ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଆଣ୍ଠେଇଛି ୯ ଶହ କୋଟିର ପ୍ରକଳ୍ପ, ଏସ୍‌ସିବିର କାମ ଅଧା, ତାଳଦଣ୍ଡା ଫାଳେ ସୁନ୍ଦର, ଫାଳେ ଅନ୍ଧାର...

Published By : Prameya | December 21, 2024 12:54 PM

କଟକ ୨୧/୧୨(ସୁକେଶ ବେହେରା): କଟକ ଜିଲ୍ଲାର ଥିଲା ସିଂହଭାଗ। ନିର୍ବାଚନ ପରେ ସରକାର ବଦଳିଲା। ନୂଆ ସରକାର କ୍ଷମତାକୁ ଆସିବା ପରେ କଟକ ଜିଲ୍ଲା ମଡେଲ୍ ଜିଲ୍ଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ପୁରୁଣା ପ୍ରକଳ୍ପ କାମ ଚାଲିଛି, ତା ଭିତରେ ନୂଆ ସରକାରର ଛାପ ରଖିବାକୁ ପ୍ରକ୍ରିୟା  ବି ଆରମ୍ଭ ହୋଇଛି। ବିଦାୟୀ ବର୍ଷର ଆରମ୍ଭରୁ ଶେଷ ଯାଏ କଟକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ନେଇ ଦେଖାଦେଇଛି ଅନେକ ସମ୍ଭାବନା, ଆଶଙ୍କା ଓ ବାଦବିବାଦ। ବଦଳୁଥିବା ରାଜନୈତିକ ପାଣିପାଗକୁ ନେଇ। କ୍ଷମତା ବଳଦିଥିବାରୁ ବାଦବିବାଦ ଘେରକୁ ଆସିଛି ଅନେକ ସରକାରୀ ଯୋଜନା ଓ ପ୍ରକଳ୍ପ। ଏସବୁ ଭିତରେ ଅଧୁରା ରହିଯାଇଛି ନୂଆ କଟକର ସ୍ବପ୍ନ।  

ଆଣ୍ଠେଇଛି ୯ ଶହ  କୋଟିର ପ୍ରକଳ୍ପ

ପ୍ରତି ଘରକୁ ପାଇପ୍‌ ପାଣି ଯୋଗାଇବା  ଉଦ୍ଦେଶ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ  କାର୍ଯ୍ୟକାରୀ କରାଯାଇଥିଲା । ଜିଲ୍ଲାର ସର୍ବମୋଟ୍‌ ବ୍ୟୟ ବରାଦ ଥିଲା ପ୍ରାୟ ୯ଶହ କୋଟି । ଏବେ  ସୁଦ୍ଧା କଟକ ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ  କାର୍ଯ୍ୟକାରୀ ହୋଇପାରିନାହିଁ । ୮ ଟି ବ୍ଲକ୍‌ରେ  ମେଗା ପାନୀୟ ଜଳ ପ୍ରକଳ୍ପ ଲାଗି କାମ ଚାଲୁଥିବା  ବେଳେ କେଉଁଠି ୬୦ ପ୍ରତିଶତ ତ’ କେଉଁଠି ୮୦  ପ୍ରତିଶତରେ ପ୍ରକଳ୍ପ କାମ ଅଟକିଛି । ଶତ ପ୍ରତିଶତ  କାମ ସରିବା ପରେ ବି ପରୀକ୍ଷଣ ପାଇଁ ସମୟ  ଲାଗିବ । ତେଣୁ ଆସନ୍ତା ବର୍ଷେ ଭିତରେ କଟକରେ  ସବୁ ଘରେ ପାଇପ୍‌ ପାଣି ପହଞ୍ଚିବା କାଠିକର  ପାଠ ବୋଲି କୁହାଯାଉଛି । କଟକ ଜିଲ୍ଲାରେ ୩ଲକ୍ଷ  ୧୮ହଜାର ୬୦୩ ପରିବାର ରହୁଥିବା ବେଳେ ଏବେ ସୁଦ୍ଧା ୨ଲକ୍ଷ ୧୫ହଜାର ୭୨୧ ପରିବାର  ପାଖରେ ପିଇବା ପାଣିର ବନ୍ଦୋବସ୍ତ ରହିଛି ।  ଆହୁରି ୧ଲକ୍ଷ ୨ହଜାର ୮୮୨ ପରିବାର ପିଇବା  ପାଣି ଲାଗି କୂଅ,ପୋଖରୀ, ଟ୍ୟୁବୱେଲ୍‌ ଏବଂ ନଦୀ  ଉପରେ ନିର୍ଭର ଶୀଳ ।

