ଭୁବନେଶ୍ୱର ୨୧/୧୨( ସୁଶ୍ରୀ ଦାସ, ସତ୍ୟାନନ୍ଦ ନାୟକ): ବର୍ଷ ୨୦୨୪ ଦେଶର କର୍ପୋରେଟ୍ ଜଗତ ପାଇଁ ଥିଲା ସ୍ମରଣୀୟ । ଘଟିଛି ଅନେକ ଘଟଣା । ବିବାଦ ଘେରକୁ ଆସିଛନ୍ତି ନାମୀଦାମୀ ଇଣ୍ଡଷ୍ଟ୍ରି ଲିଡର । କିଛି କମ୍ପାନିଙ୍କ ଆଡ଼କୁ ମାଡ଼ିଆସିଛି ସଂକଟ ତ ଆଉ କିଛି କମ୍ପାନି ବିକାଶର ସ୍ରୋତରେ ଯଥେଷ୍ଟ ଦୂର ମାଡ଼ିଯାଇଛନ୍ତି । ମେକ୍ ଇନ୍ ଇଣ୍ଡିଆକୁ ମିଳିଛି ବଳ । ମିଶ୍ରଣ ଅଧିଗ୍ରହଣରେ ମିଳିଛି ବଡ଼ ସଫଳତା । ଭାରତର ରତ୍ନ ରତନ ଟାଟାଙ୍କ ପରଲୋକରେ ୧୪୦ କୋଟି ଭାରତୀୟଙ୍କ ଆଖିରୁ ଝରିଛି ଲୁହ । ଅର୍ଥନୀତିରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା କିଛି ମହାନ ବ୍ୟକ୍ତିଙ୍କୁ ହରାଇଛି ଦେଶ । ବିଦାୟୀ ବର୍ଷରେ କର୍ପୋରେଟ୍ ଦୁନିଆର କିଛି ଅଭୁଲା ସ୍ମୃତି...
ମନେପଡ଼ିବେ ‘ରତନ୍’
୧୪୦ କୋଟି ଭାରତୀୟଙ୍କ ପାଇଁ ଏ ବର୍ଷର ସବୁଠୁ ଦୁଃଖଦ ଖବର ଥିଲା ଭାରତର ରତ୍ନ ରତନ ଟାଟାଙ୍କ ପରଲୋକ । ଘରେ ଘରେ ପରିଚିତ ଟାଟା ବ୍ରାଣ୍ଡ୍ର ମଙ୍ଗୁଆଳ ରତନ ଟାଟା, ଯିଏକି ବ୍ୟବସାୟ ସହିତ ଲୋକଙ୍କ ଦୁଃଖ ବି ବୁଝୁଥଲେ ସେ ଆଉ ନାହାନ୍ତି । ଦେଶରେ ମାତ୍ର କେତେ ଜଣ ଉଦ୍ୟୋଗୀ ଥିବେ ଯେଉଁମାନେ ଦେଶ ପାଇଁ ବଞ୍ଚୁଥିବେ, ନିଜ ପାଇଁ ନୁହେଁ । ଦେଶ ତଥା ଦେଶବାସୀଙ୍କ ଉନ୍ନତି ଓ ଅଗ୍ରଗତି ପାଇଁ ଯୋଗଦାନ ଦେଉଥିବେ । ଦେଶବାସୀଙ୍କୁ ନିମ୍ନ ସ୍ତରରୁ ଉଠାଇ ସମାଜର ମୁଖ୍ୟସ୍ରୋତରେ ନେବା ପାଇଁ ଆଗତୁର ଥିବେ । ସେହିଭଳି ଜଣେ ଉଦ୍ୟୋଗପତି ଥିଲେ ରତନ ଟାଟା । ତାଙ୍କର ସଫଳତାର କାହାଣୀ ଭାରତୀୟ ଅର୍ଥନୀତିରେ ସ୍ପଷ୍ଟ ଦୃଶ୍ୟମାନ । ଦୁଇ ଦଶନ୍ଧି ଧରି ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦରେ ରହି ସେ ଦେଶର ଅର୍ଥନୀତିରେ ବଡ଼ ମୂଲ୍ୟ ଯୋଡ଼ିଥିଲେ ।
ଭାରତରେ କୋଣ ଅନୁକୋଣରେ ଟାଟାର ସେବା ଆଉ ସାମଗ୍ରୀ । ଲୁଣଠାରୁ ଆରମ୍ଭ କରି ବିମାନ ସେବା ପର୍ଯ୍ୟନ୍ତ ସବୁଥିରେ ଟାଟା । ଆଉ ଏହା ପଛରେ ଯାହାର ବୁଦ୍ଧି ସେ ଥିଲେ ରତନ ଟାଟା । ବିବାଦ କେବେ ବି ତାଙ୍କୁ ଛୁଇଁ ନ ଥିଲା । ବ୍ୟବସାୟ ଚତୁରତା, ଦୂରଦୃଷ୍ଟି ଏବଂ ନିଜର ମଜଭୂତ କାର୍ଯ୍ୟ ନୀତିରୁ ସେ ନିଜ ପାରିବାରିକ ବ୍ୟବସାୟକୁ ଏକ ଅନ୍ତରାଷ୍ଟ୍ରୀୟ ସାମ୍ରାଜ୍ୟରେ ରୂପାନ୍ତର କରିଥିଲେ । ଟାଟାକୁ ଗ୍ଲୋବାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିଥିବା ରତନ ଦୁନିଆରୁ ବିଦାୟ ନେଇଛନ୍ତି । ସେ ଚାଲିଯାଇଛନ୍ତି କିନ୍ତୁ ଛାଡ଼ିଯାଇଛନ୍ତି ଅନେକ ସଫଳତା ଆଉ ଅଭୁଲା ସ୍ମୃତି । ଭାରତର ‘ରତ୍ନ’ ରତନ ଟାଟାଙ୍କ ଉଦାରତା ସବୁବେଳେ ମନେ ପଡ଼ିବ । ଖାଲି ଦେଶ ମଧ୍ୟରେ ସୀମିତ ନ ଥିଲା ତାଙ୍କର ଚମକ । ବିଶ୍ୱର କୋଣ ଅନୁକୋଣରେ ନିଜ ବ୍ୟକ୍ତିତ୍ୱର ଛାପ ଛାଡ଼ିଛନ୍ତି ସେ । ଏହି ମହାନ ବିଜ୍ନେସ୍ ଟାଇକୁନ୍ ତଥା ଭାରତକୁ ବିଶ୍ୱ ବଜାରରେ ପହଞ୍ଚାଇଥିବା ଜଣେ ପ୍ରକୃତ ଶିଳ୍ପ ଲିଡରଙ୍କୁ ଶ୍ରଦ୍ଧାଞ୍ଜଳି ।
ଲାଞ୍ଚ ଅଡୁଆରେ ଆଦାନି
ଏ ବର୍ଷ ବି ଗୌତମ ଆଦାନିଙ୍କ ପିଛା ଛାଡ଼ିନି ବିବାଦ । ପୂର୍ବବର୍ଷ ହିଣ୍ଡେନ୍ବର୍ଗ ତାଙ୍କ ବିରୋଧରେ ଆଣିଥିଲା ସଙ୍ଗୀନ ଅଭିଯୋଗ । ଏ ବର୍ଷ ଲାଞ୍ଚ ଅଭିଯୋଗରେ ଫସିଛନ୍ତି ଆଦାନି ଗ୍ରୁପ୍ ଅଧ୍ୟକ୍ଷ ତଥା ଦେଶର ଦ୍ୱିତୀୟ ବୃହତ୍ ଧନୀ ଗୌତମ ଆଦାନି । ଏଥର ବି ଆମେରିକାରୁ ହମ୍ଲା । ଷ୍ଟକ୍ ବଜାର ହେରଫେର ମାମଲାରେ ହିଣ୍ଡେନ୍ବର୍ଗ ରିସର୍ଚ୍ଚ କବଳରୁ ମୁକୁଳିବା ପରେ ଏଥର ଠକେଇ ଏବଂ ଲାଞ୍ଚ ଅଭିଯୋଗରେ ଫସିଛନ୍ତି ସେ । ଏହି ମାମଲାରେ ଆମେରିକୀୟ କୋର୍ଟରେ ଶୁଣାଣି ହୋଇଥିଲା । ମାମଲାଟି ଏହିଭଳି ।
ରାଷ୍ଟ୍ରାୟତ୍ତ ସୋଲାର ଏନର୍ଜି କର୍ପୋରେଶନ୍ ଅଫ୍ ଇଣ୍ଡିଆକୁ ୧୨ ଗିଗାୱାଟ୍ ସୌରଶକ୍ତି ଯୋଗାଇବା ପାଇଁ ଆଦାନି ଗ୍ରୀନ୍ ଏନର୍ଜି ଏବଂ ଅନ୍ୟ ଏକ ଅକ୍ଷୟ ଶକ୍ତି କମ୍ପାନି ଆଜ୍ୟୋର ପାୱାର ଏକ କଣ୍ଟ୍ରାକ୍ଟ ହାତେଇବା ଲାଗି ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । କେତେକ ନିର୍ଦ୍ଦିଷ୍ଟ ରାଜ୍ୟର ସୌରଶକ୍ତି ବ୍ୟବହାର କରିବା ପାଇଁ ଉକ୍ତ ରାଜ୍ୟର ଅଧିକାରୀମାନଙ୍କୁ ଆଦାନି ଗ୍ରୁପ୍ ଏବଂ ଏହାର ସହଯୋଗୀ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ଏପରି କୁହାଯାଇଥିଲା, ରାଜ୍ୟଗୁଡ଼ିକୁ ରାଜି କରାଇବା ପାଇଁ ନିଜେ ଗୌତମ ଆଦାନି ବ୍ୟକ୍ତିଗତ ଭାବେ ସରକାରୀ ଅଧିକାରୀମାନଙ୍କୁ ଭେଟିଥିଲେ । ସୌରଶକ୍ତି ପ୍ରକଳ୍ପ ଆଳରେ ଆମେରିକୀୟ ବ୍ୟାଙ୍କ ଏବଂ ନିବେଶକଙ୍କଠାରୁ କୋଟି କୋଟି ଟଙ୍କା ଉଠାଇ ତାହାକୁ ଲାଞ୍ଚ ବାବଦ ଉକ୍ତ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ରହିଥିଲା । ତେବେ ଆଦାନି ଗ୍ରୁପ୍ ଏସବୁ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି ।
ବିବାଦରେ ମାଧବୀ ପୁରୀ ବୁଚ୍
ଆମେରିକା ଭିତ୍ତିକ ସର୍ଟସେଲର ହିଣ୍ଡେନ୍ବର୍ଗ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା । ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚ୍ ଆଦାନି ଗ୍ରୁପ ସହ ଜଡ଼ିତ ଅଫ୍ସୋର କମ୍ପାନିରେ ଅଂଶଧନ ହାସଲ କରିଥିଲେ ବୋଲି କହିଥିଲା ଏହି ସର୍ଟସେଲର । ଏ ଅଭିଯୋଗକୁ ଶ୍ରୀମତି ବୁଚ୍ ଖଣ୍ଡନ କରିବା ସହ ଅଭିଯୋଗ ନିରାଧାର ଏବଂ ତାଙ୍କ ଚରିତ୍ର ସଂହାର ହୋଇଛି ବୋଲି କହିଥିଲେ । ତେବେ ସେବିର ଏଭଳି ଅଭିଯୋଗ ବଜାର ଉପରେ ସେତେଟା ପ୍ରଭାବ ପକାଇ ନ ଥିଲା । ୨୦୨୩ରେ ଆସିଥିବା ହିଣ୍ଡେନ୍ବର୍ଗ ରିପୋର୍ଟ ଯୋଗୁ ଆଦାନି ଷ୍ଟକରେ ୧୫୦ ବିଲିୟନ ଡଲାର ହ୍ରାସ ହୋଇଥିଲା । ତେବେ ଏଥର ସେଭଳି କିଛି ବଡ଼ ଧମାକା କରିପାରି ନ ଥିଲା ହିଣ୍ଡେନବର୍ଗ । ସେହିଭଳି ସେବି ମାଧବୀ ପୁରୀ ବୁଚ୍ଙ୍କୁ କ୍ଲିନଚିଟ୍ ମଧ୍ୟ ଦେଇଥିଲା ।
ରିଲାଏନ୍ସ -ଡିଜ୍ନୀ ମିଶ୍ରଣ
