ନୂଆଦିଲ୍ଲୀ,୦୭/୦୧: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ । ୨୦୨୫ର ପ୍ରଥମ ନିର୍ବାଚନ ନେଇ ଘୋଷଣା ହୋଇଛି ସୂଚୀ । ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ ହେବ । ୮ ତାରିଖରେ ମତଦାନ ଗଣନା କରାଯିବା ସହ ଫଳାଫଳ ପ୍ରକାଶ ପାଇବ । ଫେବୃଆରୀ ୨୩ ତାରିଖରେ ସରୁଛି ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ । ଏହାପୂର୍ବରୁ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର । ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଇସି ।
ଆସନ୍ତା ଫେବୃଆରୀ ୫ ତାରିଖରେ ଭୋଟ ଦେବ ଦିଲ୍ଲୀ । ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଆସନ୍ତା ଜାନୁଆରୀ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଜାନୁଆରୀ ୨୦ ତାରିଖ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ । ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ ହେବ। ୮ ତାରିଖରେ ଭୋଟ ଗଣତିି କରାଯିବ । ପୁରା ନିର୍ବାଚନ ପ୍ରକ୍ରିୟା ଫେବୃଆରୀ ୧୦ ତାରିଖ ପୂର୍ବରୁ ଶେଷ ହେବ । ୭୦ ଆସନରେ ଶୃଙ୍ଖଳିତ ଭୋଟିଂ ନେଇ ୧୩ ହଜାର ୩୩ଟି ପୁଲିଂ ଷ୍ଟେସନ ହୋଇଛି । ୨୧୦ଟି ମଡେଲ ଓ ୭୦ଟି ପୁଲିଂ ଷ୍ଟେସନ କରାଯାଇଛି ।
ନିର୍ବାଚନ ଆୟୋଗ ପ୍ରେସମିଟ୍ କରି କହିଛନ୍ତି, ନିର୍ବାଚନ ଆୟୋଗ ଭାବେ ଏହା ମୋର ଶେଷ ପ୍ରେସମିଟ୍ । ଦେଶରେ ମୋଟ ୯୯ କୋଟି ଭୋଟର ରହିଛନ୍ତି । କେବଳ ମହିଳା ଭୋଟରଙ୍କ ସଂଖ୍ୟା ୪୮ କୋଟି । ଭୋଟିଂ ବ୍ୟବସ୍ଥାରେ ଅଧିକ ଯୁବଗୋଷ୍ଠୀଙ୍କୁ ସାମିଲ ହୁଅନ୍ତୁ ଏହା ଆଶା । ଏଥର ଦିଲ୍ଲୀବାସୀ ହୃଦୟରୁ ଭୋଟ ଦେବେ ବୋଲି ଆଶା କରୁଛି । ଇଭିଏମ ଏକ ଫୁଲପ୍ରୁଫ ଡିଭାଇସ୍ । ଏଥିରେ ଭାଇରସ ପଶିବାର କୌଣସି କାରଣ ନାହିଁ । ଇଭିଏମ ହ୍ୟାକ ହେବାର କୌଣସି ସମ୍ଭାବନା ନାହିଁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ପାରଦର୍ଶିତା ଆମର ପ୍ରାଥମିକତା । ସ୍ବଚ୍ଛ ନିର୍ବାଚନକୁ ସର୍ବଦା ପ୍ରାଥମିକତା ଦିଆଯାଇଛି ।
୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନରେ ଆସିଥିବା ଅଭିଯୋଗକୁ ନେଇ ଇସି କହିଛନ୍ତି, ଭୋଟର ତାଲିକାରେ ଭୁଲ ଏଣ୍ଟ୍ରି ଶୁଣି ଦୁଃଖ ଲାଗେ । ଭୋଟଲ ଲିଷ୍ଟରୁ ନାମ ହଟାଇଦେଇଥିବା ପରି ଅଭିଯୋଗ ଆସେ । ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠିଥାଏ । ଇଭିଏମ ଏବଂ ସନ୍ଧ୍ୟାରେ ଭୋଟ ପ୍ରତିଶତ ବଢିବା ଆଦି ଅଭିଯୋଗ ହୋଇଥିଲା । ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ଥିଲା ପ୍ରମାଣ ମିଳି ସାରିଛି । ଏଥିପାଇଁ ଭିନ୍ନ ଭିନ୍ନ ନିର୍ବାଚନରେ ଭିନ୍ନ ଦଳକୁ ସଫଳତା ମିଳିଛି । ଏହି ବିବିଧତା ରେଜଲ୍ଟ ପ୍ରମାଣ କରୁଛି ନିର୍ବାଚନ ପ୍ରକ୍ରିୟା ସ୍ବଚ୍ଛ ଥିଲା । ଭୋଟିଂ ପ୍ରକ୍ରିୟାକୁ ନେଇ ଆସୁଥିବା ସବୁ ପ୍ରଶ୍ନର ଜବାବ ଦେବା ଆମ ଦାୟିତ୍ବ । ଭାରତୀୟ ଭୋଟର ବହୁତ ସଚେତନ ।
ଗୋଟିଏ ଦିନ ପୂର୍ବରୁ କେନ୍ଦ୍ରୀୟ ନିର୍ବାଚନ କମିଶନ ଦିଲ୍ଲୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଥିଲେ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଦିଲ୍ଲୀରେ ମୋଟ ଭୋଟରଙ୍କ ସଂଖ୍ୟା ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ରହିଛି । ସେମାନଙ୍କ ମଧ୍ୟରୁ ୮୩ ଲକ୍ଷ ୪୯ ହଜାର ୬୪୫ ପୁରୁଷ ଓ ୭୧ ଲକ୍ଷ ୭୩ ହଜାର ୯୫୨ ଜଣ ମହିଳା ରହିଛନ୍ତି । ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୧,୨୬୧ । ସେହିଭଳି ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କ ସଂଖ୍ୟା ୫୨ ହଜାର ୫୫୪ ରହିଛି ।
ଦିଲ୍ଲୀରେ ୨୦୨୦ ବିଧାନସଭା ନିର୍ବାଚନ ତୁଳନାରେ ୭.୨୬ ଲକ୍ଷ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ୩.୧୦ ଲକ୍ଷ ଭୋଟରଙ୍କ ସଂଖ୍ୟା ବଢିଥିଲା । ୨୦୨୦ରେ ୧.୪୭ କୋଟି ଭୋଟର ଥିଲେ । ଗତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ୧.୫୨ କୋଟିରୁ ଅଧିକ ଥିଲା ।