ଠିକ୍‌ ଭାବରେ ଟ୍ରାକ୍‌ ହୋଇ ପାରୁନି ‘ଜିନ୍ନତ’, ଖାଦ୍ୟ ଦେବା ସମୟରେ କରାଯିବ ଟ୍ରାଙ୍କୁଲାଇଜ୍‌

Published By : Harapriya Sethi | December 28, 2024 1:44 PM

ଭୁବନେଶ୍ୱର, ୨୮/୧୨: ବାଘୁଣୀ ‘ଜିନ୍ନତ’ ଏବେ ପଶ୍ଚିମବଙ୍ଗ ସୀମାରେ ବିଚରଣ କରୁଛି । ହେଲେ ଠିକ୍ ଭାବେ ଟ୍ରାକ୍ ହୋଇ ପାରୁନଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସବୁ ସ୍ଥାନରେ ଜିପିଏସ୍ ନେଟୱର୍କ ନଥିବା କାରଣରୁ ‘ଜିନ୍ନତ’କୁ ଟ୍ରାକ୍ କରାଯାଇ ପାରୁନାହିଁ । ବହୁତ ସ୍ଥାନରେ ଜିପିଏସ୍ ଫେଲ୍ ମାରୁଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ‘ଜିନ୍ନତ’କୁ ଟ୍ରାକ୍ କରିବାରେ ଲାଗିଛନ୍ତି । ‘ଜିନ୍ନତ’କୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କୁଲାଇଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କିଛିଦିନ ପୂର୍ବରୁ ‘ଜିନ୍ନତ’ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ପୁରୁଲିଆ ବାନ୍ଦଓ୍ବାନ ଜଙ୍ଗଲରେ ପହଞ୍ଚିଥିବା ସୂଚନା ମିଳିଥିଲା । ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ଟିମ୍ ମଧ୍ୟ ‘ଜିନ୍ନତ’କୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଥିଲା । ‘ଜିନ୍ନତ’ ଓଡ଼ିଶାର ଶିମିଳିପାଳ ଠାରୁ ପ୍ରାୟ ୧୩୦ କି.ମି. ଦୂରରେ ରହିଥିଲା । ଯେକୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ କରାଯାଉଥିଲା । ଏହାକୁ ନେଇ ପଶ୍ଚିମବଙ୍ଗ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଆର୍ଲଟ ଜାରି କରାଯାଇଥିଲା । ବାଘୁଣୀକୁ ଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଡିସେମ୍ୱର ୮ ତାରିଖ ରାତିରେ ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡର ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ୧୧ ଦିନ ବିଚରଣ କରିଥିଲା ‘ଜିନ୍ନତ’ । ଏହା ପରେ ୧୯ ତାରିଖ ରାତିରେ ଝାଡ଼ଖଣ୍ଡ ସୀମା ଡେଇଁ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଅଞ୍ଚଳରେ ପଶିଥିଲା । ପରେ ୨୨ ତାରିଖରେ ବାଧୁଣୀକୁ ପ୍ରଥମେ ପଶ୍ଚିମ ମେଦିନାପୁର ଓ ପରେ ପୁରୁଲିଆ ଜିଲ୍ଲାର ବାନ୍ଦଓ୍ବାନରେ ଠାବ କରାଯାଇଥିଲା । ବିସ୍ତୀର୍ଣ୍ଣ ଜଙ୍ଗଲ ଦେଇ ଗୋଟିଏ ପରେ ଗୋଟିଏ ଜିଲ୍ଲା ଅତିକ୍ରମ କରୁଛି ‘ଜିନ୍ନତ’ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.