । ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ଅତି ପାଖରୁ ଦେଖିପାରୁଥିଲ । ମୁଁ ମଧ୍ୟ ଜାଣିଥିଲି କେତେବେଳେ ବି ଯେ ସେ ସମୟ ଆସିଯିବ । ସ୍ନେହଭରା ସ୍ମୃତିରେ ଯେତିକି ଭିଜୁଥିଲି, ଆଶଙ୍କାରେ ସେତିକି ଥରି ଉଠୁଥିଲି । ନୂଆ ବର୍ଷର ସଦ୍ୟ ଶୁଭ ସକାଳରେ ମୋ ମୋବାଇଲ ପରଦାରେ ଝଲସି ଉଠିଲା ତୁମ ନାମ । ତୁମେ ଚାଲିଗଲ ଅଭିମାନ କରି । ନୂଆ ବର୍ଷର ନୂଆ ସକାଳ, ସ୍ତବ୍ଧ ହୋଇଗଲା ମୋ ପାଇଁ । ମୁଁ ହରାଇଲି ମୋର ଶୈଶବର ଦୀର୍ଘ ଜୀବନର ପ୍ରିୟ ବାନ୍ଧବୀକୁ ।
ମୃତ୍ୟୁ ତୁମକୁ କେବେ ଜୟ କରିପାରେନା, ବରଂ ତୁମେ ମୃତ୍ୟୁକୁ ଜୟ କରିଛ । ମୋର ବର୍ଣ୍ଣନା କରିବାର ତାତ୍ପର୍ଯ୍ୟ ହେଉଛି ୧୯୪୫ ମସିହା ଅଗଷ୍ଟ ମାସ ୬ ଓ ୯ରେ ଆମେରିକା ଜାପାନର ହିରୋସୀମା ଓ ନାଗାସାକି ନଗରୀ ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା, ଯେଉଁଥିରେ ତତ୍କ୍ଷଣାତ୍ ପ୍ରାୟ ଦୁଇଲକ୍ଷ ଜାପାନବାସୀଙ୍କ ମୃତ୍ୟୁ ହେଲା । ଏହା ଥିଲା ମାନବକୃତ ସର୍ବବୃହତ ଗଣହତ୍ୟା, ଯାହାର କ୍ରୁର ପ୍ରଭାବ ଜାପାନୀଙ୍କ ଶରୀର ଓ ମନରୁ ଏବେ ମଧ୍ୟ ଅପସରି ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ସିନା ହେଲା, ହେଲେ ସେହି ଲୋମହର୍ଷଣ ଘଟଣାର ଏଗାର ବର୍ଷ ପରେ ୧୯୫୬ରେ ବୋମା ପ୍ରଭାବିତ ବ୍ୟକ୍ତିଙ୍କୁ ନେଇ ଗଠନ କରାଗଲା "ନି ହୋନ ହିଡାନ୍ କ୍ୟୋ’ । ବୋମା ପ୍ରଭାବିତ ବ୍ୟକ୍ତିଙ୍କୁ ଜାପାନୀ ଭାଷାରେ "ହିବାକୁଶା’ କୁହାଯାଏ । ଏମାନେ ବୋମା ଆକ୍ରମଣରୁ ମୃତ୍ୟୁମୁଖରୁ ବର୍ତ୍ତିଗଲେ ସତ, କିନ୍ତୁ ଦଶନ୍ଧି ଦଶନ୍ଧି ଧରି ବୋମା ବିକିରଣଜନିତ କର୍କଟ ରୋଗ ଭଳି ମାରାତ୍ମକ ପୀଡ଼ା ସହି ଚାଲିଛନ୍ତି । ଜାପାନରେ ଏଭଳି ହିବାକୁଶାଙ୍କ ସଂଖ୍ୟା ପ୍ରାୟ ୬ଲକ୍ଷ ୫୦ହଜାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ବିଭିନ୍ନ ମାରାତ୍ମକ ରୋଗରେ ପ୍ରୀଡ଼ିତ ହୋଇ ପ୍ରାୟ ୧ଲକ୍ଷ ୧୪ହଜାର ଜୀବିତ ରହିଥିବା ସଂଗଠନ ପ୍ରକାଶ କରିଛନ୍ତି । ନିହୋନ ହିଡାନ୍ କ୍ୟୋ ସଂଗଠନ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହାର ସଦସ୍ୟମାନଙ୍କୁ ବିଭିନ୍ନ ଦେଶକୁ ପଠାଇଥାନ୍ତି । ସେମାନେ ପରମାଣୁ ବୋମା ବିକିରଣର ଯେଉଁ ଯନ୍ତ୍ରଣା ନିଜେ ଅଙ୍ଗେ ଅଙ୍ଗେ ଭୋଗୁଛନ୍ତି, ସେ ଭୟାବହ ଅଭିଜ୍ଞତାକୁ ବର୍ଣ୍ଣନା କରି ଏହାର ଯେଭଳି ପୁନରାବୃତ୍ତି କେବେ ଭବିଷ୍ୟତରେ ନଘଟେ, ସେଥିପ୍ରତି ସଚେତନ କରିବାକୁ ଯତ୍ନବାନ ହୋଇଥାନ୍ତି ।
ଏ ସଂଗଠନ ସେମାନଙ୍କ ପ୍ରାରମ୍ଭିକ ଶାନ୍ତି ବାର୍ତ୍ତାରେ ଲେଖିଥିଲେ "ଆମେ ଯେଉଁ ଯାତନା ଓ ନିର୍ଯାତନାର ଶିକାର ହୋଇଛୁ, ପୁନର୍ବାର ମାନବ ଜାତି ତାହା ନ ଭୋଗୁ’ । ମାତ୍ର ସଂପ୍ରତି ଋଷ୍ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ହମାସ୍, ଇସ୍ରାଏଲ-ଇରାନ ଓ ଇସ୍ରାଏଲ-ଲେବାନନ ଭୟାବହ ସଂଘର୍ଷ ଦିନକୁ ଦିନ ଯେପରି ଉଗ୍ରରୂପ ନେଉଛି, ତାହା ସମଗ୍ର ବିଶ୍ୱ ପାଇଁ ନିଶ୍ଚିତ ଅଗ୍ନିପରୀକ୍ଷାର ସମୟ ଓ ଅଶନି ସଙ୍କେତ ସଦୃଶ । ପୂର୍ବରୁ ଋଷିଆ ଓ ଇସ୍ରାଏଲ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ଦେଇ ସାରିଛନ୍ତି । ଏଭଳି ଘଡ଼ିସନ୍ଧି ସମୟରେ ନି ହୋନ୍ ହିଡାନ୍ କ୍ୟୋଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ (୨୦୨୪) ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ଜାପାନୀ ସଂଗଠନ "ନି ହୋନ୍ ହିଡାନ୍ କ୍ୟୋ’ ଓ ନୋବେଲ ସାହିତ୍ୟ ପୁରସ୍କାର ବିଜୟିନୀ ଦକ୍ଷିଣ କୋରିଆର ହାନ କାଙ୍ଗ ନିଜ ନିଜ ପ୍ରଚେଷ୍ଟାରେ ବିଶ୍ୱବାସୀଙ୍କ ନିକଟରେ ଶାନ୍ତିର ମହାନ ବାର୍ତ୍ତା ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ନୋବେଲ ବିଜେତା ହାନ କାଙ୍ଗ ବିଶ୍ୱ ନେତୃବୃନ୍ଦଙ୍କୁ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରିଛନ୍ତି "ମନୁଷ୍ୟ ରୂପରେ ଜନ୍ମଲାଭ କରିବାର ଅର୍ଥ କ'ଣ ନରସଂହାର ଭଳି ଅକ୍ଷମଣୀୟ ଅପରାଧ କରିବା?’ ତାଙ୍କୁ ଯେତେବେଳେ ମାତ୍ର ୧୨ବର୍ଷ, ସିଓଲ ସ୍ଥିତ ନିଜ ଘର ଆଲମାରୀରୁ ସେ ଏକ ଗୁପ୍ତ ଫଟୋ ଆଲବମ୍ ପାଆନ୍ତି, ଯେଉଁଥିରେ ଅଶି ଦଶକର ଗ୍ୱାଙ୍ଗ୍ଜୁ ଛାତ୍ର ଆନ୍ଦୋଳନକାରୀଙ୍କ ନରସଂହାର ଫଟୋ ରହିଥାଏ ।
ତାଙ୍କ ଭାଷାରେ, "ଉକ୍ତ ଫଟୋସବୁ ମୋ ଭିତରର କୋମଳତାକୁ ଟିକ୍ ଟିକ୍ କରି ପକାଇଥିଲା ।’ କିଶୋରୀ ଅବସ୍ଥାରେ ଉକ୍ତ ଘଟଣାଟି ପରେ ତାଙ୍କ ସାହିତ୍ୟର ଭିତ୍ତିଭୂମି ଗଢ଼ିଥିଲା । ତାଙ୍କର ସବୁଠୁ ଚର୍ଚ୍ଚିତ ରଚନା ମଧ୍ୟରେ ଅଛି "ଦ ଭେଜିଟାରିଆନ (୨୦୦୭)’ ଓ "ହ୍ୟୁମେନ୍ ଆକ୍ଟସ୍ (୨୦୧୪)’ । ଏହି କୃତି ତାଙ୍କର ଜୀବନ୍ତ ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବନାହିଁ । ବିଶ୍ୱରେ ଶାନ୍ତି ସ୍ଥାପନ ହେଉ, ସମସ୍ତ ବିଶ୍ୱବାସୀ ଭ୍ରାତୃତ୍ୱ ବନ୍ଧନରେ ବାନ୍ଧି ହୁଅନ୍ତୁ । "ବିଶ୍ୱ ଆମର, ଆମେ ସମସ୍ତେ ଏକ ବିଶ୍ୱ ପରିବାରର ଅନ୍ତେବାସୀ’ । ଏଇ ପବିତ୍ର ଭାବ ଓ ଭାବନା ବିଜ୍ଞାନ, ସାହିତ୍ୟ, ସଂଗୀତ, ନୃତ୍ୟ, ଶିଳ୍ପ, ବାଣିଜ୍ୟ, କୃଷି, ରାଜନୀତି, ଅର୍ଥନୀତି, ସାମାଜିକ ନୀତି, ଯେକୌଣସି ପାଠ୍ୟକ୍ରମରେ ଆସୁନା କାହିଁକି ନିଶ୍ଚିତ ଭାବେ ଜାଣିବା ଉଚିତ ଯେ "ଏ ବିଶ୍ୱ ଆମର’ ଏହାର ଯତ୍ନ ନେବା, ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କର ମହତ୍ କର୍ମ ହେବା ଦରକାର, ଯାହାର ମହିମା ଅନୁଭବ୍ୟ ମାତ୍ର ଅବର୍ଣ୍ଣନୀୟ । ଜିଜ୍ଞାସୁ ପ୍ରକୃତିର ଥିଲେ ଜଣେ ସାମ୍ବାଦିକ । ଯୁଦ୍ଧର ଭୟାନକ ପରିସ୍ଥିତିକୁ ଲକ୍ଷ୍ୟ କରି ଏକଦା ମନ ଭିତରେ ପ୍ରଶ୍ନ ଉଠିଲା- ଏ ପୃଥିବୀରେ ସର୍ବଶ୍ରେଷ୍ଠ ସୁଖ କ'ଣ? ମନ ଭିତରେ ନିରନ୍ତର ଏହି ପ୍ରଶ୍ନ ଉଠି ତାଙ୍କୁ ବିବଶ କରିଦେଲା । ଏହାର ସଠିକ୍ ଉତ୍ତର ପାଇବା ପାଇଁ ଦିନେ ଗୃହତ୍ୟାଗୀ ହୋଇଗଲେ । ପ୍ରଥମେ ଭେଟ ହୋଇଥିଲା ଜଣେ ଯୁଦ୍ଧରତ ସୈନିକ ସହିତ । ତାଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ "ଦେଶ ସେବା ହିଁ ସର୍ବୋତ୍ତମ ସୁଖ । ଦେଶର ସୁରକ୍ଷା ପାଇଁ ଆତ୍ମବଳିଠୁ ଆଉ ଶ୍ରେଷ୍ଠ ସୁଖ କ'ଣ ବା ହୋଇପାରେ? ଏଥିରେ ବିଶେଷ ଭାବରେ ସନ୍ତୁଷ୍ଟ ନହୋଇ ବ୍ୟକ୍ତି ଜଣକ ସେଠାରୁ ଚାଲିଗଲେ । ତତ୍ପରେ ଭେଟ ହୋଇଯାଇଥିଲେ ଅନ୍ୟ ଜଣେ ଯୁଦ୍ଧଫେରନ୍ତା ବୀର ସୈନିକ ସହିତ । ତାଙ୍କର ପ୍ରଶ୍ନର ଉତ୍ତରରେ କହିଥିଲେ "ଶାନ୍ତି ହିଁ ପ୍ରକୃତିର ସର୍ବଶ୍ରେଷ୍ଠ ସୁଖ । ଯୁଦ୍ଧର ଭୟଙ୍କର ବିନାଶଲୀଳା ତ ମୁଁ ପ୍ରତ୍ୟକ୍ଷ କରିଆସିଛି । ମୁଁ ଦେଖିଆସିଛି କିପରି ରାଷ୍ଟ୍ରନାୟକମାନଙ୍କର ଅସୂୟା ତଥା ଅନ୍ୟ ଦେଶକୁ ପରାଭୂତ କରି ରଖିବାର କୁତ୍ସିତ ଅଭିଳାଷ ଯୋଗୁଁ କେତେ କେତେ ନିରୀହ ଜୀବନ ଅକାରଣେ ନଷ୍ଟ ହୋଇଯାଉଛି, କେତେ ବିକଳାଙ୍ଗ ହୋଇଗଲେ ସବୁଦିନ ପାଇଁ । କେତେ ପରିବାର ଉଜୁଡ଼ିଗଲା ।
ଏହି ସମୟରେ ସାମ୍ବାଦିକ ଜଣକ ଦେଖିଲେ ଯେ, କେତେଜଣ ବୀର ସୈନିକ ଯୁଦ୍ଧର ଧ୍ୱଂସ ସ୍ତୂପ ମଧ୍ୟରୁ କିଛି ଉଦ୍ଧାର କରୁଥିଲେ । ସେ ତ୍ୱରିତ୍ ସେଠାକୁ ଯାଇ ଯାହା ଦେଖିଲେ, ତାଙ୍କ ଆଖିରୁ ଅଶ୍ରୁର ବନ୍ୟା ସ୍ୱତଃ ବହି ଆସିଲା । ମାଆ ତା'ର ଶିଶୁ ସନ୍ତାନକୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇବାକୁ ଯାଇ ଭଗ୍ନ ଅଟ୍ଟାଳିକାର ବଡ଼ ପଥର ଖଣ୍ଡ ନିଜ ପିଠି ଉପରେ ବହନ କରିଛି ଓ ସନ୍ତାନକୁ ତା'ର ଉଦର ତଳେ ଆଶ୍ରୟ ଦେଇ ଜୀବିତ ରଖିବାରେ ସକ୍ଷମ ହୋଇପାରିଛି । ମାତ୍ର ନିଜେ ମୃତ୍ୟୁବରଣ କରିଛି । ଉପରୋକ୍ତ ସମସ୍ତ ଘଟଣା ଯଦିଓ ଗୁରୁତ୍ୱପୂର୍ଣ୍ଣ, ତଥାପି ତାଙ୍କ ବିଚାରରେ ମା'ର ମମତା ହିଁ ଶ୍ରେଷ୍ଠ ସୁଖ । ଏହା ଭିତରେ ସର୍ବୋତ୍ତମ ଆନନ୍ଦ ନିହିତ ରହିଛି । ତତ୍କ୍ଷଣାତ୍ ତାଙ୍କର ଘର କଥା ମନେ ପଡ଼ିଗଲା । ବହୁଦିନ ହେଲା ଗୃହତ୍ୟାଗ କରି ଆସିଥିବାରୁ ପିତାମାତା, ସ୍ତ୍ରୀ ଓ ପିଲାଙ୍କ କଥା ମନେ ପକାଇ ଘରକୁ ବାହୁଡ଼ି ଯାଇଥିଲେ । ତାଙ୍କ ପ୍ରତୀକ୍ଷାରେ ଥିବା ସ୍ତ୍ରୀ, ପୁଅ, ଝିଅ ତଥା ପିତାମାତାଙ୍କ ଆନନ୍ଦ ଦେଖି ଉପଲବ୍ଧି କରିଥିଲେ ସ୍ନେହ-ମମତା ହିଁ ସର୍ବୋତ୍ତମ ସୁଖ । ହୁଏତ ଏହାର ଅର୍ଥ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କଠାରେ ଅଲଗା ହୋଇପାରେ, କିନ୍ତୁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ଆମର ଆଜିର ପୃଥିବୀର ଅନନ୍ତ ଆକାଶ ତଳେ ଅଧାଭଙ୍ଗା କାନ୍ଥକୁ ଆହତ ଆଖିରେ ଚାହିଁଥିଲେ, ଭାରି ଅସହାୟ ଦିଶୁଥିଲା ମାଟି ଆଞ୍ଚର ପୋଡ଼ା ଇଟା, ଯାହା ରାସ୍ତାକଡ଼ରେ ଶିଝୁଥିଲା । ସ୍ୱପ୍ନ ସହ ଆକାଶ ଭାଙ୍ଗିଯିବାର ଖବର ଥିଲା । ପାରାମାନେ ହରେଇଦେଲେ ଘର, ରିଫ୍ୟୁଜି ପରି ଘୂରି ବୁଲୁଥିଲେ ଆକାଶରେ । ବିଡ଼ମ୍ବନା ଆଜି ଆମ ପୃଥିବୀବାସୀଙ୍କର, ଆମ ଚେତନା ନୁହେଁ ସତତ ଜାଗ୍ରତ । ଆମ ପୃଥିବୀ ନୁହେଁ ସୁରକ୍ଷିତ, ଆଉ ସ୍ଥାନ, କାଳ ପାତ୍ରର ପ୍ରଭାବେ ହୁଏ ହାହାକାର । ଏବେ ବି ତ ଗଡ଼ୁଛି ଶକୁନିର ପଶାକାଠି । ମାନବ ଜାତି ସାଧାରଣତଃ ଯୁଦ୍ଧ ନୁହେଁ, ଶାନ୍ତି ଚାହେଁ, ସଂଘର୍ଷ ନୁହେଁ ସୌହାର୍ଦ୍ଦ୍ୟ ଓ ସହାବସ୍ଥାନକୁ ଭଲପାଏ । ଅଥଚ ଯୁଦ୍ଧଖୋର କ୍ଷମତାଧାରୀ ନେତୃବୃନ୍ଦଙ୍କ ପାଇଁ ଆଜି ପୃଥିବୀରେ କେଉଁଠି ନା କେଉଁଠି ଲଢ଼େଇ ଚାଲିଥାଏ, ମନୁଷ୍ୟକୁ ହତ୍ୟା କରିବାର ଷଡ଼ଯନ୍ତ୍ର ଅବିରତ ଲାଗି ରହିଥାଏ ।