ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ଏଣିକି ଖଣ୍ଡୁଆ ଶାଢ଼ି ପ୍ୟାକେଟ୍‌ରେ ଲାଗିବ କ୍ୟୁଆର୍‌ ସ୍କାନ୍‌ କୋଡ୍‌, ବକ୍ସ ଉପରେ ରହିବ ‘ହ୍ୟାଣ୍ଡ୍‌ଲୁମ୍‌ ମାର୍କ’

Published By : Prameya | December 19, 2024 2:29 PM

କଟକ,୧୯/୧୨: କଟକର ସ୍ୱତନ୍ତ୍ର ଖଣ୍ଡୁଆ ପାଟ କହି ଡୁପ୍ଲିକେଟ୍‌ ବା ନକଲି ଶାଢ଼ି ବିକିବା ବାଟ ଏକପ୍ରକାର ବନ୍ଦ ହେଲା । ଏଣିକି ଖଣ୍ଡୁଆ ଶାଢ଼ି ପ୍ୟାକେଟ୍‌ ଉପରେ ରହିଥିବା କ୍ୟୁଆର୍‌ ସ୍କାନ୍‌ କୋଡ୍‌ କଲେ ଜଣାପଡ଼ିଯିବ ଏହା ଅସଲି ନା ନକଲି । ସେହିପରି ଶାଢ଼ି ପ୍ୟାକେଟ୍‌ର ଉପରେ ସ୍ୱତନ୍ତ୍ର ହ୍ୟାଣ୍ଡ୍‌ଲୁମ୍‌ ମାର୍କ ବି ରହିବ । ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ସହ  କଟକ ବ୍ରାଣ୍ଡ୍‌ ଖଣ୍ଡୁଆର ନକଲି ଶାଢ଼ି ବଜାରକୁ ଟାର୍ଗେଟ୍‌ କରି ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ପ୍ରଥମେ ସରକାରୀ  ଆଉଟ୍‌ଲେଟ୍‌ରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଉନ୍ନତମାନର  ହସ୍ତତନ୍ତ ଶାଢ଼ି ପ୍ୟାକେଜିଂ ବକ୍ସର ଉନ୍ମୋଚନ କରିଛନ୍ତି ।

 କଟକ ବଡ଼ମ୍ବା ବ୍ଲକ୍‌ର ଖଣ୍ଡୁଆ ପାଟର ବିଶ୍ୱ ବ୍ୟାପୀ ଖ୍ୟାତି  ରହିଛି । ଜଗନ୍ନାଥ ସଂସ୍କୃତି ଠାରୁ ଆରମ୍ଭ କରି ମାହାରୀ ଓ  ଓଡ଼ିଶୀ ନୃତ୍ୟରେ ଏହାର ବହୁଳ ବ୍ୟବହାର ହୋଇଥାଏ ।  ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପାଟବସ୍ତ୍ର  ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା କଟକର ଖଣ୍ଡୁଆ  ଭାରତୀୟ ହସ୍ତତନ୍ତ କଳାର ଏକ ପ୍ରମୁଖ ଅଙ୍ଗ । ବର୍ଷ ବର୍ଷ  ଧରି ବଂଶାନୁକ୍ରମେ କଟକ ବନମ୍ବା ବ୍ଲକ୍‌ର ଶହ ଶହ ପରିବାର  ଖଣ୍ଡୁଆ ପାଟ ତିଆରି କରିଆସୁଛନ୍ତି । ଅନ୍‌ଲାଇନ୍‌ ମାର୍କେଟ୍‌ରେ  ବି ଖଣ୍ଡୁଆର ଏକ ବୃହତ ବଜାର ରହିଛି, ଯେଉଁଥିରେ  ବିଭିନ୍ନ ଦେଶରୁ ବହୁମାତ୍ରାରେ ଖଣ୍ଡୁଆ ବରାଦ ଆସିଥାଏ ।  

ତେବେ ଖଣ୍ଡୁଆ ପାଟର ବଜାର ଚାହିଦାକୁ ଦୃଷ୍ଟିରେ ରଖି  ଗତ କିଛି ବର୍ଷ ଧରି ନକଲି ଖଣ୍ଡୁଆ ମାର୍କେଟରେ ହାଉଯାଉ  ହେଉଛି । ଫଳରେ ଅନେକ ସମୟରେ ଅସଲି ଖଣ୍ଡୁଆର ମୂଲ୍ୟ  ଦେଇ ଗ୍ରାହକ ନକଲି କିଣି ଠକାମୀର ଶିକାର ହେଉଛନ୍ତି ।  କିନ୍ତୁ ଏବେ ଅନ୍ତତଃପକ୍ଷେ ମାନ ଯାଞ୍ଚ୍‌ କରିବାର ସୁଯୋଗ ସୃଷ୍ଟି  ହେଲା ବୋଲି କୁହାଯାଇପାରେ । ଖଣ୍ଡୁଆ ପାଟର ପ୍ୟାକେଜିଂ  ବକ୍ସ ଉପରେ ବ୍ୟବହାର କରାଯିବ କ୍ୟୁଆର୍‌ ସ୍କାନ୍‌ କୋଡ୍‌ ।  ଏହାକୁ ସ୍କାନ୍‌ କଲେ ଗ୍ରାହକ ମାନେ ଖଣ୍ଡୁଆ ସମ୍ପର୍କରେ ବିସ୍ତୃତ  ସୂଚନା ପାଇପାରିବେ । ଅର୍ଥାତ୍‌ ଏ ଖଣ୍ଡୁଆ କେଉଁ ସୋସାଇଟିରୁ  ତିଆରି ହୋଇଛି, ଏହାର ବୁଣାକାର କିଏ, କେଉଁ ମାନର  ସୂତା ବ୍ୟବହାର କରାଯାଇଛି, ରଙ୍ଗ କ’ଣ ଆଦି ବିଭିନ୍ନ ତଥ୍ୟ  ମିଳିପାରିବ । ସେହିପରି ପ୍ୟାକେଜିଂ ବକ୍ସ ଉପରେ ଖଣ୍ଡୁଆ  ଉପରେ ବିସ୍ତୃତ ସୂଚନା ରହିବ, ଯାହାକୁ ୱିଣ୍ଡୋ ବକ୍ସ ବୋଲି  କୁହାଯିବ । ଏହି ବକ୍ସରେ ଖଣ୍ଡୁଆର ଇତିହାସ ସମ୍ପର୍କରେ ବିସ୍ତୃତ  ସୂଚନା ମିଳିପାରିବ । 

ଗ୍ରାମାଂଚଳର ଉତ୍ପାଦକ ଗୋଷ୍ଠୀ କିପରି  ସେମାନଙ୍କ ଉତ୍ପାଦର ବିକାଶ, ଏହାର ବିବିଧକରଣ ତଥା  ଖୁଚୁରା ବିକ୍ରୟ ବ୍ୟବସ୍ଥାରେ ବ୍ରାଣ୍ଡର ଉନ୍ନତିକରଣ କରିପାରିବେ  ସେ ନେଇ ଏଭଳି ଅତ୍ୟାଧୁନିକ ସୁବିଧା ସୃଷ୍ଟି କରାଯାଇଥିବା  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ପ୍ରକାଶ କରିଛନ୍ତି । ଏହି  ପ୍ୟାକେଜିଂ ବକ୍ସ ଏବେ ସରକାରୀ ଆଉଟ୍‌ଲେଟ୍‌ରେ ବ୍ୟବହାର  କରାଯିବ । ପରେ ଏହାକୁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନକୁ  ପରିବ୍ୟାପ୍ତ କରିବାକୁ ପ୍ରଶାସନ ତରଫରୁ ଗୁରୁତ୍ୱ ଦିଆଯାଇଛି ।  ଖଣ୍ଡୁଆ ପାଟର ପ୍ୟାକେଜିଂ ବକ୍ସ କରିବାରେ ଓରମାସ୍‌ ପ୍ରମୁଖ  ଭୂମିକା ଗ୍ରହଣ କରିଛି । ଉତ୍ପାଦକ ଗୋଷ୍ଠୀମାନଙ୍କୁ ସହାୟତା  କରିବା ସହ ଖଣ୍ଡୁଆ ପ୍ରତି ରହିଥିବା ଗ୍ରାହକଙ୍କ ବିଶ୍ୱାସ  ଜିତିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଓରମାସ୍‌ର  ଯୁଗ୍ମ ନିର୍ବାହୀ ଅଧିକାରୀ ବିପିନ ରାଉତ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.