ଯହିଁ ଅଧିକ ମାତ୍ରାର ଏଣ୍ଟିବାୟୋଟିକ୍ ଆମ ଲିଭର, କିଡ୍ନୀ ଆଦି ଅଙ୍ଗ ଉପରେ ଅହେତୁକ ଚାପ ସୃଷ୍ଟି କରି ସେମାନଙ୍କର କ୍ଷତି ହେବାର ବାଟକୁ ପ୍ରଶସ୍ତ କରିଦିଏ, କମ୍ ମାତ୍ରାର ଓଷଦ ପରଜୀବୀ ଠାରେ ଓଷଦଜନିତ ପ୍ରତିରୋଧ ଶକ୍ତି ଜାତ କରିବାରେ ସାହାଯ୍ୟ କରେ । ଥରେ ଏହିପରି ପ୍ରତିରୋଧ ଶକ୍ତିର ଅଧିକାରୀ ହେଲେ ଅଣୁଜୀବଟି ଉପରେ ଆଉ ଏଣ୍ଟିବାୟୋଟିକ୍ କାମ କରେନାହିଁ।
ଏଇ କେତେ ମାସ ଆଗରୁ ଆମ ଘରକୁ ଆସିଥାନ୍ତି ଆମର ଜଣେ ନିକଟ ସମ୍ପର୍କୀୟ, ସେ ସମୟରେ ଆରମ୍ଭ ହୁଏ ତାଙ୍କର ଗଳା ସଂକ୍ରମଣ । ଡାକ୍ତର ମହାଶୟ ଏଜିଥ୍ରୋମାଇସିନ୍ ନାମକ ଏକ ଏଣ୍ଟିବାୟୋଟିକ୍ ସନ୍ଧ୍ୟାରେ ପାଞ୍ଚଦିନ ଖାଲିପେଟରେ ଖାଇବାକୁ ପରାମର୍ଶ ଦିଅନ୍ତି । ଓଷଦ ଆସେ ଏବଂ ଖିଆ ବି ହୁଏ । ଜମାରୁ ଦି’ଦିନ ହେଇଛି କି ନାହିଁ, ପେଟ ଫମ୍ପାଇବା, ଖାଇବାକୁ ଇଚ୍ଛା ନହେବା, ବାନ୍ତି ଦେଖାଇବା, ମୁଣ୍ଡ ଭାରୀ ଲାଗିବା ଆଦି କିଛି ପାଶ୍ୱର୍ ପ୍ରତିକ୍ରିୟା ଆରମ୍ଭ ହୋଇଯାଏ, ଯଦିଓ ଅତିଥି ମହାଶୟାଙ୍କ ଗଳାଟି ଆସ୍ତେ ଆସ୍ତେ ବାଟକୁ ଆସିବାକୁ ଲାଗିଥାଏ । ଏସବୁକୁ ଡରି ସିଏ ଆଉ ଓଷଦ ଖାଇବାକୁ ଅମଙ୍ଗ ହୁଅନ୍ତି । ବଡ଼ କଷ୍ଟରେ ମୁଁ କେତେବେଳେ ନେହୁରା ହେଇ, କେତେବେଳେ ଚଢ଼ା ଗଳାରେ ଦବାଇ ପାଞ୍ଚଦିନର ସେ ଡୋଜକୁ ଭରଣା କରାଏ । କହିବା ବାହୁଲ୍ୟ, ତାଙ୍କ ଗଳା ସଂକ୍ରମଣଟି ଛୁମନ୍ତର ହୋଇସାରିଥାଏ ସେତେବେଳକୁ । କଥାଟି ଛାଏଁ ମଗଜ ଭିତରକୁ ଆସିବାରୁ ଏଣ୍ଟିବାୟୋଟିକ୍ ଉପରେ ଏକ ଲେଖାଟିଏ ଲେଖିବାକୁ ମୋର ମନ ଡାକିଲା ।