ଏଣ୍ଟର୍ଟେନ୍ମେଣ୍ଟ କ୍ଷେତ୍ରରେ ଏ ବର୍ଷ ବଡ଼ ଧରଣର ମିଶ୍ରଣ ହୋଇଛି । ଡିଜ୍ନୀ ଏବଂ ରିଲାଏନ୍ସ ଏଣ୍ଟର୍ଟେନ୍ମେଣ୍ଟ ମିଶିଯାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଭାୟକମ-୧୮ ଏବଂ ଡିଜ୍ନୀ ଇଣ୍ଡିଆ ଏ ଘୋଷଣା କରିଛନ୍ତି । ମିଶ୍ରଣ ପରେ ଗଠିତ ୭୦,୩୫୨ କୋଟିର ଯୌଥ ଉଦ୍ୟୋଗ ଦେଶର ସର୍ବବୃହତ୍ ଏଣ୍ଟର୍ଟେନ୍ମେଣ୍ଟ କମ୍ପାନି ପାଲଟିଛି । ଡିଜ୍ନୀ-ରିଲାଏନ୍ସ ଏଣ୍ଟର୍ଟେନ୍ମେଣ୍ଟ ପାଖରେ ୨ ଓଟିଟି ଏବଂ ୧୨୦ ଚ୍ୟାନେଲ ସହ ୭୫ କୋଟି ଦର୍ଶକ ରହିବେ । ଏହି ଯୌଥ ଉଦ୍ୟୋଗ ପାଇଁ ରିଲାଏନ୍ସ ୧୧,୫୦୦ କୋଟି ଟଙ୍କା ନିବେଶ କରିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଚୁକ୍ତିକୁ ନେଇ ଗତ ବର୍ଷେ ହେବ ଆଲୋଚନା ଚାଲିଥିଲା । ଏ ଚୁକ୍ତି ୭୦,୩୫୨ କୋଟି ଟଙ୍କାରେ ହୋଇଛି । ମିଶ୍ରଣ ପରେ ଗଠିତ କମ୍ପାନିରେ ରିଲାଏନ୍ସର ୬୩.୧୬% ଏବଂ ଡିଜ୍ନୀର ୩୬.୮୪% ଅଂଶଧନ ରହିବ । ନୀତା ଅମ୍ବାନି ନୂଆ କମ୍ପାନିର ଅଧ୍ୟକ୍ଷା ହେବେ ।
ଏୟାର ଇଣ୍ଡିଆରେ ବିଲୀନ ଭିସ୍ତାରା
ବିମାନ ସେବା ଯୋଗାଣକାରୀ କମ୍ପାନି ଭିସ୍ତାରା ଚଳିତ ବର୍ଷ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଭରିଥିଲା ଶେଷ ଉଡ଼ାଣ । ଏହାର ନୂଆ ପରିଚୟ ପାଲଟିଲା ଟାଟା ଗ୍ରୁପ୍ ପରିଚାଳିତ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆରେ ବିଲୀନ ହୋଇଛି ଭିସ୍ତାରା । ଏହାର ୧ ଦଶନ୍ଧିର ପରିଚାଳନା ମଧ୍ୟରେ ଏକ ପୂର୍ଣ୍ଣକାଳୀନ ସେବା ଯୋଗାଣକାରୀ କମ୍ପାନି ଭାବେ ଏହା ଛାଡ଼ି ଯାଇଛି ଭିନ୍ନ ପରିଚୟ । ଟାଟା ଗ୍ରୁପ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ୨୦୨୨ରେ ଆସିଥିଲା ଏହି ମିଶ୍ରଣ ପ୍ରସ୍ତାବ । ଭିସ୍ତାରା କମ୍ପାନିରେ ୪୯% ଅଂଶଧନ ହାସଲ କରିଥିବା ସିଙ୍ଗାପୁର ଏୟାର୍ଲାଇନ ଏୟାର ଇଣ୍ଡିଆରେ ମିଶ୍ରଣ ପରେ ଏବେ ୨୫.୧% ଅଂଶଧନ ପାଇଛି । ମିଶ୍ରଣ ପରେ ଏବେ ଭିସ୍ତାରା ଏୟାର ଇଣ୍ଡିଆର ବ୍ରାଣ୍ଡ୍ ଭାବେ ପରିଚିତ ହୋଇଛି ।
ଉଡ଼ାଣ ସ୍ୱପ୍ନ ଚୂରମାର
