ଓଡ଼ିଶା ଲେଖିବ ନୂଆ ଇତିହାସ । ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ୬୦ ଦେଶର ୭ ହଜାର ଅତିଥି ଗୋଟିଏ ମଞ୍ଚରେ ଏକାଠି ହେବେ । ଫର୍ ଫର୍ ଉଡ଼ିବ ଓଡ଼ିଆ ଅସ୍ମିତାର ବାନା । ବିଶ୍ୱ ନକ୍ସାରେ ଚମକିବ ଓଡ଼ିଶା।
ଓଡ଼ିଶାରେ ସାରା ପୃଥିବୀ । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ପ୍ରବାସୀ ମହାକୁମ୍ଭରେ ଭାବର ହେବ ଆଦାନ ପ୍ରଦାନ । ଜନ୍ମଭୂମି ଭାରତର ବିକାଶ ପାଇଁ ହେବ ମାନସମନ୍ଥନ । ଅଭିନବ ଏ ବିକାଶର ମହାପର୍ବ ହେବ ବିକଶିତ ଭାରତର ଚାବିକାଠି । ନିବେଶ ଆସିବ । ପର୍ଯ୍ୟଟନ ବଢ଼ିବ । ଦେଶରେ ବିକାଶର ନୂଆ ଉଡ଼ାଣ ଭରିବ । ବିକଶିତ ଭାରତ ଗଠନର ରାଷ୍ଟ୍ରଦୂତ ସାଜିବେ ପ୍ରବାସୀ ଭାରତୀୟ ।
ରାଜ୍ୟ ପାଇଁ ଗର୍ବର କଥା ହେଉଛି, ପ୍ରବାସୀ ଭାରତୀୟ ମହାସମ୍ମିଳନୀ ରାଜଧାନୀ ଭୁବନେଶ୍ୱରରେ ହେଉଛି । ଜନତା ମଇଦାନରେ ୮ ଜାନୁଆରୀରୁ ୧୦ ତାରିଖ ଯାଏ ଚାଲିବ ଏହି ମେଗା ସୋ’ । ଏଥିରେ ଯୋଗଦେବାକୁ ୬୦ରୁ ଅଧିକ ଦେଶରେ ବାସ କରୁଥିବା ଭାରତୀୟମାନେ ପଞ୍ଜୀକରଣ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାର ପ୍ରସ୍ତୁତିକୁ ତେଜିଛନ୍ତି । ପ୍ରବାସୀ ଭାରତୀୟ ଦିବସର ପୂର୍ଣ୍ଣ ସଫଳତା ପାଇଁ ରାଜ୍ୟ ସରକାରଙ୍କ ଆଖିକୁ ନିଦ ନାହିଁ । ପ୍ରବାସୀଙ୍କୁ ସ୍ୱାଗତ କରିବାକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରଛି ଓଡ଼ିଶା । ବିଶ୍ୱ ଦେଖିବ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ । ଆମ ପର୍ଯ୍ୟଟନ, କଳା, ସଂସ୍କୃତିର ବିଭବ ସାତ ଦରିଆ ପାର ହୋଇ ବିଦେଶ ମାଟିକୁ ଛୁଇଁବ । ଆମ ରାଜ୍ୟର ସମ୍ଭାରକୁ ପ୍ରବାସୀମାନେ ହାତ ପାଆନ୍ତାରେ ଦେଖିବେ । ଓଡ଼ିଶା ପାଇଁ ଦୀର୍ଘମିଆଦି ବିକାଶର ନକ୍ସା ଆଙ୍କିବାରେ ବେଶ୍ ସହାୟକ ହେବ ଏହି ସମ୍ମିଳନୀ । ଏହା ଓଡ଼ିଶା ପାଇଁ ଆଣିଛି ମହାର୍ଘ୍ୟ ମୁହୂର୍ତ୍ତ ।
ଅତିଥି ଦେବୋ ଭବଃ