ଏଣ୍ଟିବାୟୋଟିକ୍ କହିଲେ, ମୂଳତଃ ଏକ ଅଣୁଜୀବ ଦ୍ୱାରା ତିଆରି ହେଉଥିବା ଏପରି ଏକ ଜୈବ ରାସାୟନିକ ପଦାର୍ଥକୁ ବୁଝାଇଥାଏ, ଯାହାକି ଅଣୁଜୀବଟିର ଆଖପାଖରେ ରହି ଏବଂ ଏହା ସହିତ ପ୍ରତିଯୋଗିତା କରି ବଞ୍ଚୁଥିବା ଅନ୍ୟ ଅଣୁଜୀବମାନଙ୍କୁ ନିପାତ କରିଥାଏ ଅଥବା ସେମାନଙ୍କର ବୃଦ୍ଧିହାରକୁ ଆଶାତୀତ ଭାବରେ କମାଇ ଦେଇଥାଏ । ଏପରି ଏକ ଅମୋଘ ଅସ୍ତ୍ରର ଆବିଷ୍କାର ପଛରେ ସ୍କଟଲାଣ୍ଡର ବୀଜାଣୁବିତ୍ ଆଲେକଜାଣ୍ଡର ଫ୍ଲେମିଂଙ୍କ ଗବେଷଣା ହିଁ ମୁଖ୍ୟତଃ ଦାୟୀ । ପରେ, ଆର୍ଣ୍ଣଷ୍ଟ ଚେନ୍ ବା ହୋୱାର୍ଡ ଫ୍ଲୋରେ ପରି ଅନ୍ୟ ଗବେଷକମାନେ ଏହି କବକଠୁଁ ‘ପେନିସିଲିନ୍' ନାମକ ରସାୟନଟିକୁ ଅଲଗା କରି ବିଶେଷତଃ ବୀଜାଣୁଜନିତ ରୋଗମାନଙ୍କରେ ଏହାର ପ୍ରୟୋଗ ଯେ ବରଦାନ ସଦୃଶ ଏହା ପ୍ରମାଣ କରିଦେଇଥିଲେ । ହେଲେ ପଚାଶ ଦଶକର ଶେଷବେଳକୁ ପ୍ରାକୃତିକ ‘ପେନିସିଲିନ୍' ଅଣୁର ମୂଳ ଢାଞ୍ଚାରେ କିଛି କିଛି ପରିବର୍ତ୍ତନ ଆଣି ବିଭିନ୍ନ ପ୍ରକାରର ଅର୍ଦ୍ଧ-କୃତ୍ରିମ ଏଣ୍ଟିବାୟୋଟିକ୍ ବିକଶିତ ହେବାରୁ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇପାରିଥିଲା ।
ଏ ଆଧୁନିକ ଆବିଷ୍କାର ଆମ ସଭ୍ୟ ମାନବ ଜାତି ପାଇଁ ଏକ ଚମତ୍କାରିତାରୁ କମ୍ ନହେଲେ ହେଁ ଏହାର ଇତିହାସ ଯେ କାହିଁ କେତେ ପୁରୁଣା ତାହା ଜର୍ଣ୍ଣାଲ ଅଫ୍ ନ୍ୟୁରୋଲୋଜି, ନ୍ୟୁରୋସର୍ଜରି ଏଣ୍ଡ ସାଇକିଏଟ୍ରି ନାମକ ପତ୍ରିକାରେ ପ୍ରକାଶିତ ଏଲ୍. ଏଫ୍. ହାସ୍ଙ୍କ ଲେଖାରୁ ବୁଝାପଡ଼େ । ଖ୍ରୀଷ୍ଟପୂର୍ବ ୧୫୫୦ ମସିହାରେ ରଚିତ ଇଜିପ୍ଟର ‘ଏବରସ୍ ପାପିରସ୍'ରେ ଫିମ୍ପିମରା ପାଉଁରୁଟିର ଔଷଧୀୟ ବ୍ୟବହାର କଥା ତଥା ସର୍ବିୟା, ଚୀନ, ଗ୍ରୀସ୍ ଏବଂ ଇଜିପ୍ଟ ଦେଶରେ ବାହାର ଘାଆକୁ ଶୁଖାଇବା ପାଇଁ ଏହାର ପ୍ରୟୋଗ ବିଷୟ ଏଥିରେ କୁହାଯାଇଅଛି । ସେହିପରି, ଏମ୍ବାୟୋ ନାମକ ଭିନ୍ନ ଏକ ପତ୍ରିକାରେ ହେରିସନ୍ ଏବଂ ସାଥ ଗବେଷକଙ୍କ ଏକ ପ୍ରବନ୍ଧରୁ ଏ ଜିନିଷ ବି ଜଣାପଡ଼େ ଯେ, ୧୦୦୦ ବର୍ଷ ପୁରୁଣା ଏକ ଏଙ୍ଗେ୍ଲା-ସାକ୍ସନ୍ (ମୂଳ ଜର୍ମାନ୍ ଜନଜାତି) ଖାଦ୍ୟରେ ଏମ୍ଆର୍ଏସ୍ଏ ନାମକ ଏକ ଘାତକ ବୀଜାଣୁକୁ ମାରିବାର ଶକ୍ତି ରହିଛି ବୋଲି । ତିରିଶି ଦଶକର ଶେଷଭାଗରେ ସେଲ୍ମାନ୍ ୱାକ୍ସମେନ୍ଙ୍କ ବିଜ୍ଞାନଭିତ୍ତିକ ଗବେଷଣାର ଫଳସ୍ୱରୂପ ୧୯୪୦ରୁ ୧୯୬୦ ମସିହା ପର୍ଯ୍ୟନ୍ତ ସମୟଟି ଏଣ୍ଟିବାୟୋଟିକ୍ ଆବିଷ୍କାରର ସୁବର୍ଣ୍ଣ ଯୁଗ ରୂପେ ଉଭା ହୋଇଥିଲା ।
ଏଣ୍ଟିବାୟୋଟିକ୍ କେତେ ଘାତକ ତାହା ବିଚାରକୁ ନେଲେ ମୁଖ୍ୟତଃ ଦୁଇ ପ୍ରକାର ନାମ ମନକୁ ଆସେ, ବ୍ରଡ ସ୍ପେକ୍ଟ୍ରମ୍ ଏଣ୍ଟିବାୟୋଟିକ୍ ଏବଂ ନେରୋ ସ୍ପେକ୍ଟ୍ରମ୍ ଏଣ୍ଟିବାୟୋଟିକ୍ ରୂପରେ । ଯହିଁ ଏମ୍ପିସିଲିନ୍, ଏମକ୍ସିସିଲିନ୍ ପରି ପ୍ରଥମ ପ୍ରକାର ଏଣ୍ଟିବାୟୋଟିକ୍ ବହୁ ଅଣୁଜୀବମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଥାଏ, କ୍ଲେରିଥ୍ରୋମାଇସିନ୍ ଓ ଭେନୋମାଇସିନ୍ ପରି ଦ୍ୱିତୀୟ ପ୍ରକାରର ଏଣ୍ଟିବାୟୋଟିକ୍ଗୁଡ଼ିକ କିଛି ବିଶେଷ ପ୍ରକାରର ଅଣୁଜୀବମାନଙ୍କୁ ଆୟତ୍ତ କରିବାରେ ସାହାଯ୍ୟ କରିଥାନ୍ତି । ଅନ୍ୟ ଏକ ଦିଗରୁ ଏମାନଙ୍କୁ ଅଣୁଜୀବମାନଙ୍କ ସେଲୱାଲ୍, ପ୍ରୋଟିନ୍, ଡିଏନ୍ଏ ବା ଆର୍ଏନ୍ଏ, ମାଇକୋଲିକ୍ ଏସିଡ ଆଦି ଉପରେ କାମକୁ ବିଚାରକୁ ନିଆଯାଇ ମଧ୍ୟ ବିଭାଗୀକରଣ କରାଯାଇଥାଏ ।
ଯଦିଓ ଏଣ୍ଟିବାୟୋଟିକ୍ଗୁଡ଼ିକ ବିଭିନ୍ନ ଉପାୟରେ ପରଜୀବୀ ଅଣୁଜୀବମାନଙ୍କ କୋଷ-ସଂସ୍ଥାନକୁ ନଷ୍ଟ କରିବାର ସାମର୍ଥ୍ୟ ରଖନ୍ତି । ବିଟା-ଲାକ୍ଟାମ୍ ଶ୍ରେଣୀର ଏଣ୍ଟିବାୟୋଟିକ୍ ପେନିସିଲିନ୍ ପ୍ରୋଟିନ୍ ଅଣୁଗୁଡ଼ିକ ମଧ୍ୟରେ ଗଢ଼ି ଉଠୁଥିବା ସମ୍ପର୍କକୁ ବ୍ୟାହତ କରି ବୀଜାଣୁ କୋଷର ବାହ୍ୟ ଆବରଣକୁ ତିଆରି ହେବାକୁ ଦିଏନାହିଁ । ସେହିପରି କ୍ୱିନୋଲୋନ୍ ଶ୍ରେଣୀର ଅନ୍ୟ ଏକ ଏଣ୍ଟିବାୟୋଟିକ୍ ‘ଓଫ୍ଲୋକ୍ସାସିନ୍' ରୋଗ ସୃଷ୍ଟିକାରୀ ବୀଜାଣୁଟିର