ଭୁବନେଶ୍ୱର ୧୩/୧୨(ଶୁଭ୍ରଜିତ୍ ବଳିଆରସିଂହ): ସରକାର ବଦଳିଲେ, ଶିକ୍ଷା ଦେଖିଲା ବଡ଼ ପରିବର୍ତ୍ତନ । ରାଜ୍ୟରେ ଲାଗୁ ହେଲା ନୂଆ ଜାତୀୟ ଶିକ୍ଷା ନୀତି । ସ୍କୁଲ ପିଲାଙ୍କ ପୋଷାକର ରଙ୍ଗ ବଦଳିଲା, ମଧ୍ୟାହ୍ନ ଭୋଜନରେ ସରକାର ଦେଲେ ଅଧିକ ସହାୟତା । କେବଳ ସେତିକି ନୁହେଁ ଆଦିବାସୀ ପିଲାଙ୍କ ଡ୍ରପ୍ ଆଉଟ୍ରେ ତାଲା ମାରିବା ପାଇଁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ହେଲା ଶୁଭାରମ୍ଭ । ବିଦାୟ ବର୍ଷରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ ଓ ମାଇଲଖୁଣ୍ଟ ଦେଖିଲା ରାଜ୍ୟର ଶିକ୍ଷା ବ୍ୟବସ୍ଥା । ଶ୍ରେଣୀଗୃହରେ ଶିକ୍ଷକ ମରୁଡି଼ ହଟାଇବାକୁ ସରକାର ୧୬ ହଜାର ଶିକ୍ଷକଙ୍କୁ ଦେଲେ ମେଗା ନିଯୁକ୍ତି । ରାଜ୍ୟରେ ଶିକ୍ଷାକୁ ନୂଆ ସୋପାନକୁ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଣ୍ଟା ଭିଡ଼ିଥିଲେ । ବିକଶିତ ଓଡ଼ିଶା ଗଠନ ପାଇଁ ବିଦାୟୀ ବର୍ଷରେ ନୂଆ ସରକାର ନେଲେ ନବ ସଂକଳ୍ପ।
ଫୋକସରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା । ପ୍ରାଥମିକ ସ୍ତରରୁ ଉଚ୍ଚଶିକ୍ଷା ଯାଏ ଉନ୍ନତି ପାଇଁ ହାତ ଖୋଲିଛନ୍ତି ସରକାର । ବର୍ଷ ସାରା ଶିକ୍ଷାର ଉନ୍ନତି ପାଇଁ ଚାଲିଲା ବିଭିନ୍ନ ବିକାଶମୂଳକ କାର୍ଯ୍ୟ । ଶିକ୍ଷକ ନିଯୁକ୍ତିଠୁ ଆରମ୍ଭ କରି ଶ୍ରେଣୀ ଗୃହ ବିକାଶ । ରାଜ୍ୟରେ ହାଇସ୍କୁଲର ଶେଷ ହେଲା ରୂପାନ୍ତିକରଣ କାର୍ଯ୍ୟକ୍ରମ । ପିଲାଙ୍କୁ ଉଚ୍ଚଶିକ୍ଷା ପ୍ରତି ଆକୃଷ୍ଟ କରିବା ଲାଗି ଦିଆଗଲା ନୂଆ-ଓ ଛାତ୍ରବୃତ୍ତି । କଲେଜ ନାଚଗୀତରେ ଫାଟିଲା । ପିଲାମାନେ ନିଜର ସୃଜନଶୀଳତା ଦେଖାଇଲେ । ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ ହେଲା ଓଡି଼ଆ ଅସ୍ମିତାର ସୌଧ । କଲେଜ ରୂପାନ୍ତିକରଣ ଆରମ୍ଭ ହେଲା । ଏହାରି ଭିତରେ ବଦଳିଲା ସରକାର । ସରକାର ବଦଳିଲେ ଏହା ସାଙ୍ଗକୁ ବ୍ୟବସ୍ଥାରେ ବି ହେଲା ପରିବର୍ତ୍ତନ ।
ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ନୂଆ ସରକାର ଆସୁ ଆସୁ କଲେ ମାନସମନ୍ଥନ । ଘନ ଘନ ବୈଠକ ସହ କର୍ମଶାଳା ଏହା ସାଙ୍ଗକୁ ଶେଷରେ ଯୁକ୍ତ ୩ରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦ । ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ସରକାର ଟାସ୍କଫୋର୍ସ ପୁନର୍ଗଠନ କଲେ । ଡିଜିଟାଲ୍ ଶିକ୍ଷାକୁ ଗୁରୁତ୍ୱ ଦେଇ ଡିପ୍ କାର୍ଯ୍ୟକ୍ରମଠୁ ଆରମ୍ଭ କରି ଗରିବ ମେଧାବୀଙ୍କ ପାଇଁ ହୋଇଛି ପିଏମ୍ ବିଦ୍ୟା ଲକ୍ଷ୍ମୀ କାର୍ଯ୍ୟକ୍ରମ । ନୂଆ ଓ ଛାତ୍ରବୃତ୍ତିଠୁ ଆରମ୍ଭ କରି ଯୁକ୍ତ ୨ ପିଲାଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ହଷ୍ଟେଲ ଫି ଛାଡ଼, ସ୍କୁଲ ସ୍ତରରେ ଏକକ ପରିଚୟ ପତ୍ର ପାଇଁ ଆରମ୍ଭ ହୋଇଛି ଅପାର ଆଇଡି କାର୍ଡ ଭଳି ପଦକ୍ଷେପ । ନିଯୁକ୍ତି ଅନିୟମିତତା ପାଇଁ ସରକାର ନେଲେ ପଦକ୍ଷେପ । ଓଡିଶାରେ ଲାଗୁ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ । ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସମସ୍ୟା ହଟାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । କ୍ୟାବିନେଟ୍ରେ ନିଆଯାଇଛି ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଭଳି ପଦକ୍ଷେପ । ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନୂଆସ୍ତରକୁ ନେବା ପାଇଁ ନିଷ୍ଠା ଓ ଆନ୍ତରିକତା ଦେଖାଇଛନ୍ତି ।
ପ୍ରାଥମିକ ସ୍ତରରୁ ପିଲାଙ୍କୁ ବଳୁଆ କରିବାକୁ ସରକାର ନେଲେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି । ପିଲାଙ୍କ ପାଖରେ ନବସୃଜନ ଭରି ଦେବାପାଇଁ ରାଜ୍ୟରେ ଆରମ୍ଭ ହେଲା ପିଏମ୍ ଶ୍ରୀ ସ୍କୁଲ । ତୃତୀୟ ଶ୍ରେଣୀ ସମାପ୍ତି ସୁଦ୍ଧା ପିଲାର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ ପାଇଁ ସରକାର କଲେ ‘ନିପୁଣ ଓଡି଼ଶା’ କାର୍ଯ୍ୟକ୍ରମ । କେବଳ ଏତିକି ନୁହେଁ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସମସ୍ୟା ହଟାଇବା ଲାଗି ଆରମ୍ଭ ହୋଇଛି ପ୍ରୟାସ । କ୍ୟାବିନେଟ୍ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପାରିତ ହୋଇଛି । ଉଚ୍ଚ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ପିଏମ୍ ଉଷା କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଏହାରି ଭିତରେ ସରକାରୀ ନିଯୁକ୍ତି ପ୍ରକ୍ରିୟା ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ଦେଇଛି ଟେନସନ । ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଆଣିଲେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ । ଏଥିସହ ଓଏସ୍ଏସ୍ସି ଅଧ୍ୟକ୍ଷ ବଦଳି ସହ ଓପିଏସ୍ସି ମଧ୍ୟ ପାଇଛି ନୂଆ ଅଧ୍ୟକ୍ଷ।
ରାଜ୍ୟରେ ନୂଆ ଶିକ୍ଷା ନୀତି
ଚଳିତ ଶିକ୍ଷା ବର୍ଷରୁ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ପ୍ରଚଳନ କରାଯିବ । ଏପରି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ଆରମ୍ଭ ହେଲା ମାନସ ମନ୍ଥନ । ଯୁକ୍ତ ୩ ସ୍ତରରୁ ଏହାକୁ କାର୍ଯ୍ୟକାରୀ କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଏହି ଅନୁସାରେ ପାଠ୍ୟକ୍ରମ ବି ପ୍ରସ୍ତୁତ କରାଯାଇ ୪ ବର୍ଷିଆ ସ୍ନାତକ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।
ରାଜ୍ୟ ସରକାର ଏନ୍ଇପି-୨୦୨୦ର କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସକୁ ପୁନର୍ଗଠନ କରିଛନ୍ତି । ଏନ୍ଇପି ରାଜ୍ୟରେ କିପରି ଲାଗୁ ହେବ? ସେନେଇ ଟାସ୍କଫୋର୍ସ ପରାମର୍ଶ ଦେବ । ପୁନର୍ଗଠିତ ଟାସ୍କଫୋର୍ସରେ ୧୩ ଜଣ ସଦସ୍ୟ ଅଛନ୍ତି । ଏଥିରେ ଉନ୍ନୟନ କମିସନର ଅଧ୍ୟକ୍ଷ ଥିବା ବେଳେ ଗଣଶିକ୍ଷା ସଚିବ, ଉଚ୍ଚଶିକ୍ଷା ସଚିବ, ପଞ୍ଚାୟତିରାଜ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅର୍ଥ, ମହିଳା ଏବଂ ଶିଶୁ ବିକାଶ, କ୍ରୀଡ଼ା ଏବଂ ଦକ୍ଷତା ବିଭାଗର ସଚିବ ରହିବେ ।
ଓଡ଼ିଶାକୁ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ
ଓଡିଶାରେ ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ ବୈଠକରେ ମଞ୍ଜୁର ହୋଇଛି । ଦେଶରେ ମୋଟ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଓଡି଼ଶାର ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଓ ପାଟଣାଗଡ଼, ଅନୁଗୁଳର ଆଠମଲ୍ଲିକ ଓ ତାଳଚେର, ଢ଼େଙ୍କାନାଳର କାମାକ୍ଷାନଗର, ସମ୍ୱଲପୁରର କୁଚିଣ୍ଡା, କୋରାପୁଟର ଜୟପୁର ଓ ଖୋର୍ଦ୍ଧାର ଆଇଟିବିପିରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ ।
ପିଏମ୍ ଉଷା ପାଇଁ ଏମ୍ଓୟୁ
ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା)ର ଶୁଭାରମ୍ଭ ହୋଇଛି । ପିଏମ୍-ଉଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଅଗଷ୍ଟ ମାସରେ କୃଷି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ । ପିଏମ୍-ଉଷା ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ । ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମକୁ ଗୁରୁତ୍ୱ ଦିଆଯିବ । ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ସହାୟକ ହେବ ।
ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ
ଜୁଲାଇ ମାସରେ ରାଜ୍ୟରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ ଯୋଜନା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଓ ସାକ୍ଷରତା ବିଭାଗ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଲା । କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ସଂସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି କରିବାକୁ ଏପରି ପଦକ୍ଷେପ ନିଆଯାଇଛି ।
୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ମେଗା ନିଯୁକ୍ତି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ମେଗା ନିଯୁକ୍ତି ଦିଆଗଲା । ଗତବର୍ଷରୁ ଆରମ୍ଭ ହୋଇଥିବା ଏହି କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ହୋଇଥିଲା ଶେଷ । ଏକାସାଙ୍ଗରେ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଗଲା । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରି ସେମାନଙ୍କୁ ଦିଗ୍ଦର୍ଶନ ଦେଇଥିଲେ ।
ବଦଳିଲା ସ୍କୁଲ୍ ୟୁନିଫର୍ମ
ପୁଣି ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ୟୁନିଫର୍ମ । ଗତ ବର୍ଷ ଘନନୀଳ ରଙ୍ଗରୁ ଚେକ୍ ପକା ହଣ୍ଟର ଗ୍ରୀନ୍ ରଙ୍ଗର ୟୁନିଫର୍ମ କରାଯାଇଥିଲା । ଏଥର ଛାତ୍ରଙ୍କର ପ୍ୟାଣ୍ଟକୁ ମେରୁନ୍ ରଙ୍ଗ କରାଯାଇଥିବା ବେଳେ ସାର୍ଟକୁ ବାଦାମୀ ରଙ୍ଗର କରାଯାଇଛି । ଛାତ୍ରୀମାନେ ବାଦାମୀ ରଙ୍ଗ ଚେକ୍ ସାଲ୍ୱାର୍ ସାଙ୍ଗକୁ ମେରୁନ୍ ରଙ୍ଗର ଜ୍ୟାକେଟ୍ ଓ ସୁଟ୍ ପିନ୍ଧିବେ ।
