ନୂଆଦିଲ୍ଲୀ,୨୧/୧୨: ବର୍ଷ ୨୦୨୪ ସରିବାକୁ ଯାଉଛି । ଆଉ ମାତ୍ର ୧୦ ଦିନ ପରେ ଆସିବ ନୂଆବର୍ଷ ୨୦୨୫ । ୨୦୨୪ରେ ଅନେକ କିଛି ଚର୍ଚ୍ଚାରେ ରହିଥିଲା । କିଛି ନୂଆ ସମ୍ପର୍କ ଯୋଡି ହୋଇଥିବା ବେଳେ କିଛି ସମ୍ପର୍କ ଭାଙ୍ଗିଥିଲା । ସମ୍ପର୍କ ସଜାଡିବାଠୁ କମ୍ ଭାଙ୍ଗିବାକୁ ନେଇ ଚର୍ଚ୍ଚା ହୋଇଥିଲା । ସମ୍ପର୍କରେ ଫାଟ ଆସିବା ଫଳରେ ଆଇନ କାଗଜ କଲମରେ ଅଲଗା ହୋଇଥିଲେ ଅନେକ ଷ୍ଟାର ଦମ୍ପତି । ବୃତ୍ତିଗତ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସେଲିବ୍ରିଟି ଶିରୋନାମାରେ ରହିଥିଲେ । ଓଲିଉଡରୁ ନେଇ ବଲିଉଡ କ୍ରିକେଟ ଜଗତରୁ ନେଇ ସଙ୍ଗୀତ ଦୁନିଆରେ ଅନେକ ଦମ୍ପତ୍ତି ଅଲଗା ହୋଇଥିଲେ । ଆସନ୍ତୁ ଜାଣିବା ସେହି ଦମ୍ପତ୍ତିଙ୍କ ବିଷୟରେ ଯେଉଁମାନେ ସେମାନଙ୍କ ଜୀବନସାଥୀଙ୍କଠୁ ଚଳିତବର୍ଷ ଅଲଗା ହୋଇଛନ୍ତି ।
ଅନୁଭବ ମହାନ୍ତି- ବର୍ଷା ପ୍ରିୟଦର୍ଶିନୀ
ଓଡିଉଡର ସୁପରହିଟ ଯୋଡି ଅନୁଭବ ଓ ବର୍ଷା । ରିଲରେ ଦୁହିଁଙ୍କ ଯୋଡିକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା ଏହାପରେ ରିୟଲରେ ପରସ୍ପର ହାତ ଧରିଥିଲେ ଅନୁଭବ ଓ ବର୍ଷା । ୨୦୧୪ ମସିହା ଫେବୃଆରୀ ୮ ତାରିଖରେ ବର୍ଷା ଓ ଅନୁଭବ ବିବାହ କରିଥିଲେ । ହେଲେ ଏ ସମ୍ପର୍କ ବେଶୀ ଦିନ ଚାଲି ନଥିଲା । ଦୀର୍ଘ ବର୍ଷର ଆଇନଗତ ଲଢେଇ ପରେ ଶେଷରେ ଚଳିତ ବର୍ଷ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ହୋଇଥିଲା । ଚଳିତ ବର୍ଷ ଫେବୃଆରୀରେ ଓଲିଉଡ ଜଗତର ଏହି ସୁପରହିଟ ଯୋଡିଙ୍କ ଅଲଗା ହେବା ଖବର ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲା । ୨୦୨୦ ମସିହାରୁ ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ବିବାହର ୧୦ ବର୍ଷ ପରେ ଉଭୟ ଅଲଗା ହୋଇଥିଲେ ।
ଏଆର ରେହମାନ- ସାଇରା ବାନୋ
ସଙ୍ଗୀତ ଜଗତର ଜଣାଶୁଣା ନାମ ଏଆର ରେହମାନ । ସୁମଧୁର କଣ୍ଠ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ଘର କରିଥିବା ଏଆର ରେହମାନଙ୍କ ଘର ବସି ପାରିଲା ନାହିଁ । ବିବାହର ୨୯ ବର୍ଷ ପରେ ପତ୍ନୀ ସାଇରା ବାନୋଙ୍କଠୁ ଅଲଗା ହୋଇଥିଲେ ଏଆର ରେହମାନ । ଚଳିତ ବର୍ଷ ନଭେମ୍ବର ୧୯ ତାରିଖରେ ଏଆର ରେହମାନ ଓ ସାଇରା ବାନୋଙ୍କ ସମ୍ପର୍କ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କୁ ଚକିତ କରିଥିଲା । ଏହି ଦମ୍ପତିଙ୍କର ୨ଟି ଝିଅ ଜଣେ ପୁଅ ଅଛନ୍ତି ।
ଧନୁଷ-ଐଶ୍ବର୍ଯ୍ୟା ରଜନୀକାନ୍ତ
ସାଉଥର ଷ୍ଟାର ଧନୁଷ ଓ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତ ତଥା ଅଭିନେତା ରଜନୀକାନ୍ତଙ୍କ ଝିଅ ଚଳିତ ବର୍ଷ ପରସ୍ପରଠୁ ଅଲଗା ହୋଇଥିଲେ । ୨ ବର୍ଷ ପରେ ଦୁହିଁଙ୍କ ଛାଡପତ୍ରକୁ ଚଳିତ ବର୍ଷ କୋର୍ଟ ମଞ୍ଜୁରୀ ମଳିଥିଲା । ଏହାପରେ ୧୮ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ୨୦୨୨ରେ ଦୁହେଁ ଅଲଗା ହେବା ନେଇ ଘୋଷଣା କରିଥିଲେ । ପାରିପାରିକ ମାମଲା କୋର୍ଟରେ ପହଞ୍ଚିଥିଲା । ଦୀର୍ଘ ଦିନର ଆଇନଗତ ଲଢେଇ ପରେ ଶେଷରେ ଛାଡପତ୍ରକୁ ମଞ୍ଜୁରୀ ମିଳିଥିଲା । ଦୁହିଁଙ୍କର ଦୁଇଟି ପୁଅ ରହିଛନ୍ତି । ଛାଡପତ୍ର ହେଲେ ବି ପିଲାଙ୍କ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ଉଭୟ ନିଷ୍ପତ୍ତି ନେଇଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟା- ନତାଶା ଷ୍ଟାନକୋଭିକ
