ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଜୀବନରେ ଭୁଲ୍‌: ସ୍ୱୀକାର୍ଯ୍ୟ

Published By : Harapriya Sethi | January 3, 2025 11:55 AM

ଜୀବନ ରାସ୍ତାରେ ଭୁଲ୍‌ ଠିକ୍‌, ପାପ ପୁଣ୍ୟର ବିଚାର କରି ଚାଲୁଚାଲୁ ମଣିଷ କେତେବେଳେ କେତେ ଯେ ଭୁଲ୍‌ କରିବସେ ସେ ନିଜେ ଜାଣିପାରେନି । ଓଡ଼ିଆରେ ଗୋଟିଏ କଥା ଅଛି "ଯିଏ ତେଲ ଘଡ଼ି ଧରେ, ତାର ହାତ ତେଲିଆ ହୁଏ' । ପୃଥିବୀରେ ମଣିଷ ଜନ୍ମ ପାଇ, ଜୀବନର ଶେଷଯାଏଁ ଆମେ ଯେ କିଛି ଭୁଲ୍‌ କରିନାହୁଁ ଏହା ଅସ୍ୱୀକାର୍ଯ୍ୟ । ନୀତି ନିର୍ଦ୍ଧାରିତ ରାସ୍ତାରେ ଚାଲୁଚାଲୁ ମଧ୍ୟ ମଣିଷର ସେହି ନୀତି ସ୍ଥଳବିଶେଷରେ ସମାଜ ବିରୋଧୀ ହୋଇଥାଏ । ଏହି ପ୍ରସଙ୍ଗରେ ମହାଭାରତର କଥାଟିଏ । ଭୀମଙ୍କ ନାତି ବାର୍ବାରିକ (ଘଟୋତ୍କଚର ପୁତ୍ର) ଏତେ ବଡ଼ ବୀର ଥିଲା ଯେ ମହାଭାରତ ଯୁଦ୍ଧ ଗୋଟିଏ ଦିନରେ ସାରି ପାରିଥାଆନ୍ତା । ତା'ର ନୀତି ଥିଲା ଦୁର୍ବଳ ପକ୍ଷକୁ ସାହାଯ୍ୟ କରିବା । ପ୍ରଥମେ ପାଣ୍ଡବମାନେ ଦୁର୍ବଳ ଥିବାରୁ ତାଙ୍କ ପକ୍ଷରୁ ବାର୍ବାରିକ ଯୁଦ୍ଧ କରିଥାନ୍ତା । କିନ୍ତୁ ପରେ କୌରବର ବଡ଼ ବଡ଼ ରଥିମାନଙ୍କ ମୃତ୍ୟୁପରେ କୌରବମାନେ ଦୁର୍ବଳ ହୋଇଯାଇଥାନ୍ତେ ଓ ବାର୍ବାରିକ ପକ୍ଷ ବଦଳାଇ କୌରବ ପକ୍ଷରୁ ପାଣ୍ଡବମାନଙ୍କୁ ବିନାଶ କରିଥାନ୍ତା । ତେଣୁ ଧର୍ମ ସଂସ୍ଥାପନ ହୋଇଥାନ୍ତା କିପରି? ଶ୍ରୀକୃଷ୍ଣ ଏହା ଜାଣିପାରି ବାର୍ବାରିକକୁ ଯୁଦ୍ଧରୁ ନିବୃତ୍ତ କରାଇଥିଲେ ଓ ତା'ର ଇଚ୍ଛା ମୁତାବକ ତା'ର ମୁଣ୍ଡକାଟି ଏକ ଉଚ୍ଚସ୍ଥାନରେ ରଖାଇଥିଲେ, ଯେଉଁଠାରୁ ଯୁଦ୍ଧ ଶେଷଯାଏଁ ସେ ମହାଭାରତ ଯୁଦ୍ଧ ଦେଖିଥିଲା । ଯୁଦ୍ଧ ଶେଷରେ ତାକୁ ପ୍ରଶ୍ନ କରାଗଲା କିଏ ପ୍ରକୃତରେ ଅଧିକ ଶତ୍ରୁ ସଂହାର କରିଛି! ବାର୍ବାରିକର ଉତ୍ତର ଥିଲା- କେହି ନୁହେଁ, କେବଳ ଗୋଟିଏ ଚକ୍ର ବୁଲି ବୁଲି ସମସ୍ତଙ୍କ ମୁଣ୍ଡକାଟ କରିଥିଲା । ସେହିପରି ଧର୍ମ ସଂସ୍ଥାପନ ପାଇଁ ଶ୍ରୀକୃଷ୍ଣଙ୍କର ପ୍ରୟାସ ଜାରି ଥିଲା ସିନା, ପ୍ରତିବଦଳରେ ମାତା