ରାଜ୍ୟର ଆଇନଜୀବୀମାନଙ୍କର ସର୍ବବୃହତ୍ ଓ ସର୍ବପୁରାତନ ସଙ୍ଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘର ୫୩ତମ ବାର୍ଷିକ ଅଧିବେଶନ ଅବସରରେ କୃତ୍ରିମ ବୌଦ୍ଧିକତା ଯୁଗରେ ଆଇନ ପେସାର ଆହ୍ୱାନ ପ୍ରାସଙ୍ଗିକ । ଆଇନଜୀବୀମାନଙ୍କ ପାଇଁ ଗୋଟାଏ ଭିନ୍ନ ଧରଣର ବିତର୍କର ପରିବେଶ ସୃଷ୍ଟି କରିଛି । ଆଇନ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୃତ୍ରିମ ବୌଦ୍ଧିକତାର ବ୍ୟବହାର, ଏପରିକି ନୂଆକରି ପେସାରେ ଯୋଗ ଦେଇଥିବା ଆଇନଜୀବୀଙ୍କ ପାଇଁ ପୂର୍ବ ପିଢ଼ିର ଆଇନଜୀବୀଙ୍କ ଭଳି ନ୍ୟାୟିକ ରାୟ, ରାତାରାତି ଖୋଜିବାର ଯୁଗ ଶେଷ ହୋଇଯାଇଛି । ଅପରପାଶ୍ୱର୍ରେ କୃତ୍ରିମ ବୌଦ୍ଧିକତାକୁ ବ୍ୟବହାର କରି ଭିନ୍ନ ଭିନ୍ନ ହାଇକୋର୍ଟର ରାୟ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଆଇନ ପତ୍ରିକାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକୁ ଗୋଟାଏ କ୍ଲିକ୍ରେ ଚାଟ୍ ଜିପିଟି ଭଳି ଆପ୍ ମାଧ୍ୟମରେ ହାସଲ କରାଯାଇପାରୁଛି । କିନ୍ତୁ ଅନେକ କ୍ଷେତ୍ରରେ ଆଇନଗତ ସମସ୍ୟାଗୁଡ଼ିକ ଭିନ୍ନ ଭିନ୍ନ ଘଟଣା କ୍ରମକୁ ନେଇ ସୃଷ୍ଟି ହୋଇଥାଏ । ସେ ଦୃଷ୍ଟିରୁ କୃତ୍ରିମ ବୌଦ୍ଧିକତାକୁ ବ୍ୟବହାର କରି ସଠିକ୍ ନ୍ୟାୟିକ ରାୟର ତର୍ଜମା କରିବା ଅନେକ କ୍ଷେତ୍ରରେ ମଧ୍ୟ ବିପଜ୍ଜନକ ପରିସ୍ଥିତି ଆଣିପାରେ । କୃତ୍ରିମ ବୌଦ୍ଧିକତା ଯୁଗରେ ଆଇନଜୀବୀମାନେ ଏହାକୁ ବ୍ୟବହାର କଲାବେଳେ ଏଥି ସମ୍ପର୍କିତ ସଂଲଗ୍ନ ଦିଗଗୁଡ଼ିକୁ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
କିନ୍ତୁ ଏଥିପାଇଁ ଆଇନଜୀବୀମାନଙ୍କୁ ନିରନ୍ତର ଆଇନ ଶିକ୍ଷା ଓ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ଓ ଇଟାଲି ଭଳି ଦେଶଗୁଡ଼ିକରେ ଆଇନଜୀବୀମାନେ ଆଇନ ପେସାରେ ଯୋଗଦେବା ପରେ ସେମାନଙ୍କର ନିରନ୍ତର ଆଇନ ପ୍ରଶିକ୍ଷଣ ବାଧ୍ୟତାମୂଳକ କରାଯାଇଛି । କେତେକ ଦେଶରେ ଏହି ଆଇନ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଏପରି ଢାଞ୍ଚାରେ କରାଯାଇଛି ଯେ, ଜଣେ ଆଇନଜୀବୀ ପ୍ରତ୍ୟେକ ବର୍ଷ କିଛି ନିର୍ଦ୍ଦିଷ୍ଟ ଘଣ୍ଟା ପାଇଁ ନିଜସ୍ୱ ଅର୍ଥରେ ଏହି ପେସାଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାଧ୍ୟ । ସତୁରି ଦଶକ ପରଠାରୁ ଏହି ଦେଶଗୁଡ଼ିକରେ ଏଭଳି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଏହି ଦେଶଗୁଡ଼ିକରେ ପ୍ରଥମ ଅବସ୍ଥାରେ ଆଇନଜୀବୀମାନଙ୍କ ମଧ୍ୟରେ ଏଭଳି ବୃତ୍ତିଗତ ପ୍ରଶିକ୍ଷଣକୁ ନେଇ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇନଥିଲା, ଏପରିକି କେତେକ ସ୍ଥଳରେ ବିରୋଧାଭାଷ ଦେଖାଦେଇଥିଲା । ପରିବର୍ତ୍ତନର ଏହି ଧାରା କେବଳ ବାଧ୍ୟତାମୂଳକ ଲାଇସେନ୍ସ ନବୀକରଣ ମାଧ୍ୟମରେ ସମ୍ଭବପର ହୋଇଥିଲା । ଆମ ଦେଶରେ ୧୯୮୩ ମସିହାରେ ବିଚାରପତିମାନଙ୍କୁ ନିରନ୍ତର ଆଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ନ୍ୟାସନାଲ୍ ଜୁଡିସିଆଲ୍ ଏକାଡେମୀ, ଭୋପାଳ ଠାରେ ପ୍ରତିଷ୍ଠା କରାଯାଇଥିଲା ।
