ଲେହ – ୧୯୯୯ ମସିହାର କାର୍ଗିଲ ଯୁଦ୍ଧ। ଯାହାକି ଭାରତ ଇତିହାସରେ ଏକ ଅଭୁଲନୀୟ ଘଟଣା। ପାକିସ୍ତାନୀ ସେନାର ଅନୁପ୍ରବେଶର ପ୍ରଥମ ସୂଚନା ଦେଇଥିବା ଲଦ୍ଦାଖର ମେଷପାଳକ ତାଶୀ ନାମଗ୍ୟାଲଙ୍କ ହୋଇଛି ଦେହାନ୍ତ। ଭାରତୀୟ ସେନାର ଲେହ ସ୍ଥିତ ୧୪ କୋର ମୁଖ୍ୟାଳୟ ଶୁକ୍ରବାର ଏକ୍ସରେ ତାଙ୍କ ଦେହାନ୍ତର ଖବର ସେୟାର କରିଛି। କାର୍ଗିଲ ଯୁଦ୍ଧ , ଯାହାକି ଅପରେସନ ବିଜୟ ନାମରେ ବିଖ୍ୟାତ , ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୯୯ ମସିହାରେ ,ମେ-ଜୁଲାଇ ମଧ୍ୟରେ ହୋଇଥିଲା। ଏହି ଯୁଦ୍ଧ ଜମ୍ମୁ-କାଶ୍ମୀରର କାର୍ଗିଲ ଅଞ୍ଚଳରେ ଲଢା ଯାଇଥିଲା।
ଉକ୍ତ ଚର୍ଚ୍ଚିତ ଯୁଦ୍ଧର ଅନେକ ନାୟକ ଥିଲେ , ଯେଉଁଥିରେ ମେଷପାଳକ ତାଶୀ ନାମଗ୍ୟାଲଙ୍କର ନାଁ ମଧ୍ୟ ସାମିଲ ଅଛି। ନାମଗ୍ୟାଲଙ୍କ ଦେହାନ୍ତ ପରେ ସେନା କହିଛି , ଅପରେସନ ବିଜୟ ୧୯୯୯ ବେଳେ ରାଷ୍ଟ୍ର ପ୍ରତି ତାଙ୍କର ଅମୂଲ୍ୟ ସେବା ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଦୁଃଖର ସମୟରେ ଆମେ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମ୍ୱେଦନା ଜଣାଉଛୁ।
ସେଦିନ ଘଟଣା ଥିଲା ଏମିତି । ତାଶୀ ନାମଗ୍ୟାଲ ନିଜର ହଜି ଯାଇଥିବା ଚମରୀ ଗାଈକୁ ଖୋଜିବାକୁ ବାହାରି ପଡ଼ି ଥିଲେ । ସେତେବେଳେ ପାହାଡ଼ିଆ ଘାଟୀ ଅଞ୍ଚଳରେ ସେ ପାକିସ୍ତାନ ସେନାର ଯବାନଙ୍କୁ ପଠାଣ ପୋଷାକରେ ଦେଖିଲେ। ଏହାପରେ ପାକିସ୍ତାନୀ ସେନା ବାଟାଲିକ୍ର ମାଉଣ୍ଟେନ ରେଞ୍ଜରେ ବଙ୍କର ଖୋଳୁ ଥିବାର ଦେଖିବାକୁ ପାଇଲେ। ଏହାପରେ ନାମଗ୍ୟାଲ ତୁରନ୍ତ ଏହି ଅନୁପ୍ରବେଶର ଖବର ଭାରତୀୟ ସେନାକୁ ଦେଲେ। ଏହାପରେ ଭାରତୀୟ ସେନା ଅନୁପ୍ରବେଶର ଯାଞ୍ଚ ଆରମ୍ଭ କଲେ ଏବଂ ଜାଣିବାକୁ ପାଇଲେ କି ପାକିସ୍ତାନୀ ସୈନିକ ଓ ଆତଙ୍କବାଦୀ, ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତରୀୟ ଅଞ୍ଚଳରେ ଅନୁପ୍ରବେଶ କରି ସାରି ଥିଲେ। ତାଙ୍କର ଏହି ଉପସ୍ଥିତି ବୁଦ୍ଧିମତାର କାର୍ଯ୍ୟ ଯୋଗୁଁ ଭାରତକୁ ସଠିକ ସମୟରେ ଏହି ଷଡ଼ଯନ୍ତ୍ରର ଜବାବ ଦେବାରେ ସକ୍ଷମ କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅପରେସନ ବିଜୟ।
ଉଲ୍ଲେଖନୀୟ ଯେ, ୧୯୯୯ ମସିହା ମେ-ଜୁଲାଇ ମଧ୍ୟରେ ଚାଲିଥିବା ଅପରେସନ ବିଜୟରେ ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାର୍ଗିଲର ଘାଟୀରୁ ତଡ଼ି ଥିଲା। ଏହି ଯୁଦ୍ଧ ଭାରତୀୟ ଇତିହାସରେ ସବୁଠୁ ଗୌରବମୟ ଅଧ୍ୟାୟ ମଧ୍ୟରୁ ଗୋଟିଏ। ଭାରତୀୟ ସେନା ଓ ଲଦ୍ଦାଖର ଲୋକେ ତାଶୀ ନାମଗ୍ୟାଲଙ୍କ ଅବଦାନକୁ ସର୍ବଦା ମନେ ରଖିବେ। ସେ କେବଳ ଯେ ଏକ ଅନୁପ୍ରବେଶକୁ ରୋକି ନାହାନ୍ତି , ବରଂ ନିଜର ଉପସ୍ଥିତି ବୁଦ୍ଧି ଓ ସାହସିକତା କାର୍ଯ୍ୟରେ ଦେଶର ସୁରକ୍ଷାରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଯେଉଁଥି ପାଇଁ ସେ ଭାରତୀୟ ଇତିହାସରେ ଅମର ହୋଇ ରହିବେ। ତାଙ୍କର ଅପୂର୍ବ କାର୍ଯ୍ୟ ପାଇଁ , ସେ ଯୁଦ୍ଧ ନଲଢି ବି କାର୍ଗିଲ ଯୁଦ୍ଧର ହିରୋ ଭାବେ ସର୍ବଦା ମନେରହିବେ ।