ଈଶ୍ୱର ତଥା ଜଗତର ସ୍ରଷ୍ଟା ଯେତେବେଳେ ମଣିଷକୁ ସୃଷ୍ଟି କରି ଏଇ ଧରାପୃଷ୍ଠରେ ପଠେଇଲେ, ସେତେବେଳେ ତାକୁ ପୃଥିବୀର ରଙ୍ଗମଞ୍ଚରେ ଅଭିନୟ କରିବା ପାଇଁ ଓ ପରୋକ୍ଷରେ ପରଖିବା ପାଇଁ କିଛି ବିପରୀତାତ୍ମକ ଉପାଦାନ ଯୋଡ଼ିଗୁଡ଼ିକ ମଣିଷ ମନରେ ଅବସ୍ଥାପିତ କରିଦେଇଥିଲେ । ସେହି ଉପାଦାନ ଯୋଡ଼ିଗୁଡ଼ିକ ହେଲା ପ୍ରେମ-ଘୃଣା, ଭଲ-ମନ୍ଦ, ସୁଖ-ଦୁଃଖ, ଆନନ୍ଦ-ନିରାଶା, ଶିଷ୍ଟ-ଦୁଷ୍ଟ, ଅହିଂସ-ହିଂସା, ଦୁର୍ନୀତି-ସ୍ୱଚ୍ଛତା, ସାଧୁତା-ଅସାଧୁତା ଇତ୍ୟାଦି । ଏଗୁଡ଼ିକ ମଧ୍ୟରୁ ଅତି ଗୁରୁତ୍ୱପୂର୍ଣ୍ଣ ଯୋଡ଼ି ହେଲା ପ୍ରେମ ଓ ଘୃଣା । କେହି କେହି ପ୍ରେମର ମଧୁରତାକୁ ଗ୍ରହଣ କରିଚାଲନ୍ତି ତ ଆଉ କେହି କେହି ଅଯଥା ଘୃଣାର ବଶବର୍ତ୍ତୀ ହୋଇଥାନ୍ତି । ପ୍ରେମ ସକାରାତ୍ମକ ହେଲେ, ଘୃଣା ନକାରାତ୍ମକ ପ୍ରବୃତ୍ତିର ପ୍ରତିଫଳନ । ବେଳେବେଳେ ପ୍ରେମ ନକାରାତ୍ମକ ରୂପ ନେଲାବେଳେ ଘୃଣା ସକାରାତ୍ମକ ରୂପ ନେଇଥାଏ । ଉଦାହରଣ ସ୍ୱରୂପ, ଗୋଟିଏ ସମାଜରେ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିଟିକୁ ଘୃଣା କରାଯିବା ଠିକ୍ ।
ସେହିପରି ପ୍ରେମକୁ ଅସ୍ୱୀକାର ତଥା ଅବମାନନା କରିବା ବ୍ୟକ୍ତିକୁ ନକାରାତ୍ମକ ଦୃଷ୍ଟିରେ ଦେଖାଯାଏ । ଏଥର ଆସନ୍ତୁ ପ୍ରେମ କ'ଣ ଓ ଏହା କେତେ ପ୍ରକାରର ଏକ ଅନୁଶୀଳନ କରିବା । ପ୍ରେମର ଅର୍ଥ ଯେ, ଖାଲି ପୁଅ ଓ ଝିଅ ମଧ୍ୟରେ ଭଲ ପାଇବାର ଆକାଂକ୍ଷା ନୁହେଁ । ପ୍ରେମ ବିଭିନ୍ନ ସ୍ତରରେ ଭିନ୍ନ ରୂପରେ ନେଇଥାଏ ଯଥା- ସ୍ୱାମୀ ସ୍ତ୍ରୀ ପ୍ରେମ, ପିତାପୁତ୍ର ପ୍ରେମ, ଭାଇ ଭାଇ ପ୍ରେମ, ଭାଇଭଉଣୀ ପ୍ରେମ, ଦାଦା ପୁତୁରା ପ୍ରେମ, ମାମୁ ଭଣଜା ପ୍ରେମ ଇତ୍ୟାଦି । ଭାଇ ଭାଇର ପ୍ରେମ ଅତି ନିଆରା, କଥାରେ ଅଛି- କଳି ଯଦି କରି ବସିଲେ ସଙ୍ଗେ ଥିବ ଭାଇ । ଯେପରିକି ଜଗାବଳିଆଙ୍କର ଭାଇ-ଭାଇ ସଂପର୍କ ଅତି ନିବିଡ଼ । ଏକ ଉଚ୍ଚ ଅର୍ଥରେ ବୁଝିଲେ ପ୍ରେମ ଅନେକ ପ୍ରକାରର ଯଥା- ଭଗବତ୍ ପ୍ରେମ, ଶାଶ୍ୱତ ପ୍ରେମ, ଆତ୍ମପ୍ରେମ ଓ ପାର୍ଥିବ ପ୍ରେମ, ଏଥର ବିଷୟବସ୍ତୁ ପାର୍ôଥବ ପ୍ରେମ ଉପରେ ଆଲୋଚନା କରିବା । ପାର୍ଥିବ ପ୍ରେମ (Worldly love) ଏକପ୍ରକାର ପ୍ରେମ, ଯେଉଁଥିରେ ବସ୍ତୁବାଦ ନିହିତ ଥାଏ । ଆଗରୁ ଉଲ୍ଲିଖିତ ଯେ, ବାପା ବୋଉ, ଭାଇ ଭଉଣୀ, ସ୍ୱାମୀ ସ୍ତ୍ରୀ, ପିତାମାତା କାକା କାକୀ ଇତ୍ୟାଦି ବସ୍ତୁବାଦୀ ପ୍ରେମ ବା ପାର୍ଥିବ ପ୍ରେମ । ପ୍ରକୃତରେ ଦେଖିବାକୁ ଗଲେ ଆଜିକାଲି ପାର୍ଥିବ ପ୍ରେମର ମର୍ଯ୍ୟାଦା କେହି ରଖୁନାହାନ୍ତି । ସମସ୍ତେ ପାର୍ଥିବ ପ୍ରେମର ଅନ୍ଧକାରରେ ମସ୍ଗୁଲ । କେହି ପାର୍ଥିବ ପ୍ରେମର ଆଲୋକରେ ଆଲୋକିତ ହେବାକୁ ଚାହୁଁ ନାହାନ୍ତି । ଏ ନେଇ କିଛି ଉଦାହରଣ । "ବାପା କହୁଛନ୍ତି ପୁଅକୁବାପାରେ ମନଦେଇ ପାଠ ପଢ଼ । ଏକ ସୁନାଗରିକ ହୋଇ ସମାଜ ତଥା ଦେଶ ଉନ୍ନତିରେ ନିଜକୁ ନିୟୋଜିତ କର' ।
ଉପରୋକ୍ତ ସମ୍ବୋଧନଟି ଆଲୋକର ଶକ୍ତିରେ ପ୍ରଜ୍ୱଳିତ ପାର୍ଥିବ ପ୍ରେମକୁ ବୁଝାଏ, ଯାହା ମଣିଷ ଜୀବନକୁ ସୁଖ ଶାନ୍ତି ଦେଇଥାଏ । ଠିକ୍ ସେହିପରି "ଝିଅ କହୁଚି ମା'ଙ୍କୁ- ମୁଁ ସେ ଘରକାମଗୁଡ଼ିକ କରି ପାରିବିନି, ଚାକର ରଖିଦିଅ, ସେ କରିବ । ମୋର ସେ ସବୁ କରିବାର ବେଳ ନାହିଁ' । ଏ ପ୍ରକାର ସମ୍ବୋଧନାତ୍ମକ ଉକ୍ତିଟି ମା' ଓ ଝିଅଙ୍କ ମଧ୍ୟରେ ପାର୍ଥିବ ପ୍ରେମର, ଯାହା ଦର୍ଶନ ଅନ୍ଧକାରରେ ଜର୍ଜରିତ, ଆଲୋକ ତଥା ଜ୍ଞାନ ଓ ବୁଦ୍ଧି, ଶିଷ୍ଟତାର ଅଭାବରେ ନିଷ୍ପେସିତ । ପତ୍ନୀ କହୁଛି ସ୍ୱାମୀଙ୍କୁ- ଆଜି ରୋଷେଇ କରିପାରିବୁନି, ତୁମେ ଖାଇଲେ ଖାଅ ନଖାଇଲେ ନାହିଁ, ବରଂ ହୋଟେଲରୁ ପାରସେଲ ମଗେଇ ଦିଅ । ପତି ଓ ପତ୍ନୀ ମଧ୍ୟରେ ଏ ପ୍ରକାର ପ୍ରେମ ଅନ୍ଧକାରରେ ଦୃଶ୍ୟହୀନ ଅବସ୍ଥା ସଙ୍ଗେ ସମାନ । ତେଣୁ ଉପରୋକ୍ତ ଉଦାହରଣ ଗୁଡ଼ିକରୁ ଏହା ସ୍ପଷ୍ଟ ଅନୁମେୟ, ଆଲୋକରେ ଆଲୋକିତ ପାର୍ଥିବ ପ୍ରେମ ହେଲା ପରସ୍ପର ମଧ୍ୟରେ ସତ୍ ଭାବ, ଅର୍ଥାତ୍ ପିତା ପୁତ୍ର ମଧ୍ୟରେ, ଭାଇ ଭାଇ ମଧ୍ୟରେ, ଭାଇ ଭଉଣୀ ମଧ୍ୟରେ, ଦାଦା ଖୁଡ଼ୀ ମଧ୍ୟରେ ସ୍ୱଚ୍ଛ ସମ୍ପର୍କର ସଂସ୍ଥାପନ, ଗୁରୁଜନ ପ୍ରତି ଭୟ ଓ ଭକ୍ତି, ଲଘୁଜନ ପ୍ରତି ସ୍ନେହ ଶ୍ରଦ୍ଧା, ପତ୍ନୀର ପତି ପ୍ରତି ଉଚିତ କର୍ତ୍ତବ୍ୟ ପାଳନ ଏବଂ ସ୍ତ୍ରୀ ପ୍ରତି ସ୍ୱାମୀର ମଧ୍ୟ କର୍ତ୍ତବ୍ୟ ସଂପାଦନ, ପଡ଼ୋଶୀ ସଙ୍ଗେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଇତ୍ୟାଦି ସମସ୍ତ ସକାରାତ୍ମକ ଗୁଣଗୁଡ଼ିକ ।
ମାତ୍ର ଅନ୍ଧକାର ଗର୍ତ୍ତରେ ହଜି ରହିଥିବା ପାର୍ଥିବ ପ୍ରେମ ହେଲା ପରସ୍ପରକୁ ବିନା କାରଣରେ ଘୃଣା କରିବା । ଗୁରୁଜନମାନଙ୍କୁ ଅସମ୍ମାନ କରିବା, ଲଘୁଜନମାନଙ୍କୁ ହତାଦର କରିବା, ହିଂସା ଓ ଗଣ୍ଡଗୋଳ ଭିଆଇବା, ପରର ଉପକାର ପରିବର୍ତ୍ତେ ଅପକାର କରିବା, ଅନ୍ୟ ପ୍ରତି ବ୍ୟବହାରରେ ତ୍ରୁଟି ଦେଖାଇବା, ସାଙ୍ଗସାଥୀମାନଙ୍କୁ ଠକିବା ଇତ୍ୟାଦି । କିଙ୍ଗ୍ ମାର୍ଟିସ ଲୁଥରଙ୍କ ଭାଷାରେ– Darkness cannot drive out darknes’s, only light can goes that. Hate cannot drive out hate’s, only love can go that. ଏହା ଜାଣି ରଖିବାକୁ ହେବ ଯେ, ସକାରାତ୍ମକ ପାର୍ଥିବ ପ୍ରେମରେ ଆତ୍ମକେନ୍ଦ୍ରିକତା ଓ ଏକାକୀତ୍ୱର ଆଭାସ ନଥାଏ । ପାର୍ଥିବ ପ୍ରେମ ନେଇ ଏକ ଘଟଣାଟିଏ ଉପସ୍ଥାପନ କରିବାକୁ ମନେ କରୁଛି । ଫ୍ଲୋରିଡାର ଆମେରିକୀୟ ଫୁଟବଲର କ୍ରିସ୍ ରସେଲ ଥରେ ତାଙ୍କ ପତ୍ନୀଙ୍କ ସହ ଡ୍ୟନେଡିନରେ ଏକ ରେଷ୍ଟୁରାଣ୍ଟରେ ରାତ୍ରିଭୋଜନ କରିବା ପାଇଁ ବାହାରିଲେ । ରେଷ୍ଟୁରାଣ୍ଟଟି ଖୁବ୍ ଲୋକପ୍ରିୟ ଥିଲା, ହୋଟେଲର ବୟ ତାଙ୍କୁ ନେଇ ଏକ ମଝିରେ ଥିବା ଟେବୁଲରେ ବସାଇଲା । ଯାହାକି ଦୁଇ ପାଶ୍ୱର୍ରେ ଦୃଢ଼ଭାବରେ ଆଉ ଦୁଇଟି ଟେବୁଲ ଟାଇଟ୍ ହୋଇ ରହିଥିଲା । ସେମାନଙ୍କ ଟେବୁଲଟି ଅନ୍ୟ ଦୁଇଟି ଟେବୁଲ ସଙ୍ଗେ ଏତେ ପାଖାପାଖି ଥିଲେ ଯେ, ଦୁଇ ଟେବୁଲରେ ଥିବା ଦୁଇ ଗ୍ରାହକଙ୍କର କଥୋପକଥନ କ୍ରିସ୍ ରସେଲ ଓ ତାଙ୍କ ପତ୍ନୀଙ୍କୁ ସବୁ ଜଣାଯାଉଥିଲା ।
ଟେବୁଲର ଡାହାଣ ପାଶ୍ୱର୍ରେ ଚାରିଜଣ ବୟସ୍କ ବନ୍ଧୁ ରାତ୍ରିଭୋଜନ କରୁଥିଲେ । ତାଙ୍କ ମଧ୍ୟରୁ ଜଣେ ବୟସ୍କ ଲୋକ ବିବାହର ୪୦ବର୍ଷ ପରେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ । ଭଦ୍ରବ୍ୟକ୍ତିଟି ନିଜ ମୃତ ସ୍ତ୍ରୀର ସ୍ମୃତିକୁ ମନେପକାଇ ବହୁତ ଦୁଃଖ ଅନୁଭବ କରୁଥିଲେ । ତାଙ୍କର ପରସ୍ପର ଭଲପାଇବାର ସ୍ମୃତିର ଏକ ଘଟଣା ବଖାଣୁଥିଲେ । ତାଙ୍କ ପତ୍ନୀଙ୍କ ବିୟୋଗର କିଛିଦିନ ପରେ ଥରେ ସେ ତାଙ୍କ ବହିଥାକରୁ ବହିଟିଏ ଟାଣି ଆଣିଲେ, ବହି ମଧ୍ୟରୁ ପତ୍ନୀଙ୍କ ହାତଲେଖା ଏକ ପୁରୁଣା ଚିଠିଟିଏ ତଳେ ପଡ଼ିଗଲା, ଯାହାକି ତାଙ୍କ ବିବାହ ପୂର୍ବର ଏକ ପ୍ରେମପତ୍ରଟିଏ ଥିଲା । ଚିଠିଟିର ମର୍ମ ଥିଲା । ସେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ଏବଂ ଜୀବନର ବାକି ସମୟ ତାଙ୍କ ସହିତ କଟାଇବାକୁ ରାଜି ଅଛନ୍ତି । ଆଉ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ ଯେ, ସେ ତାଙ୍କ ପତିଙ୍କର ସମସ୍ତ ପ୍ରକାର ଯତ୍ନ ନେବେ । ଏ ସମସ୍ତ କଥା କ୍ରିସ୍ ରସେଲ ଏବଂ ତାଙ୍କ ପତ୍ନୀ ସବୁ ଶୁଣିପାରୁଥିଲେ । ରସେଲଙ୍କ ଟେବୁଲର ଅନ୍ୟ ପାଖରେ ଅନ୍ୟ ଏକ ଦମ୍ପତି ରାତ୍ରିଭୋଜନ ପାଇଁ ବସିଥିଲେ । ସେମାନଙ୍କୁ ଦମ୍ପତି କୁହାଯାଇନପାରେ? କାରଣ ସେମାନେ ବିବାହ କରିନଥିଲେ । ପ୍ରକୃତରେ ପାଖରେ ଥିବା ମହିଳାଟି ଭଦ୍ରବ୍ୟକ୍ତିଙ୍କ ସ୍ତ୍ରୀ ନୁହଁନ୍ତି । ଠିକ୍ ଏହି ସମୟରେ ଭଦ୍ରବ୍ୟକ୍ତିଟି ତାଙ୍କ ସ୍ତ୍ରୀଙ୍କ ଠାରୁ ଏକ କଲ୍ ପାଇଲେ ଡିନର କରୁଥିବା ସମୟରେ । ଯେହେତୁ ଭଦ୍ରବ୍ୟକ୍ତି ତାଙ୍କ ସ୍ତ୍ରୀ ସହ କଥା ହେବାକୁ ଲାଗିଲେ, ବାନ୍ଧବୀଟି ତାଙ୍କ ଉପରେ କ୍ରୋଧାନ୍ୱିତ ହେବାକୁ ଲାଗିଲେ । ଉପରୋକ୍ତ ଘଟଣାଟିରୁ ବୁଝାପଡ଼େ ଯେ, ପ୍ରଥମ ଘଟଣାଟି ସତ ପାର୍ଥିବ ପ୍ରେମର ଉଦାହରଣ, ଯାହା ଏକ ଜ୍ଞାନାଲୋକ ପ୍ରଦାୟକ । ଦ୍ୱିତୀୟ ଘଟଣାଟି ଏକ କଳୁଷିତ ପାର୍ଥିବ ପ୍ରେମର ଉଦାହରଣ, ଯାହା ମଣିଷଟିକୁ ଅନ୍ଧକାରମୟ ସ୍ଥିତିରେ ପକାଇଥାଏ । ଆସନ୍ତୁ, ବାସ୍ତବ ପାର୍ଥିବ ପ୍ରେମର ବାସନାକୁ ଆଦୃତ କରିବା ଏବଂ ସମାଜର ହିତରେ ନିଜକୁ ନିୟୋଜିତ କରିବା ।