ତାଳଦଣ୍ଡା: ଫାଳେ ସୁନ୍ଦର, ଫାଳେ ଅନ୍ଧାର 


ସହରର ରୂପରେଖକୁ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତାଳଦଣ୍ଡା କେନାଲ୍‌ ଏବେ  ନିଜ ଭବିଷ୍ୟତକୁ ନେଇ ଆଶଙ୍କାରେ ପଡିଛି । ଯେମିତି ବହୁତ ଲୋକରେ ମୂଷା ମରେନି, ଠିକ୍‌ ସେମିତି  ତାଳଦଣ୍ଡା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଏକାଧିକ ବିଭାଗର ଦାୟିତ୍ୱ ଓ କାର୍ଯ୍ୟକାରିତା ପ୍ରକଳ୍ପକୁ ପଛକୁ  ଟାଣି ଧରୁଛି । ସମନ୍ୱୟର ଅଭାବ ଯୋଗୁଁ ତଳଦଣ୍ଡାର ଫାଳେ ଆଜି ବି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ।  ଯୋବ୍ରା ଠାରୁ ଛତ୍ରବଜାର ଯାଏ ତାଳଦଣ୍ଡା ଯେମିତି ଚିକ୍କଣ ଦିଶୁଛି, ଛତ୍ରବଜାର ଠାରୁ ନୂଆବଜାର  ଆଡକୁ ଗଲେ ଏହି କେନାଲ୍‌ ଦୟନୀୟ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି । ତାଳଦଣ୍ଡାର ୱାଲ୍‌ କାମ  ମହାନଦୀ ସାଉଥ୍‌ ଡିଭିଜନ୍‌, ରାସ୍ତା ପୂର୍ତ୍ତ ବିଭାଗ, ବିଦ୍ୟୁତ କାମ ଟାଟା ପାୱାର, ରାସ୍ତା ତଳେ  ଅଣ୍ଡରପାସ୍‌ କାମ ୱାଟ୍‌କୋ ଆଦି କରୁଛନ୍ତି । ସେହିପରି ସୌନ୍ଦର୍ଯ୍ୟକରଣ କାମ କରୁଛି  ସିଏମ୍‌ସି । ନିଗମ ତରଫରୁ ସୌନ୍ଦର୍ଯ୍ୟକରଣ ପାଇଁ ୩୨କୋଟି ଟଙ୍କାର ବଜେଟ୍‌  ଉପସ୍ଥାପନ କରାଯାଇଛି । ଏହା ଏବେ ଯାଏ ଅନୁମୋଦନ ହୋଇନି । କିନ୍ତୁ  ତାଳଦଣ୍ଡା କେନାଲ୍‌ ଦ୍ୱିତୀୟ ଭାଗର ନିର୍ମାଣ କାମ ଆଗେଇ ପାରୁନି । ମୋଟ୍‌  ପ୍ରକଳ୍ପ ଚିତ୍ରକୁ ଦେଖିଲେ ଏବେ ଯାଏ ମାତ୍ର ୫୦ ପ୍ରତିଶତ କାମ ସରିଛି ବୋଲି କୁହାଯାଇପାରେ ।

