ଏଇ କିଛିଦିନ ତଳେ ଦେଶର ଏକ ଅଗ୍ରଗଣ୍ୟ ଶିକ୍ଷାନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର ସୁଯୋଗ ପାଇଥିଲି । ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ତାଙ୍କ ନିର୍ଦ୍ଧାରିତ ପାଠ୍ୟକ୍ରମ ପରେ ଡିଗ୍ରୀରେ ସମ୍ମାନିତ କରାଯାଉଥିଲା । ସେମାନଙ୍କ ମଧ୍ୟରେ ଅନେକ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକଧାରୀମାନେ ଥିଲେ । ସଭିଙ୍କ ନିମନ୍ତେ ଏକ ଚିର ଅଭିଳଷିତ ଖୁସିର ମୁହୂର୍ତ୍ତ ଥିଲା । ହଁ, ଏଥିରେ ନୂତନତ୍ୱ କ’ଣ ଅଛି? ଭଲ ପାଠ ପଢୁଥିଲେ, ଏଥର ଭଲ ଚାକିରି କରିବେ, ମୁଁ ଉତ୍ତର ଫେରାଇଲି । କଥା ତ ସେଇଠି, ଆପଣ ବି ସେଇ ଚାକିରି ମାନସିକତାରେ ରହିଗଲେ, ଭଜହରି ବାବୁ ଉତ୍ତର ଦେଲେ । ମାନେ! ମୁଁ ଆଶ୍ଚର୍ଯ୍ୟର ସହ ତାଙ୍କୁ ଚାହିଁ ରହିଲି । ସେ କହିଚାଲିଥିଲେ ଆପଣ ତ ନଥିଲେ ଆଉ ଜାଣିବେ କେମିତି? ସେଠାରେ ଦେଶର ପ୍ରମୁଖ ବୁଦ୍ଧିଜୀବୀ ଓ ବୈଜ୍ଞାନିକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପରି ତୁଙ୍ଗ ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ । ସବୁ ଅତିଥିଙ୍କ ବକ୍ତବ୍ୟ ଥିଲା ଆଜିର ଯୁବକ ଦେଶ ପାଇଁ ଆସନ୍ତା କାଲିର ଭବିଷ୍ୟତ । ତେଣୁ ସେମାନଙ୍କର ଏହି ଯୁବପିଢ଼ିଙ୍କ ପ୍ରତି ଆହ୍ୱାନ ଥିଲା ଯେ ଯେଉଁ ଦେଶ, ସମାଜ ଓ ପରିବାର ସାହାଯ୍ୟରେ ଆଜି ସେମାନେ ନିଜର ଯୋଗ୍ୟତା ପ୍ରତିପାଦନ କଲେ ସେ ଦେଶ, ମାଟି ଓ ସମାଜ ପାଇଁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ହେବା ଉଚିତ? ମୁଁ ଏହା ଉପରେ ଭାବିବା ଆରମ୍ଭ କ୍ଷଣି ତତ୍କ୍ଷଣାତ ଭଜହରି ବାବୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇ ତାଙ୍କର ଅଭିଭାଷଣର କଥା ବର୍ଣ୍ଣନା କରିବାକୁ ଲାଗିଲେ ।
ଅଭିଭାଷଣ ଛଳରେ ବହୁତ ସୁନ୍ଦର କଥାଟିଏ କହିଥିଲେ ଆମ ଶିକ୍ଷାମନ୍ତ୍ରୀ, ଯାହା ମୋ ମନକୁ ଖୁବ୍ ପାଇଥିଲା । କହିଥିଲେ, ବର୍ତ୍ତମାନ ଆମେ ଚତୁର୍ଥ ଶିଳ୍ପ ବିପ୍ଳବରେ ଅଛୁ ବୋଲି କୁହାଯାଉଛି । କିନ୍ତୁ ପ୍ରକୃତରେ ଅଷ୍ଟାଦଶ ଶତାବ୍ଦୀରେ ବିଦେଶରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଅନେକ ବର୍ଷ ଆଗରୁ ଶିଳ୍ପ ବିପ୍ଳବ ଆମ ଦେଶରେ ସଙ୍ଗଠିତ ହେଇସାରିଥିଲା । ସବୁ ଦର୍ଶକ ଚକିତ ହେଇ ତାଙ୍କୁ ଚାହିଁ ରହିଥିଲେ । ତାଙ୍କ ଉତ୍ତର ଥିଲା, ଆମ ପାଖରେ ଥିବା ସ୍ୱର୍ଣ୍ଣ ତ୍ରିଭୁଜ- ପୁରୀ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିରରେ ଥିବା ଅନ୍ତର୍ନିହିତ ସଂରଚନା ଓ ତାର ବିଶେଷତ୍ୱ ସବୁ କୌଣସି ଗୁଣରେ ଇଞ୍ଜିନିୟରିଂ ଓ ସାଇନ୍ସରୁ କମ୍ ଅଟେ କି? ଏହିପରି କାହିଁ କେତେ ଶତାବ୍ଦୀରୁ ମୁଣ୍ଡ ଟେକି ଛିଡ଼ା ହେଇଥିବା ଦେଶର ଅନେକ ସ୍ମାରକ, ମନ୍ଦିର, ଦୁର୍ଗ, କିଲ୍ଲାର ଅସାଧାରଣ ବିଶେଷତା ଆଜିର ମଡର୍ନ ଆର୍କିଟେକଚର ଓ ଟେକ୍ନୋଲଜିକୁ ବି ମାତ୍ ଦେବାରେ ସକ୍ଷମ । ଏ ମାଟି ଅନେକ ଲଢ଼ିଛି, ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପ୍ରମାଣିତ କରୁଛି ଯେ ଆମେ ଗୁଣ, ଗାରିମା ଓ ଶୌର୍ଯ୍ୟରେ କାହାଠାରୁ କମ୍ ନଥିଲେ । ହୁଏତ ନିଜ ଇତିହାସକୁ ଠିକ୍ଭାବେ ଆକଳନ କରିବାକୁ ସୁଯୋଗ ପାଇନେ ବା ଅତୀତକୁ ଅପସରି ଯାଇଛେ ।
ଯେତେବେଳେ ୨୦୪୭ ସୁଦ୍ଧା ଆମେ ଏକ ବିକଶିତ ଭାରତର ସ୍ୱପ୍ନ ଦେଖୁଛେ, ସେତେବେଳେ ଆମକୁ କିଛି ଲକ୍ଷ ବା ହଜାରରେ ବିକ୍ରି ହେବାର ଚାକିରି ସର୍ବସ୍ୱ ମାନସିକତାକୁ ତ୍ୟାଗ କରିବାକୁ ପଡ଼ିବ । ଅନୁସନ୍ଧାନ ଓ ଗବେଷଣା ମାଧ୍ୟମରେ ନୂତନ ଚିନ୍ତାଧାରାର ପ୍ରୟୋଗାତ୍ମକ ଭାବେ ନୂଆ ନୂଆ ପ୍ରକଳ୍ପ ସ୍ଥାପନ କରିବାକୁ ହେବ, ଯାହା ଅନେକଙ୍କ ନିମନ୍ତେ ରୋଜଗାରର ମାଧ୍ୟମ ସାଜିବ । ଅନୁକରଣ ନୁହେଁ ହୁଏତ ଅନୁସରଣପ୍ରିୟ ହେଲେ ଅନ୍ୟଠୁ ଅନେକ କଥା ଗ୍ରହଣ କରିହେବ ଓ ଆବଶ୍ୟକତା ଅନୁଯାୟୀ ତାହାର ଉପଯୋଗ ବି ହୋଇପାରିବ । ତେଣୁ ତାଙ୍କର ଆହ୍ୱାନ ଯୁବସମାଜ ପ୍ରତି ଥିଲା ବିଶ୍ୱରେ ପଞ୍ଚମରୁ ତୃତୀୟ ଅର୍ଥବ୍ୟବସ୍ଥା ତ ଆମେ ନିଶ୍ଚୟ ହେବୁ, କିନ୍ତୁ ବିକଶିତ ଭାରତ ଗଢିବାକୁ ହେଲେ ଆମକୁ ଚାକିରି ନୁହେଁ, ମାଲିକ ହେବାକୁ ପଡ଼ିବ । ତେଣୁ ଯେତେବେଳେ ଏଥିନିମନ୍ତେ ଅନେକ ସରକାରୀ ଯୋଜନାର ସୁଯୋଗ ଉପଲବ୍ଧ ଅଛି, ନିଜର ବୁଦ୍ଧିମତ୍ତା, କାରିଗରୀ ଓ କୌଶଳକୁ ସେଥିନିମନ୍ତେ ପ୍ରକୃତ ଅର୍ଥରେ ବିନିଯୋଗ କରାଯିବନି କାହିଁକି? ଏଥର ମୋର ପ୍ରଶ୍ନ ଥିଲା କେମିତି? ଉତ୍ତର ଭଜହରି ବାବୁଙ୍କର ଥିଲା, ମୋ ସୀମିତ ଜ୍ଞାନରେ ଯେତିକି ବୁଝିଛି ଯଦି କେହି ଆଧୁନିକ ଜ୍ଞାନ କୌଶଳ ସହ ପରିଚିତ ଅଛି, ତାହେଲେ ଏ.ଆଇ. ଟେକ୍ନୋଲଜି, ମେସିନ ଲର୍ଣ୍ଣିଙ୍ଗ ସାହାଯ୍ୟରେ ଉନ୍ନତ ଉତ୍ପାଦ ବା ସେବା ପ୍ରସ୍ତୁତ କରି ଏକ ଅତ୍ୟାଧୁନିକ ଉଦ୍ୟୋଗ ପ୍ରସ୍ତୁତ କରିପାରିବ । କ୍ଲାଉଡ କମ୍ପ୍ୟୁଟିଙ୍ଗ ଦ୍ୱାରା ଡାଟା ପରିଚାଳନାକୁ ସୁବ୍ୟବସ୍ଥିତ କରି, ବଡ଼ ବଡ଼ ଡାଟାବେସ୍କୁ ବିଶ୍ଳେଷଣ କରିହେବ, ଯାହାଦ୍ୱାରା ଗ୍ରାହକଙ୍କ ପ୍ରାଥମିକତା, ପସନ୍ଦ ଓ ନାପସନ୍ଦକୁ ବୁଝି, ଚାହିଦାର ବୃଦ୍ଧି ନିମନ୍ତେ ଋଣକୌଶଳ ପ୍ରସ୍ତୁତ କରି ନିଜ ଉଦ୍ୟୋଗ ବା ବ୍ୟବସାୟର ଦକ୍ଷତା ବୃଦ୍ଧି କରାଯାଇପାରିବ । ବ୍ୟାପକ ମାତ୍ରାରେ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଇ-କମର୍ସ ପ୍ଲାଟଫର୍ମ ଏବଂ ସୁଗମ ଡିଜିଟାଲ ପେମେଣ୍ଟର ସାହାଯ୍ୟ ନିଆଯାଇ ପାରିବ । ତେଣୁ ଏଥିନିମନ୍ତେ ମୁଣ୍ଡ ଟିକେ ଖର୍ଚ୍ଚ କରିବାକୁ ପଡ଼ିବ ନା, ବିନା ପ୍ରଚେଷ୍ଟାରେ କ’ଣ ଘରେ ବସି ଏସବୁ ହେଇଯିବ ।
