ନୂଆଦିଲ୍ଲୀ,୦୮/୦୧/୨୦୨୫: ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ପ୍ରତିଷ୍ଠାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକ ସ୍ମାରକୀ ପ୍ରତିଷ୍ଠା କରିବା ନେଇ ଏକ ଜାଗା ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ଏନେଇ ଏବେ ପ୍ରଣବଙ୍କ ଝିଅ ଶର୍ମିଷ୍ଠା କଂଗ୍ରେସକୁ ସମାଲୋଚନା କରିଛନ୍ତି।
ସୂଚନାଥାଉକି, ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଏକ୍ସରେ ଦେଇଥିବା ବିବୃତ୍ତିରେ ଶର୍ମିଷ୍ଠା ଦାବି କରିଛନ୍ତି ଯେ ଯେତେବେଳେ ତାଙ୍କ ପିତା ତଥା ପୂର୍ବତନ ଭାରତୀୟ ରାଷ୍ଟ୍ରପତି ଅଗଷ୍ଟ ୨୦୨୦ ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ, ସେତେବେଳେ କଂଗ୍ରେସ ନେତୃତ୍ୱାଧିନ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡି) ଦ୍ୱାରା କୌଣସି ସମବେଦନା ବୈଠକ କରାଯାଇନଥିଲା।
ଏପରିକି କଂଗ୍ରେସ ନେତୃତ୍ୱ ତାଙ୍କୁ ଏହି ପ୍ରସଙ୍ଗରେ ବିଭ୍ରାନ୍ତ କରିଥିବା ଶର୍ମିଷ୍ଠା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, କଂଗ୍ରେସର ଜଣେ ବରିଷ୍ଠ ନେତା ତାଙ୍କୁ କହିଥିଲେ ଯେ, ଏହା ଭାରତୀୟ ରାଷ୍ଟ୍ରପତିଙ୍କ ପାଇଁ ନୁହେଁ। କଂଗ୍ରେସ ନେତାଙ୍କ ବିବୃତ୍ତିକୁ ନେଇ ସେ ତର୍କ ବାଢ଼ିଥିଲେ ଯେ, ସେ ତାଙ୍କ ପିତାଙ୍କ ଡାଏରୀରୁ ଜାଣିବାକୁ ପାଇଛନ୍ତି ଯେ, ଅନ୍ୟ ଜଣେ ପୂର୍ବତନ ଭାରତୀୟ ରାଷ୍ଟ୍ରପତି କେ.ଆର ନାରାୟଣନଙ୍କ ଦେହାନ୍ତରେ ଏକ ସିଡବ୍ଳୁସି ବୈଠକ ଡକାଯାଇଥିଲା ଏବଂ ସମବେଦନା ବାର୍ତ୍ତା ଦିଆଯାଇଥିଲା। ଶର୍ମିଷ୍ଣ ମୁଖାର୍ଜୀ ବିଜେପିର ସି ଆର୍ କେଶଭନ୍ଙ୍କ ଏକ ପୋଷ୍ଟକୁ ସୂଚାଇ କହିଛନ୍ତି ଯେ 'ଗାନ୍ଧୀ ପରିବାରର ସଦସ୍ୟ ନ ଥିବାରୁ କଂଗ୍ରେସ ଅନ୍ୟ କୌଣସି ରାଷ୍ଟ୍ରୀୟ ନେତା କିମ୍ବା କର୍ମୀଙ୍କୁ ଅବମାନନା କରୁଛି।'
ଏହି ପ୍ରସଙ୍ଗରେ, ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଡ. ସିଂହଙ୍କ ମିଡିଆ ପରାମର୍ଶଦାତା ତଥା ଫାଇନାନସିଆଲ ଏକ୍ସପ୍ରେସ୍ର ପୂର୍ବତନ ମୁଖ୍ୟ ସମ୍ପାଦକ ଥିବା ଡ. ସଞ୍ଜୟ ବାରୁଙ୍କ ଦ୍ୱାରା ଲିଖିତ 'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର' ପୁସ୍ତକ ର ଏକ ଅଧ୍ୟାୟକୁ ଏକ ରେଫରେନ୍ସ ଭାବେ ଶର୍ମିଷ୍ଠା ଉଲ୍ଲେଖ କରିଛନ୍ତି। ଯେଉଁଥିରେ ଲେଖାଯାଇଥିଲା ଯେ, ୨୦୦୪ ମସିହାରେ ଦେହାନ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପି.ଭି ନରସିଂହ ରାଓଙ୍କ ପାଇଁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଦିଲ୍ଲୀରେ କୌଣସି ସ୍ମାରକ ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରିନଥିଲେ।