ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

୨୪୦୦୦ ଟନ୍‌ ସୁନାର ମାଲିକାଣୀ ଭାରତୀୟ ମହିଳା, ୫ ଶୀର୍ଷ ଦେଶର ମିଳିତ ସୁନା ଭଣ୍ଡାରଠୁ ଅଧିକ...

Published By : Prameya | December 31, 2024 8:49 AM

ନୂଆଦିଲ୍ଲୀ,୩୧/୧୨: ୨୪୦ ଲକ୍ଷ କେଜି, ଅର୍ଥାତ ୨୪ ହଜାର ଟନ୍‌ ସୁନା ରଖିଛନ୍ତି  ଆମ ଦେଶର ମହିଳା । ବିଶ୍ୱରେ ଏବେ ସମୁଦାୟ ଯେତିକି ସୁନା ଅଛି ତା’ର ୧୧ ପ୍ରତିଶତର ମାଲିକ ହେଲେ ଭାରତୀୟ ମହିଳା ।  

ୱାର୍ଲଡ ଗୋଲ୍‌ଡ କାଉନ୍‌ସିଲ୍‌(ଡବ୍ଲ୍ୟୁଜିସି) ର ରିପୋର୍ଟ ମୁତାବକ,ଏହାର ମୂଲ୍ୟ ବର୍ତ୍ତମାନ  ଦରରେ ହେବ ପ୍ରାୟ ୧୭୩ ଲକ୍ଷ କୋଟି ଟଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ସୁନା  ଭଣ୍ଡାର ତୁଳନାରେ ଏହା ୨୭ ଗୁଣା ଅଧିକ ।  ମହିଳାଙ୍କ ପାଖରେ ଥିବା ସୁନାରେ ଦେଶର ସବୁ  ଖର୍ଚ୍ଚ ଚାରି ପାଞ୍ଚ ବର୍ଷ ଚଳିଯିବ ।  

ଆମ ମହିଳାଙ୍କ ସୁନା ମୋହ ଏମିତି ।  ଭାରତରେ ସମ୍ପତ୍ତି ଏବଂ ସମୃଦ୍ଧିର ପ୍ରତୀକ ସୁନା ।  ସୁନା ପ୍ରତି ଭାରତୀୟ ମହିଳାଙ୍କ ମୋହ କେଉଁ  କାଳରୁ ରହିଆସିଛି । ଛୋଟ ଉତ୍ସବଟିଏ ହେଉ ଅବା  ବିବାହ କାର୍ଯ୍ୟକ୍ରମ, ସୁନା ବଖାଣିଥାଏ ଆଭିଜାତ୍ୟ ।  

ଏହି ପରମ୍ପରା ଓ ଆଭିଜାତ୍ୟ ମଧ୍ୟରେ  ଭାରତୀୟ ମହିଳାମାନେ ବନିଯାଇଛନ୍ତି ଶହ  ଶହ ଲକ୍ଷ କୋଟିର ମାଲିକାଣୀ । ତଥାପି ଆମେ ଗରିବ। ଘରେ ସାଧାରଣ ଚଳିବା ଜିନିଷ ନ  ଥିଲେ ବି ସୁନା ମିଳିଯିବ । ଏ ସୁନା କେବେ ବ୍ୟବହାରରେ ଲାଗେ ନାହିଁ । ଅଳଙ୍କାର ଭାବେ ବ୍ୟବହାର କରାଯାଏ କିମ୍ବା ସିନ୍ଦୁକରେ ରହେ ।  

ଯଦି ଏହି ସୁନାକୁ ଟ୍ରକ୍‌ରେ ବୋହିକରି  ନିଆଯାଏ ତା’ହେଲେ ଏଥିପାଇଁ ୨୪୦୦ ଟ୍ରକ୍‌ ଲୋଡ଼ା ପଡ଼ିବ । ରୋଚକ କଥା ହେଲା, ଭାରତୀୟ ମହିଳାମାନଙ୍କ ପାଖରେ ଥିବା ମୋଟ ସୁନା ବିଶ୍ୱର  ଶୀର୍ଷ ୫ ଦେଶର ମିଳିତ ସୁନା ଭଣ୍ଡାରଠାରୁ ଅଧିକ।  

