ପ୍ରମୂଖ ଖବର
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ନୂଆବର୍ଷରେ ଲାଗୁ ହେଲା ନୂଆ ନିୟମ, ଜାଣନ୍ତୁ କ'ଣ ପଡିବ ପ୍ରଭାବ...

Published By : Prameya | January 1, 2025 10:22 AM

ନୂଆଦିଲ୍ଲୀ ୦୧/୦୧: ବିଦାୟ ନେଇଛି ୨୦୨୪ । ଆରମ୍ଭ ହୋଇଛି ୨୦୨୫ । ଚଳିତ ବର୍ଷ ଆରମ୍ଭରୁ କିଛି କ୍ଷେତ୍ରରେ ନୂଆ ନିୟମ ଲାଗୁ ହୋଇଛି। ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ  ପ୍ରଭାବ ପକାଇବ । ଏହି ନିୟମ ଗୁଡିକ ମଧ୍ୟରେ ୟୁପିଆଇ, ପେନସନ,  କୃଷି ଋଣ, ରିଚାର୍ଜ ପ୍ଲାନ ଭଳି ଅନ୍ୟ କିଛି କ୍ଷେତ୍ର ସାମିଲ ହୋଇଛି । କେଉଁ  କ୍ଷେତ୍ରରେ ନିୟମ ସବୁ ପରିବର୍ତ୍ତନ ହୋଇଛି ତାହା ଉପରେ ଏକ ନଜର...

ଫିଚର ଫୋନ୍‌ରେ ୟୁପିଆଇ ନେଣଦେଣ୧୦ ହଜାରକୁ ବୃଦ୍ଧି 

ଫିଚର ଫୋନରେ ୟୁପିଆଇ ସୁବିଧା ବ୍ୟବହାର କରୁଥିବା  ୟୁଜରଙ୍କ ପାଇଁ ଖୁସି ଖବର । ନୂଆବର୍ଷରୁ ଏହି ବର୍ଗରୁ  ୟୁଜରଙ୍କ ଲାଗି ୟୁପିଆଇ ପେମେଣ୍ଟ ସୀମା ୨ ଗୁଣ  କରାଯାଇଛି । ଫିଚର ଫୋନରେ ୟୁପିଆଇ ବ୍ୟବହାର କରୁଥିବା  ୟୁଜର ଜାନୁଆରୀ ପହିଲାରୁ ୧୦ ହଜାର ଟଙ୍କାର ଅନ୍‌ଲାଇନ  ପେମେଣ୍ଟ କରିପାରିବେ । ଏବେ ଏହି ବର୍ଗରେ ୟୁପିଆଇରେ  ପେମେଣ୍ଟ ସୀମା ୫ ହଜାର ଟଙ୍କା ରହିଛି ।  

କଲିଂ ଲାଗି ଭିନ୍ନ ରିଚାର୍ଜ ପ୍ଲାନ ଲାଗୁ  

ଏବେ ଟେଲିକମ କମ୍ପାନିଗୁଡିକ କଲିଂ ଲାଗି ଭିନ୍ନ ରିଚାର୍ଜ  ପ୍ଲାନ ଆଣୁନାହାନ୍ତି । ତେବେ ପହିଲାରୁ ଏ କ୍ଷେତ୍ରରେ ଲାଗୁ  ହେବାକୁ ଯାଉଛି ନୂଆ ନିୟମ । କମ୍ପାନିଗୁଡ଼ିକ କଲିଂ ଏବଂ  ଏସ୍‌ଏମ୍‌ଏସ୍‌ ଲାଗି ଭିନ୍ନ ରିଚାର୍ଜ ପ୍ୟାକ୍‌ର ବିକଳ୍ପ ଦେବେ ।  ଯେଉଁ ୟୁଜରମାନେ ଡାଟା ଚାହୁଁନାହାନ୍ତି ସେମାନଙ୍କ ଲାଗି  ଏଭଳି ପଦକ୍ଷେପ ସହାୟକ ହେବ । ରିଚାର୍ଜ ପ୍ୟାକ୍‌ଗୁଡିକ  ମଧ୍ୟ ଶସ୍ତା ହେବ । ଏବେ ଯେଉଁ ଲୋକମାନେ କଲିଂ ଲାଗି  ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କୁ ମଧ୍ୟ ଡାଟା ରିଚାର୍ଜ  କରିବାକୁ ପଡୁଛି । 

ଯେକୌଣସି ବ୍ୟାଙ୍କରୁ ଉଠାଇପାରିବେ ପେନ୍‌ଶନ ରାଶି  

ଦେଶର ପେନସନଭାଗୀଙ୍କ ଲାଗି ଖୁସି ଖବର । ଏଣିକି ପେନଶନ  ରାଶି ଉଠାଣ ଲାଗି ନିର୍ଦ୍ଧିଷ୍ଟ ବ୍ୟାଙ୍କ ଉପରେ ନିର୍ଭର କରିବାକୁ  ପଡ଼ିବନି । ଯେକୌଣସି ବ୍ୟାଙ୍କରୁ ଉଠାଇ ହେବ ପେନଶନ  ରାଶି । ନୂଆ ବର୍ଷରୁ ଲାଗୁ ହେବାକୁ ଯାଉଛି ଏହି ନିୟମ ।  ପେନସନଭୋଗୀଙ୍କୁ ଏଥିଲାଗି ଅତିରିକ୍ତ ଭେରିଫିକେସନ  ମଧ୍ୟ କରାଇବାକୁ ପଡ଼ିବନି । ଏବେ ପେନସନଭାଗୀ ମାନେ  ଯେଉଁ ବ୍ୟାଙ୍କ ଏବଂ ଶାଖାରେ ସେମାନଙ୍କ ଆକାଉଣ୍ଟ ରହିଛି  ସେଠାରୁ ହିଁ ପେନସନ ରାଶି ଉଠାଇ ପାରୁଛନ୍ତି ।  

ବିନା ଗ୍ୟାରେଣ୍ଟିରେ କୃଷକଙ୍କୁ ୨ ଲକ୍ଷ ଟଙ୍କାର ଋଣ  

କୃଷକ ଭାଇ ଭଉଣୀଙ୍କ ପାଇଁ ଖୁସି ଖବର । ଜାନୁଆରୀରୁ କୃଷି  ଋଣ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି ।  ଏହା କୃଷକଙ୍କ ଋଣ ଚିନ୍ତାର ସମାଧାନ କରିବ ବୋଲି ଅଶା  କରାଯାଉଛି । ଜାନୁଆରୀରୁ କୃଷକମାନେ ୨ ଲକ୍ଷ ଟଙ୍କା ଯାଏ  ଋଣ ବିନା ଗ୍ୟାରେଣ୍ଟିରେ ନେଇପାରିବେ । ଏବେ କୃଷକଙ୍କ  ଲାଗି ବିନା ଗ୍ୟାରେଣ୍ଟିରେ ଋଣ ସୀମା ୧.୬ ଲକ୍ଷ ଟଙ୍କା ରହିଛି ।  

ମହଙ୍ଗା ହେବ କାର୍‌-ବାଣିଜ୍ୟିକ ଯାନ

ଜାନୁଆରୀରୁ ମହଙ୍ଗା ହେବାକୁ ଯାଉଛି କାର ଏବଂ ବାଣିଜ୍ୟିକ  ଯାନ । ମାରୁତି, ହ୍ୟୁଣ୍ଡାଇ, ଟାଟା, କିଆ ଏବଂ ଏମ୍‌ଜି ଭଳି  ଅନ୍ୟ କିଛି କମ୍ପାନିର ଗାଡ଼ିଗୁଡିକ ଜାନୁଆରୀ ପହିଲାରୁ  ମହଙ୍ଗା ହୋଇଯିବ । ସେହିଭଳି ବାଇକ୍‌ ଏବଂ ବାଣିଜ୍ୟିକ  ଯାନ ଦର ୨ରୁ ୩% ବଢ଼ିବ । ଏବେ କଞ୍ଚାମାଲ ଦର ବଢ଼ିଛି ।  ଫଳରେ କମ୍ପାନିଗୁଡିକ ଯାନ ଦରରେ ବୃଦ୍ଧି କରିବା ଲାଗି  ଏଭଳି ନିଷ୍ପତ୍ତି ନେଇଛନ୍ତି ।  