ଗାନ୍ଧାରୀଙ୍କ ଦ୍ୱାରା ଅଭିଶପ୍ତ ହୋଇ ସେ ସବଂଶ ଶେଷ ହୋଇଯାଇଥିଲେ । ଏଥିରୁ ପ୍ରତୀତ ହେଉଛି ଯେ ନୀତି ମଧ୍ୟ ସମୟୋପଯୋଗୀ ଓ ମାନବ କଲ୍ୟାଣକାରୀ ହେବା ଉଚିତ୍‌ । ନୀତି ସହିତ ମଣିଷର ଅହଂ ଯଦି ମିଶିଯାଏ ଅର୍ଥାତ୍‌ "ମୁଁ ମୋ ନୀତିରୁ ଟିକେ ହେଲେ ଟଳିବିନି' (ଭଲ ଅର୍ଥରେ) ମନୋଭାବ ରହିଲେ ତାହା ନିଜର ତଥା ସମାଜର ସମୟ ସମୟରେ କ୍ଷତି କରିପାରେ । ଆଜିର ଦିନରେ ଯୌତୁକ ବିରୋଧୀ ନୀତି ଯେପରି ସମାଜରେ ସମାଲୋଚିତ ହେଉଛି । ତେଣୁ ସମାଜର ମଙ୍ଗଳ ପାଇଁ ସେହି ନୀତି ଦ୍ୱିପାକ୍ଷିକ ହେବା ସହିତ ନିୟମ ପାଳନ ବେଳେ ନିଜ ବିବେକ ପ୍ରୟୋଗର ଆବଶ୍ୟକତା ରହିଛି । ଯଦ୍ୱାରା ନିର୍ଦ୍ଦୋଷ ପୁରୁଷ ଓ ତା'ର ପରିବାର କଷ୍ଟ ପାଇବେ ନାହିଁ । ସେଥିପାଇଁ ସମସ୍ତ ବିଚାର ପ୍ରକ୍ରିୟାରେ ଦୋଷୀର ମାନସିକ ସ୍ଥିତି ଓ ପାରିପାଶ୍ୱିର୍କ ଅବସ୍ଥାକୁ ବିଚାରକୁ ନିଆଯାଏ । ବାସ୍ତବିକ, ନିୟମ ପ୍ରଣୟନ ହୁଏ ମଣିଷକୁ ଭୁଲ୍‌ ରାସ୍ତାରୁ ଠିକ୍‌ ରାସ୍ତାକୁ ଆଣିବା ପାଇଁ । କାରଣ ଭୁଲ୍‌ ରାସ୍ତା ଅନେକ, ଠିକ୍‌ ରାସ୍ତା ଗୋଟିଏ । ଜଣେ ବିବେକୀ ମଣିଷର ରାସ୍ତା ସ୍ୱୟଂ ନୀତି ଆଧାରିତ । ତାଙ୍କ ପାଇଁ କୌଣସି ନିୟମ ପ୍ରଣୟନର ଆବଶ୍ୟକତା ନାହିଁ । ଆମ ଦେଶର ସବୁଠାରୁ ବଡ଼ ସମ୍ବିଧାନ ପାଇଁ ମୁଁ ଗର୍ବିତ ନୁହେଁ, ବରଂ ଲାଗେ ଆମ ଦେଶରେ ବୋଧହୁଏ ସବୁଠାରୁ ବେଶୀ ଲୋକ ଅବିବେକୀ । କିଛି ବର୍ଷ ପୂର୍ବେ ନାରୀ ଓ ଜନଜାତିର ସୁରକ୍ଷା ପାଇଁ ନାରୀ ନୀତି, ଜାତିଭିତ୍ତିକ ନୀତି କିଛି ନଥିଲା । ତଥାପି ବହୁ ନାରୀ, ବହୁ ଆଦିବାସୀ ନେତା ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ଯାହା ଆଜି ଆମପାଇଁ ଦୃଷ୍ଟାନ୍ତ ହୋଇ ରହିଛି । ଯେଉଁ ଲୋକ ଆର୍ଥିକ ସମସ୍ୟା ପାଇଁ ନିଜର କୌଳିକ ବୃତ୍ତି, ଶିକ୍ଷା, ସ୍ୱାସ୍ଥ୍ୟରୁ ବଂଚିତ ହେଉଛନ୍ତି ତାଙ୍କ ପାଇଁ ହେଉଥିବା ସରକାରୀ ଆର୍ଥିକ ବ୍ୟବସ୍ଥାର ଅର୍ଥ ବାଟମାରଣା ଦେଖିଲେ ଲାଗୁଛି ଯେପରି ସରକାର କଦଳୀ ଖାଇ ଚୋପା ପକାଇ ଦେଉଛନ୍ତି ସେହି ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ । 

