ସମ୍ବଲପୁର,୧୯/୧୨(ଜ୍ଞାନବ୍ରତ ଭୋଇ): ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ହୀରାକୁଦ ସେଚାଞ୍ଚଳକୁ ଦୀର୍ଘ ୪ ଦଶନ୍ଧି ଧରି ସମୃଦ୍ଧ କରି ଆସିଥିଲା ‘ସ୍ୱର୍ଣ୍ଣ’ । ଓଡ଼ିଶା ସମେତ ଦେଶର ୧୨ରୁ ଊଦ୍ଧ୍ୱର୍ ରାଜ୍ୟରେ ସବୁଜ ବିପ୍ଳବର ଅନ୍ୟତମ କର୍ଣ୍ଣଧାର ସାଜିଥିଲା ଏହି ଶସ୍ୟ । ଅନ୍ନଦାତାର ଆର୍ଥିକ ମେରୁଦଣ୍ଡକୁ ଯେତିକି ମଜଭୁତ କରିଥିଲା ରାଜ୍ୟ ଓ ଦେଶର ରାଜକୋଷକୁ ବି ସେତିକି ବିତ୍ତଶାଳୀ କରିଥିଲା । ହେଲେ ଭାତହାଣ୍ଡିରୁ ସ୍ୱର୍ଣ୍ଣିମ ଯାତ୍ରାର ଅନ୍ତ ଘଟାଇ ବିଦାୟ ନେବାକୁ ଯାଉଛି ‘ସ୍ୱର୍ଣ୍ଣ’ । ରୋଗ-ପୋକ କାରଣରୁ ହୀରାକୁଦ ସେଚାଞ୍ଚଳ ଚାଷୀ ଏହି ଧାନ ଚାଷରୁ ବିମୁଖ ହୋଇଛନ୍ତି ।
୧୯୮୨ରେ ଆନ୍ଧ୍ରପ୍ରଦେଶର ଗୋଦାବରୀ ଉପତ୍ୟକାରୁ ଜନ୍ମ ନେଇଥିଲା ଶଙ୍କର ଜାତୀୟ ଧାନ ବିହନ ଏମ୍ଟିୟୁ-୭୦୨୯ । ଏହାର ପ୍ରଚଳିତ ନାମ ରଖାଯାଇଥିଲା ‘ସ୍ୱର୍ଣ୍ଣ’ । କୃଷି ବୈଜ୍ଞାନିକ ଭି. ରାମଚନ୍ଦ୍ର ରାଓ ଥିଲେ ଏହାର ଜନ୍ମଦାତା । ୧୩୫ରୁ ୧୪୦ଦିନ ମଧ୍ୟରେ ଅମଳ, ବନ୍ୟା-ମରୁଡ଼ି ଓ ରୋଗ ସହନଶୀଳ ଶକ୍ତି ଏବଂ ଉତ୍ପାଦନ କ୍ଷମତା କାରଣରୁ ଏହା ଚାଷୀଙ୍କ ପ୍ରଥମ ପସନ୍ଦ ଥିଲା । ଏଥିରୁ ପ୍ରସ୍ତୁତ ଉଭୟ ଅରୁଆ, ଉଷୁନା ଚାଉଳର ସ୍ୱାଦ ଥିଲା ନିଆରା । ମୁଢ଼ି ପାଇଁ ଏହାର ଚାଉଳ ଅଧିକ ପ୍ରଯୁଜ୍ୟ ହୋଇପାରିଥିଲା ।
ସମ୍ବଲପୁର ଜିଲ୍ଲାର ଚିପିଲିମାସ୍ଥିତ ଓୟୁଏଟିର ଧାନ ଗବେଷଣା କେନ୍ଦ୍ର ଏହାକୁ ଓଡ଼ିଶାରେ ଲୋକପ୍ରିୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଅନୁଷ୍ଠାନର ତତ୍କାଳୀନ ବୈଜ୍ଞାନିକ ପ୍ରଫେସର ସତ୍ୟରଞ୍ଜନ ଦାସ ଏହି ଧାନ ଉପରେ ଦୀର୍ଘ ବର୍ଷ ଧରି ଗବେଷଣା କରିଥିଲେ । ୧୯୮୫ ବେଳକୁ ଏହି ଧାନ ହୀରାକୁଦ ସେଚାଞ୍ଚଳରେ ଛାଇ ଯାଇଥିଲା । ନବେ ଦଶକର ଶେଷ ଆଡ଼କୁ ହୀରାକୁଦ ସେଚାଞ୍ଚଳରେ ଚାଷୀଙ୍କ ମେରୁଦଣ୍ଡକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିଲା । ଆଗରୁ ଦେଶୀ ତଥା ଅନ୍ୟ ହାଇଲିଂ କିସମ ଧାନରେ ଉତ୍ପାଦନ ଏକର ପିଛା ୧୫ରୁ ୨୦ କ୍ୱିଣ୍ଟାଲ ଡେଉଁ ନ ଥିଲା । ‘ସ୍ୱର୍ଣ୍ଣ' ବିହନରୁ ଉତ୍ପାଦନ ୩୦ କ୍ୱିଣ୍ଟାଲ ଡେଇଁଥିଲା । ‘ଆଗ୍ରାଓ’ର ରିପୋର୍ଟ ମୁତାବକ ଆନ୍ଧ୍ରପ୍ରଦେଶର ମୋଟ କୃଷି ଉତ୍ପାଦ ମୂଲ୍ୟ (ଏଜିଭିଏ) ର ୧.୦୯ ପ୍ରତିଶତ ଏବଂ ଜିଡିପିର ୦.୯୯ ପ୍ରତିଶତ କେବଳ ‘ସ୍ୱର୍ଣ୍ଣ' ଧାନ ମାଡ଼ି ବସିଥିଲା । ଓଡ଼ିଶାର ମୋଟ କୃଷି ଉତ୍ପାଦର ପ୍ରାୟ ୫୫ ପ୍ରତିଶତ କେବଳ ‘ସ୍ୱର୍ଣ୍ଣ' ଧାନ ଆବୋରି ନେଇଥିଲା ।
ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ନବେ ଦଶକ ବେଳକୁ ମୋଟ୍ ଉତ୍ପାଦିତ ଧାନର ୯୦ ପ୍ରତିଶତ ଥିଲା ‘ସ୍ୱର୍ଣ୍ଣ' । କେବଳ ଏତିକି ନୁହେଁ³ ଏକଦା ଏହାର ଚାହିଦା ଏଭଳି ଥିଲା ଯେ ସରକାର ଏହି ବିହନ ଯୋଗାଇ ପାରୁ ନ ଥିଲେ । ହେଲେ ରୋଗ ସହଣି ଶକ୍ତି ହରାଇବା ପରେ ରୋଗ-ପୋକ ପ୍ରାଦୁର୍ଭାବରୁ ଚାଷୀ ‘ସ୍ୱର୍ଣ୍ଣ’ରୁ ବିମୁଖ ହୋଇପଡ଼ିଛନ୍ତି । ‘ସ୍ୱର୍ଣ୍ଣ’ର ସ୍ଥାନ ନେଇଥିବା ‘ପ୍ରତୀକ୍ଷା’ ମଧ୍ୟ ମାତ୍ର କିଛି ବର୍ଷ ମଧ୍ୟରେ ଲୋକପ୍ରିୟତା ହରାଇ ସାରିଛି । ଏବେ ପ୍ରାୟ ୫ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ‘ଯମୁନା’ ବିଶ୍ୱାସ ଜିତିଥିବା ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ତବଲା ଅଞ୍ଚଳର ଚାଷୀ ଦେବେନ୍ଦ୍ର ପ୍ରଧାନ କହିଛନ୍ତି । ‘ସ୍ୱର୍ଣ୍ଣ’ ଭଳି ‘ଯମୁନା’ର ଉତ୍ପାଦନ କ୍ଷମତା ରହିଛି । ତେଣୁ ଚାଷୀ ଏହା ଉପରେ ଅଧିକ ଭରସା କରୁଛନ୍ତି । କିନ୍ତୁ ‘ସ୍ୱର୍ଣ୍ଣ’ ଭଳି ୪ ଦଶନ୍ଧି ଧରି ବିଲରେ ଏହା ରାଜ୍ କରିବ ସେହି ଆଶା ନାହିଁ ବୋଲି ସେ କହିଛନ୍ତି । ଧାନ ଉପରେ ଗବେଷଣା କରିଥିବା ଓୟୁଏଟିର ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ପ୍ରଫେସର ସତ୍ୟରଞ୍ଜନ ଦାସ କହିଛନ୍ତି, କୌଣସି ବିହନର ରୋଗ ସହନଶୀଳତା ଓ ଗୁଣବତ୍ତା ୧୫ବର୍ଷ ଯାଏ ସୀମିତ ରହିଥାଏ । ଏହି ଦୃଷ୍ଟିରୁ ‘ସ୍ୱର୍ଣ୍ଣ’ ରୋଗ ସହନଶୀଳତା କ୍ଷମତା ହରାଇ ସାରିଲାଣି । ବାରମ୍ବାର ରୋଗ-ପୋକ ପ୍ରାଦୁର୍ଭାବରୁ ଚାଷୀ ଏହି ଧାନ ଚାଷ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ହେଲେ ଦେଶର କୃଷି ଅଭିବୃଦ୍ଧିରେ ଏହାର ଅବଦାନ ସବୁଦିନ ପାଇଁ ଅମର ହୋଇରହିବ ବୋଲି ସେ କହିଛନ୍ତି ।