ପୁରୁଣା ଫୋନରେ କାମ କରିବନି ହ୍ୱାଟ୍‌ସଆପ୍‌  

ହ୍ୱାଟ୍‌ସ ଆପ୍‌ ବ୍ୟବହାରକାରୀଙ୍କ ଲାଗି ବଡ଼ ଅପ୍‌ଡେଟ । ପୁରୁଣା  ଫୋନଗୁଡିକରେ କାମ କରିବନି ହ୍ୱାଟ୍‌ସଆପ୍‌ । ଆଣ୍ଡ୍ରଏଡ୍‌  ୪.୪ (କିଟ୍‌କ୍ୟାଟ୍‌) ଏବଂ ଏହାର ପୂର୍ବ ଭର୍ସନ ଗୁଡିକରେ  ଏହି ଲୋକପ୍ରିୟ ମେସେଜିଂ ଆପ୍‌ କାମ କରିବନି । ଏହି ଆପ୍‌  ମେଟା'ର ଏଆଇ ଫିଚର ଆଣ୍ଡ୍ରଏଡ ୪.୪ କିମ୍ବା ଅପ୍‌ଡେଟ  ହୋଇଥିବା ଭର୍ସନରେ କାମ କରେ ।  

ଏପ୍ରିଲରୁ ଲାଗୁ ହେବ ବିଏସ୍‌୭  ନିୟମ  

ଏବେ ଚିନ୍ତା ବଢ଼ାଉଛି ପ୍ରଦୂଷଣ । ପ୍ରଦୂଷଣକୁ କମ୍‌ କରିବା ଲାଗି  ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଏଭଳି ସ୍ଥିତିକୁ  ନଜରରେ ରଖି ସରକାର ନୂଆ ବର୍ଷରୁ ନିୟମ କଡ଼ାକଡ଼ି  କରିବେ । ଏପ୍ରିଲ ପହିଲାରୁ ଭାରତ ଷ୍ଟେଜ୍‌ ୭ ବା ବିଏସ୍‌୭  ନିୟମ ଲାଗୁ କରିବେ । କେନ୍ଦ୍ର ସରକାର ଏପ୍ରିଲ ୨୦୧୯ରୁ  ଭାରତ ଷ୍ଟେଜ ୬ ବା ବିଏସ୍‌୬ ନିୟମ ଲାଗୁ କରିଥିଲେ ।  

କୋଚିଂରେ ୧୬ ବର୍ଷରେ ଏଣ୍ଟ୍ରି  କୋଚିଂ 

ସେଣ୍ଟର ଗୁଡିକ ଲାଗି ଲାଗୁ ହେବାକୁ ଯାଉଛି ନୂଆ  ନିୟମ । କୋଚିଂ ସେଣ୍ଟର ଗୁଡିକ ୧୬ ବର୍ଷରୁ କମ୍‌ ବୟସର  ଶିଶୁଙ୍କୁ ଆଡ୍‌ମିଶନ ଦେଇ ପାରିବେ ନାହିଁ । ଏ କ୍ଷେତ୍ରରେ  ଭ୍ରମାତ୍ମକ ବିଜ୍ଞାପନ ଉପରେ ମଧ୍ୟ ଲାଗିବ ରୋକ । ପୂର୍ବରୁ  ଏ କ୍ଷେତ୍ରରେ ବୟସ ଏବଂ ବିଜ୍ଞାପନକୁ ନେଇ କୌଣସି  ନିୟମ ଧାର୍ଯ୍ୟ ହୋଇ ନ ଥିଲା । ଏ ନେଇ ସରକାର ନୂଆ  ଗାଇଡ୍‌ଲାଇନ ଜାରି କରିଛନ୍ତି ।  

ଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟ ଡିଗ୍ରୀ 

ଭାରତରେ ଶିକ୍ଷା ଲାଭ କରି ବିଦେଶୀ ବିଶ୍ୱବିଦ୍ୟାଳୟର ଡିଗ୍ରୀ  ହାସଲ କରିହେବ  । ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ  ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକ ମିଳିତ ହୋଇ ଏ ନେଇ  ପାଠ୍ୟକ୍ରମ ଆରମ୍ଭ କରିପାରନ୍ତି । ଏଥିଲାଗି ପାଠ ପଢ଼ା  କ୍ଲାସ୍‌ରୁମରେ ହିଁ ହେବ । ଏବେ ବିଦେଶ ୟୁନିଭର୍ସିଟି ଲାଗି  ବିଦେଶ ଯିବାକୁ ପଡୁଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.