ଡିଏନ୍ଏ ତିଆରି ପ୍ରକ୍ରିୟାକୁ ରୋକିଦେଇ ତାହାର ବଂଶବିସ୍ତାର ହେବାକୁ ବାଧା ଦେଇଥାଏ । ପ୍ରତ୍ୟେକ ଏଣ୍ଟିବାୟୋଟିକ୍ର ଏକ ହାଫ୍-ଲାଇଫ୍ ସମୟ ଥାଏ । ଓଷଦଟି ଆମ ଦେହରେ କେତେ ସମୟ ରହି ବାହାରିଯାଏ ତାହା ଏଥିରୁ ଜଣାପଡ଼େ । ଷ୍ଟାଟପର୍ଲ ପବ୍ଲିସିଙ୍ଗ୍ ତରଫରୁ ପ୍ରକାଶିତ ବୋବାକ୍ ଅଖାଭାନ୍ ଏବଂ ସାଥୀଙ୍କ ଏକ ସୁନ୍ଦର ଆଲେଖ୍ୟରୁ ଏମ୍ପିସିଲିନ୍ ନାମକ ଏକ ବହୁ ପ୍ରଚଳିତ ଏଣ୍ଟିବାୟୋଟିକ୍ର ସବୁ ବିଷୟ ବୁଝି ହୋଇଯାଏ । ଯେପରିକି ଓଷଦଟି ଖାଇବା ମାତ୍ରକେ ଦେହ ଭିତରକୁ ପଶିବାଠୁ ଆରମ୍ଭକରି ଏକରୁ ଦୁଇ ଘଣ୍ଟା ମଧ୍ୟରେ ରକ୍ତରେ ଆଧିପତ୍ୟ ବିସ୍ତାର କରିବା ସଙ୍ଗେ ସଙ୍ଗେ ଦେହର ପ୍ରାୟ ସବୁ ଭାଗର କୋଷ ସମୂହକୁ ପହଞ୍ଚିଯାଏ । ହାଫ୍-ଲାଇଫ୍ ସମୟଟି ପ୍ରାୟ ଏକଘଣ୍ଟା ହେବା କାରଣରୁ ଏହାର ଷାଠିଏ ପ୍ରତିଶତ ୬-୮ ଘଣ୍ଟା ମଧ୍ୟରେ ପରିସ୍ରା ମାଧ୍ୟମରେ ଶରୀରରୁ ବାହାରି ଯାଇଥାଏ । ଆମେ ଏଇଭଳି ଓଷଦଟିଏ ଖାଇଲେ ଏହାକୁ ଭାଙ୍ଗିବାରେ ମୁଖ୍ୟତଃ ଆମ ଲିଭର ସାହାଯ୍ୟ କରିଥାଏ । ପରେ ଏହା କିଡ୍ନୀ ମାଧ୍ୟମରେ ଶରୀରରୁ ନିଷ୍କାସିତ ହୋଇଥାଏ ।
ଠିକ୍ ନିଆଁ ପରିକା, ଏଣ୍ଟିବାୟୋଟିକ୍ର ସଠିକ୍ ବ୍ୟବହାର ଆମ ପାଇଁ ଯେତିକି ଲାଭଦାୟକ, ଏହାର ବେଢଙ୍ଗିଆ ପ୍ରୟୋଗ ସେତିକି ହାନିକାରକ । ସିଏ ଆମ ଦେଶ ବା ରାଜ୍ୟଗୁଡ଼ିକର ସରକାରୀ ମେନୁଏଲ୍ ହେଉ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅବା ଆମେରିକାର ସି.ଡି.ସି. ବା ଇଂଲଣ୍ଡର ଏନ୍.ଏଚ୍.ଏସ୍.ର ଆଲେଖ୍ୟ ହେଉ, ସବୁଠି ଏଣ୍ଟିବାୟୋଟିକ୍ର ବ୍ୟବହାରକୁ ନେଇ ଏକ ସୁବିସ୍ତୃତ ଗାଇଡଲାଇନ୍ ରହିଛି । ଏସବୁକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ନିହାତି ଦରକାର ହେଲେ ହିଁ ଏଣ୍ଟିବାୟୋଟିକ୍ର ପ୍ରୟୋଗ କରାଯିବା ଉଚିତ । ଏହାକୁ ଆରମ୍ଭ କରିବା ବେଳେ ରୋଗୀର ବୟସ, ଓଜନ, ସ୍ୱାସ୍ଥ୍ୟ ସମସ୍ୟା ଓ ଅନ୍ୟ କେତେକ ବିଶେଷ ଅବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦେବା ବାଞ୍ଛନୀୟ ।