ହାଇ-ଫ୍ରୋଫାଇଲ ଯୋଡି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୈବାହିକ ଜୀବନ ଟି-୨୦ କ୍ରିକେଟ ପରି ଶେଷ ହୋଇଯାଇଥିଲା । ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଚଳିତ ବର୍ଷ ଜୁଲାଇରେ ଅଲଗା ହୋଇଥିଲେ । ଏହି ଦମ୍ପତିଙ୍କର ଜଣେ ପୁଅ ଅଛନ୍ତି । ୨୦୨୦ ମସିହାରେ ନତାଶାଙ୍କୁ ପ୍ରେମ ବିବାହ କରିଥିଲେ ହାର୍ଦ୍ଦିକ । ବେଶୀ ରହିଲା ନାହିଁ ସମ୍ପର୍କ । ଅଳ୍ପ ଦିନରେ ଦୁହିଁଙ୍କ ସମ୍ପର୍କରେ ଫାଟ ଆସିଥିଲା । ଫଳରେ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୪ ଜୁଲାଇ ୧୮ ତାରିଖରେ ହାର୍ଦ୍ଦିକ ଓ ନତାଶା ଛାଡପତ୍ରକୁ ନେଇ ସୋସିଆଲ ମିଡିଆରେ ଜଣାଇଥିଲେ ।
ଦଲଜିତ କୌର-ନିଖିଲ ପଟେଲ
ଟେଲି ଅଭିନେତ୍ରୀ ଦଲଜିତ କୌରଙ୍କ ଦ୍ବିତୀୟ ବିବାହ ବେଶୀ ଦିନ ତିଷ୍ଠି ନଥିଲା । ଦ୍ବିତୀୟ ଥର ବିବାହ କରିଥିବା ଦଲଜିତଙ୍କ ବୈବାହିକ ଜୀବନ ଅଳ୍ପ ଦିନ ମଧ୍ୟରେ ଶେଷ ହୋଇଯାଇଥିଲା । ୨୦୨୩ରେ ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିଥିଲେ । ବିବାହକୁ ବର୍ଷେ ହୋଇନଥିଲା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ମାତ୍ର ୧୦ ମାସ ମଧ୍ୟରେ ଛାଡପତ୍ର ନେବାକୁ ସ୍ଥିର କରିଥିଲେ । ନିଖିଲଙ୍କ ନାମରେ ଅସଦାଚରଣ ଓ ବିଶ୍ବାସଘାତକ କରିଥିବା ଅଭିଯୋଗ ଆଣିଥିଲେ ଦଲଜିତ । ପୂର୍ବରୁ ଦଳଜିତ ଟିଭି ଅଭିନେତା ସାର୍ଲିନଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁଅ ରହିଛନ୍ତି ।
ଇଶା ଦେଓଲ-ଭରତ ତଖତାନି
ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ହେମାମାଲିନୀଙ୍କ ଝିଅ ଇଶା ଦେଓଲ ତାଙ୍କ ସ୍ବାମୀ ଭରତ ତଖତାନିଙ୍କଠୁ ଅଲଗା ହୋଇଛନ୍ତି । ୨୦୧୨ରେ ଇଷା ଓ ଭରତଙ୍କ ବିବାହ ହୋଇଥିଲା । ୨୦୧୭ରେ ମାତାପିତା ହେବାର ସୌଭାଗ୍ୟ ପାଇଥିଲେ । ଦୁହିଁଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା । ୨୦୧୯ ପରେ ଦ୍ବିତୀୟ ଥର ମାଆ ହୋଇଥିଲେ ଇଶା । ବିବାହର ୧୧ ବର୍ଷ ପରେ ଇଶା ଓ ଭରତ ପରସ୍ପରଠୁ ଅଲଗା ହୋଇଛନ୍ତି ।
ଜୟମ ରବି- ଆରତୀ
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡି ଜୟମ ରବି ଓ ପତ୍ନୀ ଅରତୀ ଚଳିତ ବର୍ଷ ପରସ୍ପରଠୁ ଅଲଗା ହୋଇଛନ୍ତି । ବିବାହର ୧୫ ବର୍ଷ ପରେ ଦୁହିଁଙ୍କର ଛାଡପତ୍ର ହୋଇଛି । ୨୦୦୯ରେ ଟେଲିଭିଜନ ନିର୍ମାତା ସୁଜତା ବିଜୟକୁମାରଙ୍କ ଝିଅ ଆରତୀଙ୍କୁ ବିବାହ କରିଥିଲେ । ଦୁଇ ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ । ୨୦୨୪ରେ ଉଭୟ ପରସ୍ପରଠୁ ଅଲଗା ହୋଇଛନ୍ତି । ଏହି ଦମ୍ପତ୍ତିଙ୍କର ଦୁଇ ପୁଅ ରହିଛନ୍ତି ।