ନୂଆଦିଲ୍ଲୀ,୦୮/୦୧: ଉତ୍ତରପ୍ରଦେଶରେ ସମ୍ୱଲ ମନ୍ଦିର-ମସଜିଦ ବିବାଦକୁ ନେଇ ଆଲହାବାଦ ହାଇକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ସମ୍ୱଲର ଜିଲ୍ଲା କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ୨୫ ଫେବୃଆରୀ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ସମ୍ୱଲର ଶାହି ଜାମା ମସଜିଦର ଇନ୍ତଜାମିୟା କମିଟି ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ଆଲହାବାଦ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି। ଆଲହାବାଦ ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି। ଚାରି ସପ୍ତାହ ମଧ୍ୟରେ ପକ୍ଷମାନଙ୍କୁ ଜବାବ ଦାଖଲ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।
ପକ୍ଷମାନଙ୍କର ଜବାବ ଉପରେ ମସଜିଦ କମିଟିକୁ ଦୁଇ ସପ୍ତାହ ମଧ୍ୟରେ ପ୍ରତ୍ୟୁତ୍ତର ଦାଖଲ କରିବାକୁ ପଡ଼ିବ। ଜିଲ୍ଲା କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଉପରେ ଆଲହାବାଦ ହାଇକୋର୍ଟ ସ୍ଥଗିତ ରଖିବା ପରେ ମୁସଲମାନ ପକ୍ଷଙ୍କୁ ଆଶ୍ବସ୍ତି ମିଳିଛି। ଆଜି ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଜଣିକିଆ ଖଣ୍ଡପିଠରେ ଏହି ମାମଲାର ଶୁଣାଣି ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଫେବୃଆରୀ ୨୫ ରେ ହାଇକୋର୍ଟ ପୁନର୍ବାର ଏହି ମାମଲାର ଶୁଣାଣି କରିବେ।
ନଭେମ୍ବର ୧୯ ରେ ହରିଶଙ୍କର ଜୈନ ଏବଂ ଅନ୍ୟମାନଙ୍କ ପକ୍ଷରୁ ସମ୍ବଲ ଜିଲ୍ଲା କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ଏହି ମକଦ୍ଦମା ମାଧ୍ୟମରେ ଶାହି ଜାମା ମସଜିଦ ସ୍ଥାନରେ ଅତୀତରେ ଏକ ମନ୍ଦିର ଥିଲା ବୋଲି କୁହାଯାଉଥିଲା। ଏହି ମାମଲାର ଶୁଣାଣି ବେଳେ ଜିଲ୍ଲା କୋର୍ଟ ଏକ ସର୍ଭେ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୪ ରେ ଦ୍ୱିତୀୟ ସର୍ଭେରେ ଘଟିଥିବା ହିଂସା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।