ପ୍ରତିବର୍ଷ ଗୁଣାତ୍ମକ ହାରରେ ବଢ଼ୁଛି  ମହିଳାଙ୍କ ସୁନା ଭଣ୍ଡାର । ରିପୋର୍ଟ କହୁଛି  ୨୦୨୦-୨୧ରେ ଭାରତୀୟ ମହିଳାଙ୍କ ପାଖରେ ଥିଲା ୨୧ ହଜାର ଟନ୍‌ ସୁନା । ଗତ ୩ ବର୍ଷ  ଭିତରେ ୩ ହଜାର ଟନ୍‌ ସୁନା କିଣିଛନ୍ତି । ଅର୍ଥାତ ବର୍ଷକୁ ହଜାରେ ଟନ୍‌ ସୁନା ଯୋଡ଼ୁଛନ୍ତି ନିଜ ଅଳଙ୍କାର ପେଡ଼ିରେ । 

ଆମେରିକା ପାଖରେ ୮,୦୦୦ ଟନ୍‌ ସୁନା  ଥିବାବେଳେ ଜର୍ମାନୀ ପାଖରେ ୩,୩୦୦ ଟନ୍‌,  ଇଟାଲୀ ପାଖରେ ୨,୪୫୦ ଟନ ଫ୍ରାନ୍ସ ପାଖରେ ୨୪୦୦ ଟନ୍‌ ଏବଂ ରୁଷ ପାଖରେ ୧୯୦୦ ଟନ୍‌ ସୁନା ଅଛି । ଏହାର ଅର୍ଥ ଏସବୁ ଦେଶର ସୁନା ଭଣ୍ଡାରଗୁଡ଼ିକୁ ଯଦି ମିଶାଇ ଦିଆଯାଏ  ତେବେ ଭାରତୀୟ ମହିଳାମାନଙ୍କ ପାଖରେ ଥିବା ସୁନାଠାରୁ ଏହା କମ୍‌ ହେବ । 

ଘରେ ପଡ଼ି ରହିଥିବା ଏହି ସୁନାକୁ ଯଦି ଦେଶର ଆର୍ଥିକ ବ୍ୟବସ୍ଥାକୁ  ଅଣାଯାଏ ତା’ହେଲେ ଅର୍ଥନୀତି କ୍ଷୀପ୍ର ବେଗରେ ଦୌଡ଼ିବ । ଏହି ସୁନାକୁ  ଘରୁ ଆର୍ଥିକ ବ୍ୟବସ୍ଥାକୁ ଆଣିବା ପାଇଁ ସରକାର ସଭରେନ୍‌ ଗୋଲ୍‌ଡ  ବଣ୍ଡ୍‌ ସ୍କିମ୍‌ ଆଣିଛନ୍ତି । ଏ ସ୍କିମ୍‌କୁ ନେଇ ମହିଳାଙ୍କ ମଧ୍ୟରେ ସଚେତନତା  ସୃଷ୍ଟି କରାଯିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।  

ଅକ୍ସଫୋର୍ଡ ଗୋଲ୍‌ଡ ଗ୍ରୁପ୍‌ର ଏକ ରିପୋର୍ଟ ଅନୁସାରେ, ଆମେରିକା,  ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌), ସୁଇଜର୍‌ଲାଣ୍ଡ୍‌ ଏବଂ ଜର୍ମାନୀର  ମିଳିତ ଭଣ୍ଡାରଠାରୁ ବି ଭାରତୀୟ ମହିଳାଙ୍କ ସୁନା ପରିମାଣ ଅଧିକ ।  

