ନୂଆଦିଲ୍ଲୀ, ୨୯।୧୨: ଆମେ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇବା ସମୟରେ ଅଜାଣତରେ ଭୁଲ୍ ନମ୍ୱରକୁ ଟଙ୍କା ପଠାଇ ଦେଇଥାଉ । ଅନେକ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବେ । ଯଦି ଭୁଲ୍ ୟୁପିଆଇ ଠିକଣାରେ ପୈଠ କରିଥାନ୍ତି, ତେବେ ଟଙ୍କା କିପରି ଫେରସ୍ତ ପାଇବେ ଜାଣନ୍ତି କି ? ଯଦି ଅଜାଣତରେ କିମ୍ୱା ଅସାବଧାନତାବଶତଃ ଭୁଲ୍ ୟୁପିଆଇ ନମ୍ୱର ବା ଠିକଣାକୁ ଟଙ୍କା ପଠେଇଛନ୍ତି, ତେବେ ଆଦୌ ଭୟ କରନ୍ତୁନି । ଯଦି ଆପଣ ଓ ଆପଣ ଟଙ୍କା ପଠାଇଥିବା ଲୋକ ସମାନ ବ୍ୟାଙ୍କର ଗ୍ରାହକ, ତେବେ ସାଧାରଣତଃ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ ପାଇପାରିବେ । ଭିନ୍ନ ବ୍ୟାଙ୍କ ଆକାଉଣ୍ଟ ହୋଇଥିଲେ, ଟଙ୍କା ଫେରସ୍ତ ପାଇବାକୁ ଏହା ଅଧିକ ସମୟ ଲାଗିଥାଏ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁସାରେ, ପ୍ରଥମେ ଆପଣ ଟଙ୍କା ପଠାଇଥିବା ଲୋକଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ । ତାଙ୍କୁ ଟଙ୍କା ଫେରାଇବାକୁ ଏବଂ କାରବାରର ବିବରଣୀ ପଠାଇବାକୁ କୁହନ୍ତୁ । ଯଦି ସେହି ବ୍ୟକ୍ତିଙ୍କ ସହଯୋଗ ମାଧ୍ୟମରେ ଏହି ସମସ୍ୟାର ସମାଧାନ ନ ହୁଏ, ତେବେ ଆପଣ ନ୍ୟାସନ୍ୟାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)ରେ ଅଭିଯୋଗ ଦାଖଲ କରି ମାମଲା ରୁଜୁ କରିପାରିବେ । କାରବାରର ବିବରଣୀ ଓ ଆବଶ୍ୟକ ପ୍ରମାଣ ଦାଖଲ କରନ୍ତୁ । NPCI କାରବାରରେ ଅନୁସନ୍ଧାନ କରିବ । କାରବାରରେ ହୋଇଥିବା ତ୍ରୁଟି ବିଷୟରେ ଆପଣଙ୍କ ବ୍ୟାଙ୍କକୁ ଯଥାଶୀଘ୍ର ସୂଚନା ଦିଅନ୍ତୁ ଏବଂ ଆବଶ୍ୟକ ବିବରଣୀ ଦାଖଲ କରନ୍ତୁ । ଏହାଦ୍ୱାରା ସେମାନେ ରିଫଣ୍ଡ ପାଇଁ ଏକ ଚାର୍ଜ ବ୍ୟାକ୍ ଆରମ୍ଭ କରିପାରିବେ । ଭୁଲ୍ ୟୁପିଆଇ ଠିକଣାରେ କାରବାର କ୍ଷେତ୍ରରେ ସହାୟତା ପାଇଁ ୧୮୦୦-୧୨୦-୧୭୪୦ ଟୋଲ୍ ଫ୍ରି ନମ୍ୱରକୁ ମଧ୍ୟ କଲ୍ କରିପାରିବେ ।
ବ୍ୟବହୃତ ପେମେଣ୍ଟ ସିଷ୍ଟମ୍ ଅର୍ଥାତ୍ ଗୁଗୁଲ ପେ, ଫୋନ୍ ପେ ବା ପେଟିଏମ୍ରେ ଏକ ଅଭିଯୋଗ ଦାଖଲ କରନ୍ତୁ । ଏନ୍ପିସିଆଇ ୱେବସାଇଟ୍ ଯାଇ ଡିସପ୍ୟୁଟ୍ ରିଡ୍ରେସାଲ ମେକାନିଜିମ୍ ବିଭାଗ ଅଧିନରେ ଅନଲାଇନ ଫର୍ମ ପୂରଣ କରନ୍ତୁ । କାରବାର ଆଇଡି, ଭର୍ଚ୍ଚୁଆଲ ପେମେଣ୍ଟ ଠିକଣା, ଆମାଉଣ୍ଟ ଟ୍ରାନ୍ସଫର୍ ରସିଦ୍, କାରବାର ତାରିଖ, ଇମେଲ୍ ଆଇଡି ଓ ମୋବାଇଲ ନମ୍ୱର ସହ ଆବଶ୍ୟକ ବିବରଣୀ ଦିଅନ୍ତୁ । ଆପଣଙ୍କ ଅଭିଯୋଗର କାରଣ ଭାବରେ ଇନକରେକ୍ଟିଭ୍ ଟ୍ରାନ୍ସଫର୍ଡ ଟୁ ଆନାଦର ଆକାଉଣ୍ଟ ବାଛନ୍ତୁ । ଯଦି ଅଭିଯୋଗ ସମାଧାନ ହୋଇନଥାଏ । ତେବେ ପ୍ରଥମେ ଥାର୍ଡ ପାର୍ଟି ଆପ୍ଲିକେସନ୍ ପ୍ରୋଭାଇଡରକୁ ଦ୍ୱିତୀୟରେ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ ବ୍ୟାଙ୍କକୁ ତୃତୀୟରେ ବ୍ୟାଙ୍କ ଶାଖାକୁ ଏବଂ ଶେଷରେ ଏନ୍ସିପିଆଇକୁ ସମସ୍ୟା ସମ୍ପର୍କରେ ଅବଗତ କରାନ୍ତୁ । ଯଦି ଗୋଟାଏ ମାସ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନଥାଏ ତେବେ ଡିଜିଟାଲ କାରବାର ସମ୍ପର୍କିତ ମାମଲାର ଶୁଣାଣି କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ୱୁଡସମ୍ୟାନକୁ ଫରାଦ ଦିଅନ୍ତୁ ।