୨୦୧୯ରୁ ବନ୍ଦ ପଡ଼ିଥିବା ବିମାନ କମ୍ପାନି ଜେଟ୍ ଏୟାର୍ୱେଜ୍ ପାଇଁ ବର୍ଷ ୨୦୨୪ ଦେଇଛି ତିକ୍ତ ଅନୁଭୂତି । ଏହାର ପୁନଃ ଚଳାଚଳ ସ୍ୱପ୍ନ ହୋଇଯାଇଛି ଚୂରମାର । କାରଣ ସୁପ୍ରିମ୍ କୋର୍ଟ ଏହି ଘରୋଇ କମ୍ପାନିକୁ ଲିକ୍ୱିଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍ କମ୍ପାନିର ସମସ୍ତ ସମ୍ପତ୍ତିକୁ ବିକ୍ରି କରାଯିବ ଏବଂ ଏଥିରୁ ଯେଉଁ ଅର୍ଥ ସଂଗ୍ରହ ହେବ ତାହାକୁ ଏହାର ଋଣପ୍ରଦାନକାରୀମାନଙ୍କୁ ପରିଶୋଧ କରାଯିବ । ସର୍ବୋଚ୍ଚ ବ୍ୟାଙ୍କ ଜାତୀୟ କମ୍ପାନି ଆଇନ ଆପିଲେଟ୍ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଏଟି)ର ଏକ ନିଷ୍ପତ୍ତିକୁ ପାଲଟାଇ ଏ ରାୟ ଦେଇଛନ୍ତି । ଲିକ୍ୱିଡେଶନ୍ର ଅର୍ଥ ହେଉଛି କୌଣସି କମ୍ପାନିର ପରିସମ୍ପତ୍ତିଗୁଡ଼ିକୁ ଜବତ କରି ଏଥିରୁ ମିଳିବାକୁ ଥିବା ଅର୍ଥକୁ ବ୍ୟବହାର କରି କମ୍ପାନିର ଋଣ ଏବଂ ଅନ୍ୟାନ୍ୟ ବକେୟାଗୁଡ଼ିକୁ ପରିଶୋଧ କରିବା । ପ୍ରକାଶଯୋଗ୍ୟ, ବର୍ଦ୍ଧିତ ଆର୍ଥିକ ସମସ୍ୟାଗୁଡ଼ିକ ମଧ୍ୟରେ ୨୦୧୯ ଏପ୍ରିଲ ୧୭ରେ ଜେଟ୍ ଏୟାର୍ୱେଜ୍କୁ ବନ୍ଦ କରିଦିଆଯାଇଥିଲା । ଉକ୍ତ ସମୟରେ ଏୟାର୍ଲାଇନ୍ସ ଉପରେ ଅନେକ ବ୍ୟାଙ୍କଗୁଡ଼ିକର ମୋଟ ୪,୭୮୩ କୋଟି ଟଙ୍କା ବକେୟା ରହିଥିଲା । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏୟାର୍ଲାଇନ୍ସକୁ ସର୍ବାଧିକ ଋଣ ପ୍ରଦାନ କରିଥିଲା ।
ଫୋନ୍ପେ’ ବୋର୍ଡରୁବିନି ବଂଶଲଙ୍କ ଇସ୍ତଫା
ପ୍ରମୁଖ ଇ-କମର୍ସ କମ୍ପାନି ଫ୍ଲିପ୍କାର୍ଟର ପେମେଣ୍ଟ କମ୍ପାନି ଫୋନ୍ ପେ’ର ବୋର୍ଡରୁ ସହ-ପ୍ରତିଷ୍ଠାତା ବିନି ବଂଶଲ ଏ ବର୍ଷ ଇସ୍ତଫା ଦେଇଛନ୍ତି । ଫ୍ଲିପ୍କାର୍ଟ ବୋର୍ଡରୁ ହଟିବାର ପ୍ରାୟ ୧୦ ମାସ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ବିନି ବଂଶଲ ଏ ବର୍ଷ ଜାନୁଆରୀରେ ନିଜର ନୂଆ କମ୍ପାନି ଓପ୍ପଡୋରକୁ ଆରମ୍ଭ କରିବା ପରେ ଫ୍ଲିପ୍କାର୍ଟ ଛାଡ଼ିଦେଇଥିଲେ । ୨୦୧୬ରୁ ସେ ଫୋନ୍ପେ’ ବୋର୍ଡରେ ଥିଲେ, ଯେତେବେଳେ ଫ୍ଲିପ୍କାର୍ଟ ଗ୍ରୁପ୍ ପେମେଣ୍ଟ୍ସ କମ୍ପାନିକୁ ଅଧିଗ୍ରହଣ କରିଥିଲା ।
