ନୂଆଦିଲ୍ଲୀ ୦୮/୦୧: ଖାଇବା ତେଲ, ସାବୁନ, ଚା’, କଫି, ଚକୋଲେଟ ଏବଂ ବିସ୍କୁଟ ଭଳି ଏଫ୍ଏମ୍ସିଜି ସାମଗ୍ରୀ ଦର ୬ ମାସରେ ୨୦% ବୃଦ୍ଧି ହେଲାଣି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରରେ ଏଭଳି ବୃଦ୍ଧି ଯୋଗୁ ଖାଉଟିଙ୍କ ସମସ୍ୟା ବଢ଼ିଛି । ଜାନୁଆରୀ-ମାର୍ଚ୍ଚ ଅବଧିରେ ଏହାର ଦର ୩୦% ଯାଏ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏପ୍ରିଲ ୨୦୨୪ ପରଠୁ ଏବେ ଯାଏ ପାମ୍ ଅଏଲ, ନଡିଆ ତେଲ, ଚା,କଫି, କୋଲା ଭଳି ସାମଗ୍ରୀର କଞ୍ଚାମାଲ ଦର ୩୫-୧୭୫% ଯାଏ ବୃଦ୍ଧି ହୋଇଛି । କ୍ଷତି ଭରଣା କରିବା ଲାଗି କମ୍ପାନିଗୁଡିକ ଏବେ ମୂଲ୍ୟରେ ବୃଦ୍ଧି କରୁଥିବା କୁହାଯାଉଛି ।
ନୁବାମା ଇନଷ୍ଟିଚ୍ୟୁଶନାଲ ଇକ୍ୱିଟର ଏକ ରିପୋର୍ଟ ମୁତାବକ, ଜାନୁଆରୀ ମାର୍ଚ୍ଚରେ ଆଉ କିଛି କମ୍ପାନି ଏଫ୍ଏମ୍ସିଜି ସାମଗ୍ରୀ ଦର ବଢ଼ାଇବେ । ଗତ ୩ ମାସରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ୧୦%ରୁ ଊଦ୍ଧ୍ୱର୍ ମହଙ୍ଗା ହେଲାଣି । ସାବୁନ, ସ୍ନାକ୍ସ ଏବଂ ଚା’ ଭଳି ବର୍ଗରେ କମ୍ପାନିଗୁଡିକୁ ମାର୍ଜିନ ବଢ଼ାଇବା ମୁସ୍କିଲ ହୋଇପଡିଛି । ପାମ୍ ଅଏଲ ଏବଂ ଚା’ ଭଳି ସାମଗ୍ରୀ ଦର ବଢ଼ିବା ଯୋଗୁ କମ୍ପାନିଗୁଡିକର ଉତ୍ପାଦନ ଖର୍ଚ୍ଚ ବଢ଼ିଛି । କମ୍ପାନିଗୁଡିକ କହିବା କଥା ହେଲା ଖର୍ଚ୍ଚକୁ ଭରଣା କରିବା କଷ୍ଟକର ହେଉଛି । କାରଣ ନିର୍ଦ୍ଧିଷ୍ଟ ସୀମା ଯାଏ କମ୍ପାନି ଦାମ ବଢ଼ାଇପାରିବେ । ଅଧିକ ଦର ବଢ଼ାଇଲେ ଏହା ସେମାନଙ୍କ ବିକ୍ରି ଓ ଖାଉଟି ଚାହିଦା ଉପରେ ମଧ୍ୟ ପ୍ରଭାବ ପକାଇବ । ଏଭଳି ସ୍ଥିତିରେ ଜାନୁଆରୀ-ମାର୍ଚ୍ଚରେ କିଛି କମ୍ପାନିର ଆୟ ୫% ଯାଏ ବଢ଼ିପାରେ ।
ରାଜସ୍ୱରେ ଏଭଳି ବୃଦ୍ଧି ବିକ୍ରି ବଢ଼ିବା ଯୋଗୁ ନୁହେଁ ବରଂ ସାମଗ୍ରୀ ଦର ବଢ଼ିବା ଯୋଗୁ ଆସିପାରେ । ଜାପାନର ବ୍ରୋକରେଜ ଫାର୍ମ ନୋମୁରା ମୁତାବକ, ଗତ ୬ ମାସରେ ଏକ ନିର୍ଦ୍ଧିଷ୍ଟ ବ୍ରାଣ୍ଡ୍ର ଖାଇବା ତେଲ ଦର ସର୍ବାଧିକ ୨୦% ବଢ଼ିଛି । ଅକ୍ଟୋବର ଡିସେମ୍ବର ଅବଧିରେ ମଧ୍ୟ କିଛି କମ୍ପାନି ସାମଗ୍ରୀ ଦର ବଢ଼ାଇବା ନେଇ ଆଶଙ୍କା କରାଯାଉଛି । ରିପୋର୍ଟ ମୁତାବକ,ଚା’ ଦରରେ ୨୫ରୁ ୩୦% ବୃଦ୍ଧି ହୋଇପାରେ । ଅକ୍ଟୋବର ଡିସେମ୍ବର ଅବଧିରେ କମ୍ପାନି ଗୁଡିକ ମଧ୍ୟ ଦର ବଢ଼ାଇଥିଲେ । ଏହି ଅବଧିରେ ଚକୋଲେଟ ଦର ୪.୯% ବୃଦ୍ଧି ହୋଇଥିଲା । ନୁବାମା ରିସର୍ଚ୍ଚ ମୁତାବକ, ହିନ୍ଦୁସ୍ତାନ ୟୁନିଲିଭର ଏବଂ ଗୋଦରେଜ ଭଳି କମ୍ପାନି ପର୍ଯ୍ୟାୟ ଭିତ୍ତିରେ ୧୦% ଯାଏ ଦର ବୃଦ୍ଧି କରିଛନ୍ତି । ଅକ୍ଟୋବର ଡିସେମ୍ବରରେ ମଧ୍ୟ ଏହି କମ୍ପାନିଗୁଡିକ ଯଥାକ୍ରମେ ୨% ଏବଂ ୪% ଦରବୃଦ୍ଧି କରିପାରନ୍ତି ।