ବୟସ ବାର୍ଦ୍ଧକ୍ୟର ପରିମାପକ ନୁହେଁ । ଜଣେ ଶତାୟୁ ବ୍ୟକ୍ତି ଯଦି ନିଜକୁ ଅତିକ୍ରମ କରିବାକୁ, ଆହୁରି ବିକଶିତ ହେବାକୁ, ନୂଆପତ୍ର ପକାଇବାକୁ ଇଚ୍ଛା ଓ ପ୍ରୟାସ କରିପାରେ, ଆଉ କିଛି କରିବା ଓ ହେବାରେ ସ୍ୱପ୍ନ ବିଭୋର ରହିପାରେ, ଭବିଷ୍ୟତକୁ ସହଜ ଓ ସ୍ୱାଭାବିକ ଭାବରେ ପାଦ ବଢ଼ାଇପାରେ, ତାହେଲେ ତାକୁ ବୃଦ୍ଧ କୁହାଯାଇ ପାରିବନାହିଁ ।
ପୁରୁଣାରୁ ନୂଆ, ନୂଆରୁ ପୁରୁଣା, ଲାଗିଥିବ ଏହି ଖେଳ । କାଳ-କାଳାନ୍ତର ସୀମା ଅତିକ୍ରମି ହସୁଥିବ ମହାକାଳ । ମହାକାଳର ଅଲଂଘ୍ୟ ଆହ୍ୱାନକୁ ସ୍ୱୀକାର କରି ମଧ୍ୟ ଅଟକିଯିବ ନାହିଁ ଜୀବନର ସ୍ରୋତ । ସମୟର ଅନନ୍ତ ପ୍ରବାହ ସହିତ ସମତାଳରେ ଗତିଶୀଳ ଥିବ ଜୀବନ-ପ୍ରବାହ । କିଛି ସ୍ମୃତି, ସ୍ୱପ୍ନ ଓ ସଂପର୍କକୁ ନେଇ ଏ ଜୀବନ । ସଂପର୍କ ବି ଦିନେ ସ୍ମୃତି ପାଲଟିଯାଏ ଏବଂ ନୂଆ ସଂପର୍କ ଗଢ଼ାହୁଏ । ନୂଆ ନୂଆ ସ୍ୱପ୍ନ ଦେଖାହୁଏ । ସ୍ୱପ୍ନ ଦେଖା ସରେନାହିଁ । ସ୍ୱପ୍ନ ଶେଷ ତ ଜୀବନ ଶେଷ । ମାତ୍ର ଯେଉଁ ସ୍ୱପ୍ନ ଆମେ ଦେଖିବା, ତାହା କ’ଣ ନିଜ ପାଇଁ, ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ, ସମୃଦ୍ଧି ପାଇଁ ନା ସେଥିରେ ଅନ୍ୟମାନେ ବି ଥିବେ । ଅନ୍ୟମାନେ କହିଲେ, ନିଜ ଭିନ୍ନ ଅନ୍ୟ ଯେଉଁମାନଙ୍କ ସହିତ ଆମେ ସାମାଜିକ କ୍ଷେତ୍ରରେ ସଂପର୍କିତ ହୋଇ ରହିଛୁ, ସେମାନଙ୍କ କଥାକୁ ହିଁ ବୁଝାଏ । ମାତ୍ର ସେମାନେ ଅନ୍ୟ ହେବେ କିପରି? ସେମାନେ ତ ଆମ ଜୀବନର ଅଂଶବିଶେଷ । ସେମାନଙ୍କୁ ବାଦ୍ ଦେଲେ ନିଜର ଜୀବନ ଆଉ ଜୀବନ ହୋଇ ରହିବ ନାହିଁ । ନିଃସଙ୍ଗତା ଓ ଏକପ୍ରକାର ଅସହାୟତା ଭିତରେ ତାହା ଝାଉଁଳି ପଡ଼ିବ ।
ମୁଁ ଯେତେବେଳେ ହାତରେ କଲମ ଧରୁଛି ବା କିଛି ଲେଖୁଛି, ହେଇପାରେ ତାହା ଆତ୍ମସନ୍ତୋଷ ପାଇଁ, ନିଜର ଅବ୍ୟକ୍ତ ଭାବନାରୁ ନିଜକୁ ମୁକ୍ତ କରିବା ପାଇଁ । ହେଲେ ସେଥିରେ ଯଦି ଅନ୍ୟମାନେ ନିଜର ମୁହଁ ଦେଖିପାରିଲେ ନାହିଁ, ନିଜର ଭାବାବେଗ ସହିତ ନିଜକୁ ସଂଯୁକ୍ତ କରିପାରିଲେ ନାହିଁ, କିମ୍ବା ମୋ ଲେଖାକୁ ସେମାନେ ନିଜର ଲେଖା ବୋଲି