ସେଥିପାଇଁ ଜାତୀୟ ସ୍ତରରେ ମଧ୍ୟ ନ୍ୟାୟିକ ଶିକ୍ଷା ଓ ନ୍ୟାୟିକ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ସବୁ ସ୍ତରର ବିଚାର ବିଭାଗୀୟ ଅଫିସରମାନଙ୍କ ପାଇଁ ଗୋଟିଏ ପାଠ୍ୟକ୍ରମର ଖସଡ଼ା ମଧ୍ୟ ତିଆରି କରାଯାଇଛି । ଏହି ଅନୁଷ୍ଠାନ ଗଠନ ବେଳେ କେନ୍ଦ୍ର ସରକାର ଏକଥା ଉପଲବ୍ଧି କରିଥିଲେ ଯେ, କେବଳ ଦେଶରେ ଅଧିକ ସଂଖ୍ୟାରେ କୋର୍ଟ ଖୋଲିଲେ କିମ୍ବା ବିଚାରପତି ନିଯୁକ୍ତ କଲେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିବନାହିଁ, ଏଥିପାଇଁ ବିଚାରପତିମାନଙ୍କ ନ୍ୟାୟିକ ଦକ୍ଷତା ଓ ଜ୍ଞାନରେ ଅଭିବୃଦ୍ଧିର ଆବଶ୍ୟକତା ରହିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ନ୍ୟାୟିକ ରାୟର ତର୍ଜମା କଲାବେଳେ କୃତ୍ରିମ ବୌଦ୍ଧିକତା ଉପରେ ଏତେମାତ୍ରାରେ ନିର୍ଭରଶୀଳ ଯେ, ସେମାନେ କୌଣସି ମକଦ୍ଦମାର ସଠିକ୍ ବିଶ୍ଳେଷଣ କରିବାରେ ଅସମର୍ଥ । ଅନେକ ଦେଶରେ ଏବେ କୃତ୍ରିମ ବୌଦ୍ଧିକତାକୁ ଭିତ୍ତିକରି ବିଚାରପତିମାନେ ନ୍ୟାୟିକ ରାୟ ଲେଖିପାରୁଛନ୍ତି । କିନ୍ତୁ ଏହି ରାୟଗୁଡିକ ଆଉ ଗୋଟିଏ ଭୟଙ୍କର ବିପଜ୍ଜନକ ସ୍ଥିତି ତିଆରି କରୁଛି । କୃତ୍ରିମ ବୌଦ୍ଧିକତାକୁ କେବଳ ଆଇନ ଗବେଷଣା କିମ୍ବା ଆଇନ ପ୍ରଶିକ୍ଷଣ ଅଥବା ନ୍ୟାୟିକ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରେ । କିନ୍ତୁ ଏହାକୁ ନ୍ୟାୟିକ ରାୟ ପ୍ରସ୍ତୁତ କ୍ଷେତ୍ରରେ ବ୍ୟବହାର କଲେ ଏହା ନ୍ୟାୟିକ ବ୍ୟବସ୍ଥାକୁ ଗୋଟିଏ ସଂକଟମୟ ଦିଗକୁ ନେଇଯିବାର ଆଶଙ୍କା ରହିଛି ।
ଏବେ ଆମ ଦେଶରେ ନ୍ୟାୟିକ ପ୍ରକ୍ରିୟାରେ କେବଳ ନ୍ୟାୟିକ ରାୟର ଗବେଷଣା ଓ ଅନୁବାଦ କ୍ଷେତ୍ରରେ ବ୍ୟବହାର କରାଯାଉଛି, ଯାହାର ଫଳସ୍ୱରୂପ ସୁପ୍ରିମ କୋର୍ଟର ରାୟଗୁଡ଼ିକ ଭିନ୍ନ ଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦିତ ହୋଇପାରୁଛି । ନୂତନ ପିଢ଼ିର ଆଇନଜୀବୀମାନେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୌଦ୍ଧିକତାର ବ୍ୟବହାରକୁ ନେଇ ଯେଭଳି ଉତ୍ସାହ ପ୍ରଦର୍ଶନ କରୁଛନ୍ତି, ସେହି ପରିମାଣରେ ଏହି ବୌଦ୍ଧିକତାର କୁଫଳ ବିଷୟରେ ମଧ୍ୟ ସେମାନଙ୍କୁ ସଚେତନ କରିବାର ଆବଶ୍ୟକତା ଅଛି । କୃତ୍ରିମ ବୌଦ୍ଧିକତାର ସୀମା ଓ ସଫଳତା ସମ୍ପର୍କରେ ଆଇନଜୀବୀମାନଙ୍କୁ ସଚେତନ କରିବା ଲାଗି ରାଜ୍ୟରେ ଆଡଭୋକେଟ୍ ଏକାଡେମୀକୁ ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ କରିବାର ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ଏହା ସାମୂହିକ ଦାୟିତ୍ୱ । ନୂଆବର୍ଷରେ ନୂତନ ଚିନ୍ତାର ଉଦ୍ରେକ ହେଉ । ରାଜ୍ୟର ଆଇନଜୀବୀମାନଙ୍କ ବୌଦ୍ଧିକ ଦକ୍ଷତା ବୃଦ୍ଧିପାଇଁ ସରକାର ଉଦ୍ୟମ କଲେ ରାଜ୍ୟରେ ଆଇନର ଶାସନ ବ୍ୟବସ୍ଥା ସୁଦୃଢ଼ ହେଇପାରିବ ।