୨ ବର୍ଷରେ କାମ ଅଧା ସରିଛି 


ଏସ୍‌ସିବିର ନବକଳେବର ପାଇଁ ଦୀର୍ଘ ଅଢେଇବର୍ଷ ହେଲାଣି କାମ ଚାଲିଛି । ପାଖାପାଖି  ସାଢେ ୪ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ  ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଏବେ ସୁଦ୍ଧା ପ୍ରକଳ୍ପ କାମ ଅଧା ବି  ସରିନି । ଆସନ୍ତା ବର୍ଷେ ଭିତରେ କାମ ସାରିବାକୁ ଯୋଜନା ରହିଥିବା ବେଳେ ତାହା  ବି ଅବାସ୍ତବ ଲାଗୁଛି । ପ୍ରକଳ୍ପ ଚିତ୍ରକୁ ଦେଖିଲେ, ଏସ୍‌ସିବି ନବୀକରଣ ପ୍ରକଳ୍ପ କାମ  ମୋଟ୍‌ ୧୩୮ଏକର ପରିମିତ ଜମିରେ ଜାରି ରହିଛି । ଏଠାରେ ଚାରିଟି କ୍ଲିନିକାଲ୍‌  କୋଠା ଏବଂ ୧୩ଟି ଆବାସିକ କୋଠା ଏକସଙ୍ଗରେ ନିର୍ମାଣ କରାଯାଉଛି । କ୍ଲିନିକାଲ  କୋଠାଗୁଡିକ ୧୦ ମହଲା ବିଶିଷ୍ଟ ଏବଂ ଆବାସିକ କୋଠାଗୁଡିକ ୧୩ ମହଲା  ବିଶିଷ୍ଟ ହେବ । ମେଡିକାଲ୍‌ ପାଇଁ ଦୁଇ ହଜାର ପାଞ୍ଚ ଶହ ବେଡ୍‌ ବ୍ୟବସ୍ଥା  କରାଯାଉଛି । ସେହିଭଳି ହାଡିଆପଠା ନିକଟସ୍ଥ ସ୍ଥାନରେ ଗାଡି ରହଣି ସ୍ଥଳ  ନିର୍ମାଣ କରାଯିବା ନିମନ୍ତେ କ୍ଷେତ୍ରପ୍ରସ୍ତୁତ କରାଯାଉଛି । କ୍ଲିନିକାଲ କୋଠା  ନିର୍ମାଣ କାର୍ଯ୍ୟ ପ୍ରଥମେ ଶେଷ ହେବ । ଏହା ଭିତରେ କ୍ଲିନିକାଲ କୋଠା-୧  ଓ କ୍ଲିନିକାଲ୍‌ କୋଠା-୩ ନିର୍ମାଣ ଆଗ ଶେଷ ହୋଇପାରେ । ୨୦୨୫  ଡିସେମ୍ବରକୁ ପ୍ରକଳ୍ପ ଶେଷ ପାଇଁ ସମୟ ଧାର୍ଯ୍ୟ  କରାଯାଇଥିବା ଜଣାପଡିଛି ।

ସାଇନ୍‌ ବୋର୍ଡରେ ଟେକ୍ସଟାଇଲ୍‌ ପାର୍କ


ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍‌(ଓଟିଏମ୍‌)ର ଭାଗ୍ୟ  ଉଦୟର ସମ୍ଭବନା ସୃଷ୍ଟି ହୋଇଥିଲା ବର୍ଷ ଆରମ୍ଭରୁ ।  ଶିଳ୍ପ ସମୃଦ୍ଧ ଚୌଦ୍ୱାରର ହଜିଯାଇଥିବା ଗୌରବର  ପୁନଃସ୍ଥାପନ ପାଇଁ ଓଟିଏମ୍‌ର ନବକଳେବର  କରିବାକୁ ଯୋଜନା କରିଥିଲେ ନବୀନ ସରକାର ।  ନିର୍ବାଚନ ବର୍ଷ ଥିବାରୁ ସ୍ଥାନୀୟ ଅଞ୍ଚଳ ପାଇଁ ଓଟିଏମ୍‌  ଥିଲା ମୁଖ୍ୟ ପ୍ରସଙ୍ଗ । ଲୋକଙ୍କ ଦାବିକୁ ବିଚାରକୁ  ନେଇ ଏଠାରେ ଏକ ବିଶାଳ ଟେକ୍ସଟାଇଲ୍‌ ପାର୍କ  ବା ସମନ୍ୱିତ ବୟନ ବିହାର ପ୍ରତିଷ୍ଠା କରିବାକୁ  କ୍ୟାବିନେଟ୍‌ ମଞ୍ଜୁରି ମିଳିଥିଲା । ଅନ୍ତଃରାଷ୍ଟ୍ରୀୟ  ଉଦ୍ୟୋଗ ୱେଲ୍‌ସ୍ପୁନ୍‌ ସହିତ ଚୁକ୍ତି କରି ୩ହଜାର କୋଟି ଟଙ୍କାର ଟେକ୍ସଟାଇଲ୍‌ ପାର୍କର ଶୁଭ  ପଡ଼ିଥିଲା ଫେବ୍ରୁଆରୀ ୧୭ତାରିଖରେ । ୧୦ହଜାର  ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ  ସୃଷ୍ଟି କରିବା  ଉଦ୍ଦେଶ୍ୟରେ ଏ ପ୍ରକଳ୍ପକୁ ଭେଟି ଦିଆଗଲା ବୋଲି  ଦମ୍ଭର ସହ ଯୁକ୍ତି ବାଢିଥିଲା ବିଜେଡି ସରକାର ।  ଶୁଭ ପଡିବାର କିଛି ମାସ ଧରି ଏଠାରେ ଯେଉଁଭଳି  କାମ ଆରମ୍ଭ ହୋଇଥିଲା, ଲାଗୁଥିଲା ସତେଯେମିତି  ଖୁବ୍‌ କମ୍‌ ସମୟ ଭିତରେ ନୂଆ ଚେହେରା ପାଇବ ଓଟିଏମ୍‌। କିନ୍ତୁ ନିର୍ବାଚନରେ ସରକାର ବଦଳ  ପରେ ଆଜି କେବଳ ସାଇନ୍‌ ବୋର୍ଡରେ ସୀମିତ  ରହିଛି ଟେକ୍ସଟାଇଲ୍‌ ପାର୍କର ସ୍ୱପ୍ନ । ପୁରୁଣା  ଓଟିଏମ୍‌ ଯେଉଁ ସ୍ଥାନରେ ଥିଲା, ସେଠାରେ  ଥିବା ୫୪ ଏକର ଜମିକୁ ସଫାସୁତରା କରି  ରଖାଯାଇଛି । ସେହିପରି ଭାରତୀୟ ପ୍ରତ୍ନତାତ୍ତ୍ୱିକ  ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନରେ  ଥିବା ଐତିହ୍ୟସ୍ଥଳୀ ବୋଧି ପୀଠରେ ଇଡ୍‌କୋ  ପାଚେରି ଘେରାଇଥିବାରୁ ବିବାଦ ଉପୁଜିଛି ।  ଯାହାଫଳରେ ୩ହଜାର କୋଟି  ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ  ଭାବେ ଠପ୍‌  ହୋଇ ଯାଇଛି ।

ସହରକୁ ବରଦାନ ଡ୍ରୋନ୍ ବକ୍ସ


କଟକ ସହର ଭିତରର ଭିଡ଼କୁ ନେଇ ଦୀର୍ଘ ବର୍ଷ ଧରି  ସମସ୍ୟା ଲାଗି ରହିଥିଲା । ଜଳବନ୍ଦୀ ସମସ୍ୟା ବି ସହରବାସୀଙ୍କୁ  କରୁଥିଲା ନୟାନ୍ତ । ବର୍ଷା ଦିନ କଥା ଛାଡ଼, ସାଧାରଣ ୨ ଘଣ୍ଟାର  ବର୍ଷାରେ କଟକ ସହରର ନିର୍ଦ୍ଦିଷ୍ଟ ତଳିଆ ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ  ହେଉନଥିଲା । ଯାହାକୁ ନେଇ ଦୀର୍ଘ ଦିନ ଧରି ସହରବାସୀଙ୍କ ମଧ୍ୟରେ  ଅସନ୍ତୋଷ ଦାନା ବାନ୍ଧି ରହିଥିଲା । କଟକ ସହର ଛାତି ଉପରେ ଯାଇଥିବା  ବଡ ଡ୍ରେନ୍‌କୁ ଘୋଡ଼ାଇବା ଏବଂ ଏହା ମାଧ୍ୟମରେ ବର୍ଷା ଜଳ ନିଷ୍କାସନ  କରିବାକୁ ଅଙ୍କାଯାଇଥିଲା ଏକ ନକ୍ସା । ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚରେ ପାଖାପାଖି  ୩ କିଲୋମିଟର ଲମ୍ବ ଏହି ବକ୍ସଡ୍ରେନ୍‌ ଚଳିତବର୍ଷ ମାର୍ଚ୍ଚ ୧ ତାରିଖରେ ଲୋକାର୍ପିତ ହୋଇଥିଲା । ଏହି ବକ୍ସଡ୍ରେନ୍‌ କଟକ ସହର ପାଇଁ ସତେଯେମିତି ବରଦାନ ପାଲଟିଲା । ଚଉଡ଼ା ରାସ୍ତା ହେବା ସାଙ୍ଗକୁ ଜଳ ନିଷ୍କାସନ ବ୍ୟବସ୍ଥାରେ  ସୁଧାର ବି ଆସିଲା । କଟକ ସହର ଭଳି ଏକ ଜନବହୁଳ ଅଞ୍ଚଳରେ ଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଏତେ ସହଜ  ନଥିଲା । ତଥାପି ସରକାର ଚାହିଁଲେ ସବୁ କିଛି ସମ୍ଭବ ବୋଲି ବକ୍ସଡ୍ରେନ୍‌ ପ୍ରକଳ୍ପ ଉଦାହରଣ ସୃଷ୍ଟି କରିପାରିଲା ।

ଅନିଶ୍ଚିତତାରେ ବ୍ୟାଘ୍ର ପ୍ରକଳ୍ପ  

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଦୀର୍ଘ ବର୍ଷ ଧରି  ଚାଲିଥିବା ବାଦବିବାଦ ଏବେ ଯାଏ କାଏମ୍‌ ରହିଛି ।  ନିର୍ବାଚନ ସରିବା ପରେ ଏହି ପ୍ରକଳ୍ପର ସ୍ଥିତିକୁ ନେଇ  ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରକୃତରେ ବ୍ୟାଘ୍ର  ପ୍ରକଳ୍ପ ହେବ କି ନାହିଁ ତାହା ରାଜ୍ୟ ସରକାରଙ୍କ  ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ  କେହି ସ୍ପଷ୍ଟ କରି ପାରୁନାହାନ୍ତି । ୨୦୨୩ ଅକ୍ଟୋବର  ୯ତାରିଖରେ ପୁନର୍ବାର ବ୍ୟାଘ୍ର ପ୍ରକଳ୍ପକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା । ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ  ସୀମା ପାରିପାଶ୍ୱର୍କୁ ‘ଇକୋ ସେନ୍‌ସିଟିଭ୍‌ ଜୋନ୍‌’  କରିବାକୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ  ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ କରାଯାଇଥିବା ଏହି  ଚିଠିରେ ୨୨୪ ଗ୍ରାମକୁ ଏଥିରେ ଅନ୍ତର୍ଭୁକ୍ତ  କରିବାକୁ ଉଲ୍ଲେଖ ରହିଥିଲା । ଏଥିରେ କଟକ  ଜିଲ୍ଲା ନରସିଂହପୁରର ୮ ପଞ୍ଚାୟତରୁ ୪୦ ଗ୍ରାମ ମଧ୍ୟ  ସାମିଲ୍‌ ଥିଲା । କିନ୍ତୁ ଏ ପ୍ରକଳ୍ପ ଏବେ ସୁଦ୍ଧା ଆଗେଇ  ପାରିନି । ପ୍ରକଳ୍ପକୁ ନେଇ ଦ୍ୱନ୍ଦ୍ୱ ବି ଦୂର ହୋଇନି । 

