ଆଜିର ପ୍ରତିଯୋଗିତା ଉତ୍ତୀର୍ଣ୍ଣ ଶିକ୍ଷା ମଣିଷକୁ ଅହଂକାରୀ କରୁଛି । ମଣିଷ ନିଜକୁ ସର୍ବୋତ୍ତମ ମନେକରି ଅନ୍ୟମାନଙ୍କୁ ହୀନ ଚକ୍ଷୁରେ ଦେଖୁଛି। ସେହି ଅହଂକାରରୁ ଜନ୍ମ ନେଉଛି ଔଦ୍ଧତ୍ୟ । ମୁଁ ହିଁ ଶ୍ରେଷ୍ଠ ଓ ଅନ୍ୟମାନେ ନିକୃଷ୍ଟ- ଏହିଭଳି ଭାବନା ହେଉଛି ଅଜ୍ଞାନ । ବିଦ୍ୟା ଏହି ଅଜ୍ଞାନରୁ ମୁକ୍ତି ଦିଏ ।
୨୦୧୯ ମସିହାର ଏକ ଘଟଣା । ତାମିଲନାଡୁର ତିରୁଚି ସହରରେ ରହୁଥାନ୍ତି ଜଣେ ଶିକ୍ଷୟିତ୍ରୀ । ତାଙ୍କ ଝିଅଟିର ବୟସ ପାଞ୍ଚ ବର୍ଷ । ବିଦ୍ୟାଳୟରେ ଶିକ୍ଷକ ଦେଇଥିବା ଘରକାମ ଶେଷ କରିନଥିବାରୁ ଶିକ୍ଷୟିତ୍ରୀ ଜଣକ ତାଙ୍କ ଝିଅକୁ ଦଣ୍ଡସ୍ୱରୂପ ଖରାରେ ଘଣ୍ଟାଏ ଧରି ଠିଆ କରାଇଦେଲେ । ସେତିକି ଦଣ୍ଡରେ ସେ ସନ୍ତୁଷ୍ଟ ହେଲେନାହିଁ । ରାଗିଯାଇ ସେ ପ୍ରେସର କୁକର୍ର ଢାଙ୍କୁଣି ଧରି ଝିଅଟି ଆଡ଼େ ଦୌଡ଼ିଗଲେ । ଧକ୍କାରେ ଝିଅଟି ତଳେ ପଡ଼ି ଚେତା ହରାଇଲା । ତାକୁ ଡାକ୍ତରଖାନା ନିଆଗଲା, ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କଲେ । ଏହି ବିମର୍ଷକର ଘଟଣା ପଛରେ ଥିଲା ଶିକ୍ଷୟିତ୍ରୀ ମାଆଙ୍କ ଉଚ୍ଚାଭିଳାଷ । ସେ ଚାହୁଁଥିଲେ ତାଙ୍କ ସନ୍ତାନ ଅନ୍ୟ ପିଲାଙ୍କ ଠାରୁ କେବେ ପଛରେ ନପଡୁ । ସେ ସବୁବେଳେ ଆଗୁଆ ହେବା ଦରକାର । ପିଲାର ଭବିଷ୍ୟତ ପାଇଁ ତାକୁ ପ୍ରତିଯୋଗିତା ପ୍ରବଣ କରି ଗଢ଼ିବା ହେଉଛି ଆଜିର ପିତାମାତାଙ୍କ ଲକ୍ଷ୍ୟ । ସେହି ଛୋଟ ଝିଅଟିର ମୃତ୍ୟୁର କାରଣ ଥିଲା ଏହିଭଳି ଦୃଷ୍ଟିଭଙ୍ଗୀ ।
ଭିନ୍ନତା ବା ବୈଚିତ୍ର୍ୟ ହେଉଛି ଏହି ସୃଷ୍ଟିର ବିଶେଷତ୍ୱ । ଭାବାବେଗ, ଅନୁଭବ, ସମ୍ବେଦନ ଆଦି ମାନବୀୟ ଗୁଣ ସମସ୍ତଙ୍କ ପାଖରେ ସମାନ ନଥାଏ । ମାନସିକ ବିକାଶ, ବୁଦ୍ଧି, ସ୍ମୃତିଶକ୍ତି, ଧୀଶକ୍ତି ବ୍ୟକ୍ତି ଭେଦରେ ଭିନ୍ନ ଥାଏ । ଏହି ପରିସ୍ଥିତିରେ ଆମ ଭିତରେ ପ୍ରତିଯୋଗିତାର କୌଣସି ପ୍ରାସଙ୍ଗିକତା ନାହିଁ । ପ୍ରତ୍ୟେକ ବ୍ୟକ୍ତି ଅନନ୍ୟ । ପ୍ରତ୍ୟେକଙ୍କ ସ୍ୱଧର୍ମ ରହିଛି । ସେହି ସ୍ୱଧର୍ମ ଅନୁସାରେ ତାର ବିକାଶ ସହଜ ଓ ସମ୍ଭବ । ତଥାପି ପ୍ରତିଯୋଗିତା ହିତ ମଧ୍ୟ ସାଧନ କରିଛି । ମଣିଷ ମାତ୍ରକେ ସ୍ୱାର୍ଥପର । ସେ ସର୍ବଦା ସ୍ୱାର୍ଥ ସାଧନ କରିବା ପାଇଁ ପ୍ରମତ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ତାର ଆଦିମ ପ୍ରବୃତ୍ତି । ଏହି ପ୍ରବୃତ୍ତିକୁ ନିୟନ୍ତ୍ରଣ ନକଲେ ସ୍ୱାର୍ଥ ସହ ସ୍ୱାର୍ଥର ସଂଘର୍ଷ ଘଟି ସମାଜରେ ଅରାଜକତା ସୃଷ୍ଟିହେବ । ଏହି ପ୍ରବୃତ୍ତିକୁ ଶୃଙ୍ଖଳିତ କରିଛି ପ୍ରତିଯୋଗିତା, କାରଣ ପ୍ରତିଯୋଗିତା କଲେ କେହି ମନଇଚ୍ଛା ଯାହା ପାରିବ ତାକୁ ଆତ୍ମସାତ୍ କରିପାରିବ ନାହିଁ । ପୁନଶ୍ଚ ମଣିଷ ଭିତରେ କିଛି ଗୁଣ ଲୁକ୍କାୟିତ ଅବସ୍ଥାରେ ଥାଏ । ସେହି ପ୍ରଚ୍ଛନ୍ନ ଥିବା ଗୁଣକୁ ବିକଶିତ କରିବାରେ ପ୍ରତିଯୋଗିତା ସାହାଯ୍ୟ କରେ । ମାତ୍ର ପ୍ରତିଯୋଗିତା ସମ୍ବେଦନଶୀଳତା ସହ ଯୁକ୍ତ ନହୋଇ ଘାତକ ହେଲେ ପରିଣତ ଭୟଙ୍କର ହୁଏ । ଆଜି ଶିକ୍ଷାକ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀ ପିତାମାତାଙ୍କ ଉଚ୍ଚାଭିଳାଷ ପୂରଣ କରିବା ପାଇଁ ପ୍ରତିଯୋଗିତାରେ ବିଫଳ ହେଲେ ହତାଶା ପ୍ରପୀଡ଼ିତ ହେଉଛନ୍ତି ଓ ଆତ୍ମହତ୍ୟା କରୁଛନ୍ତି ।
ଏହି ପ୍ରସଙ୍ଗରେ କିଛି ବର୍ଷ ତଳେ ବିଶିଷ୍ଟ ଲେଖକ ମନୋଜ ଦାସ ଏକ ସତ୍ୟ ଘଟଣାକୁ ଭିତ୍ତିକରି ଏକ ଗଳ୍ପ ଲେଖିଥିଲେ । ଗଳ୍ପଟିର ଶୀର୍ଷକ ଥିଲା "ଏକ ନଚିକେତାର କଣ୍ଠରୋଧ' । ବିନାୟକ ବାବୁ ଥିଲେ ଜଣେ ସଂସ୍କାରସିଦ୍ଧ ଆଦର୍ଶ ଶିକ୍ଷକ । ନିଜର ପକ୍ଷାଘାତ ଆକ୍ରାନ୍ତ ପିତାଙ୍କ ସେବା କରିବା ପାଇଁ ସେ ଶିକ୍ଷକ ଚାକିରି ଛାଡିଲେ । ପରବର୍ତ୍ତୀ ସମୟରେ ପତ୍ନୀଙ୍କ ଅକାଳ ବିୟୋଗ ହେଲା । ପରିଶେଷରେ ତାଙ୍କ ଏକମାତ୍ର ଶିଶୁର ସେ ହେଲେ ଲାଳନପାଳନ କର୍ତ୍ତା । ପିତାଙ୍କ ମୃତ୍ୟୁ ପରେ ସେ ବହୁ କଷ୍ଟରେ ତାଙ୍କର ସମସ୍ତ ଅର୍ଥ, ସମୟ ଓ ଶକ୍ତି ବିନିଯୋଗ କରି ପୁଅକୁ ଶିକ୍ଷିତ କଲେ । ପୁଅ ଉଚ୍ଚଶିକ୍ଷା ସାରି ଏକ ଚାକିରି ପାଇଲା । ବିବାହ କଲା ।
ବଡ଼ ଘରଟିଏ ତୋଳିଲା । ସମସ୍ତେ ସୁଖରେ ରହିଲେ । ମାତ୍ର ସେ ଚାକିରି ବ୍ୟସ୍ତତା ହେତୁ ନିଜ ପୁଅକୁ ସମୟ ଦେଇପାରିଲା ନାହିଁ । ଅପର ପକ୍ଷରେ ପୁତ୍ରବଧୂ ଜଣେ ନାରୀନେତ୍ରୀ ହୋଇଥିବାରୁ ତାଙ୍କ ଅଧିକାଂଶ ସମୟ ସମାଜସେବାରେ ବ୍ୟୟିତ ହେଲା । ନାତିକୁ ସମ୍ପୂର୍ଣ୍ଣ ସମୟ ଦେଉଥାନ୍ତି ଅଜା ବିନାୟକ ବାବୁ । ବିଦ୍ୟାଳୟରେ ନାତି ବ୍ୟାବହାରିକ ବିଷୟ ପଢିଲା । ମାତ୍ର ଘରକୁ ଆସିଲେ ବିନାୟକ ବାବୁ ତାକୁ ରାମାୟଣ, ମହାଭାରତ, ଭାଗବତ କାହାଣୀ କହନ୍ତି । ସ୍ୱାର୍ଥତ୍ୟାଗ, ସତ୍ସାହସ, ସତ୍ୟବାଦିତା, କ୍ଷମାଶୀଳତା ସମ୍ବେଦନଶୀଳତା ଅଦି ମହତ୍ ଗୁଣର ଦୃଷ୍ଟାନ୍ତ ଦେଇ ତାକୁ ଉଦ୍ବୁଦ୍ଧ କରନ୍ତି ।
ନଚିକେତା କିପରି ଗୁରୁ ଯମଙ୍କ ପାଖରୁ ଆତ୍ମଜ୍ଞାନ ଲାଭ କଲେ ସେ କଥା ବୁଝାନ୍ତି । ନାତି ତଦ୍ୱାରା ଉଦ୍ବୁଦ୍ଧ ହୁଏ । ତା’ ଭିତରେ ମାନବିକ ମୂଲ୍ୟବୋଧ ଓ ଶୁଦ୍ଧଭାବନା ବିକଶିତ ହୁଏ । ବାର୍ଦ୍ଧକ୍ୟ ଅବସ୍ଥାରେ ବିନାୟକ ବାବୁ ହଠାତ୍ ଦୃଦ୍ଘାତର ଶିକାର ହେଲେ । ତାଙ୍କୁ ହସପିଟାଲକୁ ସ୍ଥାନାନ୍ତରିତ କରାଗଲା । ଅଜା-ନାତି ପରସ୍ପରକୁ ଖୋଜୁଥାନ୍ତି । ମାତ୍ର ସାକ୍ଷାତ କରିପାରୁନଥାନ୍ତି । କିଛି ଦିନ ପରେ ଯେଉଁଦିନ ବିନାୟକ ବାବୁ ହସ୍ପିଟାଲରୁ ମୁକ୍ତ ହେଲେ ପୁଅବୋହୂ ତାଙ୍କୁ ନେବାକୁ ଆସିଥାନ୍ତି । ମାତ୍ର ବିନାୟକ ବାବୁ ମନେମନେ ଖୋଜୁଥାନ୍ତି ନାତିକୁ । ପୁତ୍ରବଧୂ କହିଲେ "ପୁଅକୁ ଜଣେ ଦକ୍ଷ ଶିକ୍ଷକ ଘରେ ପାଠ ପଢ଼ାଉଛନ୍ତି । ଏଠାକୁ ଆସିଲେ ତାର ସମୟ ନଷ୍ଟ ହେବ। ଆଜିକାଲି ପ୍ରତିଯୋଗିତାର ଯୁଗ । ଏଭଳି ସମୟ ନଷ୍ଟ କଲେ ସେ ପଛରେ ପଡ଼ିଯିବ । ତା’ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ । ଏଣୁ ଆମେ ତାକୁ ହସପିଟାଲକୁ ଆଣିନାହୁଁ’। ଶିକ୍ଷାକ୍ଷେତ୍ରରେ ପ୍ରତିଯୋଗିତା କଥାଟି ବିନାୟକ ବାବୁକୁ ଭାରି ଅଡୁଆ ଲାଗୁଥାଏ । ସେ ବେଶୀ ଚକିତ ହେଲେ ଯେତେବେଳେ ପିଲାର ପଢ଼ାକୁ ବ୍ୟାହତ ନକରିବା ପାଇଁ ପୁଅବୋହୂ ତାଙ୍କୁ ଏକ ଜରାଶ୍ରମରେ ଛାଡ଼ିଲେ । ସେଠାରେ କିଛିଦିନ ପରେ ଦ୍ୱିତୀୟ ହୃଦ୍ଘାତରେ ବିନାୟକ ବାବୁଙ୍କ ମୃତ୍ୟୁ ହେଲା । ପରୀକ୍ଷା ପ୍ରତିଯୋଗିତାରେ ସହପାଠୀମାନଙ୍କୁ ଅତିକ୍ରମ କରି ନାତି ଉଚ୍ଚଶିକ୍ଷିତ ହେଲା । ମାତ୍ର ସେ ହରାଇ ବସିଥିଲା ସମ୍ବେଦନଶୀଳତା, କରୁଣା, ଦୟା, ସହନଶୀଳତା, ସମବେଦନା ଭଳି ମାନବୀୟ ଗୁଣ । ମନୋଜ ଦାସ କହିବାକୁ ଚାହାନ୍ତି, ଏହାଦ୍ୱାରା ବିକାଶୋନ୍ମୁଖୀ ନଚିକେତାର କଣ୍ଠରୋଧ ହେଲା । ବିନାୟକବାବୁ ନାତିକୁ ଯେଉଁ ମୂଲ୍ୟବୋଧଗୁଡ଼ିକ ଶିକ୍ଷା ଦେଉଥିଲେ ତାହା ଥିଲା ବିଦ୍ୟା । ନାତିଟିର ବାପାମାଆ ତାକୁ ଯେଉଁଭଳି ତାଲିମ ଦେଉଥିଲେ ତାହା ଥିଲା ଶିକ୍ଷା । ଆଜି ଆମେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଯେଉଁସବୁ ଶିକ୍ଷାନୁଷ୍ଠାନ ଖୋଲିଛୁ ସେଗୁଡିକ ଏକପ୍ରକାର ଶିଳ୍ପାନୁଷ୍ଠାନରେ ପରିଣତ ହୋଇଛି । ସେହି ଅନୁଷ୍ଠାନଗୁଡ଼ିକ ଶିକ୍ଷିତ ନାମରେ ଯାହା ଉତ୍ପାଦନ କରୁଛନ୍ତି ସେମାନେ ହେଲେ ଯାନ୍ତ୍ରିକ ପ୍ରାଣୀ । ସେମାନଙ୍କ ଅଭିମୁଖ୍ୟ କେବଳ ପ୍ରତିଯୋଗିତାରେ ସାମିଲ ହେବା ।
ପ୍ରତିଯୋଗିତା ଓ ଅହଂର ସଂପର୍କ ଘନିଷ୍ଠ । ମୁଁ ହିଁ ପ୍ରଥମ ହେବି- ଏହି ଭାବନା ହିଁ ଈର୍ଷା ଓ ପରଶ୍ରୀକାତରତାକୁ ଜନ୍ମ ଦିଏ । ଏହି ଈର୍ଷାରୁ ସୃଷ୍ଟିହୁଏ ଆକ୍ରମଣ ପ୍ରବଣତା ଓ ହିଂସାଚାର । ଆଜିକାଲି ଛାତ୍ରଛାତ୍ରୀମାନଙ୍କ ହତାଶାବୋଧ ଓ ଆତ୍ମହତ୍ୟାର କାରଣ ହେଉଛି ପ୍ରତିଯୋଗିତାର ବିଫଳତା ଓ ତଜ୍ଜନିତ ହତାଶାବୋଧ । ସଂପ୍ରତି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଜୀବିକା ନିର୍ବାହ କରିବା ପାଇଁ କୌଣସି ତାଲିମ ନେବାକୁ ଆମେ ଶିକ୍ଷା କହୁ । ପୁଣି ଏହି ପ୍ରତିଯୋଗିତା ଓ ତାଲିମର ଭିତ୍ତି ହେଉଛି ସାକ୍ଷରତା । ଅତୀତରେ ଶିକ୍ଷା ସାକ୍ଷରତା ଆଧାରିତ ନଥିଲା । ସେତେବେଳେ ଛାତ୍ରଛାତ୍ରୀ ବିଦ୍ୟାର୍ଜନ କରୁଥିଲେ । ତାକୁ ଶିକ୍ଷା କୁହାଯାଉନଥିଲା । ତାହା ଥିଲା ଅଭିଜ୍ଞତା ଆଧାରିତ ବିଦ୍ୟା । ଏହି ବିଦ୍ୟା ପାଇଁ ଲେଖାଲେଖିର ଆବଶ୍ୟକତା ନଥିଲା । ଗୁରୁ କହୁଥିଲେ ଓ ଶିଷ୍ୟମାନେ ଶୁଣୁଥିଲେ । ସବୁକିଛି ସ୍ମୃତିରେ ଲିପିବଦ୍ଧ ହେଉଥିଲା ଓ ତଦ୍ୱାରା ଶିଷ୍ୟମାନେ ପ୍ରଭାବିତ ହୋଇ ଜୀବନ ନିର୍ବାହ କରୁଥିଲେ । ସେଥିପାଇଁ ବେଦର ଅନ୍ୟ ନାମ ଥିଲା ସ୍ମୃତି । ରାଜା ଅମରଶକ୍ତି ପଣ୍ଡିତ ବିଷ୍ଣୁ ଶର୍ମାଙ୍କୁ ତାଙ୍କ ତିନି ଗଣ୍ଡମୂର୍ଖ ପୁଅକୁ ବିଦ୍ୱାନ କରିବା ଦାୟିତ୍ୱ ନ୍ୟସ୍ତ କରନ୍ତେ, ବିଷ୍ଣୁ ଶର୍ମା ସେମାନଙ୍କୁ ଗୋଟିଏ ଗଛମୂଳେ ବସାଇ କାହାଣୀ ପରେ କାହାଣୀ କହିଲେ । ପରବର୍ତ୍ତୀ ସମୟରେ ତାହା "ପଞ୍ଚତନ୍ତ୍ର' ନାମରେ ସଂକଳିତ ହୋଇଛି । ସେହି କାହାଣୀଗୁଡ଼ିକରେ ଥିଲା ମନସ୍ତତ୍ତ୍ୱ, ରାଜନୀତି, କୂଟନୀତି, ଆଚାରବିଧି, ଶାସନତନ୍ତ୍ର ଇତ୍ୟାଦି ଅନେକ ବ୍ୟାବହାରିକ ଜ୍ଞାନ । ବିଷ୍ଣୁ ଶର୍ମା ବିଦ୍ୟାଦାନ ସମୟରେ ସିଲଟ-ଖଡ଼ି ବ୍ୟବହାର କରିଥିବା ବା ଅକ୍ଷର ଶିକ୍ଷା କରାଇଥିବାର କୌଣସି ସୂଚନା ନାହିଁ । ମାତ୍ର କାହାଣୀ ଶୁଣି ସେମାନେ ହୋଇଥିଲେ ଯୋଗ୍ୟ ରାଜପୁତ୍ର ଓ ବିଦ୍ୱାନ । "ପଞ୍ଚତନ୍ତ୍ର' ସିଦ୍ଧକରେ ଲେଖାପଢ଼ା ବିନା ମଧ୍ୟେ ଜଣେ ବିଦ୍ୱାନ ହୋଇପାରେ । ବିଦ୍ୱାନ ହେବାପାଇଁ ସାକ୍ଷରତା ଅନିବାର୍ଯ୍ୟ ନୁହେଁ ।
ଏବେ ମଧ୍ୟ ଭାରତରେ ଲେଖାପଢ଼ା ନଜାଣି ମଧ୍ୟ ଅନେକ ବିଦ୍ୱାନ ଅଛନ୍ତି । ଚିତ୍ରକୁଟର ତୁଳସୀ ପୀଠର ମୁଖ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜନ୍ମର ଦୁଇମାସ ପରେ ଦୃଷ୍ଟିଶକ୍ତି ହରାଇଛନ୍ତି । ସେ ଲେଖିପାରନ୍ତି ନାହିଁ କି ପଢ଼ି ପାରନ୍ତି ନାହିଁ । କେବଳ ଶୁଣି ଶୁଣି ସେ ମନେ ରଖନ୍ତି ଓ ଆଜି ସେ ୨୪୦ରୁ ଊଦ୍ଧ୍ୱର୍ ପୁସ୍ତକର ରଚୟିତା ଓ ଆଧୁନିକ ଭାରତବର୍ଷର ଜଣେ ବିଶିଷ୍ଟ ବିଦ୍ୱାନ । ସେ ୧୪ଟି ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ସଙ୍ଗେ ସଙ୍ଗେ ୨୨ଗୋଟି ଭାଷା କହିପାରନ୍ତି । ସାକ୍ଷର ହୋଇ ଉନ୍ନତ ତାଲିମ ପ୍ରାପ୍ତ ହୋଇଥିବା ସତ୍ତେ୍ୱ ଜଣେ ହୋଇପାରେ ଉଦ୍ଧତ୍ତ ଅହଂକାରୀ, ଦୁର୍ନୀତିଗ୍ରସ୍ତ ଓ ଦୁଶ୍ଚରିତ୍ର । ଆଜିକାଲି ଉଚ୍ଚପଦ ନିମନ୍ତେ ହେଉଥିବା ପ୍ରତିଯୋଗିତା ପାଇଁ ଯେଉଁ ପରୀକ୍ଷା ହେଉଛି ତାହା ବିଦ୍ୟା ନୁହେଁ, ଖବର ବା ତଥ୍ୟ । କାଶ୍ମୀରର ରାଜଧାନୀ କ’ଣ ପ୍ରଶ୍ନର ଉତ୍ତରରେ ଯଦି କେହି ତ୍ରିଭେନ୍ଦ୍ରମ କହେ ବା ଆଲପସ ପର୍ବତଶ୍ରେଣୀ କେଉଁଠି ଅଛି ପ୍ରଶ୍ନରେ ଯଦି କେହି ଅଷ୍ଟ୍ରେଲିଆ କହେ, ସେ ନିଶ୍ଚୟ ପରୀକ୍ଷାରେ ଫେଲ୍ ଘୋଷିତ ହେବ । ଉଚ୍ଚ ପଦ ପାଇପାରିବ ନାହିଁ । ଯିଏ ଏସବୁର ଠିକ୍ ଉତ୍ତର ଦେଇ ଉଚ୍ଚ ପଦ ପାଇବ ସେ ଜଣେ ସାଧୁ ସଚ୍ଚୋଟ ଅଫିସର ହେବ ବୋଲି କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ସେ ହୁଏତ ହୋଇପାରେ ଜଣେ ଉଦ୍ଧତ୍ତ, ଅହଂକାରୀ, ଦୁର୍ନୀତିଗ୍ରସ୍ତ ପଦାଧିକାରୀ ।
ଅପରପକ୍ଷରେ ଯିଏ ଖବର ଆଧାରିତ ସେହିସବୁ ପ୍ରଶ୍ନର ଉତ୍ତର ଦେଇପାରିନାହିଁ ସେ ହୁଏତ ହୋଇପାରେ ଜଣେ ସାଧୁ, ସଚ୍ଚୋଟ, ସମ୍ବେଦନଶୀଳ ମଣିଷ । ଏଣୁ ପ୍ରତିଯୋଗିତାମୂଳକ ଶିକ୍ଷା ଓ ଅଭିଜ୍ଞତା ଅର୍ଜିତ ବିଦ୍ୟା ମଧ୍ୟରେ ଏହା ହିଁ ପାର୍ଥକ୍ୟ । ବିଦ୍ୟା ବିନମ୍ରତା ଶିକ୍ଷା ଦିଏ । ବିନମ୍ରତାରୁ ଯୋଗ୍ୟତା ପ୍ରାପ୍ତ ହୁଏ । ସେହି ଯୋଗ୍ୟତା ବଳରେ ମଣିଷ ଧନ ଅର୍ଜନ କରେ ଓ ସେହି ଧନ ଧର୍ମ ମାର୍ଗରେ ବ୍ୟୟ କରି ସୁଖ ଅନୁଭବ କରେ । (ବିଦ୍ୟା ଦଦାତି ବିନୟଂ, ବିନୟାତ୍ ୟାତି ପାତ୍ରତାଂ । ପାତ୍ରତାଂ ଧନମାପ୍ନୋତି, ଧନାତ୍ ଧର୍ମ ତତୋସୁଖମ) ଆଜିର ପ୍ରତିଯୋଗିତା ଉତ୍ତୀର୍ଣ୍ଣ ଶିକ୍ଷା ମଣିଷକୁ ଅହଂକାରୀ କରୁଛି । ମଣିଷ ନିଜକୁ ସର୍ବୋତ୍ତମ ମନେକରି ଅନ୍ୟମାନଙ୍କୁ ହୀନ ଚକ୍ଷୁରେ ଦେଖୁଛି । ସେହି ଅହଂକାରରୁ ଜନ୍ମ ନେଉଛି ଔଦ୍ଧତ୍ୟ । ମୁଁ ହିଁ ଶ୍ରେଷ୍ଠ ଓ ଅନ୍ୟମାନେ ନିକୃଷ୍ଟ- ଏହିଭଳି ଭାବନା ହେଉଛି ଅଜ୍ଞାନ । ବିଦ୍ୟା ଏହି ଅଜ୍ଞାନରୁ ମୁକ୍ତି ଦିଏ ।