ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ଅଫରକୁ ପ୍ରତ୍ୟାଖାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେ ନିଜର ମନ୍ତବ୍ୟ ଦୋହରାଇବା ସହ କହିଛନ୍ତି, ତାଙ୍କ ସହ ଦୁଇ ଥର ଯାଇ ମୁଁ ଭୁଲ କରିଛି । କିନ୍ତୁ ଏବେ ସେଭଳି କରିବି ନାହିଁ । ପୁରୁଣା ସାଥିମାନଙ୍କ ସହ ରହିଛି ଏବଂ ବିହାରର ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଛି । ସେ କହିଛନ୍ତି, ତାଙ୍କ ସରକାର ମହିଳାଙ୍କ ଉନ୍ନତ୍ତି ପାଇଁ କାର୍ଯ୍ୟ କରୁଛି । ମତଦାନ ସମୟରେ ଲୋକମାନଙ୍କ ଏନେଇ ଧ୍ୟାନ ରହିବା ଦରକାର ।
ମୁଜାଫରପୁରରେ ପ୍ରଗତି ଯାତ୍ରା ସମୟରେ ଲାଲୁଙ୍କ ଅଫରକୁ ପ୍ରତ୍ୟାଖାନ କରିବା ସହ ନୀତୀଶ କୁମାର କହିଛନ୍ତି, ‘ମୁଁ ଦୁଇ ଥର ଭୁଲରେ ତାଙ୍କ ସହ ମିଶିଥିଲି । କିନ୍ତୁ ତାଙ୍କୁ ଏବେ ଛାଡ଼ି ଦେଇଛି ଏବଂ ପୁରୁଣା ସାଥିମାନଙ୍କ ସହ ରହିଛି । ସେମାନେ ମହିଳାଙ୍କ ପାଇଁ କିଛି କାମ କରିଛନ୍ତି କି ? ସନ୍ଧ୍ୟା ପରେ ଘରୁ କେହି ବାହିରି ପାରୁଥିଲେ କି ? ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଆମେ କାମ କରିଛୁ ।’
ନୀତୀଶ କୁମାର ଆହୁରି କହିଛନ୍ତି, ଆରଜେଡି ନେତାମାନେ କିଛି କାମ କରିନାହାନ୍ତି । ଆମେ ଜୀବିକା ଦିଦିର ଆରମ୍ଭ କରିଥିଲୁ । ଏହା ପରେ କେନ୍ଦ୍ର ସରକାର ମହିଳାଙ୍କ ଉନ୍ନତ୍ତି ପାଇଁ କାର୍ଯ୍ୟ କଲେ । ଲାଲୁଙ୍କୁ ଟାର୍ଗେଟ କରି ନୀତୀଶ କହିଛନ୍ତି, ପୂର୍ବରୁ ସନ୍ଧ୍ୟା ୬ଟା ପରେ କେହି ଘରୁ ବାହାରି ପାରୁନଥିଲେ । ଦୁଇ ଥର ଭୁଲବଶତଃ ସେମାନଙ୍କ ସହ ଯାଇଥିଲି କିନ୍ତୁ ଏବେ ପୁରୁଣା ସାଥିଙ୍କ ସହ ରହିଛି । ବିହାରର ଲୋକମାନଙ୍କ ପାଇଁ କାମ କରୁଛି ।
ଶେଷରେ ଏହି କଥା ମନେ ରଖିବା ପାଇଁ ଉପସ୍ଥିତ ଲୋକମାନଙ୍କୁ ଅପିଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସୂଚନାଯୋଗ୍ୟ, ଏହା ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ନେତା ଲାଲୁ ଯାଦବ ନୀତୀଶ କୁମାରଙ୍କ ପାଇଁ ଦ୍ବାର ଖୋଲା ରହିଛି ବୋଲି କହିଥିଲେ । ଉଭୟ ଦଳର ଦ୍ବାର ଖୋଲା କରିବା ଦ୍ବାରା ଯିବା ଆସିବା ହୋଇପାରିବ ବୋଲି କହିଥିଲେ ଲାଲୁ ଯାଦବ । ଏହାକୁ ନେଇ ଆଜି ନୀତୀଶ କୁମାର ନିଜର ମନ୍ତବ୍ୟ ରଖିଛନ୍ତି ।