ଉତ୍ତରପ୍ରଦେଶ ୦୮/୦୧: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଅଜବ ମାମଲା ଖବରର ଶିରୋନାମା ହୋଇଛି । ଏଠାରେ ଜଣେ ୩୬ ବର୍ଷୀୟ ମହିଳା ନିଜର ୬ ସନ୍ତାନ ଓ ପରିବାରକୁ ଛାଡ଼ି ଭିକାରୀ ସହ ଫେରାର ହୋଇଯାଇଛନ୍ତି । ଭିକାରୀର ନାଁ ନହ୍ନେ ପଣ୍ଡିତ । ସେ ନିୟମିତ ମହିଳାଙ୍କ ଘରକୁ ଭିକ ମାଗିବାକୁ ଆସୁଥିଲା ଏବଂ ହାତ ଦେଖି ଭାଗ୍ୟ କହୁଥିଲା । କ୍ରମେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ଧୀରେ ଧୀରେ ଏହା ସମ୍ପର୍କରେ ରୂପାନ୍ତରିତ ହେଲା ।
ମହିଳାଙ୍କ ସ୍ୱାମୀ ରାଜୁ ହରପାଲପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଗତ ୩ ତାରିଖରେ ତାଙ୍କ ପତ୍ନୀ ପରିବା ଓ କପଡ଼ା କିଣିବାକୁ ବଜାର ଯାଉଛନ୍ତି କହି ଆଉ ଫେରିନାହାନ୍ତି । ସାଙ୍ଗରେ ନଗଦ ୧.୬ ଲକ୍ଷ ଟଙ୍କା ସହିତ ଗହଣା ଓ କିଛି ମୂଲ୍ୟବାନ ଜିନିଷ ନେଇଯାଇଛନ୍ତି । ପତ୍ନୀ ନେଇଥିବା ଟଙ୍କା ପରିବାର ପ୍ରତିପାଳନ ପାଇଁ ଥିଲା ବୋଲି ସେ କହିଛନ୍ତି ।
ରାଜୁ କହିଛନ୍ତି, ତାଙ୍କ ବୈବାହିକ ସମ୍ପର୍କ ଦୀର୍ଘ ୨୦ ବର୍ଷର । ଅନେକ ସମୟରେ ତାଙ୍କ ପତ୍ନୀ ଭିକାରୀ ନହ୍ନେ ପଣ୍ଡିତ ସହ କଥା ହେଉଥିବା ସେ ଦେଖିଥିଲେ । କିନ୍ତୁ ଏଭଳି କାଣ୍ଡ ଘଟାଇବେ ବୋଲି ସେ କଦାପି କଳ୍ପନା କରିନଥିଲେ । ଯାଞ୍ଚ୍ରୁ ଉଭୟଙ୍କ ଫୋନ୍ ସ୍ୱିଚ୍ଡ ଅଫ୍ ଜଣାପଡ଼ିଲା । ସେ ଘରେ ଖୋଜାଖୋଜି କରିବାରୁ କେବଳ ପତ୍ନୀ ନୁହେଁ, ବରଂ ଟଙ୍କା ଓ ଗହଣା ଆଦି ମୂଲ୍ୟବାନ ସାମଗ୍ରୀ ବି ନ ଥିଲା । ଅଭିଯୁକ୍ତ ନହ୍ନେ ପଣ୍ଡିତ ହରଦୋଇର ସନ୍ଧି ଥାନା ନିକଟସ୍ଥ ଖିଡ଼କିୟାଁ ଅଞ୍ଚଳ ବାସିନ୍ଦା । ପୁଲିସ ତାକୁ ଖୋଜିବା ସହିତ ତା’ ବିରୋଧରେ ମାମଲା ରୁଜୁ କରୁ ଏବଂ ତାଙ୍କ ପତ୍ନୀଙ୍କୁ ଫେରାଇ ଦେଉ ବୋଲି ରାଜୁ କହିଛନ୍ତି ।