ଏହାଛଡ଼ା ବି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କ ଅଭିବୃଦ୍ଧି ନିମନ୍ତେ ସରକାରଙ୍କ ତରଫରୁ ସହଜଲବ୍ଧ ଋଣ ସହାୟତା, ଦକ୍ଷତା ବିକାଶ ସହାୟତା, ଭିତ୍ତିଭୂମି ବିକାଶ ସହାୟତା, ବୈଷୟିକ ଜ୍ଞାନକୌଶଳ ସହାୟତା, କ୍ରୟ ନୀତି ଓ ବଜାର ସହାୟତା ଆଦି ଅନେକ ସୁବିଧା ସୁଯୋଗ ତ ମିଳୁଛି । ତା' ମାନେ କ’ଣ କିଛି ଅସୁବିଧା ହେଉନାହିଁ, ସବୁ ସୁରୁଖୁରୁରେ ହେଇଯାଉଛି, ମୁଁ ପଚାରିଦେଲି । ତତ୍କ୍ଷଣାତ୍ ସେ ଉତ୍ତର ଫେରେଇଲେ- କିଏ କହିଲା ସମସ୍ୟା ନାହିଁ ବୋଲି । ବିସ୍ତୃତ ଡକ୍ୟୁମେଣ୍ଟେସନ୍, ଆର୍ଥିକ ସହାୟତାରେ ବିଳମ୍ବ, ଆଧୁନିକ ଟେକ୍ନୋଲଜି ଓ କୁଶଳୀ ଶ୍ରମର ଆବଶ୍ୟକତା ଆଦି କିଛି ଉତ୍ପନ୍ନ ସମସ୍ୟା ହୁଏତ ରହିପାରେ । କିନ୍ତୁ ଏହାର ସମାଧାନର ବି ତ ପ୍ରଚେଷ୍ଟା ଚାଲିଛି । ଦେଶକୁ ଯେତେବେଳେ ଆଗକୁ ନେବାର ପ୍ରାଥମିକତା ଦିଆଯାଉଛି, ଏ ସମସ୍ୟାର ସମାଧାନର ପଥ ବି ନିଶ୍ଚୟ ସୁଗମ ହେବ । ଆଗରୁ ଡିଜିଟାଲ ପେମେଣ୍ଟ ଓ କୋଭିଡ ଭ୍ୟାକସିନ ବି ତ ସ୍ୱପ୍ନ ପରି ଲାଗୁଥିଲା, ପୁଣି ତାର ବାସ୍ତବ ରୂପାୟନ ହେଲା କି ନାହିଁ? ଏସବୁ ନିମନ୍ତେ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ଥାଏ । ତେଣୁ ଖାଲି ସମାଲୋଚନା କରିଦେଲେ ତ ହୁଏନାହିଁ, ଏଥିନିମନ୍ତେ ସହଯୋଗର ଆବଶ୍ୟକତା ବି ଥାଏ । କାରଣ ଏ ଦେଶ ଆମ ସମସ୍ତଙ୍କର । ଏଇ ମାଟି ପାଣି ପବନରେ ବଢ଼ି ବି ଯିଏ ନିଜ ଦେଶର ନୁହେଁ, ସେ କାହାର ନୁହେଁ । ଆପଣ କ’ଣ ଜାଣୁନାହାନ୍ତି, ବର୍ତ୍ତମାନର ପରିସ୍ଥିତିରେ ଏ ଦେଶର ଆର୍ଥିକ ଓ ସାଂସ୍କୃତିକ ପ୍ରଗତିକୁ ଗତିରୋଧ କରିବା ପାଇଁ ଦେଶ ଭିତରେ ଓ ବାହାରେ କେମିତି ଅନେକ ଷଡ଼ତନ୍ତ୍ରର ବୁଢ଼ିଆଣୀ ଜାଲ ବୁଣା ଚାଲିଛି ।
ଠିକ୍ କଥା । କିନ୍ତୁ ମୋ ମନରେ ପ୍ରଶ୍ନ ଆସୁଥିଲା, ଏଥିପାଇଁ ଶିକ୍ଷା ତ ନିଶ୍ଚୟ ଅପରିହାର୍ଯ୍ୟ । କାରଣ ଶିକ୍ଷା ଆମର ଗ୍ରହଣୀୟତାକୁ ବ୍ୟାପକ କରେ ଏବଂ ଜିଜ୍ଞାସାକୁ ପରିପୂର୍ଣ୍ଣ କରେ । ବୌଦ୍ଧିକ ସ୍ତରକୁ ଉନ୍ନତ କରେ ଏବଂ ଆମକୁ ସକ୍ଷମ କରେ । କିନ୍ତୁ କୂପମଣ୍ଡୁକ ପରି ସୀମିତ କଳେବରର ଶିକ୍ଷାକୁ କେବେ ଶିକ୍ଷାର ପଦବାଚ୍ୟ କରାଯାଇନପାରେ । ଜୀବନ ସରିଗଲେ ବି ଶିକ୍ଷାର କେବେ ସମାପ୍ତି ନଥାଏ । ତେଣୁ ସରକାରଙ୍କ ଏହି ପ୍ରଚେଷ୍ଟା ନିଶ୍ଚୟ ଶିକ୍ଷାର ଗ୍ରହଣୀୟତାକୁ ବ୍ୟାପ୍ତି ଦେବ ଏବଂ ଅନେକ ମେଧାବୀ ଛାତ୍ରଛାତ୍ରୀ ଭବିଷ୍ୟତରେ ଉପକୃତ ମଧ୍ୟ ହେବେ ।
ଭଜହରି ବାବୁ କହିଚାଲିଥିଲେ, ଆପଣ ଜାଣିଛନ୍ତି ି, ପିଲାଙ୍କ ବୌଦ୍ଧିକ ବିକାଶ ନିମନ୍ତେ ଭାରତ ସରକାରଙ୍କ ଉଦ୍ୟମରେ ୱାନ ନେସନ ୱାନ ସବସ୍କ୍ରିପସନ ନାମରେ ଏକ ପୋର୍ଟାଲ ଖୋଲାଯାଇଛି ଏକ ବୌଦ୍ଧିକ ବିକାଶର ଗନ୍ତାଘର । ଯେଉଁ ଯୋଜନାର ଅଭିପ୍ରାୟ ହେଲା, ସହଭାଗିତାରେ ଦେଶର ଉଚ୍ଚ ଗୁଣବତ୍ତାସମ୍ପନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଅନ୍ୟ ଅନ୍ତଃରାଷ୍ଟ୍ରୀୟ ସ୍ତରର ସୁନାମଧନ୍ୟ ପ୍ରକାଶନୀ ସଂସ୍ଥାଙ୍କ ଆନୁକୂଲ୍ୟରେ ପ୍ରକାଶ ପାଉଥିବା ଉଚ୍ଚମାନର ଅନୁସନ୍ଧାନାତ୍ମକ ଗବେଷଣାଯୁକ୍ତ ପତ୍ରିକା ବା ବଛା ବଛା ଜର୍ଣ୍ଣାଲ ସବୁକୁ, ଆଗ୍ରହୀ ଯୁବଗୋଷ୍ଠୀଙ୍କୁ ବିନା ମୂଲ୍ୟରେ ଉପଲବ୍ଧ କରେଇବା । ମତେ ଲାଗିଲା, ଏହା ନିଶ୍ଚୟ କେତେ ସୁନ୍ଦର ପ୍ରଚେଷ୍ଟା ହେବ, ଯେଉଁଠି ଆଦୌ ସୁଯୋଗ ନଥିବା ଦେଶର ଛୋଟ ଛୋଟ କଲେଜରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ସଂସ୍ଥାମାନଙ୍କର ଗବେଷଣାଲବ୍ଧ ତତ୍ତ୍ୱକୁ ବିନା ପ୍ରତିବନ୍ଧକରେ ଅକ୍ଳେଶରେ ଜାଣିପାରିବେ ଏବଂ ନିଜ ଅନୁସନ୍ଧାନରେ ନିୟୋଜିତ କରିପାରିବେ । ଏହାଦ୍ୱାରା ହୁଏତ ଏକ ଜ୍ଞାନଗଙ୍ଗା ବା ଅନ୍ୟ ଅର୍ଥରେ ସୁଗମ ବୌଦ୍ଧିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟିହେବ, ଯାହା ନିଜ ସହ ଦେଶର ବିକାଶକୁ ବି ତ୍ୱରିତ କରିବ ।
ସେଥିପାଇଁ ତ ଶିକ୍ଷାମନ୍ତ୍ରୀଙ୍କ ସ୍ପଷ୍ଟ ମତ ଥିଲା ଗବେଷଣାର ଅର୍ଥ ଖାଲି ରିସର୍ଚ୍ଚ କରି ଜର୍ଣ୍ଣାଲ ପବ୍ଲିଶ କରିଦେଲେ ହୁଏନାହିଁ, ତାହା ଏ ଦେଶ ଓ ସମାଜର ଆବଶ୍ୟକତାକୁ ମଧ୍ୟ ମେଣ୍ଟାଇ ପାରୁଥିବା ଦରକାର । ତେଣୁ ତାଙ୍କ ଭାଷଣ ବହୁତ ଭଲ ଓ ବାସ୍ତବିକ ଲାଗିଲା । ତଥ୍ୟାତ୍ମକ ଭାବରେ ଖୁବ୍ ସୁନ୍ଦର ଉପଯୋଗୀ କଥାସବୁ ଥିଲା । ପ୍ରକୃତରେ ନିଜ ମେରୁଦଣ୍ଡ ସିଧା ରଖିବାକୁ ହେଲେ ଅନ୍ୟ କେହି ନୁହେଁ, ପ୍ରଥମେ ନିଜ ଅଣ୍ଟାକୁ ଆଗ ସଳଖିବାକୁ ପଡ଼େ । ଯିଏ କରେନି, ସିଏ ଭୋଗେ । ଦେଖୁନାହାନ୍ତି ଆମ ପଡ଼ୋଶୀ ଦେଶକୁ, ଯିଏ ଏହାର ଜୀବନ୍ତ ଉଦାହରଣ । ଏତିକି କହି ମୋ ଆଡ଼େ ଚାହିଁଲେ । ଏଥର ମୁଁ ସ୍ପଷ୍ଟ ବୁଝିପାରୁଥିଲି, ବୃତ୍ତି ଏପରି ହେବା ଉଚିତ ଯାହା ନିଜକୁ ସ୍ୱାଧୀନ ଓ ସକ୍ଷମ କରିବା ସହ ଦେଶକୁ ସ୍ୱାବଲମ୍ବୀ କରୁଥିବ । ଦେଶର ଲବ୍ଧପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀ କେବଳ ଡିଗ୍ରୀ ଅର୍ଜନ ପାଇଁ ନୁହେଁ, ନିଜ ଆହରିତ ଜ୍ଞାନକୁ କେମିତି ବିକାଶୋନ୍ମୁଖ ଦେଶ ଓ ସମାଜର ହିତରେ ବ୍ୟବହାର କରିପାରିବେ, ସେ ବିଷୟରେ ଏଥର ଦାୟିତ୍ୱବାନ ହେବା ଉଚିତ । କାରଣ ନିଜ ଦେଶ, ରାଜ୍ୟ ତଥା ସମାଜ ସେମାନଙ୍କଠାରୁ ଅନେକ ଅପେକ୍ଷା ରଖେ ।
ଖୁସି ଲାଗିଲା ଯେ, ଦେଶକୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ଅନେକ ପ୍ରୟାସ କରାଯାଉଛି । ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା, ଏହି ସାଧୁ ପ୍ରଚେଷ୍ଟା ସଫଳ ହେଉ ଏବଂ ବିଜ୍ଞାନ ସଂସ୍କୃତିର ନୂତନ ଧରୋହରଙ୍କ ମାଧ୍ୟମରେ ଆମେ ପ୍ରଗତିର ନୂଆ ଶିଖରକୁ ସ୍ପର୍ଶ କରୁ । ଦେଶକୁ ଶିକ୍ଷିତ ଓ ସ୍ୱାବଲମ୍ବୀ ଏବଂ ବିକଶିତ କରିବା ହେଉ ଆମମାନଙ୍କର ସଂକଳ୍ପ ।