ନୂଆଦିଲ୍ଲୀ,୦୧/୦୧: ନୂଆବର୍ଷରେ ଟ୍ରାକ୍କୁ ଫେରିବ ଭାରତୀୟ ଅର୍ଥବ୍ୟବସ୍ଥା । ଉପଭୋକ୍ତା ଚାହିଦା ବଢ଼ିବ । ଭାରତ ବଜାରକୁ ନେଇ ନିବେଶକଙ୍କ ଆସ୍ଥା ହେବ ମଜଭୁତ । ଏଭଳି ଆଶା ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରା ।
୨୦୨୪ରେ ଅଭିବୃଦ୍ଧି କ୍ଷେତ୍ରରେ ଭାରତକୁ ନିରାଶ ହେବାକୁ ପଡ଼ିଥିଲା । ସେପ୍ଟେମ୍ବର ତ୍ରୟମାସରେ ୨ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଥିଲା ଦେଶର ବିକାଶ ହାର । କିନ୍ତୁ ଦ୍ୱିତୀୟାର୍ଦ୍ଧ ଦେଶ ପାଇଁ ଅତ୍ୟନ୍ତ ଭଲ ରହିବ । ଭାରତୀୟ ଅର୍ଥନୀତି ସୁଧାର ପଥରେ ମାଡ଼ିଚାଲିବ ବୋଲି ଶ୍ରୀ ମଲ୍ହୋତ୍ରା ପ୍ରକାଶ କରିଛନ୍ତି ।
ବିଶ୍ୱ ଅର୍ଥନୈତିକ ଅସ୍ଥିରତା ସତ୍ତେ୍ୱ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଅର୍ଥନୀତି ଦ୍ରୁତ ବେଗରେ ବଢ଼ିବ । ଉପଭୋକ୍ତା ଚାହିଦା ବୃଦ୍ଧି ପାଇବ । ଭାରତ ବଜାରକୁ ନେଇ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଆଶା ଦୃଢ଼ ହେବ । କମ୍ପାନିଗୁଡ଼ିକର ବାଲାନ୍ସ ସିଟ୍ ବଢ଼ିଛି । ସେମାନଙ୍କ ଲାଭ ମଧ୍ୟ ଆଶାନୁରୂପକ ରହିଛି । ଫଳରେ କମ୍ପାନିଗୁଡ଼ିକ ବଡ଼ ଆକାରରେ ନିବେଶ କରିବେ । ଏହା ଅଭିବୃଦ୍ଧିକୁ ବଳ ଦେବ ବୋଲି କହିଛନ୍ତି ଆର୍ବିଆଇର ୨୬ତମ ଗଭର୍ଣ୍ଣର ।
ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷର ସେପ୍ଟେମ୍ବର ତ୍ରୟମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ରହିଛି ୫.୪% । ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୬% ରହିଛି । ମନ୍ଥର ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତିରେ ସୁଧାର ଯୋଗୁ ଆଗାମୀ ମୁଦ୍ରାନୀତି ସମୀକ୍ଷା ବୈଠକରେ ଆର୍ବିଆଇ ଏହାର ପ୍ରମୁଖ ସୁଧ ହାର ରେପୋରେଟ୍କୁ ଖସାଇପାରେ ବୋଲି ଅନୁମାନ କରାଯାଇଛି । ଶ୍ରୀ ମଲ୍ହୋତ୍ରା କହିଛନ୍ତି ଯେ, ଦେଶର ବିତ୍ତୀୟ କ୍ଷେତ୍ର ନିୟନ୍ତ୍ରକମାନେ ସଂସ୍କାର ବଢ଼ାଉଛନ୍ତି । ଏହାର ସୁଫଳ ଅର୍ଥନୀତିରେ ଦେଖିବାକୁ ମିଳିବ ।
ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ୍ ବିତ୍ତୀୟ ପ୍ରତିଷ୍ଠାନ(ଏନ୍ବିଏଫ୍ସି)ଗୁଡ଼ିକର ପୁଞ୍ଜି ସ୍ୱଚ୍ଛଳତା ହାର ବଢ଼ିଛି । ଆଗକୁ ମଧ୍ୟ ଏମାନଙ୍କ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆର୍ବିଆଇ ଗଭର୍ଣ୍ଣର ପ୍ରକାଶ କରିଛନ୍ତି । ଭାରତରେ ଆଧୁନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବିକାଶ କରିବା ପାଇଁ ଆର୍ବିଆଇ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଛି । ଆଗକୁ ଏହା ଆର୍ବିଆଇର ଧାର୍ଯ୍ୟ ସୀମା ସହ ସମାନ୍ତରାଳ ହେବ ବୋଲି ଶ୍ରୀ ମଲ୍ହୋତ୍ରା ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ, ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଦେଶର ଜିଡିପି ତୃତୀୟ ତ୍ରୈମାସରେ ପୁଣି ଥରେ ସ୍ଥିତାବସ୍ଥାକୁ ଫେରିବ । ଧାର୍ଯ୍ୟ ୧୧.୧୧ ଲକ୍ଷ କୋଟିର ପୁଞ୍ଜି ଖର୍ଚ୍ଚ ମଧ୍ୟରୁ ସରକାର ପ୍ରଥମାର୍ଦ୍ଧରେ ୩୭.୩% ବିନିଯୋଗ କରିଛନ୍ତି । ଭାରତୀୟଙ୍କ କ୍ରୟ ଶକ୍ତି ବଢ଼ୁଛି । ସେହିଭଳି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ କହିଛନ୍ତି, ଘରୋଇ ବଜାର ଦୃଢ଼ତା ବଜାୟ ରଖିବ । ଅଭିବୃଦ୍ଧି ଧାରା ଜାରି ରହିବ ।
ବମ୍ପର ରବି ଫସଲ ଏବଂ ଅଶୋଧିତ ତୈଳ ଚାପ ନ ଥିବାରୁ ଏହା ଘରୋଇ ବଜାର ଲାଗି ଲାଭକାରୀ ସାବ୍ୟସ୍ତ ହେବ । ଦରଦାମ ସ୍ୱାଭାବିକ ହେଉଥିବାରୁ ନୂଆ ଆର୍ବିଆଇ ଗଭର୍ଣ୍ଣର ଫେବ୍ରୁଆରିରେ ରେପୋ କମାଇପାରନ୍ତି ବୋଲି ଆଶା କରାଯାଉଛି । ଚଳିତ ଆର୍ôଥକ ବର୍ଷ ଏବଂ ଆସନ୍ତା ଆର୍ôଥକ ବର୍ଷରେ ଦେଶ ଯଥାକ୍ରମେ ୬.୮% ଏବଂ ୬.୯% ଅଭିବୃଦ୍ଧି ହାସଲ କରିବ ବୋଲି ଆଉଟଲୁକ ଏବଂ ଏସ୍ ଆଣ୍ଡ୍ ପି ରେଟିଂ ପକ୍ଷରୁ ଅନୁମାନ କରାଯାଇଛି ।
୨୦୨୫ ଦୃଢ଼ ସହରାଞ୍ଚଳ ଚାହିଦା ଫେରିବ ବୋଲି ଆଶା କରାଯାଉଛି । ସେବା କ୍ଷେତ୍ରର ଦୃଢ଼ ଅଭିବୃଦ୍ଧି, ଭିତ୍ତିଭୂମିରେ ନିବେଶ, ଦରଦାମ ଚାପ କମିବା ଘରୋଇ ବଜାରର ବୃଦ୍ଧିରେ ସହାୟକ ହେବ । ଆଗାମୀ ଆର୍ôଥକ ବର୍ଷ ଗୁଡିକରେ ମଧ୍ୟ ଘରୋଇ ବଜାର ଅଭିବୃଦ୍ଧି ଜାରି ରଖିବ । ଚୀନ ଉପରେ ଆମେରିକାର କଟକଣା ଭାରତ ବଜାର ଲାଗି ଲାଭକାରୀ ହେବ ବୋଲି ଅନୁମେୟ ।