ସାଧାରଣ ଭାବରେ କୁହାଯାଇପାରେ ଯେ ଅତି ବୁଢ଼ା ବୟସର ଲୋକ, ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ନାରୀମାନଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ବେଳେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ପୁଣି ଏହା ବି ଆମେ ମନେରଖିବା ଉଚିତ ଯେ, ସାଧାରଣ ଥଣ୍ଡା କାଶ ଭଳି ଭାଇରସ୍ ଦ୍ୱାରା ହେଉଥିବା ରୋଗ ଉପରେ ଏଣ୍ଟିବାୟୋଟିକ୍ର କୌଣସି ପ୍ରଭାବ ନଥାଏ । ଅବଶ୍ୟ, ଦୁର୍ବଳ ଦେହରେ ବ୍ୟାକ୍ଟେରିଆ ସଂକ୍ରମଣକୁ ଏଡ଼ାଇବାକୁ ବିଶେଷଜ୍ଞ ବେଳେବେଳେ ଏହାର ପ୍ରୟୋଗ କରିବାକୁ ଉଚିତ ମନେ କରିଥାନ୍ତି । ସେ ଯାହା ହେଉ, ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ଏବଂ ଉପଯୁକ୍ତ ଡୋଜ୍ରେ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ହୁଏ । ଏକଥା ମଧ୍ୟ ଆମେ ଜାଣିରଖିବା ଉଚିତ ଯେ, ଏଣ୍ଟିବାୟୋଟିକ୍ଗୁଡିକର ଅନେକ ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଏହା ମୁଣ୍ଡବଥା, ବାନ୍ତି ବାନ୍ତି ଲାଗିବା, ତରଳ ଝାଡ଼ା ହେବା ଆଦି ଛୋଟ ଛୋଟ ପ୍ରତିକ୍ରିୟା ହେଲେ ହେଁ, ଅଳ୍ପ କେତେକ କ୍ଷେତ୍ରରେ ଏହା ଅତି ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମଦେବା ଫଳରେ ଡାକ୍ତରଙ୍କ ସହାୟତା ଜରୁରି ହୋଇପଡ଼େ ।