ବାରବାଟୀ ଷ୍ଟାଡିୟମ୍‌ ନବୀକରଣ ଦ୍ୱନ୍ଦ୍ୱ 


କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌  ନବୀକରଣ ପ୍ରକଳ୍ପ ଚଳିତବର୍ଷର ସବୁଠାରୁ  ଚର୍ଚ୍ଚିତ ଘଟଣା ଥିଲା । ପୂର୍ବ ସରକାର ସମୟରେ ନୂଆ ଷ୍ଟାଡିୟମ୍‌ର ଅଙ୍କାଯାଇଥିବା ନକ୍ସାକୁ ନୂଆ  ସରକାର ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏମିତିକି  ବିଧାନସଭାରେ ଏ ସମ୍ପର୍କିତ ଏକ  ପ୍ରଶ୍ନରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ ଏଭଳି କୌଣସି  ପ୍ରକଳ୍ପ ଯୋଜନାରେ ନଥିବା  କହିଥିଲେ । କିନ୍ତୁ ଚଳିତବର୍ଷ ଫେବ୍ରୁଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବାରବାଟୀ ଷ୍ଟାଡିୟମ୍‌  ନବୀକରଣ ପ୍ରକଳ୍ପର ଘୋଷଣା କରାଯାଇଥିଲା   ପ୍ରାୟ ୬ ଶହ କୋଟି ଖର୍ଚ୍ଚରେ କରାଯାଇଥିବା  ଷ୍ଟାଡିୟମ୍‌ ନବୀକରଣ ଡିପିଆର୍‌(ଡିଟେଲ୍ସ  ପ୍ରୋଜେକ୍ଟ ରିପୋର୍ଟ)ରେ ରୂପରେଖ ସମ୍ପୂର୍ଣ୍ଣ  ବଦଳିଯାଇଥିବାର ଦେଖିବାକୁ ମିଳିଥିଲା ।  ଷ୍ଟାଡିୟମ୍‌ର ଦର୍ଶକ ଧାରଣ କ୍ଷମତା ୬୦ହଜାରକୁ  ବୃଦ୍ଧି ପାଇବା ସହ ନୂଆ ରୂପ ଦେବାକୁ ଯୋଜନା  ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ରକଳ୍ପର  କୌଣସି ଖାତା ଖତିୟାନ୍‌ ନଥିବା ଜଣାପଡିଛି ।  ତେଣୁ ଏ ପ୍ରକଳ୍ପ ଆଗକୁ ହେବ କି ନାହିଁ  ତାହା ବି ସ୍ପଷ୍ଟ ନୁହଁ ।