ଶୀତର ସମ୍ଭାର । ପୌଷରେ ମତୁଆଲା ମନ । ନୂଆବର୍ଷ ଆସିଗଲା । କେଡ଼େ ସଅଳ ସରିଗଲା ବର୍ଷଟିଏ । ବିତିଗଲା ବାରମାସ । ପୁଣି ଆରମ୍ଭ ପ୍ରଥମରୁ । ନୂଆ ବର୍ଷରେ ନବ ସଂକଳ୍ପ ନେଇ କେନ୍ଦ୍ର ସରକାର ଆୟୋଜନ କରୁଛନ୍ତି ପ୍ରବାସୀ ଭାରତୀୟ ଦିବସ । ଦେଶ-ବିଦେଶର ୭ ହଜାରରୁ ଅଧିକ ଅତିଥି ଗୋଟିଏ ମଞ୍ଚରେ ଏକାଠି ହେବେ । ଏହି ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଓଡ଼ିଶା ‘ଅତିଥି ଦେବୋଃ ଭବ’ ନୀତିରେ ନିଜ ଆତିଥ୍ୟପରାୟଣତାର ପ୍ରମାଣ ଦେବ । ଅତିଥିମାନଙ୍କ ରହଣୀ ପାଇଁ ଭୁବନେଶ୍ୱର ଓ ପୁରୀରେ ୨୦୦ ହୋଟେଲରେ ୩୭୦୦ ରୁମ୍ ସଂରକ୍ଷିତ ହୋଇଛି । ହୋମ୍ ଷ୍ଟେ ବ୍ୟବସ୍ଥା କରାଯାଇଛି । ପ୍ରବାସୀମାନେ ଓଡ଼ିଶା ରହଣୀ ବେଳେ ଯେଭଳି ସନ୍ତୋଷ ପ୍ରକାଶ କରିବେ ତା’ ଉପରେ ଧ୍ୟାନ ରହିଛି । କାନ୍ଥ କହୁଛି କଥା । ରାଜଧାନୀର କାନ୍ଥରେ ଭଳିକି ଭଳି ଚିତ୍ର । ଓଡ଼ିଆ ଅସ୍ମିତାର ଛବି । ସଜେଇ ହୋଇଛି ଭୁବନେଶ୍ୱର, କଟକ ଓ ପୁରୀ । ଆମ ଲୋକକଳା, ଲୋକ ନୃତ୍ୟ, ଓଡ଼ିଆ ସଂସ୍କୃତି, ପରମ୍ପରା ପର୍ବପର୍ବାଣୀ ସହ ଜଡ଼ିତ ଚିତ୍ରକଳା ଏବେ ସହର ସାରା ।
ଆଦିବାସୀ ତଥା ଡୋକ୍ରା ଚିତ୍ର, ସଉରା ଚିତ୍ର, ଟେରାକୋଟା ଓ ପଟ୍ଟଚିତ୍ର ମନ ଜିଣୁଛି । ଅତିଥିଙ୍କୁ ସ୍ୱାଗତ ଠାରୁ ଖାଦ୍ୟ ପର୍ଯ୍ୟନ୍ତ ସବୁଠି ରହିବ ଓଡ଼ିଆପଣ । ଅତିଥିଙ୍କୁ ଓଡ଼ିଆ ପରମ୍ପରାରେ କରାଯିବ ସ୍ୱାଗତ । ଓଡ଼ିଶାରେ ଯେତେ ପ୍ରକାର ପାରମ୍ପରିକ ଖାଦ୍ୟ ରହିଛି ତାହା ଅତିଥିଙ୍କୁ ପରସା ଯିବ । ଓଡ଼ିଆ ଡାଲମା, ଖେଚୁଡ଼ି, ଛେନାପୋଡ଼, ସିଝାମଣ୍ଡାରୁ ଆରିସା, କାକରା ଓ ଦେଶୀ ଚୂନାମାଛ ସବୁ ହୋଟେଲର “ ସ୍ପେଶାଲ୍ ଓଡ଼ିଶା ଫୁଡ୍ ମେନୁ’ରେ ରହିବ । ଭୁବନେଶ୍ୱର ସମେତ କଟକ, ପୁରୀ, କୋଣାର୍କ, ଚିଲିକା, ରତ୍ନଗିରି, ଲଳିତଗିରି, ଚଉଷଠି ଯୋଗିନୀ, ବେଳାଭୂମି, ଖଣ୍ଡଗିରି, ଉଦୟଗିରି, ଚିଲିକା ବୁଲିବେ ପ୍ରବାସୀ । ଦେଖିବେ ଓଡ଼ିଶା ପର୍ଯ୍ୟଟନର ସମ୍ଭାର ।
ୱାଶିଂଟନର ପ୍ରବାସୀ ଭାରତୀୟ ଦେଖିବେ ଆଦିବାସୀଙ୍କ ଘର । ଖାଇବାକୁ ପାଇବେ ବିଶୁଦ୍ଧ ଜନଜାତି ଖାଦ୍ୟ । ପ୍ରବାସୀ ଭାରତୀୟ ଦିବସକୁ ଆଖିରେ ରଖି ଆମ ଆଦିବାସୀ ସଂସ୍କୃତି ସହ ପରିଚିତ କରାଇବାକୁ ଅନୁଷ୍ଠିତ ହେଉଛି ‘ଆଦିବାସୀ ମେଳା’ । ଏହାସହ ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ୍, ଦେଶୀୟ ଲୋକ ନୃତ୍ୟ ଓ ସଙ୍ଗୀତ ଉତ୍ସବ ସହ ଏକାମ୍ର ପୁଷ୍ପ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ପ୍ରବାସୀଙ୍କୁ ଓଡ଼ିଶା ଏଭଳି ଆତିଥ୍ୟ ପ୍ରଦାନ କରିବ, ଯାହା ପ୍ରବାସୀ ଭାରତୀୟଙ୍କ ମନରେ ସବୁ ଦିନ ପାଇଁ ଛାପ ହୋଇ ରହିବ । ଖୁସିରେ ଗଦ୍ ଗଦ୍ ପ୍ରବାସୀ କହିବେ ବାଃ! ଓଡ଼ିଶା... ବାଃ ଓଡ଼ିଆ... ।
ବିକଶିତ ଭାରତର ରାଷ୍ଟ୍ରଦୂତ
ଆଜି ଭାରତ ଯାହା କହୁଛି, ସମଗ୍ର ବିଶ୍ୱ ଶୁଣୁଛି । ସୁଯୋଗ ପାଇଁ ଭାରତ ଆଉ ଅପେକ୍ଷା କରୁନି । ନିଜେ ତିଆରି କରୁଛି ସୁଯୋଗ । ଗତ ୧୦ ବର୍ଷରେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗର ଲଞ୍ଚିଙ୍ଗ୍ ପ୍ୟାଡ୍ ତିଆରି କରିଛି । ଆଜି ଶକ୍ତି ଓ ସ୍ୱପ୍ନରେ ଇନ୍ଧନ ଭରିଛି ଭାରତ । ଏହାପଛରେ ରହିଛି ବିଦେଶରେ ରହୁଥିବା ଭାରତୀୟଙ୍କ ସହଯୋଗ ଓ ସହଭାଗିତା । ପ୍ରବାସୀମାନେ ଆମ ଦେଶର ବଡ଼ ସମ୍ପତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ପ୍ରବାସୀ ଭାରତୀୟମାନେ ହେଉଛନ୍ତି ଆମର ସେତୁ । ସେମାନେ ବିଦେଶ ମାଟିରେ ଭାରତର ଜଣେ ଜଣେ ସଫଳ ରାଷ୍ଟ୍ରଦୂତ । ସେମାନଙ୍କ ସହଯୋଗରେ ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି । ବିକଶିତ ଭାରତ ଗଠନରେ ପ୍ରବାସୀ ହିଁ ନେବେ ବଡ଼ ଭୂମିକା ।
ପ୍ରବାସୀମାନେ ଖାଲି ଗୌରବ ଆଣନ୍ତି ନାହିଁ, ଆମ ଆର୍ଥିକ ସ୍ଥିତିକୁ ଢେର୍ ସହଯୋଗ କରି ଆସିଛନ୍ତି । ଦେଶକୁ ବିଦେଶୀ ମୁଦ୍ରା ପଠାଇବାରେ ଭାରତୀୟମାନେ ପୃଥିବୀରେ ଶୀର୍ଷରେ । ୨୦୨୨ରେ ପ୍ରବାସୀମାନେ ଆମ ଦେଶକୁ ପଠାଇଥିଲେ ୧୦,୦୦୦ କୋଟି ଡଲାର । ସାରା ବିଶ୍ୱରେ ୩ କୋଟିରୁ ଅଧିକ ଭାରତୀୟ ବାସ କରନ୍ତି । ୧୦୦ରୁ ଅଧିକ ଦେଶରେ ଭାରତୀୟମାନେ ଅଛନ୍ତି । ପୃଥିବୀର ୫୦୦ ବୃହତ୍ତମ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚଉକିରେ ବସିଛନ୍ତି ଭାରତୀୟ ବଂଶଦ୍ଭୋବ । ମେଡ୍ ଇନ୍ ଇଣ୍ଡିଆ ବିଶ୍ୱର ଏବେ ବଡ଼ ବ୍ରାଣ୍ଡ୍ ।
ପ୍ରବାସୀ ଭାରତୀୟଙ୍କ ଦକ୍ଷତା, ପ୍ରତିଭା, ପ୍ରତିଶ୍ରୁତିବଦ୍ଧତାର କେହି ମୁକାବିଲା କରିପାରିବେ ନାହିଁ । ସେମାନେ ସାତ ସମୁଦ୍ର ପାର୍ ହୋଇ ବିଦେଶରେ ଅଛନ୍ତି । କିନ୍ତୁ କୌଣସି ସମୁଦ୍ର ଏତେ ଗଭୀର ନୁହେଁ, ଯାହା ସେମାନଙ୍କ ହୃଦୟର ଗଭୀରତାରେ ଥିବା ଭାରତକୁ ତାଙ୍କଠାରୁ ଦୂରେଇ ପାରିବ । ତେଣୁ ପ୍ରବାସୀମାନେ ବେଶ୍ ଉତ୍କଣ୍ଠାର ସହ ଏ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଅପେକ୍ଷା କରିଥାନ୍ତି । ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ସହ ସକରାତ୍ମକ କଥାବାର୍ତ୍ତା ପାଇଁ ଏହି ଦିବସ ମଞ୍ଚ ଯୋଗାଉଛି ।
ପ୍ରବାସୀ ଭାରତୀୟଙ୍କଠାରୁ ଦେଶବାସୀ କ’ଣ ଆଶା କରୁଛନ୍ତି ସେ ବିଷୟରେ ଜଣାଇବା ଏବଂ ଭାରତର ଯୁବପିଢ଼ିକୁ ପ୍ରବାସୀ ଭାରତୀୟଙ୍କ ସହ ଯୋଡ଼ିବାରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଭାରତକୁ ଅଧିକ ନିବେଶ ଆଣିବାରେ ଏହି ମଞ୍ଚ ବେଶ ସହଯୋଗ କରି ଆସୁଛି । ବିଦେଶରେ ରହୁଥିବା ପ୍ରତିଟି ଭାରତୀୟଙ୍କୁ ସମ୍ମାନ ଓ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ୨୦୦୩ରୁ ଏହି ଦିବସ ପାଳନ କରାଯାଉଛି । ୧୯୧୫ ଜାନୁଆରୀ ୯ ତାରିଖରେ ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ଏହି ଦିବସ ପାଳନ ହେଉଛି ।
ଓଡ଼ିଶା ଲେଖିବ ଇତିହାସ
ଗର୍ବର ମୁହୂର୍ତ୍ତ । ଗୌରବର ମୁହୂର୍ତ୍ତ । ଓଡ଼ିଶା ଲେଖିବାକୁ ଯାଉଛି ନୂଆ ଇତିହାସ । ପ୍ରଥମ ଥର ପାଇଁ ଓଡ଼ିଶା ଭଳି ପୂର୍ବାଞ୍ଚଳ ରାଜ୍ୟରେ ଆୟୋଜିତ ହେଉଛି ଏଭଳି ଭବ୍ୟ ସମାରୋହ । ଓଡ଼ିଶା ଅପାର ସମ୍ଭାବନାର ଗନ୍ତାଘର । ଏ ମହୋତ୍ସବରେ ସାରା ବିଶ୍ୱରୁ ପ୍ରାୟ ୭ ହଜାର ଅତିଥି ଆସିବେ ଓଡ଼ିଶା । ବିଶ୍ୱକୁ ରାଜ୍ୟ ଦେଖାଇବ ତାର ଅପାର ସମ୍ପଦ ଅନୁପମ କଳା, ଭାସ୍କର୍ଯ୍ୟ,ଐତିହ୍ୟ ଓ ଆଧ୍ୟାତ୍ମିକ ଚେତନା । ଦେଶ ଓ ବିଦେଶର ଶିଳ୍ପପତି, ଯୁବ ଉଦ୍ୟୋଗୀ ଏ ସମ୍ଭାବନାର ମାଟିକୁ ପାଖରୁ ଦେଖିବେ । ଜମି, ଖଣିଜ ସମ୍ପଦ, ମାନବ ସମ୍ବଳ କିଛି ଅଭାବ ନାହିଁ। ଓଡ଼ିଶାରେ ନିବେଶ ହେଉଛି ଭବିଷ୍ୟତ ପାଇଁ ନିବେଶ । ଏ ଭରସା ଓ ବିଶ୍ୱାସ ନେଇ ଫେରିବେ ପ୍ରବାସୀ ।
ପ୍ରବାସୀ ଭାରତୀୟଙ୍କ ସହଯୋଗ କାମନା କରିବ ଓଡ଼ିଶା । ଆର୍ଥିକ, ବୈଷୟିକ ଏବଂ କୌଶଳ ସହଯୋଗ ମିଳିବ । ନିବେଶ ଆସିବ । ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବାକୁ ରାଜ୍ୟ କେଇ ପାଦ ଆଗକୁ ଚଢ଼ିବ । ଆମ ରାଜ୍ୟ ଭାରତର ବିକାଶ ଇଞ୍ଜିନ ପାଲଟିବ । ଫର୍ ଫର୍ ଉଡ଼ିବ ଓଡ଼ିଆ ଅସ୍ମିତାର ବାନା । ବିଶ୍ୱ ନକ୍ସାରେ ଚମକିବ ଓଡ଼ିଶା ।