ଯହିଁ ଅଧିକ ମାତ୍ରାର ଏଣ୍ଟିବାୟୋଟିକ୍ ଆମ ଲିଭର, କିଡ୍ନୀ ଆଦି ଅଙ୍ଗ ଉପରେ ଅହେତୁକ ଚାପ ସୃଷ୍ଟି କରି ସେମାନଙ୍କର କ୍ଷତି ହେବାର ବାଟକୁ ପ୍ରଶସ୍ତ କରିଦିଏ, କମ୍ ମାତ୍ରାର ଓଷଦ ପରଜୀବୀ ଠାରେ ଓଷଦଜନିତ ପ୍ରତିରୋଧ ଶକ୍ତି ଜାତ କରିବାରେ ସାହାଯ୍ୟ କରେ । ଥରେ ଏହିପରି ପ୍ରତିରୋଧ ଶକ୍ତିର ଅଧିକାରୀ ହେଲେ ଅଣୁଜୀବଟି ଉପରେ ଆଉ ଏଣ୍ଟିବାୟୋଟିକ୍ କାମ କରେନାହିଁ । ଏହା ଆମ ଗବେଷକମାନଙ୍କ ବର୍ଷ ବର୍ଷର ଗବେଷଣାକୁ ଚୁଲିକୁ ନେଇଯାଏ । ଏହିପରି ସ୍ଥିତିକୁ ‘ଏଣ୍ଟି ମାଇକ୍ରୋବିଏଲ୍ ରେଜିଷ୍ଟାନ୍ସ' ବା ‘ଏଏମ୍ଆର୍' ନାମରେ ଅଭିହିତ କରାଯାଏ । ଆହୁରି ମଧ୍ୟ ଏହିପରି ପରାକ୍ରମୀ ଅଣୁଜୀବମାନଙ୍କୁ ‘ସୁପର୍ବଗ୍' ଆଖ୍ୟା ଦିଆଯାଏ । ପ୍ରସିଦ୍ଧ ଜର୍ଣ୍ଣାଲ୍ ଲେନ୍ସେଟ୍ରେ ୨୦୨୪ ମସିହାରେ ଶତାଧିକ ଗବେଷକଙ୍କ ତରଫରୁ ପ୍ରକାଶିତ ଏକ ଆଲେଖ୍ୟରୁ ଜଣାଯାଏ ଯେ, ୨୦୧୯ ମସିହାରେ ପୃଥିବୀରେ ୬୦ଲକ୍ଷରୁ ବେଶୀ ଲୋକ ଏଏମ୍ଆର୍’ର ଶିକାର ହୋଇଛନ୍ତି ।
ଏହା ସହିତ ଏଥିରେ ଏପରି ସଂକ୍ରମଣ ସଂଖ୍ୟା କ୍ରମାଗତ ବୃଦ୍ଧିପାଇ ୨୦୫୦ ମସିହା ବେଳକୁ ଏକ କୋଟି ଛୁଇଁସାରିଥିବ ବୋଲି ମଧ୍ୟ ଆକଳନ କରାଯାଇଅଛି । ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଦାନ କରୁଥିବା ବ୍ୟକ୍ତି, ଓଷଦ ଦୋକାନୀ ତଥା ରୋଗୀ ବା ତା’ ପରିବାର ଲୋକଙ୍କ ଗୁରୁଦାୟିତ୍ୱ ରହିଥିବାର ମତେ କାଇଁ ଜଣାପଡ଼େ । ଡାକ୍ତର ମହାଶୟ ସମୟ ଦେଇ କଥାଟିକୁ ବୁଝାଇବା, ଓଷଦ ଦୋକାନୀ ନିଜେ ନିଦାନକୁ ହାତକୁ ନନେଇ ଡାକ୍ତରଙ୍କ ପରାମର୍ଶକୁ ଦୋହରାଇବା ଏବଂ ପୂର୍ଣ୍ଣ ଡୋଜ୍ ଓଷଦ ବିକ୍ରି କରିବା ତଥା ରୋଗୀ ବା ତା’ ପରିବାର ଲୋକ ଏ ଦିଗରେ ସଚେତନ ଓ ଦାୟିତ୍ୱବାନ ହୋଇ ଡୋଜ୍ ପୂରା କଲେ ହିଁ ଏପରି ବିକଟ ପରିସ୍ଥିତିରୁ ହୁଏତ ମୁକ୍ତି ମିଳିବାର ସମ୍ଭାବନା ଏକ ଝଲକ ଦିଗ୍ବଳୟରେ ଦେଖାଯାଇପାରେ ବୋଲି ପ୍ରତୀୟମାନ ହୁଏ ।