କହିପାରିଲେ ନାହିଁ, ତେବେ ମୋ ଲେଖାର କିଛି ବି ମୂଲ୍ୟ ରହିଲା ନାହିଁ । ହୋଇପାରେ ତାହା ଅତ୍ୟନ୍ତ ଉଚ୍ଚକୋଟୀର । ପାଇପାରେ ପୁରସ୍କାର ଓ ପ୍ରଶଂସା ପତ୍ର । ମାତ୍ର ତାହା ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ସମୟକୁ ଅତିକ୍ରମ କରିବାର ଶକ୍ତି ନଥିବା କାରଣରୁ ବିସ୍ମୃତି ଗର୍ଭକୁ ଚାଲିଯାଏ । ତେଣୁ ବ୍ୟକ୍ତିରୁ ବ୍ୟକ୍ତିକୁ, ସମୟରୁ ସମୟକୁ ସଂଚାରିତ ଏବଂ ସଂପ୍ରସାରିତ ହେବାରେ ହିଁ ପୁରୁଣା ଆଉ ପୁରୁଣା ହୋଇ ରହେନାହିଁ । ସେଥିରେ ସବୁବେଳେ ନୂତନତାର ସ୍ପର୍ଶ ଲାଗୁଥାଏ ଏବଂ ଚିରସବୁଜ ଓ ସତେଜ ହୋଇ ରହିଥାଏ । ପଢ଼ୁଥିଲି ଚନ୍ଦ୍ରଶେଖର ରଥଙ୍କ ଡାଏରୀ । ଏ ଡାଏରୀ ପାଠକୁ ପୁରୁଣା କହିବି ନା ନୂଆ କହିବି? ଗଛଟିଏ ବଞ୍ଚିଥିବା ଯାଏଁ ନୂଆପତ୍ର ପକାଉଥାଏ । ଏହା ହିଁ ତାର ବଞ୍ଚି ରହିଥିବାର ପ୍ରମାଣ । ସେଥିପାଇଁ ଗଛ ଶିଖ ଆଡୁ ହିଁ ମରିଆସେ । ନୂଆପତ୍ର ଉନ୍ମେଷର ପ୍ରତୀକ । ଜୀବନ ଚିରକାଳ ଉନ୍ମେଷିତ ହେଉଥାଏ । ଉନ୍ମେଷ ନହେବା ହିଁ ଜଡ଼ତା, ବାର୍ଦ୍ଧକ୍ୟ ଓ ମୃତ୍ୟୁ । ଜୀବନରେ ଯେତେବେଳେ ଅନୁଭବ ହୁଏ ଯେ, ଯାହା କରିବାର ଥିଲା ସେ ସମସ୍ତ ହୋଇ ସାରିଛି । ଆଉ କିଛି କରିବାର ନାହିଁ, ନୂତନ ଦିଗ୍ବଳୟ ଦିଶୁନାହିଁ, ନୂତନ ସ୍ୱପ୍ନ, ନୂତନ ସମ୍ଭାବନା ଦିଶୁନାହିଁ । ସେତିକିବେଳେ ସ୍ଥାଣୁତ୍ୱ ଗ୍ରାସ କରିଯାଏ । ବୟସ ବାର୍ଦ୍ଧକ୍ୟର ପରିମାପକ ନୁହେଁ ।
ଜଣେ ଶତାୟୁ ବ୍ୟକ୍ତି ଯଦି ନିଜକୁ ଅତିକ୍ରମ କରିବାକୁ, ଆହୁରି ବିକଶିତ ହେବାକୁ, ନୂଆପତ୍ର ପକାଇବାକୁ ଇଚ୍ଛା ଓ ପ୍ରୟାସ କରିପାରେ, ଆଉ କିଛି କରିବା ଓ ହେବାରେ ସ୍ୱପ୍ନ ବିଭୋର ରହିପାରେ, ଭବିଷ୍ୟତକୁ ସହଜ ଓ ସ୍ୱାଭାବିକ ଭାବରେ ପାଦ ବଢ଼ାଇପାରେ, ତାହେଲେ ତାକୁ ବୃଦ୍ଧ କୁହାଯାଇ ପାରିବନାହିଁ । ଶହେ ବର୍ଷରେ ପାଦ ଦେଉଥିବା ସମାଜସେବୀ ପଦ୍ମଚରଣ ନାୟକ ନିଶା ନିବାରଣ ଅଭିଯାନର ନେତୃତ୍ୱ ନେଇପାରନ୍ତି । ଶହେ ଘୋଡ଼ାକୁ ପାଦ ବଢ଼ଉଥିବା ଭାଷାଚରଣ ଦେବୀପ୍ରସନ୍ନ ପଟ୍ଟନାୟକ ଭାଷା ସଂପର୍କରେ ଗବେଷଣା ଓ ଲେଖାଲେଖି