ଐତିହ୍ୟ ସ୍କୁଲର ଶୁଭାରମ୍ଭ
ରାଜ୍ୟର ପୁରାତନ ସ୍କୁଲର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏପରି ପଦକ୍ଷେପ ନିଆଯାଇଛି । ରାଜ୍ୟର ୧୦୦ ବର୍ଷରୁ ଅଧିକ ପୁରାତନ ସ୍କୁଲର ବିକାଶ କରାଯିବ । ଏହାର ଐତିହ୍ୟ, ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ । ମୋଟ ୫୧ଟି ଐତିହ୍ୟ ସ୍କୁଲର ବିକାଶ ହେବ ।
ପରୀକ୍ଷାରେ ଜାଲିଆତି କଲେ ଜେଲ୍
ବିଭିନ୍ନ ପ୍ରକାର ସରକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧାନର ନିବାରଣ) ବିଧେୟକ-୨୦୨୪ । ଏହାକୁ ଚଳିତମାସରେ ବିଧାନସଭାରେ ପାରିତ କରାଯାଇଛି । ରାଜ୍ୟ ସରକାରଙ୍କ ପରିଚାଳିତ ୮ଟି ସଂସ୍ଥାର କୌଣସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେଲେ ଅତିକମ୍ରେ ୧୦ ବର୍ଷ ଜେଲ୍ ହେବ । ଏଥିସହ ୧ କୋଟି ଜରିମାନା ଦେବାକୁ ପଡ଼ିବ ।
ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା
ଅଧାରୁ ପାଠ ଛାଡୁ଼ଥିବା ଜନଜାତି ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଁ ନୂଆ ସରକାର ଆରମ୍ଭ କଲେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଏହି ଯୋଜନାରେ ଅନୁସୂଚିତ ଜନଜାତି ବର୍ଗର ଶିକ୍ଷାର୍ଥୀ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ଓ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫୦୦୦ଟଙ୍କା ପ୍ରଦାନ କରିବେ ।
ନିଯୁକ୍ତ ହେବେ ସ୍ୱତନ୍ତ୍ର ଓଡିଆ ଶିକ୍ଷକ
ଏଣିକି ସ୍କୁଲରେ ନିଯୁକ୍ତ ହେବେ ମାତୃଭାଷା ପାଇଁ ସ୍ୱତନ୍ତ୍ର ଓଡି଼ଆ ଶିକ୍ଷକ । ୧୯୮୪ଟି ଟ୍ରେନ୍ଡ୍ ଗ୍ରାଜୁଏଟ୍ ଟିଚର (ଟିଜିଟି) (କଳା) ପଦବିରୁ ୪୯୬ ଜଣଙ୍କୁ ଓଡି଼ଆ ଶିକ୍ଷକ ପାଇଁ ଚୟନ କରାଯାଇଛି । ସେମାନେ ସ୍ୱତନ୍ତ୍ର ଭାବେ ଓଡି଼ଆ ଶିକ୍ଷକ ଭାବେ ନିଯୁକ୍ତ ହେବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିପୁଣ ଓଡ଼ିଶା ଓ ଡିପ୍ ଶୁଭାରମ୍ଭ
ନିପୁଣ ଓଡି଼ଶା ଓ ଡିଜିଟାଲ୍ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ (ଡିପ୍) କାର୍ଯ୍ୟକ୍ରମର ଶୁଭାରମ୍ଭ ଗୁରୁଦିବସରେ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ନିପୁଣ ଓଡ଼ିଶା’ ଲୋଗୋ ଓ ଥିମ୍ ସଂଗୀତ ଲୋକାର୍ପିତ କରିଥିଲେ । ୩ରୁ ୮ ବର୍ଷ ମଧ୍ୟରେ ପଢ଼ୁଥିବା ପିଲାମାନେ ତୃତୀୟ ଶ୍ରେଣୀ ସମାପ୍ତି ସୁଦ୍ଧା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିପାରିବେ । ସେହିପରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ଡିପ୍ । ଏଥିରେ ରାଜ୍ୟର ୮ହଜାର ୬୮୬ ହାଇସ୍କୁଲ ଓ ୬ ହଜାର ୭୯୪ ପ୍ରାଥମିକ ସ୍କୁଲର ପିଲା ଉପକୃତ ହେବେ।
ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ
ବଜାର ଦରଦାମ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ପୂର୍ବରୁ ପ୍ରାଥମିକ ସ୍କୁଲକୁ ୫ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ସ୍କୁଲକୁ ୮ଟଙ୍କା ୮୨ ପଇସା ଦିଆଯାଉଥିଲା । ଖର୍ଚ୍ଚ ବୃଦ୍ଧି ପରେ ପ୍ରାଥମିକ ସ୍କୁଲକୁ ପ୍ରତ୍ୟେକ ପିଲା ପିଛା ୬ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୯ ଟଙ୍କା ୮୨ ପଇସା ଦେବାକୁ କୁହାଗଲା । ପୁଣି କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି ପରେ ରାଜ୍ୟ ପିଏମ୍ ପୋଷଣ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ପ୍ରାଥମିକ ସ୍କୁଲ ପିଲାଙ୍କ ପିଛା ୭ ଟଙ୍କା ୬୪ ପଇସା ଏବଂ ଉଚ୍ଚ ପ୍ରାଥମିକ ପିଲାଙ୍କ ପିଛା ୧୦ଟଙ୍କା ୯୪ ପଇସା ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ଗୋଦାବରୀଶଙ୍କ ନାଁରେ ମଡେଲ ସ୍କୁଲ
ରାଜ୍ୟର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ଦିବସରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ହୋଇଛି ଶୁଭାରମ୍ଭ । ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା, ଉନ୍ନତମାନର ସୁବିଧା ସୁଯୋଗ, ଅତ୍ୟାଧୁନିକ ଶ୍ରେଣୀ ଗୃହ, ଡିଜିଟାଲ ଉପକରଣ, ଶିକ୍ଷାର୍ଥୀଙ୍କ ପାଇଁ ଏକ ସୁରକ୍ଷିତ ତଥା ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହା ଅଧୀନରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ ।
ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା
ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ହୋଇଛି । ପ୍ରାକ୍ଟିକାଲ ନଥିବା ବିଷୟରେ ହେବ ୮୦ ମାର୍କର ଥିଓରୀ ପରୀକ୍ଷା । ଏଥିସହ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା କରାଯିବ । ମାତ୍ର ପ୍ରାକ୍ଟିକାଲ ବିଷୟରେ କୌଣସି ଇଣ୍ଟରନାଲ ପରୀକ୍ଷା ହେବନାହିଁ । ଏହି ବିଷୟ ବସ୍ତୁରେ ୭୦ ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ପେପର ରହିବ।
ଓଡିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପିତ
ସତ୍ୟବାଦୀଠାରେ ୨୦୧୮ ଅକ୍ଟୋବର ୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ । ୨୦୨୩ ଗୁରୁ ଦିବସରୁ ପାନ୍ଥନିବାସରେ ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଥିଲା । ୨୦୨୪ ଜାନୁଆରୀ ୨୪ରେ ଓଡି଼ଆ ଅସ୍ମିତାର ପରିଚୟ ନେଇ ଲୋକାର୍ପିତ ହେଲା ଓଡି଼ଆ ବିଶ୍ୱବିଦ୍ୟାଳୟର ସୌଧ । ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ୱବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି ।
"ମୋ ସ୍କୁଲ' ହେଲା ପଞ୍ଚସଖା ଶିକ୍ଷା ସେତୁ
‘ମୋ ସ୍କୁଲ’ ନାଁ ବଦଳି ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ହେଲା । ଜୁଲାଇ ୨୫ରେ ରାଜ୍ୟ ସରକାର ବଜେଟ୍ ଅଧିବେଶନରେ ଏନେଇ ସୂଚନା ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖରେ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି କରାଯାଇ ନାମ ବଦଳାଗଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା ମଧ୍ୟ ଦେଇଥିଲେ।
ଖୁସି ଆଣିଲା ନୂଆ ‘ଓ’ ଛାତ୍ରବୃତ୍ତି
ଚଳିତ ଶିକ୍ଷାବର୍ଷରେ ଦିଆଗଲା ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା । ଏହି ଯୋଜନାରେ ଛାତ୍ରଙ୍କୁ ୯ହଜାର ଏବଂ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଗଲା । ସେହିପରି ଏସ୍ସି, ଏସ୍ଟି ଏବଂ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର ଏବଂ ଝିଅଙ୍କୁ ୧୧ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ଦିଆଗଲା । ପୂର୍ବ ସରକାରରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ବନ୍ଦ କରି ଏହାର ନାମ ପରିବର୍ତ୍ତନ କରାଯାଇଛି । ଯାହା ଛାତ୍ର ପ୍ରୋତ୍ସାହନ ବୃତ୍ତି କରାଯାଇଛି ।
ବଢ଼ିଲା ୩ କୁଳପତିଙ୍କ କାର୍ଯ୍ୟକାଳ
ଗତ ମାସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିଲା । ହେଲେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ସଂଶୋଧିତ କରିନଥିବାରୁ ନୂଆ କୁଳପତି ନିଯୁକ୍ତି କରିନଥିଲେ । ଉକ୍ତ ୩ କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ଯାଏ ବୃଦ୍ଧି କରିବାକୁ ପଡ଼ିଛି । ଏହା ମଧ୍ୟ କୁହାଯାଇଛି ନୂଆ କୁଳପତି ନିଯୁକ୍ତି ହେବା ମାତ୍ରେ ସେମାନଙ୍କୁ ଅପସାରି ଦିଆଯିବ ।
- ଓଡିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କ ହଷ୍ଟେଲ ଖର୍ଚ୍ଚ ଛାଡ଼
- ଲୋକାର୍ପିତ ହେଲା ଆଇକନିକ୍ ଓଡି଼ଶା ଆଦର୍ଶ ବିଦ୍ୟାଳୟ
- ବଢ଼ିଲା ଅଙ୍ଗନବାଡି଼ କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ
- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ୬ ବର୍ଷିଆ ପିଏଚ୍ଡି
- କ୍ୟାବିନେଟ୍ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ସଂଶୋଧନକୁ ମଞ୍ଜୁରୀ
- ସ୍କୁଲ ପିଲାଙ୍କର ଏକକ ଆଇଡି କାର୍ଡ ‘ଅପାର ଆଇଡି’
- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ନାକ୍-ବି ପ୍ଲସ୍ ପ୍ଲସ୍ ମାନ୍ୟତା
- ବର୍ଷ ଆରମ୍ଭରୁ ସରିଲା ୫-ଟି ସ୍କୁଲ ରୂପାନ୍ତୀକରଣ କାର୍ଯ୍ୟକ୍ରମ
- କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି
- ଯୁକ୍ତ ଦୁଇ ପିଲାଙ୍କୁ ମାଗଣା କୋଚିଂ
- ପିଏମ୍ ବିଦ୍ୟା ଲକ୍ଷ୍ମୀ ଯୋଜନା
- ମୋ କଲେଜ ହେଲା ଆମ କଲେଜ ଆମ ଗୌରବ
- ଯୁକ୍ତ ଦୁଇ ପିଲାଙ୍କ ପାଇଁ ଜ୍ୟୋତି ପୋର୍ଟାଲ
- ଏନ୍ଇପି ପାଇଁ ଟାସ୍କଫୋର୍ସ ପୁନର୍ଗଠନ