କଟକ ୨୦/୧୨(ଜଗନ୍ନାଥ ରାଉତ): ୨୦୨୪ ମସିହାରେ ରାଜ୍ୟର ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କୁ କରିବାକୁ ପଡ଼ିଥିଲା ହସ୍ତକ୍ଷେପ । ଅନେକ ବିବାଦରେ ଅଦାଲତଙ୍କ ରାୟ ସମାଧାନର ବାଟ ଦେଖାଇଥିଲା, ପ୍ରଶାସନିକ ମନ୍ମାନିକୁ ନିୟନ୍ତ୍ରଣ କରିଥିଲା । ଶିକ୍ଷା ବ୍ୟବସ୍ଥାଠାରୁ ସ୍ୱାସ୍ଥ୍ୟ ସେବା, ଜନସ୍ୱାର୍ଥ ସମ୍ବଳିତ ମାମଲାଠାରୁ ନିର୍ବାଚନୀ ବିବାଦ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ହାଇକୋର୍ଟ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ରାୟ । ସେହିପରି ଅନେକ କ୍ଷେତ୍ରରେ ଅଦାଲତଙ୍କ ଦୃଷ୍ଟାନ୍ତମୂଳକ କଟକଣା ପୂରା ବ୍ୟବସ୍ଥାକୁ ସଜାଡିବାରେ ସହାୟକ ହୋଇଥିଲା ।
ସାଂସଦ, ବିଧାୟକଙ୍କ ମାମଲା ଶୀଘ୍ର ସାର
ରାଜ୍ୟରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ୨୦୨୩ ଡିସେମ୍ବର ସୁଦ୍ଧା ୪୨୩ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଏହି ସବୁ ମାମଲାର ତ୍ୱରିତ ବିଚାର କରିବାକୁ ହାଇକୋର୍ଟ ଚଳିତବର୍ଷ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜଆଡ଼ୁ ଏହି ମାମଲା ରୁଜୁ କରିଥିଲେ । ଖାସ୍ ଏହି ସବୁ ମାମଲ।।ର ଶୁଣାଣି ପାଇଁ ବିଭିନ୍ନ ସ୍ଥାନରେ ଗଠନ ହୋଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ମଧ୍ୟ ହାଇକୋର୍ଟ ଜିଲ୍ଲାଜଜ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବାଲିଘାଟ ଉପରେ ଅଙ୍କୁଶ
ରାଜ୍ୟରେ ବିଭିନ୍ନ ବାଲିଘାଟରୁ ମନମୁଖି ଭାବେ ବାଲି ଉଠୁଥିଲାବେଳେ ଏହା ଉପରେ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ବାଲିଘାଟରୁ କିପରି ବାଲି ଉଠିବ, ଏଥିପାଇଁ କ’ଣସବୁ ନିୟମକୁ ପାଳନ କରିବାକୁ ପଡ଼ିବ ସେଥିପାଇଁ ଅଦାଲତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମେସିନ୍ ବ୍ୟବହାର କରି ବାଲିଘାଟରୁ ମନମୁଖି ଭାବେ ବାଲି ଉଠାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଯଦି କୌଣସି ସ୍ଥାନରେ ବାଲିଘାଟରୁ ମେସିନ୍ ଜରିଆରେ ବାଲି ଉଠାଇବାକୁ ପଡ଼େ ତାହେଲେ ଏଥିପାଇଁ ପରିବେଶ ଅନୁମତି ନିହାତି ଆଣିବାକୁ ପଡ଼ିବ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲି ଚାଲାଣ ଉପରେ ହାଇକୋର୍ଟ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ ।
ଜାମିନ୍ ପାଇଁ ଗଛ ଲଗାଅ
