ନୂଆଦିଲ୍ଲୀ: ଦୀର୍ଘ ୮ ବର୍ଷର ନ୍ୟାୟିକ ଲଢ଼େଇ ପରେ ଅଲଗା ହେଲେ ହଲିଉଡ୍ ଷ୍ଟାର ବ୍ରାଡ୍ ପିଟ ଏବଂ ଆଞ୍ଜେଲିନା ଜୋଲି । ଦୁଇ ଜଣଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ସହମତି ହେବା ସହ ଡିସେମ୍ବର ୩୦ରେ ଅଲଗା ହୋଇଯାଇଛନ୍ତି । ଅଭିନେତ୍ରୀ ଜୋଲିଙ୍କ ଓକିଲ ଜେମ୍ସ ସାଇମନ କହିଛନ୍ତି ଯେ, ‘୮ ବର୍ଷ ପୂର୍ବରୁ ଆଞ୍ଜେଲିନା ବ୍ରାଡ ପିଟଙ୍କ ଠାରୁ ଛାଡ଼ପତ୍ର ନେବାକୁ ଆବେଦନ କରିଥିଲେ । ୧୯ ସେପ୍ଟେମ୍ବର ୨୦୧୬ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଆଞ୍ଜେଲିନା ଜୋଲି ।’
ସେପଟେ ବ୍ରାଡ ପିଟଙ୍କ ସହ ଥିବା ସମସ୍ତ ସଂପତ୍ତିକୁ ମଧ୍ୟ ସେ ଛାଡ଼ି ଦେଇଛନ୍ତି । ଏବେ ତାଙ୍କ ପାଇଁ ପିଲାମାନଙ୍କ ଖୁସି ଜରୁରି ବୋଲି କହିଛନ୍ତି ଅଭିନେତ୍ରୀଙ୍କ ଓକିଲ ସାଇମନ । ସୂଚନାଯୋଗ୍ୟ, ୨୦୧୬ରେ ବ୍ରାଡ ପିଟ ଏବଂ ଆଞ୍ଜେଲିନାଙ୍କ ମଧ୍ୟରେ ହୋଇଥିବା ଝଗଡା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ଏକ ଘରୋଇ ବିମାନରେ ଉଭୟଙ୍କ ମଧ୍ୟରେ କଳହ ହୋଇଥଲା । ପିଟ୍ ତାଙ୍କ ପିଲାଙ୍କ ମଧ୍ୟରୁ ଜଣକୁ ଚାପୁଡ଼ା ମାରିଥିଲେ ଏବଂ ଅନ୍ୟ ଜଣଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲେ । ଏଥିସହ ସେ ଜୋଲିଙ୍କୁ ଶାରୀରିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ଏହାକୁ ନେଇ ବ୍ରାଡ ପିଟଙ୍କ ବିରୋଧରେ ମାମଲା ହୋଇଥିଲା । ଏହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆହୁରି ତୀବ୍ର ରୂପ ନେଇଥିଲା ।ଆଞ୍ଜେଲିନାଙ୍କ ଓକିଲ ଆହୁରି କହିଛନ୍ତି, ୮ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଛାଡ଼ପତ୍ର ପ୍ରକ୍ରିୟା ଅଭିନେତ୍ରୀଙ୍କ ଜୀବନର କେବଳ ଏକ ଅଂଶ । ସତ କହିବାକୁ ଗଲେ, ଆଞ୍ଜେଲିନା କ୍ଳାନ୍ତ ହୋଇପଡ଼ିଥିଲେ । ଏବେ ତାଙ୍କୁ ଆଶ୍ବସ୍ତି ମିଳିଛି ।
ନିକଟରେ ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି କହିଥିଲେ, ତାଙ୍କ ପାଇଁ ମାତୃତ୍ବ ବ୍ୟତୀତ ଆଉ କିଛି ଗରୁତ୍ବ ରଖେ ନାହିଁ । ସେ ତାଙ୍କର ୬ ପିଲାଙ୍କ ପ୍ରତି ସମର୍ପିତ । ମାତୃତ୍ବ ମୋ ପାଇଁ ଖୁସି। ଏହା ବ୍ୟତୀତ ସବୁ କିଛି ଛଡ଼ାଇ ନେଇଯାଇପାର । ମୋ ପାଇଁ ବାକି ସବୁ ଅଦରକାରୀ ବୋଲି କହିଥିଲେ ଆଞ୍ଜେଲିନା ଜୋଲି ।