ଭୁଲ୍‌ କର୍ମପାଇଁ ମଣିଷକୁ କ୍ଷମା ଦିଆଯାଇପାରେ, କିନ୍ତୁ ବହୁ ସମୟରେ ଜଣଙ୍କର ଭୁଲ୍‌ ପାଇଁ ଅନ୍ୟ ଜଣେ ଦଣ୍ଡିତ ହେବା ବା କଷ୍ଟ ପାଇବା ଏକ ବିଡ଼ମ୍ବନା । କଷ୍ଟ ସହିଲାବେଳେ ଦୁର୍ବଳ, ବିବଶ (ଘରୋଇ ବିବାଦ) ଲୋକଟିଏ ଭଗବାନଙ୍କ ଆଶ୍ରୟ ନିଏ, ନିଜ ଭାଗ୍ୟକୁ ନିନ୍ଦେ, ମନେମନେ ଅଭିଶାପ ଦିଏ ଯାହାର ମୂଲ୍ୟ ସେ ହିଁ କେବଳ ବୁଝେ । ସବଳ ଲୋକଟିଏ ଏହାର ଦୃଢ଼ ପ୍ରତିବାଦ କରେ, ବଳରେ ହେଉ ବା ନ୍ୟାୟାଳୟରେ । ନିଜର ଭୁଲ୍‌ ବୁଝିପାରି ତାକୁ ସ୍ୱୀକାର କରିବା ଓ ସୁଧାରି ନେବା ମଣିଷର ସବୁଠାରୁ ବଡ଼ ମହାନତା । ଏହାଦ୍ୱାରା ମଣିଷର ବାରମ୍ବାର ଭୁଲ୍‌ ହୁଏନାହିଁ, କିନ୍ତୁ ଜାଣିଶୁଣି ଯେତେବେଳେ ମଣିଷ ଭୁଲ୍‌ କରେ ତାକୁ "ପାପ' ବୋଲି କୁହାଯାଏ । ପିଲାଦିନରେ ଯେଉଁ କର୍ମ ଭୁଲ୍‌ କୁହାଯାଏ, ବଡ଼ ବେଳେ ସେହି କର୍ମକୁ "ପାପ' ଗଣାଯାଏ । ଜଣକୁ ଅନ୍ଧଭାବେ ବିଶ୍ୱାସ କରିବା ମଣିଷର ଭୁଲ୍‌ ହୋଇପାରେ, ସେହି ବିଶ୍ୱାସରେ ବିଷ ମିଶାଇବାକୁ "ପାପ' କୁହାଯାଏ । ମଣିଷ ଯେତେବେଳେ ିଜ ଭୁଲ୍‌କୁ ସ୍ୱୀକାର ନକରି "ଏହା ଆଜିର ଦୁନିଆରେ ଚଳଣୀ' କହି ସେଥିରେ ନିଜକୁ ଅଧିକ ସାମିଲ କରିନିଏ, ସେ ପାପ କରିଥାଏ ଓ ସମାଜ ପାଇଁ ବୋଝ ହୋଇଯାଏ । ଏଥିପାଇଁ କୌଣସି କ୍ଷମା ନଥାଏ, ନିଜକୁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼େ । ସାଧାରଣ ଲୋକଟିଏ ଭାବେ ଲୋକଟା ପାପ କରୁଛି, ଭଗବାନ ତାକୁ ଦଣ୍ଡ ଦେବେ । କିନ୍ତୁ ଯେତେବେଳେ ତା'ର ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖାଯାଏ, ମନରେ ପ୍ରଶ୍ନ ଉଠେ ଭଗବାନ କ'ଣ ଦଣ୍ଡ ଦିଅନ୍ତିନି! ତା'ପରେ ଉଠେ ପ୍ରାରବ୍ଧର କଥା । ହିନ୍ଦୁ ଧର୍ମର ଅନେକ ଘଟଣା ଉପରେ ପ୍ରଶ୍ନ ଉଠେ । ଶୀକୃଷ୍ଣ ଶିଶୁପାଳର ଶହେ ଦୋଷ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେ? ସବୁ ସମସ୍ୟାର ସମାଧାନ ତାଙ୍କ ପାଖରେ ଥାଇ ମଧ୍ୟ (କାରଣ ସେ ସବୁ କରାଉଛନ୍ତି) ମହାଭାରତ ଯୁଦ୍ଧ କରାଇଲେ କାହିଁକି? ଦାନବମାନେ ବହୁଦିନ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କଲାପରେ ଭଗବାନ ତାଙ୍କୁ ସଂହାର କରନ୍ତି କାହିଁକି? ଶୀଘ୍ର କାହିଁକି ନୁହେଁ! ଏମିତି ଆରମ୍ଭ ହୁଏ ଭଗବାନଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ । କିଛି ଲୋକ ଏହି ଅସ୍ତିତ୍ୱର ଅନୁଭୂତି ବାଣ୍ଟିଯାନ୍ତି (ହେତୁବାଦୀଙ୍କ ପାଇଁ ଯାହା କୋଇନ୍‌ସିଡେଣ୍ଟ), ଆଉ କିଛି ବିନା ଅନୁଭୂତିରେ ଚାଲିଯାନ୍ତି । 

ମଣିଷ ନିଜ ଭୁଲ୍‌ ନିଜେ ବହୁ ସମୟ ଜାଣିପାରେନି, ଏଥିପାଇଁ ନିଜର ପିତାମାତା, ପ୍ରିୟପରିଜନ ଅପେକ୍ଷା ଜଣେ ଉତ୍ତମ ବନ୍ଧୁର ଆବଶ୍ୟକତା ଥାଏ । ସୁଭାଷିତାନିର ଶ୍ଳୋକଟିଏ "ପାପାନ୍ନିବାରୟତି ୟୋଜୟତେ ହିତାୟ, ଗୁହ୍ୟାଂ ନିଗୁହତି ଗୁଣାନ୍‌ ପ୍ରକଟି କରୋତି । ଆପଦଗତଂ ଚନ ଜହାତି ଦଦାତି କାଳେ, ସନ୍ମିତ୍ର ଲକ୍ଷଣମିଦଂ ପ୍ରବଦନ୍ତି ସନ୍ତଃ', ଅର୍ଥାତ୍‌ ପାପକର୍ମରୁ ହଟାଇ ହିତଯୋଗ୍ୟ କର୍ମରେ ଲଗାଏ³ ଗୁପ୍ତ ରଖିବା କଥାକୁ ଲୁଚାଇ ସୁଗୁଣ ଲୋକ ଲୋକଲୋଚନକୁ ଆଣେ, ବିପଦ ସମୟରେ ପାଖ ଛାଡ଼େନାହିଁ । ପ୍ରକୃତ ବନ୍ଧୁର ଏହା ହିଁ ଲକ୍ଷଣ । ଏହିପରି ଉତ୍ତମ ବନ୍ଧୁଟିଏ ମଣିଷକୁ ପାପକର୍ମରୁ ନିବୃତ୍ତ କରିପାରିବ, ଯେତେବେଳେ ମଣିଷଟି ବନ୍ଧୁର ସମାଲୋଚନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବ । ଏଭଳି ବନ୍ଧୁର ସ୍ଥାନ ସହପାଠୀଙ୍କ ଠାରୁ ଆରମ୍ଭ କରି ବାପା, ମାଆ, ଆତ୍ମୀୟସ୍ୱଜନ ଯେକେହି ନେଇପାରନ୍ତି । ପରିବାର ପାଇଁ ହେଉ ବା ସମାଜ ପାଇଁ, ମଣିଷ କର୍ମଟିଏ କଲେ ବେଳେବେଳେ ତାହା କିଛି ଲୋକଙ୍କ ପାଇଁ ହିତକର ହେଲେ, ଅନ୍ୟ କିଛିଙ୍କ ପାଇଁ ପ୍ରଭାବହୀନ ହୋଇଥାଏ । କିନ୍ତୁ ଭୁଲ୍‌ କର୍ମଟିଏ କଲେ ତା'ର କୁପରିଣାମ ଖୁବ୍‌ ସ୍ୱଳ୍ପ ସମୟ ପାଇଁ ଭୋଗ ହୋଇଥାଏ, ସମୟ ସମୟରେ ନିଜ ସହିତ ଆତ୍ମୀୟମାନେ ମଧ୍ୟ ଜୀବନସାରା ଭୋଗ କରିଥାନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.