ନୂଆ ଧାରାରେ ନୂଆ ସରକାର 


କଟକ ଜିଲ୍ଲାରେ ଅନେକ ଗୁଡିଏ ପ୍ରକଳ୍ପ ପୂର୍ବ ସରକାର  ସମୟରେ ଆରମ୍ଭ ହୋଇଥିଲା । ଏଥିରୁ ଅଧିକାଂଶ ପ୍ରକଳ୍ପ  ଏବେ ଯାଏ ଅଧାପନ୍ତରିଆ ପଡିରହିଛି । ଅନେକ ପ୍ରକଳ୍ପ କାମ  ଧିମା ଗତିରେ ଚାଲିଛି । କେଉଁଠି ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍‌  ଲଗାଯାଇନାହିଁ । କିନ୍ତୁ ନୂଆ ସରକାର ନିଜର ଛାପ ଛାଡ଼ିବାକୁ  ନୂଆ ଧାରା ସୃଷ୍ଟି କରିବାକୁ ଚାହିଁଛନ୍ତି । ଯାହାଫଳରେ କଟକ  ଜିଲ୍ଲାରେ କିଛି ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି  ମୋହନ ସରକାର । ଅମ୍ମହାବାଦ୍‌ର ସାବରମତୀ ନଦୀକୂଳ  ସୌନ୍ଦର୍ଯ୍ୟକରଣ ଢାଞ୍ଚାରେ ମହାନଦୀ ତଟକୁ ଆକର୍ଷଣୀୟ  କରିବାକୁ ‘ମହାନଦୀ ୱାଟର୍‌ଫ୍ରଣ୍ଟ୍‌ ରିଜୁଭେନେସନ୍‌’ ନାମକ  ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସେହିପରି କଟକ ସହରକୁ ସ୍ମାର୍ଟ ସିଟିରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ  ମୋହନଚରଣ ମାଝୀ ପ୍ରତିଶ୍ରୁତି ଦେବା ସହ ଏନେଇ  ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ  କହିଛନ୍ତି । କଟକ ରେଳଷ୍ଟେସନ୍‌ର ଉନ୍ନତିକରଣ ଦିଗରେ  ପଦକ୍ଷେପ ଗ୍ରହଣ କରାଯାଇଛି । ନିକଟରେ କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନ୍‌ର ଦ୍ୱିତୀୟ  ପ୍ରବେଶ ପଥର ଉଦ୍‌ଘାଟନ କରିଛନ୍ତି । ସେହିପରି ବଡମ୍ବା  ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର  ଗୁରୁତ୍ୱ ଦେଉଛନ୍ତି । ସମବାୟ ବିଭାଗ ତରଫରୁ ମାପଚୁପ  କରିବାକୁ ବଡମ୍ବା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ମାହାଙ୍ଗାରେ ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଶୁଭ ପଡିଛି ।

ଟଙ୍କା ପଡ଼ିରହିଛି କାମ ଆଗେଇ ପାରୁନି


ନିର୍ବାଚନ ପୂର୍ବରୁ ତତ୍‌କାଳୀନ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌  କଟକ ଜିଲ୍ଲାକୁ ଏକାଧିକ ବାର ଗସ୍ତ କରି ବିଭିନ୍ନ ଧର୍ମ ପୀଠର  ନବକଳେବର ପାଇଁ ଅଣ୍ଟା ଭିଡିଥିଲେ । ସେହିକ୍ରମରେ ବଡ଼ମ୍ବାର  ଭଟ୍ଟାରିକା ପୀଠ, ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠ, ନେମାଳ  ଅଚ୍ୟୁତାନନ୍ଦ ଗାଦି, କଟକ ସଦରର ପରମହଂସ, ନିଆଳିର  ମାଧବାନନ୍ଦ ଜୀଉ ମନ୍ଦିର, କଟକ ସହରର ଚଣ୍ଡୀମନ୍ଦିର ଆଦି  ଧାର୍ମିକ ସ୍ଥଳୀର ନବୀକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ।  ବିଭିନ୍ନ ମନ୍ଦିରର ବିକାଶ ପାଇଁ ପ୍ରାୟ ୮୦ କୋଟି ଟଙ୍କାରୁ  ଅଧିକ ଟଙ୍କାର ଅନୁଦାନ ଘୋଷଣା କରିଥିଲେ ତତ୍କାଳୀନ  ବିଜେଡି ସରକାର । କିନ୍ତୁ ଆଜିର ସ୍ଥିତିରେ ପ୍ରାୟ ଅଧିକାଂଶ  ଧର୍ମପୀଠରେ କାମ ଆରମ୍ଭ ହୋଇପାରିନି । କଟକ ଚଣ୍ଡୀମନ୍ଦିର  ପ୍ରକଳ୍ପ କାମ ଦୁଇବର୍ଷ ତଳୁ ଆରମ୍ଭ ହୋଇଥିବାବେଳେ ଏବେ  ଯାଏ ଅଧା ସରିନି । କିନ୍ତୁ ମା’ ଚର୍ଚ୍ଚିକା, ଭଟ୍ଟାରିକା, ନେମାଳ  ଗାଦି, ପରମହଂସ, ମାଧବାନନ୍ଦ ଜୀଉ ମନ୍ଦିରର କାମ ଆଦୌ  ଆରମ୍ଭ ହୋଇନି । ଡିପିଆର୍‌ର ପୁନଃ ଯାଞ୍ଚ୍‌ କରିବା ପରେ କାମ  କରାଯିବ ବୋଲି ପ୍ରଶାସନ ତରଫରୁ ଟ୍ରଷ୍ଟ୍‌ ବୋର୍ଡକୁ ସୂଚନା  ଦିଆଯାଉଛି । ଯାହାଫଳରେ ମନ୍ଦିର ଟ୍ରଷ୍ଟବୋର୍ଡ, ସେବାୟତ ତଥା  ଶ୍ରଦ୍ଧାଳୁମାନେ ପ୍ରକଳ୍ପର ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଛନ୍ତି ।

