ମୁମ୍ବାଇ ୦୧/୦୧: ପୁରୁଣା ବର୍ଷ ସରିଛି । ଆରମ୍ଭ ହୋଇଛି ନୂଆ । ପୁରୁଣା କ୍ଳାନ୍ତି ଦୂର କରି ନୂଆ ବର୍ଷ ପାଇଁ ଫୁର୍ତ୍ତି ଯୋଗାଡ଼ କରିବାକୁ ହେଲେ କିଛି ବିଶ୍ରାମ, ମଉଜ ମସ୍ତି ତ ଦରକାର । ଏଥିପାଇଁ ଏବେ ଅଧିକାଂଶ ସେଲିବ୍ରିଟି ଛୁଟିରେ । ଅଭିନେତ୍ରୀ ତୃପ୍ତି ଡିମ୍ରି ବି ଏବେ ସେ ରାସ୍ତାରେ । ଛୁଟି କାଟିବାକୁ ତୃପ୍ତି ପହଞ୍ଚିଛନ୍ତି ଫିନ୍ଲାଣ୍ଡରେ । ତୃପ୍ତି କେତେବେଳେ ବରଫପାତ ଭିତରେ ଭିଜୁଛନ୍ତି ତ ଆଉ କେତେବେଳେ ସୁନ୍ଦର ଆଉଟ୍ଫିଟ୍ରେ ମାଦକତାଭରା ନୃତ୍ୟ କରୁଛନ୍ତି । ଏସବୁର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଫଟୋ ଓ ଭିଡିଓ ସେୟାର କରିବା ସହ ସୁନ୍ଦର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ତୃପ୍ତି ।
ସେ ଲେଖିଛନ୍ତି - ‘ବରଫପାତ ଓ ସ୍ମିତହାସ୍ୟ... ମୋ ଜୀବନର ସବୁଠୁ ସୁଖଦ ଅଧ୍ୟାୟ ।’ ତେବେ ତୃପ୍ତିଙ୍କ ଏହି ସୁଖଦ ଅଧ୍ୟାୟର ସାଥି କିଏ ଜାଣନ୍ତି? ପ୍ରେମିକ ଶ୍ୟାମ ମର୍ଚ୍ଚେଣ୍ଟ । ଏକଥା ତୃପ୍ତି ଯଦିଓ ଖୋଲିକରି କହିନାହାନ୍ତି, ତୃପ୍ତିଙ୍କ ଫଟୋ ଓ ଭିଡିଓ ଦେଖି ଅନୁମାନ କରୁଛନ୍ତି ପ୍ରଶଂସକ । ଏଭଳି ଅନୁମାନ ପଛର କାରଣ ହେଉଛି ଶ୍ୟାମ ମଧ୍ୟ ବରଫରେ ଭିଜି ଫଟୋ ଓ ଭିଡିଓ ପୋଷ୍ଟ କରୁଛନ୍ତି । ତୃପ୍ତିଙ୍କ ଫଟୋ ଆଉ ଭିଡିଓର ବ୍ୟାକ୍ଗ୍ରାଉଣ୍ଡ ଯାହା, ଶ୍ୟାମଙ୍କର ବି ସେଇଆ । ଅନେକ ପ୍ରଶଂସକ ତ ସାଥିରେ ଶ୍ୟାମ ନିଶ୍ଚୟ ଅଛନ୍ତି ବୋଲି ଲେଖିଛନ୍ତି କମେଣ୍ଟରେ ।