ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଅନ୍ଧବିଶ୍ୱାସର ବୁଢ଼ିଆଣୀ ଜାଲ, ବର୍ଷକରେ ତନ୍ତ୍ରମନ୍ତ୍ରରୁ ଗଡ଼ିଲା ୨୬ ମୁଣ୍ଡ....

Published By : Prameya | December 21, 2024 2:46 PM

ଭୁବନେଶ୍ୱର ୨୧/୧୨: ଛାରଖାର କରିଦେଲା ଘର, ପରିବାର ।  କେଉଁଠି ମୁଣ୍ଡ ନେଲା ଆଉ କେଉଁଠି ସନ୍ଦେହରେ  ପୋଡିଦେଲେ ଘରଦ୍ୱାର। ଅନ୍ଧବିଶ୍ୱାସର ବୁଢ଼ିଆଣୀ ଜାଲରେ ଛଟପଟ ହୋଇଥିଲା  ଓଡ଼ିଶା । ଆଧୁନିକ ଯୁଗରେ ବି ଅନ୍ଧବିଶ୍ୱାସର  ଭୂତ ମଣିଷ ମନରେ ସବାର ହୋଇଥିଲା । ଅହେତୁକ ସନ୍ଦେହ, ଆଶଙ୍କାରେ କାହାକୁ  ସମାଜଠୁ ନିଆଁ ପାଣି ବାସନ୍ଦ କଲା । କେଉଁଠି  ରାଗ ଓ ପ୍ରତିଶୋଧର ନିଆଁରେ ଜୀବନ  ଚାଲିଗଲା। ବିଦାୟୀ ୨୦୨୪ ଏମିତି ବହୁ  ଅଘଟଣର ସାକ୍ଷୀ । ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସର  ମାୟାଜାଲ କବଳରୁ ଏକବିଂଶ ଶତାଦ୍ଦୀର ମଣିଷ  ଯେ ମୁକୁଳିପାରିନି ତା’ର ପ୍ରମାଣ ଦେଇଛି ବର୍ଷ  ୨୪ । ବହୁ ଲୋମହର୍ଷଣକାରୀ ହତ୍ୟାକାଣ୍ଡର  ମୂଳକାରଣ ଥିଲା ତନ୍ତ୍ରମନ୍ତ୍ର । କେବଳ ତନ୍ତ୍ରମନ୍ତ୍ର  ନୁହେଁ, ବିଦାୟୀ ବର୍ଷ ଗଣହତ୍ୟା ରକ୍ତର ହୋଲି  ବି ଦେଖିଛି । ପ୍ରଫେସର ପୁଅ ନିଜ ବାପାଙ୍କୁ  ମାରିଥିବା ବେଳେ ଦଶମାସ ଗର୍ଭରେ ଧରି  ଜନ୍ମ ଦେଇଥିବା ମା’କୁ ଛୁରି ଭୁସି ନିର୍ମମ  ଭାବେ ହତ୍ୟା କରିଛନ୍ତି ୨ ଇଞ୍ଜିନିୟର ପୁଅ ।

ତନ୍ତ୍ରମନ୍ତ୍ରରୁ ଗଡ଼ିଲା ୨୬ ମୁଣ୍ଡ...

ତନ୍ତ୍ରମନ୍ତ୍ରର ମାୟାଜାଲରେ ଫଶି ଅନେକ ଆଇନକୁ ହାତକୁ  ନେଉଛନ୍ତି । ଗୁଣିଗାରେଡି ସନ୍ଦେହରେ ଅନ୍ୟର ଜୀବନ ନେବାକୁ  ପଛାଉ ନାହାନ୍ତି । ବର୍ଷକ ଭିତରେ ଅନ୍ଧବିଶ୍ୱାସର ଏହି ନିଆଁ ଝାସରେ ୨୬ଜଣଙ୍କ ପ୍ରାଣ ଯାଇଛି । କେଉଁଠି ସଂଘବଦ୍ଧ ଭାବେ ଗାଁ ଦାଣ୍ଡରେ  ପିଟିପିଟି ମାରି ପକାଇଛନ୍ତି ତ କେଉଁଠି ଆତ୍ମୀୟଙ୍କ ସାମ୍ନାରେ  ହାତଗୋଡ଼ ବାନ୍ଧି ପେଟ୍ରୋଲ ଢ଼ାଳି ନିଆଁ ଲଗାଇଛନ୍ତି । ମୁଣ୍ଡ ଗଣ୍ଡି  ଅଲଗା କରିବା ଭଳି ବିଭତ୍ସ ଦୃଶ୍ୟ ବି ଦେଖିଛନ୍ତି ଓଡି଼ଶାବାସୀ ।   

ମାର୍ଚ୍ଚ ୩ ତାରିଖରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର  ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳରେ ପୂର୍ବତନ ୱାର୍ଡମେମ୍ବର  ଦମ୍ପତ୍ତିଙ୍କ ମର୍ଡର ଘଟିଥିଲା । ୨୦୧୨ରେ ୱାର୍ଡମେମ୍ବର ଥିବା ଡାହିରା  କହଁରଙ୍କ ଶବ ଗାଡି଼ପଦର ବାଘ ନଦୀ କୂଳରୁ ମିଳିଥିଲା । ତା’ଠୁ  ୫୦୦ ମିଟର ଦୂର କାସେରୁ ପାହାଡ଼ରୁ ୨୦୧୭ରେ ୱାର୍ଡମେମ୍ବର  ଥିବା ବତାସୀଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ଗୁଣିଗାରେଡି଼ ହିଁ  ଡବଲ ମର୍ଡର ପଛର କାରଣ ବୋଲି ପୁଲିସକୁ ତଦନ୍ତରୁ ସୁରାକ  ମିଳିଥିଲା । ଡାହିରା ଗାଁରେ ଗୁଣିଗାରେଡି଼ରେ ଲିପ୍ତ ଥିବା ନେଇ  ଗାଁର ଗୋଟିଏ ଗୋଷ୍ଠୀ ସବୁବେଳେ ଅଭିଯୋଗ କରୁଥିଲା । ଉକ୍ତ  ଗାଁରେ ମାସେ ତଳେ ଏକ ପ୍ରଜାକୋର୍ଟ ବସିଥିଲା । ଡାହିରାଙ୍କୁ ୮  ହଜାର ଟଙ୍କା ଜରିମାନା କରିଥିଲେ । 

ଜୁଲାଇ ୫ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ଔପଦା ଥାନା  ବଡ଼ପୋଖରୀ ଗାଁ ବରପଦା ବସ୍ତିରେ ଏକ ଲୋମହର୍ଷଣକାରୀ  ହତ୍ୟାକାଣ୍ଡ ଘଟିଥିଲା । ନିକଟ ଜଙ୍ଗଲରୁ ମିଳିଥିବା ୩ ଜଣ  ଆଦିବାସୀଙ୍କ ମୃତଦେହ ସାରା ରାଜ୍ୟରେ ଆଲୋଡ଼ନ ଖେଳାଇଥିଲା ।  ହତ୍ୟାକାରୀମାନେ ଡାମ୍ଫା ସିଂ, ତାଙ୍କ ସ୍ତ୍ରୀ ପାଗିଳିଙ୍କ ଗଳା କାଟି  ଦେଇଥିବା ବେଳେ ସମ୍ବାରିଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ ।  ଅନ୍ଧବିଶ୍ୱାସ ଏହା ପଛର କାରଣ ବୋଲି ପୁଲିସ ତଦନ୍ତରୁ  ଜାଣିପାରିଥିଲା । ଗୋଟିଏ ଗୋଷ୍ଠୀର ପ୍ରାୟ ୧୫ରୁ ୨୦ ଜଣ ଯୁବକ  ମିଳିମିଶି ୩ଜଣଙ୍କୁ ହତ୍ୟା କରି ଶବଗୁଡି଼କୁ ଜଙ୍ଗଲରେ ଫିଙ୍ଗିଥିଲେ । ୨ ଦିନ ପରେ ଏକ ବୈଠକ ଡାକି ପୁଲିସକୁ ନ ଜଣାଇବା ପାଇଁ  ବସ୍ତିବାସିନ୍ଦାଙ୍କୁ ଧମକାଇଥିଲେ ।  

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜର୍‌ପା ଅଞ୍ଚଳର ଦାସ  ମିଣିଆକା ଦୀର୍ଘଦିନ ଧରି ଟିବି ରୋଗରେ ଚିକିତ୍ସାଧୀନ ଥିଲେ ।  ସପ୍ତାହେ ତଳେ ଉକ୍ତ ଗାଁର ଶିବ ମିଣିଆକା ତାଙ୍କ ଅବସ୍ଥା ଦେଖି  ଆଉ ବଞ୍ଚିବେନି ବୋଲି ଠଉରାଇଥିଲେ । ଯାହାକି, ତାଙ୍କ ପାଇଁ  କାଳ ସାଜିଥିଲା । ଦାସ ମିଣିଆକା ଦିନକ ପରେ ମରିଗଲେ । ଗାଁ  ମଶାଣିରେ ଶବସତ୍କାର ଚାଲିଥିଲା । ତାଙ୍କ ସମ୍ପର୍କୀୟମାନେ ଶିବଙ୍କୁ  ଠେଙ୍ଗାରେ ପିଟିପିଟି ଦରମଲା କରିଥିଲେ । ସମାନ ଜୁଇରେ ଶିବଙ୍କୁ  ମଧ୍ୟ ପୋଡି଼ ଦେଇଥିଲେ । ପୁଲିସ ୫ଜଣଙ୍କୁ ଗିରଫ କରିଥିଲା ।  ଶିବ ଗୁଣିଗାରେଡି଼ କରି ଦାସଙ୍କୁ ମାରିଦେଇଥିବାରୁ ଏଭଳି କାଣ୍ଡ  ଭିଆଇଥିବା ଅଭିଯୁକ୍ତମାନେ ପୁଲିସକୁ ଜଣାଇଥିଲେ ।  

ଅଗଷ୍ଟ ୯ ତାରିଖରେ ପୁରୀ ଡେଲାଙ୍ଗ କୁଆପଡ଼ା ଗାଁର ତାନ୍ତ୍ରିକ  ଗଦାଧର ନିଶଙ୍କଙ୍କୁ ଖୋର୍ଦ୍ଧା ଗୁରୁଜଙ୍ଗରେ ହତ୍ୟା କରାଗଲା ।  ଶବକୁ କାରରେ ବୋହି ନେଇ କଣାସ ମକରା ନଦୀରେ ଫିଙ୍ଗି  ଦିଆଗଲା । ପୁରୀ ପୁଲିସ ମାମଲାରେ ପୁଷ୍ପଲତା ପ୍ରଧାନ ନାମକ  ମହିଳା ତାନ୍ତ୍ରିକ ସମେତ ୪ଜଣଙ୍କୁ ଗିରଫ କଲା । ମୃତକଜଣକ  ପୁଷ୍ପଲତାଙ୍କ ଘରେ ରହୁଥିବା ନୀଳିମା ନାମକ ମହିଳାଙ୍କ ଉପରେ  ଲୋଲୁପ ଦୃଷ୍ଟି ପକାଇଲେ । ଏହାର ପ୍ରତିଶୋଧ ସ୍ୱରୂପ ଗଦାଧରଙ୍କ  ଚେଲା ସାଜିଥିବା ପୁଷ୍ପଲତା ଓ ନୀଳିମାଙ୍କ ସ୍ୱାମୀ ବାନାମ୍ବର ମିଳିମିଳି  ମାରିଥିବା ପୁଲିସ ସୂଚାଇଥିଲା ।  

ଫେବ୍ରୁଆରୀ ୧୬ ସନ୍ଧ୍ୟାରେ ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼  ଥାନା ମରୁଆବିଲିର ଜଙ୍ଗଲିଆ ବୁଦା ମୂଳରୁ ଧର୍ମାନନ୍ଦ ଦେହୁରୀଙ୍କ  ରକ୍ତାକ୍ତ ମୃତଦେହ ମିଳିଥିଲା । ପୁଲିସ ମୃତକଙ୍କ ପଡ଼ୋଶୀ  ଶ୍ରୀଧର ଦେହୁରୀଙ୍କୁ ଗିରଫ କରିଥିଲା । ଦର୍ଶାଇଥିଲା, ଧର୍ମାନନ୍ଦ  ଗୁଣିଗାରେଡି଼ କରୁଥିବାରୁ ଅଭିଯୁକ୍ତ ପରିବାର ଲୋକଙ୍କ  ସବୁବେଳେ ଦେହ ଖରାପ ହେଉଥିଲା । ଏହି ଅନ୍ଧବିଶ୍ୱାସ ଶ୍ରୀଧର  ମନରେ ବସା ବାନ୍ଧିବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଏକ  ଟାଙ୍ଗିଆ ଯୋଗେ ତାଙ୍କୁ ହାଣି ପକାଇଥିଲା ।  

ମାଲକାନଗିରିର ଏମ୍‌ଭି ୭୯, କାଳିମେଳା,  ମୋଟୁ ଭଳି ଆଦିବାସୀ ଇଲାକାରେ ମାଓ  ଉପଦ୍ରବ କମିଯାଇଥିବା ବେଳେ  ଗୁଣିଗାରେଡି଼, ଅନ୍ଧବିଶ୍ୱାସ  ଏବେ ବି ରହିଛି । ଏହି ଜିଲ୍ଲାରେ ବର୍ଷକ ଭିତରେ ୪ଟି  ମୁଣ୍ଡ ଗଡି଼ଛି । ରାଜଧାନୀ ବି ତନ୍ତ୍ରମନ୍ତ୍ର ଆଉ କଳାଯାଦୁର  କୋପରୁ ବାଦ୍‌ ପଡିନଥିଲା । ଚର୍ଚ୍ଚିଲ କାନୁନ୍‌ଗୋ ନାମକ  ଜଣେ ଆଇନ୍‌ଜୀବୀ ରବିଟକିଜ ଟଙ୍କପାଣି ରୋଡର ଏକ  ଭଡ଼ାଘରେ ମାଟି ଖୋଳି ବିଭିନ୍ନ ଦେବାଦେବୀଙ୍କ ଫଟୋ  ରଖି ଦିନରାତି ପୂଜାର୍ଚ୍ଚନା କରୁଥିଲେ । ସେଠାରେ  ତନ୍ତ୍ରମନ୍ତ୍ର କରି କାଉଁରୀ କନ୍ୟା ବଳି ଦିଆଯାଉଥିବା  ଅଭିଯୋଗ ଉଠିଥିଲା ।

ମହଙ୍ଗା ପଡିଲା ଖଟ ଦେବତାଙ୍କୁ ବିରୋଧ

ଆଧୁନିକ ସମାଜରେ ଅଧିକାଂଶ ଲୋକ ଅନ୍ଧବିଶ୍ୱାସକୁ ମନରୁ  ହଟାଇ ସାରିଲେଣି । କିନ୍ତୁ ଏହାକୁ ବିରୋଧ କରିବା ଅନେକଙ୍କୁ  ମହଙ୍ଗା ପଡୁ଼ଛି । ମେ’ ୨୩ରେ କନ୍ଧମାଳ ଫିରିଙ୍ଗିଆ ବ୍ଲକ  ଗୋଚ୍ଛାପଡ଼ାରେ ଖଟ ଦେବତା ବୁଲାଇବାକୁ ବିରୋଧ  କରିବାରୁ ଏକ ଦମ୍ପତି ମରଣାନ୍ତକ ଆକ୍ରମଣର  ଶିକାର ହୋଇଥିଲେ । ଅପି ବିନ୍ଧାଣୀ ଓ  ତାଙ୍କ ସ୍ତ୍ରୀ ରଙ୍ଗାଇଙ୍କୁ ଗାଁର ଏକ ଗୋଷ୍ଠୀ  ଗାଁ ରାସ୍ତାରେ ପିଟି ପିଟି ଦରମଲା କରିଥିଲେ। ଉଭୟେ ଗୁରୁତର  ଅବସ୍ଥାରେ ଫୁଲବାଣୀ ମୁଖ୍ୟ  ଚିକିତ୍ସାଳୟରେ ମାସେ  ଧରି ଚିକିତ୍ସାଧୀନ ଥିଲେ।

ଅନ୍ଧବିଶ୍ୱାସରୁ ଘର  ପୋଡି ଦେଲେ

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଡଙ୍ଗେରିକିଆ ଗାଁର ନବୀନ କହଁରଙ୍କ  ଉପରେ ଗ୍ରାମବାସୀଙ୍କ ଅନ୍ଧବିଶ୍ୱାସ କୋପ ପଡି଼ଥିଲା । ସେ ଗୁଣିଗାରେଡ଼ି  କରୁଥିବା ସନ୍ଦେହରେ ଏପ୍ରିଲ ୧୦ ତାରିଖରେ ଗାଁର ଗୋଟିଏ ଗୋଷ୍ଠୀ ତାଙ୍କ  ଘରକୁ ଜାଳି ଦେଇଥିଲେ । ପରିବାର ଲୋକ ଭୟରେ ଗାଁ ଛାଡି଼ଲେ । ମାସେ  ଯାଏଁ ବାହାରେ ଲୁଚିକି ରହିଲେ । କିଛି ମାନବ ଅଧିକାର କର୍ମୀ ଉକ୍ତ  ପରିବାରକୁ ସାହା ହୋଇଛନ୍ତି । ପୁଲିସ ସହାୟତାରେ ସେମାନଙ୍କୁ  ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।  

ପେଟ୍ରୋଲ ଢ଼ାଳି  ନିଆଁ ଲଗାଇଲେ

ଅକ୍ଟୋବର ୧୭ ରାତିରେ ନୂଆପଡ଼ା ସିନାପାଲି  ଥାନା ନୂଆଁମାଲପଡ଼ା ପାଟିପଡ଼ା ଗାଁରେ ପ୍ରଜାକୋର୍ଟ  ବସିଥିଲା । ଖାମସିଂ ମାଝି ନାମକ ବୃଦ୍ଧ ଗାଁରେ  ଗୁଣିଗାରେଡି଼ କରୁଥିବା ଘଟଣାର ବିଚାର ଚାଲିଲା ।  ଝଗଡ଼ା ହେବାରୁ ପ୍ରଜାକୋର୍ଟ ଅଧାରୁ ବନ୍ଦ  ହେଲା । କିନ୍ତୁ ସେହି ରାତି ଖାମସିଂଙ୍କ ପାଇଁ  ଶେଷ ରାତି ପାଲଟିଲା । ୧୫/୨୦ ଗ୍ରାମବାସୀ  ତାଙ୍କୁ ଗାଁ ପୋଖରୀ ହିଡ଼କୁ ଟେକିନେଲେ ।  ପାଲବେଣ୍ଟ(ପାଲରଶି)ରେ ହାତଗୋଡ଼କୁ  ବାନ୍ଧି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ।  ଜୀବନ ବିକଳରେ ଖାମସିଂ ପୋଖରୀକୁ ଡେଇଁ  ପଡିଲେ । ତଥାପି ଗ୍ରାମବାସୀଙ୍କ କ୍ରୋଧ ଥମିଲାନି ।  ପୋଖରୀକୁ ଟେକାପଥର ଫିଙ୍ଗିଲେ । ସେ ବିଲ  ହିଡ଼ରେ ଧାଇଁ କଷ୍ଟେମଷ୍ଟେ ଜୀବନ ବଞ୍ଚାଇଲେ ।  ପୂର୍ବରୁ ତାଙ୍କ ଉପରେ ବିଷ୍ଠା ଢ଼ାଳି ଗାଁରୁ ସାମାଜିକ  ବାସନ୍ଦ କରାଯାଇଥିଲା । 

ମିଳିଲା ୩ ଲକ୍ଷ କ୍ଷତିପୂରଣ

୨୦୧୮ ମାର୍ଚ୍ଚରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର  ଥାନା ଅଞ୍ଚଳର ଯଶୋଦା ସିଂଙ୍କୁ ଗୁଣିଗାରେଡି଼ ଅଭ୍ୟାସ  କରୁଥିବା ସନ୍ଦେହରେ ଏକ ଗୋଷ୍ଠୀ ପିଟିପିଟି ମାରି  ଦେଇଥିଲେ । ତାଙ୍କ ସ୍ୱାମୀ ଓ ପୁଅକୁ ମଧ୍ୟ ପିଟିପିଟି  ଦରମଲା କରିଥିଲେ । ରାଜ୍ୟ ମାନବ ଅଧିକାର  ଆୟୋଗ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର  ସହ ନେଇଥିଲେ । ନଭେମ୍ବର ୨୦ ତାରିଖରେ  ମୃତକଙ୍କ ପରିବାରବର୍ଗକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ  ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।   

ବର୍ଷକରେ ୨୪ ଜଣଙ୍କୁ ଜେଲ

ଯେତେ ସଚେତନ ବାର୍ତ୍ତା ବାଣ୍ଟିଲେ ବି  ଆଧୁନିକ ସମାଜରୁ ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସ  ମୂଳପୋଛ ହେଉନାହିଁ । ଭାରତୀୟ ନ୍ୟାୟ ସଂହିତାରେ (ବିଏନ୍‌ଏସ୍‌)  କଠୋର ଆଇନ୍‌ର  ପ୍ରାବଧାନ ରହିଛି । ଚଳିତବର୍ଷ ଆଇନ ଫାଶରେ  ପଡିଥିବା ୨୪ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୬ ଏପ୍ରିଲରେ ରାୟଗଡ଼ା ଟିକିରି ଥାନା  ସୁଦିନଗାଗୁଡ଼ାର ପ୍ରହଲ୍ଲାଦ ମାଝି ଓ ସ୍ତ୍ରୀ ସାଲାଇ ତାଙ୍କ  ବିଲରେ କାମ କରୁଥିଲେ। ଗୁଣିଗାରେଡି  ସନ୍ଦେହରେ ସେହି  ଗାଁର କାର୍ତ୍ତିକ ମାଝୀ ଓ ସହଯୋଗୀମାନେ ସଂଘବଦ୍ଧ ଭାବେ  ପ୍ରହଲ୍ଲାଦଙ୍କୁ ପିଟିପିଟି ମାରି ଦେଇଥିଲେ । ଗତ ୧୮ ତାରିଖରେ  ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ହତ୍ୟାକାରୀ କାର୍ତ୍ତିକକୁ ଆଜୀବନ  ସଜା ଶୁଣାଇଥିଲେ । ବଲାଙ୍ଗିରରେ ମଧ୍ୟ ହତ୍ୟା ଘଟିଥିଲା ।  ଜାନୁଆରୀ ୨୮ରେ ରାୟଗଡ଼ା ଅଦାଲତ ରାଜେଶ କୁଳେଶିକାକୁ ଆଜୀବନ  ଜେଲଦଣ୍ଡ ଦେଇଥିଲେ । ଗୁଣିଗାରେଡି଼ କରୁଥିବା ସନ୍ଦେହରେ ଚନ୍ଦ୍ରମା  ବିହାର ନାମ୍ନୀ ମହିଳାଙ୍କୁ ୨୦୨୨  ସେପ୍ଟେମ୍ବର ୫ରେ ରାଜେଶ  ହତ୍ୟା କରିଥିଲା ।

ନାବାଳିକା ମୁଣ୍ଡରେ ୭୭ ମନ୍ତୁରା କଣ୍ଟା
ଜୁଲାଇ ମାସରେ ବଲାଙ୍ଗିର ସିନେ୍ଧକେଲା ଥାନା ଇଜଗାଁ ବାସିନ୍ଦା ବିଷ୍ଣୁପ୍ରସାଦ ବେହେରାଙ୍କ ୧୯ ବର୍ଷୀୟ ଝିଅ ରେଶ୍‌ମା ମୁଣ୍ଡ ପ୍ରବଳ ବିନ୍ଧୁଥିଲା । ବେଳେ ବେଳେ ରକ୍ତ ଝରୁଥିଲା । ମୁଣ୍ଡବିନ୍ଧା ଅସହ୍ୟ ହେବାରୁ ବାପା-ଝିଅ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲ ଗଲେ । ସିଟି ସ୍କାନରୁ ଜଣାପଡି଼ଥିଲା, ତାଙ୍କ ମୁଣ୍ଡରେ ପୁଳାପୁଳା ସିରିଞ୍ଜ ଛୁଞ୍ଚି ଫୁଟା  ଯାଇଛି । ଡାକ୍ତର ଅସ୍ତ୍ରୋପଚାର କରି ୭ଟି ଛୁଞ୍ଚି ବାହାର କଲେ । ବାକି ୭୦ଟି ଛୁଞ୍ଚିକୁ ବୁର୍ଲା ଭୀମସାର ହସ୍ପିଟାଲରେ ନ୍ୟୁରୋସର୍ଜରୀ ଯୋଗେ  କଢ଼ାଗଲା । ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା। କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାକୁ ସିନେ୍ଧକେଲା ଥାନା ପୁଲିସ ