ନୂଆଦିଲ୍ଲୀ: ଗୁଜରାଟର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପାଖରେ ଥିବା ଜଙ୍ଗଲ ସଫାରୀ ପାର୍କରେ ଅଜବ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘ ଗୋଟିଏ କୃଷ୍ଣସାର ମୃଗ ଶିକାର କରିଥିବା ବେଳେ ୭ଟି ମୃଗ ଭୟରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ଜାନୁଆରୀ ୧ର ବୋଲି କୁହାଯାଉଛି । ସେପଟେ କୃଷ୍ଣସାର ମୃଗଙ୍କ ମୃତ୍ୟୁର ତଥ୍ୟ ଖୋଜିବାକୁ ଏକ ଟିମ୍ ମଧ୍ୟ ଗଠନ ହୋଇଛି ।
ବନ ଅଧିକାରୀଙ୍କ ଅନୁସାରେ, ୨-୩ ବର୍ଷୀୟ କଲରାପତରିଆ ବାଘ ପାର୍କର ତାରବାଡ଼ ଭାଙ୍ଗି ବାହାରକୁ ଚାଲିଆସିଥିଲା ବେଳେ ସଫାରୀ ପାର୍କରେ ପଶିଥିଲା । ଏହି ପାର୍କ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ପାଖରେ ଥିବା ବେଳେ ଏହା ଦେଶବିଦେଶର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ । କେବାଡିଆ ବନ ଖଣ୍ଡ ଅଧିନରେ ଥିବା ଏହି ବନ୍ୟପ୍ରାଣୀ ସଂରକ୍ଷିତ ଜଙ୍ଗଲରେ କଲରପତରିଆ ବାଘଙ୍କ ସଂଖ୍ୟା ମଧ୍ୟ ଖୁବ ଅଧିକ । ବାଘଟି ତାରବାଡ଼ ଭାଙ୍ଗି ତୃଣଭୋଜୀ ପ୍ରାଣୀ ଥିବା ସଫାଳୀ ପାର୍କ ଅଞ୍ଚଳକୁ ପ୍ରବେଶ କରିଥିଲା ।
ସେଠାରେ ବାଘଟି ଗୋଟିଏ କୃଷ୍ଣସାର ମୃଗର ଶିକାର କରି ଖାଇଥିଲା । ଏହା ଦେଖି ସେଠାରେ ଥିବା ସମସ୍ତ ୭ କୃଷ୍ଣସାର ମୃଗ ହଠାତ ପ୍ରାଣ ହରାଇଥିଲେ । ତେବେ ସେମାନେ ଭୟରେ ମରିଯାଇଥିବା କୁହାଯାଉଛି । ମୃତ ମୃଗମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି । ସେପଟେ କେବାଡିଆ ବନ ଖଣ୍ଡ ଦାୟିତ୍ବରେ ଥିବା ଡିସିଏଫ ଅଗ୍ନୀଶ୍ବର ବ୍ୟାସ କହିଛନ୍ତି, ସେଠାରେ କଲରାପତରିଆ ବାଘଙ୍କ ଗତିବିଧି ସାଧାରଣ ହୋଇଥିବା ବେଳେ ପ୍ରଥମ ଥର ଏହି ବାଘ ସଫାରୀ ପାର୍କରେ ପ୍ରବେଶ କରିଛି । ତେବେ ବାଘ ପଶି ଆସିଥିବାରୁ ସଫାରୀ ପାର୍କ ପର୍ଯ୍ୟଟକଙ୍କ ପାଇଁ ୪୮ ଘଣ୍ଟା ବନ୍ଦ ରଖାଯାଇଛି ।