ସୁନାର ମାଲିକାନା କଥା ଯଦି ବିଚାରକୁ ନେବା ତା’ହେଲେ ଦକ୍ଷିଣ ଭାରତର  ମହିଳାମାନେ ସବା ଆଗରେ ରହିଛନ୍ତି । ଦକ୍ଷିଣ ଭାରତରେ ଦେଶର ମୋଟ  ସୁନାର ୪୦% ଅଂଶ ରହିଛି । ଏଥିରେ କେବଳ ତାମିଲନାଡୁର ଭାଗ ୨୮% ।  

ଭାରତୀୟ ଆଇନ ଅନୁସାରେ, ଜଣେ ବିବାହିତା ମହିଳା ବିନା କୌଣସି  ଟିକସ ପୈଠ କରି ପାଖରେ ୫୦୦ ଗ୍ରାମ ସୁନା ରଖିପାରିବେ । ଅବିବାହିତା ମହିଳା  ୨୫୦ ଗ୍ରାମ ଏବଂ ପୁରୁଷ କେବଳ ୧୦୦ ଗ୍ରାମ ସୁନା ପାଖରେ ରଖିପାରିବେ ।  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତ କିଛି ମାସ  ହେବ ଲଗାତର ସୁନା କିଣୁଛି। ଆର୍‌ବିଆଇର ମୋଟ ବୈଦେଶିକ  ମୁଦ୍ରା ଭଣ୍ଡାରରେ ସୁନା ଅଂଶ ବଢ଼ି ୧୦.୨% ପର୍ଯ୍ୟନ୍ତ ପହଞ୍ଚିଯାଇଛି । 

କେନ୍ଦ୍ରୀୟ ବ୍ୟାଙ୍କର ନୂଆ ରିପୋର୍ଟ ଅନୁସାରେ, ନଭେମ୍ବର ଶେଷ ସୁଦ୍ଧା ଦେଶର  ସୁନା ଭଣ୍ଡାର ବଢ଼ି ୮୭୬.୧୮ ଟନ୍‌ ହୋଇଛି । ଏହା ପୂର୍ବ ବର୍ଷ ତୁଳନାରେ ୯% ଅଧିକ ।  ୨୦୨୩ ଡିସେମ୍ବର ୧ରେ ଦେଶର ସୁନା ଭଣ୍ଡାରର ଆକାର ୮୦୩.୫୮ ଟନ୍‌ ଥିଲା ।  

ବିଶେଷଜ୍ଞଙ୍କ ଅନୁସାରେ, ବର୍ଦ୍ଧିତ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ ଭଳି ବିକାଶଶୀଳ ଦେଶ ନିଜର ସୁନା ଭଣ୍ଡାର ବଢ଼ାଇଚାଲିଛି । ବିତ୍ତୀୟ ସଂକଟ ବେଳେ ଦେଶର ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ସୁନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । 

ଉଲ୍ଲେଖଯୋଗ୍ୟ, ବିଗତ କିଛି ବର୍ଷରେ ସୁନା ଦରରେ ବଡ଼ ଆକାରରେ ବୃଦ୍ଧି ଘଟିଛି । ତଗ୍‌ଡା ରିଟର୍ଣ୍ଣ ଦେଇଛି ହଳଦିଆ ଧାତୁ । ୧୦ ବର୍ଷ ତଳେ ଅର୍ଥାତ୍‌ ୨୦୧୪ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ଥିଲା ୨୮,୦୦୦ ଟଙ୍କା । ବର୍ତ୍ତମାନ ଏହା ୭୮,୦୦୦  ଟଙ୍କାରେ ପହଞ୍ଚିଛି । ଅର୍ଥାତ୍‌ ୧୦ ବର୍ଷରେ ପ୍ରାୟ ୩ ଗୁଣା ମହଙ୍ଗା ହୋଇଛି ସୁନା ।


  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.