ନୂଆଦିଲ୍ଲୀ: ଖଲିସ୍ତାନ ସମର୍ଥକ ସଂଗଠନ ‘ଓ୍ବାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଏବଂ ସ୍ବାଧୀନ ସାଂସଦ ଅମୃତପାଲ ସିଂହଙ୍କ ବାପା ତାରସେମ୍ ସିଂହ ନୂଆ ରାଜନୈତିକ ଦଳ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଜାନୁଆରୀ ୧୪ରେ ନୂଆ ଦଳ ନେଇ ଘୋଷଣା କରିବେ ତାରସେମ୍ । ଜାନୁଆରୀ ୧୪ରେ ମାଘି ଅବସରରେ ଦଳ ଲଞ୍ଚ କରିବେ ବୋଲି ସେ ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଏନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରିବେ ଏବଂ ଏହି କମିଟି ନୂଆ ଦଳ ଓ ତାର କାର୍ଯ୍ୟପନ୍ଥା ସ୍ଥିର କରିବ ।
ଏହା ସହ ସେ ପଞ୍ଜାବର ଲୋକମାନଙ୍କୁ ଦଳକୁ ସମର୍ଥନ କରିବାକୁ ଅପିଲ୍ ମଧ୍ୟ କରିଛନ୍ତି । ରାଜ୍ୟରେ ଡ୍ରଗ୍ସ କାରବାର, ଚାଷୀ ସମସ୍ୟା ଏବଂ ଧର୍ମାନ୍ତରୀକରଣ ବିରୋଧରେ ଲଢ଼େଇ କରିବାକୁ ସମ୍ଭାବ୍ୟ ନୂଆ ଦଳ ଲାଗି ସମର୍ଥନ ମାଗିଛନ୍ତି ତାରସେମ୍ ସିଂହ । ତାରସେମ୍ଙ୍କ ପୁଅ ଅମୃତପାଲ୍ ସିଂହ ଜଣେ ଖଲିସ୍ତାନୀ ଆତଙ୍କବାଦୀ ବୋଲି କୁହାଯାଏ । ସେ ଆସାମର ଦିବ୍ରୁଗଡ଼ ଜେଲରେ ରହିବା ସତ୍ତ୍ବେ ୨୦୨୪ ଲୋକସଭା ନିର୍ବାଚନରେ ପଞ୍ଜାବର ଖଦୁର ସାହିବ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ସେ ଜେଲରୁ ମୁକୁଳି ପାରିନାହାନ୍ତି । ୨୦୨୨ରେ ପଞ୍ଜାବ ଫେରିବା ପୂର୍ବରୁ ଅମୃତପାଲ ସିଂହ ଦୁବାଇରେ ରହୁଥିଲେ । ଫେରିବା ପରେ ଦୀପ ସିଦ୍ଧୁଙ୍କ ଖଲିସ୍ତାନୀ ସମର୍ଥକ ସଂଗଠନ ‘ଓ୍ବାରିସ ଦେ ପଞ୍ଜାବ’ର ମୁଖ୍ୟ ହୋଇଥିଲେ । ୨୩ ଫେବୃଆରୀ ୨୦୨୩ରେ ନିଜର ଜଣେ ସହଯୋଗୀଙ୍କୁ ମୁକ୍ତ କରିବା ଲାଗି ଅମୃତପାଲ ଏବଂ ତାଙ୍କର ସମର୍ଥକମାନେ ଅଜନାଲା ପୋଲିସ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏହି ମାମଲାରେ ତାଙ୍କୁ ମୋଗାର ରୋଡ୍ ଗାଁରୁ ପୋଲିସ ଗିରଫ କରିଥିଲା । ଜେଲରେ ରହିବା ସତ୍ତ୍ବେ ନିକଟ ଅତୀତରେ ସଂପନ୍ନ ହୋଇଥିବା ୨୦୨୪ ଲୋକସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ୪ ଦିନ ପାରୋଲରେ ଆସି ଦିଲ୍ଲୀରେ ସାଂସଦ ଭାବରେ ଶପଥ ନେଇଥିଲେ ଅମୃତପାଲ ସିଂହ ।