ଚଳିତବର୍ଷ ଏକାଧିକ ଅପରାଧିକ ମାମଲାରେ ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ୍ ପ୍ରଦାନ ବେଳେ ବୃକ୍ଷରୋପଣ ପାଇଁ ସର୍ତ୍ତାରୋପ ଭଳି ଅନନ୍ୟ ଆଦେଶ ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ଜାମିନ ପାଇଁ ଅନ୍ୟାନ୍ୟ ସର୍ତ୍ତ ସହ ଅତି କମ୍ରେ ନିଜ ଗ୍ରାମରେ ଥିବା ସରକାରୀ ଜାଗାରେ ଶହେ ଗଛ ଲଗାଇବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏହି ଗଛଗୁଡ଼ିକର ଦୁଇବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ମଧ୍ୟ ଅଭିଯୁକ୍ତ କରିବେ । ଏଭଳି ସର୍ତ୍ତ ଦ୍ୱାରା ଅଭିଯୁକ୍ତ ନିଜକୁ ସୁଧାରିବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇଥିଲା । ହାଇକୋର୍ଟଙ୍କ ଏଭଳି ଆଦେଶକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା ।
୨୧ ବର୍ଷ ପରେ ନ୍ୟାୟ
ମହାନଦୀ ଚିତ୍ରୋତ୍ପଳା ଇରିଗେସନ୍ ଡିଭିଜନ୍-୨ରେ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିଦେବା ଅଭିଯୋଗରେ ଶ୍ରମ ଅଦାଲତ ତାଙ୍କୁ କାର୍ଯ୍ୟରେ ପୁନର୍ବାର ନିଯୁକ୍ତି ପାଇଁ ଆଦେଶ ଦେଇଥିଲାବେଳେ ସେହି ଆଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କର୍ମଚାରୀ ପ୍ରେମାନନ୍ଦ ମହାନ୍ତିଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ୨୧ ବର୍ଷ ପରେ ଶ୍ରୀ ମହାନ୍ତିଙ୍କୁ ନ୍ୟାୟ ମିଳି ପାରିଥିଲା ।
୨୪ ବର୍ଷ ପରେ ପୁରସ୍କାର
୨୦୦୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ତିନିଜଣ ବିଶିଷ୍ଟ ସାହିତ୍ୟକ ଡ. ଗୋବିନ୍ଦ ଭୂୟାଁ, ଡ. ଅର୍ଚ୍ଚନା ନାୟକ ଏବଂ ସଦାଶିବ ଦାଶଙ୍କୁ ଚଳିତ ବର୍ଷ ପୁରସ୍କାର ମିଳିଲା । ଏହା ଉପରେ ରହିତାଦେଶ ଥିବାରୁ ଦୀର୍ଘ ୨୪ ବର୍ଷ ଧରି ପୁରସ୍କାର ପ୍ରଦାନ କରାଯାଇନଥିଲା । ତେବେ ହାଇକୋର୍ଟ ଚଳିତବର୍ଷ ରହିତାଦେଶ ହଟାଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ଦୀର୍ଘବର୍ଷ ପରେ ଏହି ତିନି ଲେଖକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
୨୦ ହଜାର ଶିକ୍ଷକଙ୍କ ନିଯୁକ୍ତି ବାଟ ଫିଟିଲା
୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଲାଗି ରହିଥିବା ବିବାଦର ଚଳିତବର୍ଷ ଅନ୍ତ ଘଟାଇଥିଲେ ହାଇକୋର୍ଟ । ହାଇକୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ ପାଇଁ ମନା କରି ଦେବା ଫଳରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବାଟ ଫିଟିଥିଲା । ଜଣିକିଆ ବିଚାରପତି ପୂର୍ବରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ରଦ୍ଦ କରିଦେଇଥିବାବେଳେ ହାଇକୋର୍ଟର ଖଣ୍ଡପୀଠ ଏଥିରେ ସଂଶୋଧନ କରିଥିଲେ।
ହେପାଜତରେ ଥିବା ବ୍ୟକ୍ତିଙ୍କ ସୁରକ୍ଷା ପୁଲିସର
ଭଦ୍ରକରେ ଏକ ଅନର୍ କିଲିଂ ଘଟଣାରେ ପୁଲିସ ହେପାଜତରେ ଥିବା ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହେବା ଘଟଣାରେ ହାଇକୋର୍ଟ ପୁଲିସ୍ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିବା ସହ ଏହା ଏକ ହାଜତ ମୃତ୍ୟୁ ବୋଲି କହିଥିଲେ । କୌଣସି ଗିରଫ ବ୍ୟକ୍ତି ହେପାଜତରେ ଥିବାବେଳେ ତାହାର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ହେଉଛି ପୁଲିସ୍ ବା ଜେଲ୍ କର୍ତ୍ତୃପକ୍ଷଙ୍କର ।
କନ୍ଷ୍ଟେବଲ୍ଙ୍କ ନିଯୁକ୍ତି ବୟସ ସୀମା ୬ ବର୍ଷ କୋହଳ
ସିପାହୀ, କନଷ୍ଟେବଲ୍ ପଦରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୬ ବର୍ଷ କୋହଳ କରିଛନ୍ତି ହାଇକୋର୍ଟ । ଏହି ପଦ ଲାଗି ସର୍ବନିମ୍ନ ବୟସ ସୀମା ୧୮ବର୍ଷ ରହିଥିଲାବେଳେ ସର୍ବୋଚ୍ଚ ବୟସ ସୀମା ୨୩ ବର୍ଷ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଏହି ମାମଲାମକୁ ବିଚାର ପାଇଁ ଗ୍ରହଣ କରି ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା କୋହଳ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା ଅନେକ ଆଶାୟୀଙ୍କୁ ଆଶ୍ୱସ୍ତି ମିଳିଥିଲା ।
‘ବେଞ୍ଚ୍ର ବିଶ୍ୱାସକୁ ଆଘାତ ଦିଅନା’
ଆଇନଜୀବୀମାନେ କୋର୍ଟର ଅଫିସର ଅଟନ୍ତି । ସେମାନେ ବିଚାର ବ୍ୟବସ୍ଥାର ଚକ । ବାର୍ ଏବଂ ବେଞ୍ଚ୍ ମଧ୍ୟରେ ବିଶ୍ୱାସ ଯୋଗୁ ନ୍ୟାୟିକ ବ୍ୟବସ୍ଥା ଚାଲିଛି । ଗୁଡ଼୍ ଫେଥ୍ରେ ଆଇନଜୀବୀଙ୍କ ଉପରେ ଅଦାଲତ ବିଶ୍ୱାସ ରଖିଥାନ୍ତି । ଏହି ବିଶ୍ୱାସକୁ ନେଇ ଯେତେବେଳେ ଜଣେ ଆଇନଜୀବୀ କୌଣସି ସତ୍ୟପାଠ ଦାଖଲ କରନ୍ତି ତାହାକୁ ଦ୍ୱିତୀୟ ଥର ତର୍ଜମା ନକରି ଅଦାଲତରେ ଗ୍ରହଣ କରିଥାନ୍ତି । ଏଭଳି ସ୍ଥିତିରେ ଆଇନଜୀବୀ ଅର୍ଥାତ୍ କୋର୍ଟର ଅଫିସରମାନେ ସେମାନଙ୍କ ଉପରେ ଥିବା ବେଞ୍ଚ୍ର ବିଶ୍ୱାସକୁ ଆଘାତ ଦିଅନ୍ତୁ ନାହିଁ କିମ୍ବା ବିଚାରପତିଙ୍କୁ ଦୃଷ୍ଟିହୀନ ଭାବନ୍ତୁ ନାହିଁ ବୋଲି ହାଇକୋର୍ଟ କ୍ଷୋଭ ପ୍ରକାଶ କରି କହିଥିଲେ । ଜାଲ୍ ଡକ୍ୟୁମେଣ୍ଟ ଦେଇ ଜାମିନ୍ ପାଇଁ କରାଯାଇଥିବା ଆବେଦନକୁ ଖାରଜ କଲା ବେଳେ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ ।
ଫାଶୀରୁ ରକ୍ଷା ପାଇଲେ ୨ ଆସାମୀ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇଥିବା ଦୁଇ ଆସାମୀ ଅସିଫ୍ ଅଲ୍ଲୀ ଓରଫ ଅସିଫ୍ ଇକ୍ବାଲ୍ ଏବଂ ଅକିଲ୍ ଅଲ୍ଲୀକୁ ହାଇକୋର୍ଟ ଜୀବନଦାନ ଦେଇଥିଲେ । ହାଇକୋର୍ଟ ଅସିଫ୍ ଅଲ୍ଲୀକୁ ଫାଶୀ ଦଣ୍ଡାଦେଶ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ଭୋଗିବ ବୋଲି ନିର୍ଦ୍ଦେଶ ଦେଇଥିବାବେଳେ ଅକିଲ ଅଲ୍ଲୀକୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ ।
ଜବରଦଖଲ ଉଚ୍ଛେଦକୁ ନେଇ ଗାଇଡ୍ଲାଇନ୍
ଜବରଦଖଲ ଉଚ୍ଛେଦକୁ ନେଇ ମାଜିଷ୍ଟ୍ରେଟଙ୍କ କ୍ଷମତା ଥିଲାବେଳେ ସେମାନେ ଏହାର ବ୍ୟବହାର କରୁନଥିବାରୁ ମହକିଲମାନେ ଅଦାଲତକୁ ଆସୁଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ମାଜିଷ୍ଟ୍ରେଟ୍ମାନେ ଜବରଦଖଲ ଉଚ୍ଛେଦକୁ ନେଇ ସେମାନଙ୍କ କ୍ଷମତାର ପ୍ରୟୋଗ କରିବା ଆବଶ୍ୟକ ବୋଲି ହାଇକୋର୍ଟ କହିଥିଲେ ।
ଗୁରୁତ୍ୱପୂର୍ଣ୍ଣ ରାୟ
- ବ୍ଲକ୍ ଗ୍ରାଣ୍ଡ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ପାଇଁ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତେ୍ୱ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ପେନସନ୍ ପରିବର୍ତ୍ତେ ଅବସର ପରେ ଏକକାଳୀନ ପ୍ରାପ୍ୟ ପ୍ରଦାନ ଲାଗି ବିଜ୍ଞପ୍ତି ଜାରି କରିଥିଲେ । ହାଇକୋର୍ଟ ଚଳିତବର୍ଷ ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ସହ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
- କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲଗେଇ କାମ କରିଥିବା ଉଭୟ ସରକାରୀ ଏବଂ ଘରୋଇ ନର୍ସିଂ କର୍ମଚାରୀଙ୍କ ମଧ୍ୟରେ ରାଜ୍ୟ ସରକାର ପ୍ରଭେଦ ସୃଷ୍ଟି କରିପାରିବେ ନାହିଁ । ଘରୋଇ ମେଡିକାଲରେ ନର୍ସିଂ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବି ସରକାରୀ ନର୍ସିଂ କର୍ମଚାରୀଙ୍କ ପରି ନିଯୁକ୍ତି ପ୍ରକ୍ରିୟାରେ ଅଧିକ ୫% ମାର୍କ ଦେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
- ସରୋଗାସି ଜରିଆରେ ଯେଉଁମାନେ ମା’ ହେଉଛନ୍ତି ସେମାନଙ୍କୁ ମଧ୍ୟ ପ୍ରସବକାଳୀନ ଛୁଟି ଦିଆଯିବା ଆବଶ୍ୟକ । ଫଳରେ ପିଲାର ସେମାନେ ଯତ୍ନ ନେଇପାରିବେ । ତେଣୁ ଏନେଇ ଯେଉଁ ପୁରୁଣା ଆଇନ ରହିଛି ତାହାକୁ ସାମ୍ପ୍ରତିକ ସ୍ଥିତିର ଆଧାରରେ ତର୍ଜମା କରି ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
- ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ଙ୍କ ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇପାରିବ । କିନ୍ତୁ କେତେକ ସ୍ୱତନ୍ତ୍ର ବା ବ୍ୟତିକ୍ରମ ମାମଲାରେ ଏଭଳି ହୋଇପାରିବ । ଯଦି କୌଣସି ମାମଲାରେ ମୌଳିକ ଅଧିକାର କ୍ଷୂଣ୍ଣ ହେଉଥିବ, ସାଧାରଣ ଆଇନର(ନାଚୁରାଲ ଜଷ୍ଟିସ୍) ଉଲ୍ଲଂଘନ ହେଉଥିବ ସେଭଳି କ୍ଷେତ୍ରରେ ହାଇକୋର୍ଟ ଏନ୍ଜିଟି ଆଦେଶ ବିରୋଧରେ ଶୁଣାଣି କରିପାରିବେ ।
- ଏନ୍ଡିପିଏସ୍ (ନାର୍କୋଟିକ୍ସ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରଫିକ୍ ସବ୍ଷ୍ଟାନ୍ସେସ୍ ଆକ୍ଟ) ମାମଲାର ଶୁଣାଣି ଆସିଷ୍ଟାଣ୍ଟ ସେସନ୍ସ ଜଜ୍ଙ୍କ ଅଦାଲତରେ ହୋଇପାରିବ ନାହିଁ । ଏକ ଏନ୍ଡିପିଏସ୍ ମାମଲାରେ ୩୩ବର୍ଷ ତଳେ ଜୟପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ଦେଇଥିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିବା ପରିପ୍ରେକ୍ଷୀରେ ଏଭଳି ରାୟଦେଇଥିଲେ ।
- ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ବିରୋଧରେ ଜିଲ୍ଲାପାଳ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ଯେହେତୁ ଜଣେ ନିର୍ବାହୀ ଅଧିକାରୀ ପଞ୍ଚାୟତ ଅଧୀନରେ କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ଗ୍ରାମ ପଞ୍ଚାୟତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଓଡ଼ିଶା ହାଇକୋର୍ଟ ଏକ ରାୟରେ ସ୍ପଷ୍ଟ କରିଥିଲେ ।
ରତ୍ନଭଣ୍ଡାର ଗଣତି-ମଣତି
ଗତ ସାଧାରଣ ନିର୍ବାଚନରେ ରାଜନୈତିକ ପ୍ରସଙ୍ଗ ପାଲଟିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଗଣତିମଣତି ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଗଠିତ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରତ୍ନଭଣ୍ଡାର ଖୋଲାଯିବାଠାରୁ ଆରମ୍ଭ କରି ଯାଞ୍ଚ୍ ଆଦି କାର୍ଯ୍ୟ ଜାରି ରହିଛି ।
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ହେଲେ ମୁଖ୍ୟ ବିଚାରପତି
ବିହାର ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ୍ ସିଂ ଚଳିତବର୍ଷ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବା ପରେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ମିଳିଥିଲା । ଏବେ ସେ ଏହି ପଦରେ ରହିଛନ୍ତି
ଅବସର ନେଲେ
ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ
ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଚଳିତବର୍ଷ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ପାଇଥିଲେ । ସେ ମାସକରୁ ମଧ୍ୟ କମ୍ ସମୟ ପାଇଁ ସେଠାରେ ମୁଖ୍ୟ ବିଚାରପତି ପଦରେ ରହି ଅବସର ଗ୍ରହଣ କରିଥିଲେ ।
ଜଷ୍ଟିସ୍ ଦେବବ୍ରତ ଦାଶ
ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଦେବବ୍ରତ ଦାଶ ଅକ୍ଟୋବର ୯ ତାରିଖରେ ଅବସର ଗ୍ରହଣ କରିଥିଲେ । ଗୋଟେ ଗୋଟେ ଦିନରେ ବହୁ ମାମଲାରେ ରାୟ ପ୍ରଦାନ କରି ସେ ଏକ ରେକର୍ଡ ସୃଷ୍ଟି କରିଥିଲେ ।
ନିର୍ବାଚନୀ ମାମଲାରେ ରେକର୍ଡ, ୩୦ ପିଟିସନ୍
ଚଳିତବର୍ଷ ସାଧାରଣ ନିର୍ବାଚନ ପରେ ହାଇକୋର୍ଟରେ ନିର୍ବାଚନ ମାମଲା ରୁଜୁ ହେବାରେ ଏକପ୍ରକାର ରେକର୍ଡ ସୃଷ୍ଟି ହୋଇଛି । ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଓ ବିଧାୟକ ଭାବେ ନିର୍ବାଚିତ ପ୍ରାର୍ଥୀଙ୍କ ଜିତାପଟକୁ ଅସିଦ୍ଧ ଘୋଷଣା କରିବାକୁ ପ୍ରାର୍ଥନା କରି ୩୦ଟି ମାମଲା ଦାଏର ହୋଇଛି । ୨୦୧୯ ନିର୍ବାଚନରେ ଅଧିକ ନିର୍ବାଚନୀ ମାମଲା ଦାଏର ହୋଇନଥିବାବେଳେ ୨୦୧୪ ସାଧାରଣ ନିର୍ବାଚନ ପରେ ସର୍ବାଧିକ ୨୧ଟି ମାମଲା ରୁଜୁ ହୋଇଥିଲା । ଚଳିତବର୍ଷ କିନ୍ତୁ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଦୁଇଟି ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ମାମଲା ଦାଏର ହୋଇଛି । ଏତେ ସଂଖ୍ୟକ ନିର୍ବାଚନୀ ମାମଲା ଦାଏର ହେବା ଏକ ରେକର୍ଡ ବୋଲି ବୋଲି ଦୀର୍ଘବର୍ଷ ଧରି ନିର୍ବାଚନ ମାମଲା ପରିଚାଳନା କରି ଆସୁଥିବା ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ସମ୍ବଲପୁର ସାଂସଦ ଧମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦୁଇଟି ନିର୍ବାଚନୀ ମାମଲା ରୁଜୁ ହୋଇଛି । ସେହିପରି ବିଧାନସଭା କ୍ଷେତ୍ର ଭାବେ ରାଉରକେଲା ନିର୍ବାଚନକୁ ନେଇ ସର୍ବାଧିକ ୪ଟି ମାମଲାର ବିଧାୟକ ସାରଦା ନାୟକଙ୍କ ବିରୋଧରେ ରୁଜୁ ହୋଇଛି । ଏହାବାଦ୍ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟିକା ମନୋରମା ମହାନ୍ତି, ସୋର ବିଧାୟକ ମାଧବ ଧଡ଼ା, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଭୁବନେଶ୍ୱର(କେନ୍ଦ୍ର) ବିଧାୟକ ଅନନ୍ତ ନାରାୟଣ ଜେନା, କଣ୍ଟାବାଞ୍ଝି ବିଧାୟକ ଲକ୍ଷ୍ମଣ ବାଗ୍, ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି, ଏକାମ୍ର ବିଧାୟକ ବାବୁ ସିଂ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ, ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ବିରୋଧରେ ନିର୍ବାଚନୀ ମାମଲା ରୁଜୁ ହୋଇଛି । ଏହି ନିର୍ବାଚନ ମାମଲାର ଫଳାଫଳ ଯଦି ବିଧାୟକମାନଙ୍କ ବିରୋଧରେ ଯାଏ ତେବେ ରାଜ୍ୟ ସରକାର ଅଡୁଆରେ ପଡିବାର ଆଶଙ୍କା ରହିଛି ।