ରିଂରୋଡ୍‌ ପ୍ରକଳ୍ପ କଥା ଭୁଲିଗଲେ କି?

ବରୋଧମୁକ୍ତ  କଟକର ସ୍ୱପ୍ନକୁ ସାକାର  ରିବାକୁ ନୂଆ ରିଂରୋଡ୍‌ ପ୍ରକଳ୍ପ କାର୍ଯ୍ୟକାରୀ  କରିବାକୁ ପୂର୍ବ ବିଜେଡି ସରକାର ଆଗେଇଥିଲେ । ୬ଲେନ୍‌ ବିଶିଷ୍ଟ ୬ ହଜାର କୋଟି ଟଙ୍କା ଖର୍ଚ୍ଚରେ  ନିର୍ମାଣ ହେବାକୁ ଥିବା ଏହି ରିଂରୋଡ୍‌ ପ୍ରକଳ୍ପ  କଟକରେ ଗହଳି କମାଇବାରେ ପ୍ରମୁଖ ଭୂମିକା  ଗ୍ରହଣ କରିବ ବୋଲି ଆଶା କରାଯାଉଥିଲା । ଏହି  ପ୍ରକଳ୍ପକୁ ପୂର୍ବ ସରକାର ସମୟରେ କ୍ୟାବିନେଟ୍‌  ମଞ୍ଜୁରି ମିଳିଥିଲା । କିନ୍ତୁ ପାଖାପାଖି ବର୍ଷେ ହେଲାଣି  ଏହି ପ୍ରକଳ୍ପ କଥା ସମସ୍ତେ ଭୁଲିଯାଇଥିବା ଭଳି  ମନେହେଉଛି । କେବଳ ନେତାଜୀ ବସ୍‌ ଟର୍ମିନାଲ୍‌କୁ  ଦୃଷ୍ଟିରେ ରଖି ଖାନ୍‌ନଗର ମଲାଚଣ୍ଡିଆ ଛକରୁ  ମଣିମନ୍ଦିର ପର୍ଯ୍ୟନ୍ତ ରୋଡ୍‌ କାମ କିଛି ମାତ୍ରାରେ  ଆଗେଇଛି । ବ୍ରିଜ୍‌ ଭଳି ରାସ୍ତା ହେଉଥିବାରୁ ଏହାର ପିଲାର୍‌ କାମ ପ୍ରାୟ ସରିଆସିଲାଣି । ଆସନ୍ତା ୧୦ମାସ  ଭିତରେ ଏ ରାସ୍ତା କାମ ସରିବ ବୋଲି କୁହାଯାଉଛି ।


  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.