ନୂଆଦିଲ୍ଲୀ, ୩୦/୧୨ : ଉନ୍ନତ ମୌସୁମୀ ଯୋଗୁ ୨୦୨୫ରେ ଖାଦ୍ୟଶସ୍ୟ ଉତ୍ପାଦନରେ ଦେଶ ନୂଆ ରେକର୍ଡ କରିବ । ଏବେ କୃଷି କ୍ଷେତ୍ର ସ୍ଥିତାବସ୍ଥାକୁ ଫେରୁଥିବାରୁ ତୈଳ ବୀଜ ଏବଂ ଡାଲି ଜାତୀୟ ଶସ୍ୟ ଲାଗି କିଛିଟା ଆହ୍ୱାନ ରହିଛି । ୨୦୨୫ରେ ବମ୍ପର ଖରିଫ ଉତ୍ପାଦନ ନେଇ କୃଷି ମନ୍ତ୍ରଣାଳୟ ବେଶ ଆଶାବାଦୀ ରହିଛି । ୨୦୨୪- ୨୫ କୃଷି ବର୍ଷରେ ଜୁନ ୨୦୨୫ ସୁଦ୍ଧା ଦେଶ ମଧ୍ୟରେ ୧୬୪.୭ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ନେଇ ମନ୍ତ୍ରଣାଳୟ ଆକଳନ କରିଛି । ୨୦୨୪ ଡିସେମ୍ବର ମଧ୍ୟଭାଗ ସୁଦ୍ଧା ଦେଶରେ ୨୯.୩୧ ନିୟୁତ ହେକ୍ଟରରେ ଗହମ ଚାଷ ହୋଇଛି । ସେହିଭଳି ରବି ଫସଲ ହୋଇଥିବା ଏରିଆ ହେଉଛି ୫୫.୮୮ ନିୟୁତ ହେକ୍ଟର । ଉନ୍ନତ ମୌସୁମୀ ଯୋଗୁ ଏଥର ରବି ଫସଲ ଉନ୍ନତ ସ୍ଥିତିରେ ରହିଥିବା କୃଷି ସଚିବ ଦେବେଶ ଚତୁର୍ବେଦୀ କହିଛନ୍ତି ।
ସାରା ବର୍ଷ ଲାଗି କୃଷି କ୍ଷେତ୍ର ଉନ୍ନତ ସ୍ଥିତିରେ ରହିବ ବୋଲି ଆଶା କରାଯାଉଛି । ତେବେ ଫେବ୍ରୁଆରି-ମାର୍ଚ୍ଚ ଆଡକୁ ଝାଞ୍ଜି ପବନ ଗହମ ଉତ୍ପାଦନକୁ କ୍ଷତିଗ୍ରସ୍ତ କରିବା ନେଇ ଆଶଙ୍କା କରାଯାଉଛି । କୃଷି କ୍ଷେତ୍ର ଦୃଢ଼ ଭାବେ ସ୍ଥିତାବସ୍ଥାକୁ ଫେରୁଛି । ୨୦୨୪-୨୫ରେ ଏହା ୩.୫%ରୁ ୪% ବୃଦ୍ଧି ହେବା ନେଇ ଆଶା କରାଯାଉଛି । ଏହା ପୂର୍ବ ଅବଧିରେ ୧.୪% ବୃଦ୍ଧି ହୋଇଥିଲା । କୃଷି ଅର୍ଥନୀତିଜ୍ଞ ଏସ୍ ମହେନ୍ଦ୍ର ଦେବ କହିଛନ୍ତି, ଉନ୍ନତ ମୌସୁମୀ କେବଳ କୃଷି କ୍ଷେତ୍ର ପାଇଁ ନୁହେଁ ଏହା ଗ୍ରାମୀଣ ଚାହିଦା କ୍ଷେତ୍ରରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ । ଏହା ଦ୍ୱାରା ଗ୍ରାମୀଣ ଚାହିଦା ଦୃଢ଼ ହେବ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ବିଭିନ୍ନ ପ୍ରାନ୍ତ ଗୁଡିକରେ ବନ୍ୟା ଓ ମରୁଡି ଦ୍ୱାରା ଶସ୍ୟ କ୍ଷେତ୍ର ପ୍ରଭାବିତ ହୋଇଥିଲା । ଏହା ସତ୍ତେ୍ୱ ମଧ୍ୟ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଦୃଢ଼ତା ଦେଖାଉଛି ।
ସେହିଭଳି ଜଳବାୟୁରେ ପରିବର୍ତ୍ତନ କେତେକ ପ୍ରାନ୍ତରେ ପିଆଜ ଏବଂ ଟମାଟୋ ଉତ୍ପାଦନକୁ କ୍ଷତିଗ୍ରସ୍ତ କରିବ । କେନ୍ଦ୍ର ସରକାର ଡାଲିଜାତୀୟ ଏବଂ ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ରହିଥିବା ଆହ୍ୱାନକୁ ନଜରରେ ରଖି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ନ୍ୟାଶନାଲ ମିଶନ ଅନ୍ ଏଡିବଲ ଅଏଲ୍ସ-ଅଏଲ ସିଡ୍ସ (ଏନ୍ଏମ୍ଇଓ-୨୦୨୫) ଘୋଷଣା କରିଛନ୍ତି । ଏହି କ୍ଷେତ୍ର ଲାଗି ୧୦,୧୦୩ କୋଟିର ବଜେଟ ସହାୟତା ପ୍ରଦାନ କରାଯିବ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆମଦାନି ନିର୍ଭରତା କମାଇବା ଉପରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏ କ୍ଷେତ୍ରରେ ସହାୟକ ମ-ୂଲ୍ୟର ବୃଦ୍ଧି ମଧ୍ୟ କରାଯିବ । ଏବେ ଦେଶର ଉଦ୍ୟାନ କୃଷି ଉଲ୍ଲେଖନୀୟ ଅଭିବୃଦ୍ଧି କରୁଛି । ଦେଶରେ ଫଳ ଓ ପନିପରିବା ଉତ୍ପାଦନ ବେଶ ଉନ୍ନତ ସ୍ତରରେ ରହିଛି । ଉନ୍ନତ କୃଷି ପଦ୍ଧତି ଏବଂ ଟେକ୍ନୋଲୋଜିର ବ୍ୟବହାର କୃଷି କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେଉଛି । ଏ ଦିଗରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ ହେଉଛି।
ଟେକ୍ନୋଲୋଜିର ଗ୍ରହଣୀୟତା, ଡ୍ରୋନ ବ୍ୟବହାର, ଏଆଇ ଭିତ୍ତିକ ଟୁଲର ବ୍ୟବହାର ପୂର୍ବାପେକ୍ଷା ବଢ଼ିଛି । ଏହା କୃଷି କ୍ଷେତ୍ର ଉତ୍ପାଦନ ବଢ଼ାଇବାରେ ବିଶେଷ ଯୋଗଦାନ ଦେଉଥିବା ୟୁପିଏଲ୍ ସଷ୍ଟେନେବୁଲ ଏଗ୍ରି ସଲ୍ୟୁଶନର ସିଇଓ ଆଶିଷ ଡୋଭାଲ କହିଛନ୍ତି । ଏ କ୍ଷେତ୍ରରେ ସରକାରଙ୍କ ପିଏମ୍ କିଶାନ କାର୍ଯ୍ୟକ୍ରମ ମଧ୍ୟ ଲାଭକାରୀ ସାବ୍ୟସ୍ତ ହୋଇଛି । ୨୦୧୮ ପରଠାରୁ ୧୧ କୋଟି କୃଷକଙ୍କୁ ସରକାର ୩.୪୬ ଲକ୍ଷ କୋଟିର ସହାୟତା ଯୋଗାଇ ଦେଇଛନ୍ତି । ୨୦୨୪ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୭ ନୂଆ କୃଷି ଯୋଜନା ଲାଗି ମିଳିତ ଭାବେ ୧୩,୯୬୬ କୋଟିର ବ୍ୟୟ ବରାଦ କରିଛନ୍ତି । ଏଗୁଡିକ ୨୦୨୫ରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରି ହେବ । ଏଥିରେ ଡିଜିଟାଲ ରୁପାନ୍ତରଣ, ଶସ୍ୟ ବିଜ୍ଞାନ, ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ପ୍ରାକୃତିକ ସମ୍ବଳର ପରିଚାଳନା ଉପରେ ପ୍ରାଥମିକତା ଦିଆଯିବ । ତେବେ ଏବେ ପଞ୍ଜାବ ଏବଂ ହରିଆଣାରେ କୃଷକ ମାନେ ଏମ୍ଏସ୍ପି ଗ୍ୟାରେଣ୍ଟି ନେଇ ଆନ୍ଦୋଳନ କରୁଛନ୍ତି । ପିଏମ୍ କିଶାନ ସହାୟତା ରାଶିକୁ ୧୨ ହଜାରକୁ ବୃଦ୍ଧି କରିବାକୁ ସଂସଦୀୟ କମିଟି ପରାମର୍ଶ ଦେଇଛି । ସେହିଭଳି ସାର୍ବଜନୀନ ଫସଲ ବୀମା ଆଣିବାକୁ ମଧ୍ୟ କୁହାଯାଉଛି । ଏବେ ଦେଶରେ କୃଷକ ଉତ୍ପାଦକ ସଙ୍ଗଠନ ସଂଖ୍ୟା ୯୨୦୪ ଛୁଇଁଛି । ସେହିଭଳି ଫସଲ ବୀମାକୁ ଆହୁରି ଆକର୍ଷଣୀୟ କରିବା ଲକ୍ଷ୍ୟ ରହିଛି ।