ଇସ୍ତଫା ଦେଲେ ପେଟିଏମ୍ ସିପିଓ
ପେଟିଏମ୍ର ଚିଫ୍ ପ୍ରଡକ୍ଟ ଅଫିସର ଶ୍ରେୟସ୍ ଶ୍ରୀନିବାସନ ଏ ବର୍ଷ କମ୍ପାନି ଏବଂ ଏହାର ଟିକେଟିଂ ପ୍ଲାଟ୍ଫର୍ମ ଇନ୍ସାଇଡର ଡଟ୍ ଇନ୍ରୁ ଇସ୍ତଫା ଦେଇଛନ୍ତି । ୨୦୨୪ ଅଗଷ୍ଟରେ ପେଟିଏମ୍ର ଟିକେଟିଂ ବ୍ୟବସାୟକୁ ଜୋମାଟୋକୁ ବିକ୍ରି କରାଯିବା ପରେ ଶ୍ରୀନିବାସନ ଏହି ଚରମ ନିଷ୍ପତ୍ତି ନେଇଛନ୍ତି ।
ପାର୍ବଣରେ ବମ୍ପର ଗାଡ଼ି ବିକ୍ରି
ଚଳିତବର୍ଷ ପାର୍ବଣ ଋତୁରେ ଗାଡ଼ି ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଦେଶରେ ନବରାତ୍ରି ଆରମ୍ଭରୁ ଧନତେରସ୍ ଶେଷ ହେବାର ୧୫ ଦିନ ପର୍ଯ୍ୟନ୍ତ ଗାଡ଼ି ବିକ୍ରିରେ ବଡ଼ ବୃଦ୍ଧି ଦେଖାଦେଇଥିଲା । ୪୨ ଦିନର ଏହି ଅବଧିରେ ପାଖାପାଖି ୪୩ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା । ଗତବର୍ଷର ଏହି ପାର୍ବଣ ଅବଧିରେ ଗାଡ଼ି ବିକ୍ରି ସଂଖ୍ୟା ୩୮.୮୭ ଲକ୍ଷ ରହିଥିଲା । ଗତବର୍ଷ ପାର୍ବଣ ତୁଳନାରେ ଚଳିତବର୍ଷ ପାର୍ବଣରେ ଗାଡ଼ି ବିକ୍ରିରେ ୧୧.୭୬% ବୃଦ୍ଧି ଘଟିଛି । ବିଶେଷକରି ଦୁଇ ଚକିଆ ଯାନ ବିକ୍ରି ଭଲ ରହିଛି । ଏହି ସମୟ ମଧ୍ୟରେ ଦେଶରେ ୩୩.୧୧ ଲକ୍ଷ ୟୁନିଟ୍ ଦୁଇଚକିଆ ଯାନ ବିକ୍ରି ହୋଇଛି । ଗ୍ରାମାଞ୍ଚଳରେ ଦେଖାଦେଇଥିବା ଚାହିଦା ଦ୍ୱାରା ଏହା ସମ୍ଭବ ହୋଇଛି । ପାସେଞ୍ଜର ଯାନ ବିକ୍ରିରେ ୭.୧୦% ବୃଦ୍ଧି ଘଟି ୬.୦୩ ଲକ୍ଷ ୟୁନିଟ୍ରେ ପହଞ୍ଚିଛି । ଉକ୍ତ ୪୨ ଦିନର ଅବଧିରେ ଦେଶରେ ୪୫ ଲକ୍ଷ ଗାଡ଼ି ବିକ୍ରି କରିବାକୁ ଫାଡା( ଅଟୋମୋବାଇଲ ଡିଲର ମହାସଂଘ) ଲକ୍ଷ୍ୟ ରଖିଥିଲା । ତେବେ ଏହି ସମୟରେ ମୋଟ ୪୨ ଲକ୍ଷ ୮୮ ହଜାର ୨୪୮ଟି ଗାଡ଼ି ବିକ୍ରି ହୋଇଛି । ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁ ଓ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଏବଂ ଓଡ଼ିଶା ବାତ୍ୟା ଦାନା ଆଦି ନ ହୋଇଥିଲେ ଦେଶରେ ଗାଡ଼ି ବିକ୍ରି ୪୫ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି ଫାଡା ପକ୍ଷରୁ କୁହାଯାଇଥିଲା ।
ଆଇଫୋନ୍ ଉତ୍ପାଦନରେ ରେକର୍ଡ
ମେକ୍ ଇନ୍ ଇଣ୍ଡିଆ ଅଭିଯାନର ସୁଫଳ ଭାରତକୁ ମିଳିଛି । ଭାରତ ସରକାରଙ୍କ ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମ୍ ଯୋଗୁ ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଆଇଫୋନ୍ ନିର୍ମାତା ଆପଲ୍ । କମ୍ପାନି ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୭ ମାସରେ ୧୦୦୦ କୋଟି ଡଲାର ମୂଲ୍ୟର ଆଇଫୋନ୍ ଉତ୍ପାଦନ ସହିତ ରେକର୍ଡ କରିଛି । ଏହା ଏକ ପ୍ରମୁଖ ମାଇଲଖୁଣ୍ଟ । ଉତ୍ପାଦିତ ଆଇଫୋନ୍ ମଧ୍ୟରୁ ପାଖାପାଖି ୭୦% ରପ୍ତାନି ହୋଇଛି ଏବଂ ୩୦୦ କୋଟି ଡଲାର ମୂଲ୍ୟର ଆଇଫୋନ୍ ଘରୋଇ ବଜାରର ଆବଶ୍ୟକତାକୁ ପୂରଣ କରିଛି । ଭାରତରେ ଆପଲ ପାଇଁ ୨୦୨୪ ଅକ୍ଟୋବର ଏକ ଐତିହାସିକ ମାସ ଥିଲା । ପ୍ରଥମ ଥର ପାଇଁ ଗୋଟିଏ ମାସରେ ଆଇଫୋନ୍ ଉତ୍ପାଦନ ୨୦୦ କୋଟି ଡଲାର ପାର୍ କରିଥିଲା
ନରେଶ ଗୋୟଲଙ୍କୁ ଜାମିନ
ବେଆଇନ ଅର୍ଥ କାରବାର ମାମଲାରେ ଫସିଥିବା ଜେଟ୍ ଏୟାର୍ୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଏ ବର୍ଷ ଚିକିତ୍ସା ଆଧାରରେ ମିଳିଛି ଜାମିନ । ଗୋୟଲ ଚିକିତ୍ସା ଏବଂ ମାନବୀୟ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ । ସେ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ରିଲାଏନ୍ସ ହସ୍ପିଟାଲରେ ଚାଲିଛି । ବେଆଇନ ଅର୍ଥ କାରବାର ମାମଲାରେ ନରେଶଙ୍କୁ ୨୦୨୩ ସେପ୍ଟେମ୍ବର ୧ରେ ଗିରଫ କରାଯାଇଥିଲା । ଗୋୟଲ ୧୯୯୩ରେ ଜେଟ୍ ଏୟାର୍ୱେଜ୍ର ସ୍ଥାପନା କରିଥିଲେ । ୨୬ ବର୍ଷ ପରେ ଆର୍ଥିକ ସମସ୍ୟାଗୁଡ଼ିକ କାରଣରୁ ୨୦୧୯ ଏପ୍ରିଲରେ ଏହି ଏୟାର୍ଲାଇନ୍ସ ବନ୍ଦ ହେଲା । ୨୦୧୯ ମେ’ରେ ଗୋୟଲ ଏୟାର୍ଲାଇନ୍ସର ଅଧ୍ୟକ୍ଷ ପଦ ଛାଡ଼ି ଦେଇଥିଲେ ।
