ନୂଆଦିଲ୍ଲୀ, ୩୦/୧୨ : ଏବେ ଘରୋଇ ବିନିର୍ମାଣ କ୍ଷେତ୍ରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ଏ କ୍ଷେତ୍ରରେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନା କାର୍ଯ୍ୟକାରୀ ହେଉଛି । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ବିଭିନ୍ନ କମ୍ପାନି ଘରୋଇ ବଜାରକୁ ନିଜର ଉତ୍ପାଦନ ବେସ୍ କରିବାକୁ ଆଗଭର ହେଉଛନ୍ତି । ଏଭଳି ସ୍ଥିତିରେ ଆଗାମୀ ୩ ବର୍ଷରେ ଏହି କ୍ଷେତ୍ର ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି । ୨୦୧୭ ବେଳକୁ ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ୧୨ ନିୟୁତ ନିଯୁକ୍ତି ଯୋଡ଼ିବ ବୋଲି ଆକଳନ କରାଯାଇଛି । ଟିମ୍ ଲିଜ ଡିଗ୍ରୀ ଆପ୍ରେଣ୍ଟିସିପ୍ ରିପୋର୍ଟ ମୁତାବକ, ଏହା ମଧ୍ୟରେ ୧୦ ଲକ୍ଷ ଇଞ୍ଜିନିୟର, ୨୦ ଲକ୍ଷ ଆଇଟିଆଇ ପ୍ରଫେସନାଲ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଏବଂ ଡାଟା ସାଇନ୍ସ ଭଳି କ୍ଷେତ୍ରରେ ୨୦ ହଜାର ଦକ୍ଷ ପ୍ରଫେସନାଲ ସାମିଲ ରହିବେ।
ସେହିଭଳି ଅଣ ଟେକ୍ନିକାଲ ବର୍ଗରେ ୯ ନିୟୁତ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହି କ୍ଷେତ୍ର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାର ଢ଼େର ସମ୍ଭାବନା ରଖୁଛି । ୨୦୩୦ ବେଳକୁ ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ୫୦୦ ବିଲିୟନ ଡଲାରର ଉତ୍ପାଦନ ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗାମୀ ୫ ବର୍ଷରେ ୫ ଗୁଣ ଅଭିବୃଦ୍ଧି କରିବାକୁ ହେବ । ୪୦୦ ବିଲିୟନ ଡଲାରର ଉତ୍ପାଦନ ତାରତମ୍ୟ ଦୂର କରିବାକୁ ହେବ । ଏବେ ଘରୋଇ ବଜାର ୧୦୧ ବିଲିୟନ ଡଲାର ଉତ୍ପାଦନ ସ୍ତର ହାସଲ କରିଛି । ଏହା ମଧ୍ୟରେ ମୋବାଇଲ ଫୋନର ଅଂଶ ୪୩% ରହିଛି । ଏହାବାଦ ଖାଉଟି ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଇଲେକଟ୍ରୋନିକ୍ସ ୧୨% ଲେଖାଏଁ ଯୋଗଦାନ ଦେଉଛି । ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶର ଅଂଶ ରହିଛି ୧୧% । ଏହାବାଦ ଅଟୋମୋବାଇଲ ଇଲେକଟ୍ରୋନିକ୍ସ ୮%, ଏଲ୍ଇଡି ଲାଇଟ ୩%, ୱେରେବଲ, ହିୟରେବଲ ୩% ଏବଂ ପିସିବିଏର ଅଂଶ ୧% ରହିଛି । ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ବିଶ୍ୱ ବଜାରକୁ ୩% ଯୋଗଦାନ ଦେଉଛି । ଗତ ଆର୍ôଥକବର୍ଷ ଦେଶର ମୋଟ ମର୍ଚ୍ଚାଣ୍ଡାଇଜ ରପ୍ତାନିରେ ଏହାର ଅଂଶ ଥିଲା ୫.୩% ।
ଏଭଳି ସ୍ଥିତିରେ ଯୁବବର୍ଗଙ୍କୁ ଭବିଷ୍ୟ ଶ୍ରମଶକ୍ତି ଭାବେ ଗଢ଼ି ତୋଳିବା ଲାଗି ଆପ୍ରେଣ୍ଟିସିପ, ରିସ୍କିଲ, ଅପ୍ ସ୍କିଲ କରିବାର ଆବଶ୍ୟକତା ରହିଛି ବୋଲି ଟିମ୍ ଲିଜ୍ ମୁଖ୍ୟ ଷ୍ଟ୍ରାଟେଜି ଅଫିସର ସୁମିତ କୁମାର କହିଛନ୍ତି । ଦକ୍ଷତା ବିକାଶ ଇକୋସିଷ୍ଟମକୁ ଦୃଢ଼ୀକରଣ ଲୋଡ଼ା ରହିଛି । ଦେଶର ଆଇଟିଆଇଗୁଡ଼ିକ ୫୧% ଉପସ୍ଥାନ ସହ ପରିଚାଳିତ ହେଉଛି । ନିଯୁକ୍ତିଦାତା ଏବଂ ଶିଳ୍ପ କ୍ଷେତ୍ର ନିଜସ୍ୱ ତାଲିମ କେନ୍ଦ୍ର ସ୍ଥାପନ କରି ଏହି ଧାରାକୁ ଦୃଢ଼ କରିପାରିବେ । କାର୍ଯ୍ୟ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଡିଗ୍ରୀ ଆପ୍ରେଣ୍ଟିସିପ୍ ଏ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ । ମେକ୍ ଇନ୍ ଇଣ୍ଡିଆ, ନ୍ୟାସ୍ନାଲ ଇଲେକ୍ଟ୍ରୋନିକ୍ସ ପଲିସି ଏବଂ ଡିଜିଟାଲ ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେଉଥିବା ଟିମ୍ ଲିଜ ସିଇଓ ଏଆର୍ ରମେଶ କହିଛନ୍ତି ।