ଜାରି ରଖିପାରନ୍ତି । ନୂତନ କଥା-କଳ୍ପନାରେ ବିଭୋର ହୋଇପାରନ୍ତି ସାହିତ୍ୟସେବୀ ଅଚ୍ୟୁତାନନ୍ଦ ପତି କିମ୍ବା ‘ବହୁ ବହୁ ଜନ୍ମ’ର ଉପନ୍ୟାସ ରଚନା କରିପାରନ୍ତି ଶାନ୍ତନୁ କୁମାର ଆଚାର୍ଯ୍ୟ । ପୁରୁଣାରୁ ନୂଆ । ପୁରୁଣା ହିଁ ସୁନା । ନୂଆ ସ୍ୱପ୍ନ, ନୂଆ ସମ୍ଭାବନା । ସମୟର ପୁରୁଣା, ନୂଆ ବୋଲି କିଛି ନଥାଏ । କେବଳ ଚିତ୍ର ବଦଳୁଥାଏ । ଜନ୍ମ-ମୃତ୍ୟୁ ସୀମିତ ଜୀବନର ମଧ୍ୟ ବୟସାନୁକ୍ରମେ ରୂପାନ୍ତର ହେଉଥାଏ । କୈଶୋର ହେଉ ଅବା ଯୌବନ ଓ ଜରା, ଜୀବନର ପ୍ରତ୍ୟେକ ଅବସ୍ଥା ତାର ନୂତନ ଦୀପ୍ତି ଓ ଦ୍ୟୂତିରେ ଉଦ୍ଭାସିତ ହେଉଥାଏ ।
ଜୀବନର ପ୍ରତ୍ୟେକ ଅବସ୍ଥାକୁ ସମାନ ଆଗ୍ରହରେ ଆମକୁ ଭୋଗିବାକୁ ହେବ । ଏଇ ଭୋକିଲା ଭିତରେ ଦୁଃଖ ଆସିପାରେ । ସୁଖ ବି ମୁହଁ ଦେଖେଇ ଲୁଚି ଯାଇପାରେ । ଦୁଃଖ ହିଁ ସତ, ଆଉ ସୁଖ ମିଛ ହେଇପାରେ । ଏଇ ସତ ମିଛ, ଦୁଃଖ ସୁଖର ଅନୁଭବ ଓ ଅନୁଭୂତିକୁ ନେଇ ତ ଆମର ଜୀବନ । ସତେ ବା ଜୀବନ ଏକ କ୍ଷେତ୍ର । ଏହା ଉପରେ କେତେବେଳେ ଖରା ତ କେତେବେଳେ ବର୍ଷା । ଖରା-ବର୍ଷା, ଶୀତବସନ୍ତର ସ୍ପର୍ଶ ଓ ଶିହରଣରେ ଜୀବନ ମୁକୁଳିତ ହୋମରେ ଲାଗିଥାଏ । ରାତି ପାହେ, ସକାଳ ଆସେ । ପ୍ରତିଟି ସକାଳ ନୂଆ ସକାଳ । ପୁରୁଣାର ରୂପାନ୍ତର । ଆମେ କିନ୍ତୁ ଆମ ଢଙ୍ଗରେ ସମୟକୁ ଭୋଗ କରୁ । ବର୍ଷ, ମାସ, ଦିନ, ଦଣ୍ଡ, ମସିହାରେ । ଡିସେମ୍ବର ୩୧ ଓ ଜାନୁଆରୀ ପହିଲା ଭିତରେ ଫରକ ଦେଖୁ ଏବଂ ନୂଆବର୍ଷ ବୋଲି ପ୍ରବଳ ଉତ୍ସାହରେ ଉତ୍ସବମୁଖର ହେଇପଡ଼ୁ । ସାଧାରଣ ଖଟିଖିଆ ମଣିଷ ପାଇଁ ଏ ପ୍ରକାର ଉତ୍ସବର କିଛି ଅର୍ଥ ନଥାଏ । ସେ ନିଜ ଜୀବନ ସଂଘର୍ଷରେ ଲାଗିଥାଏ ସବୁଦିନ ପରି । ତା’ପାଇଁ ପୁରୁଣା ଯାହା, ନୂଆ ସେୟା । ଏଇ ନୂଆ ପୁରୁଣାର ଖେଳ ଭିତରେ, ଚାଲ ବନ୍ଧୁ, ଆମେ ନିଜକୁ ଖୋଲିଦେବା ପରସ୍ତ ପରସ୍ତ କରି । ନୂତନର ସ୍ୱାଗତ ପର୍ବକୁ ଜୀବନର ଉନ୍ମୋଚନ ଓ ପ୍ରସାରଣରେ ପରିଣତ କରିଦେବା । ପୁରୁଣାର ଓ ନୂଆର କାଳଭିତ୍ତିକ ବିଭାଜନକୁ ଅସ୍ୱୀକାର କରି ଜୀବନକୁ ଜୀବନ ଦୃଷ୍ଟିରେ ଦେଖିବା ଏବଂ ପରଷିବା ।