ଆରପାରିରେ ବିବେକ ଦେବରୟ
ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍) ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ବିବେକ ଦେବରାୟ(୬୯)ଙ୍କର ପରଲୋକ ଦେଶ ପାଇଁ ଅତ୍ୟନ୍ତ ଦୁଃଖଦ ଖବର ଥିଲା । ସ୍ଥୂଳ ଅର୍ଥନୀତି, ପବ୍ଲିକ୍ ଫାଇନାନ୍ସ, ଭିତ୍ତିଭୂମି ଆଦି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା । ଆର୍ଥିକ ସଂସ୍କାର ଠାରୁ ଆରମ୍ଭ କରି ଶାସନ ତରିକା ଏବଂ ରେଳବାଇ ଭଳି ବିଷୟବସ୍ତୁ ଉପରେ ସେ ବହୁ ଲେଖା ଲେଖିଛନ୍ତି । ମହାଭାରତ ଏବଂ ବାଲ୍ମୀକି ରାମାୟଣ ଆଦି ପୁରାତନ ସଂସ୍କୃତ ଲେଖାକୁ ଅନୁବାଦ କରି ଆଜିର ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇଛନ୍ତି ।
ଶଶି ରୁଇଆଙ୍କ ପରଲୋକ
ଏ ବର୍ଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏସାର ଗ୍ରୁପ୍ ଅଧ୍ୟକ୍ଷ ତଥା ସହ- ପ୍ରତିଷ୍ଠାତା ଶଶିକାନ୍ତ ରୁଇଆ(୮୧) । ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଶଶିଙ୍କର ମୃତ୍ୟୁ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୫ରେ ମୁମ୍ବାଇଠାରେ ହୋଇଥିଲା । ଆମେରିକାରେ ଚିକିତ୍ସିତ ହେଉଥିବା ଶଶିକାନ୍ତଙ୍କୁ ପ୍ରାୟ ମାସକ ପୂର୍ବେ ଭାରତକୁ ଅଣାଯାଇଥିଲା । ବାପା ନନ୍ଦ କିଶୋର ରୁଇଆଙ୍କ ମାର୍ଗଦର୍ଶନରେ ଶଶିକାନ୍ତ ୧୯୬୫ ମସିହାରେ ବ୍ୟବସାୟ ଆରମ୍ଭ କରିଥିଲେ । ସେ ଓ ତାଙ୍କ ସାନ ଭାଇ ରବି ରୁଇଆ ମିଶି ୧୯୬୯ ମସିହାରେ ଏସାରର ଭିତ୍ତି ପକାଇଥିଲେ । ଚେନ୍ନାଇ ବନ୍ଦରରେ ତରଙ୍ଗରୋଧକ ପ୍ରାଚୀର ନିର୍ମାଣ କାର୍ଯ୍ୟରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା ।