ତିରୁଅନନ୍ତପୁରମ ୩୦/୧୨: ତିରୁଅନନ୍ତପୁରମସ୍ଥିତ ଏକ ହୋଟେଲରୁ ମାଲାୟାଲମ ଟିଭି ଅଭିନେତା ଦିଲ୍ଲୀପ ଶଙ୍କରଙ୍କ ମୃତଦେହ ମିଳିଛି । ପଞ୍ଚଗ୍ନି ନାମକ ଏକ ସିରିଏଲ ସୁଟିଂ ପାଇଁ ସେ ଏଠାକୁ ଆସିଥିଲେ ଏବଂ ଉକ୍ତ ହୋଟେଲରେ ରହୁଥିଲେ । କିନ୍ତୁ ଗତ ଦୁଇଦିନ ହେଲା ସେ ସୁଟିଂ ସେଟକୁ ଯାଇନଥିଲେ । ସିରିଏଲ ନିର୍ଦ୍ଦେଶକ ମନୋଜଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଦୁଇଦିନ ସୁଟିଂ ବନ୍ଦ ରହିଥିଲା । ସେଥିପାଇଁ ଦିଲ୍ଲୀପ ବନରୋଜ ଜଙ୍କସନ ନିକଟରେ ଥିବା ହୋଟେଲରେ ରହୁଥିଲେ । କିନ୍ତୁ ଦୁଇହେଲା ସେ ହୋଟେଲରୁ ବାହାରି ନଥିଲେ ।
ସେ ରହୁଥିବା ରୁମ୍ରୁ ଦୁର୍ଗନ୍ଧ ହେବାରୁ ହୋଟେଲ କର୍ମଚାରୀ ପହଞ୍ଚିବା ପରେ ମୃତଦେହ ଦେଖିବାକୁ ପାଇଥିଲେ । ସେମାନେ ପୁଲିସକୁ ସୂଚନା ଦେଇଥିଲେ । ଦିଲ୍ଲୀପଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା । ତେଣୁ କୌଣସି ରୋଗରେ ତାଙ୍କର ମୃତ୍ୟୁ ଘଟିଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଟିଭି ସିରଏଲ ସହ କେତେକ ଫିଲ୍ମରେ ମଧ୍ୟ ଦିଲ୍ଲୀପ ଅଭିନୟ କରିଥିଲେ ।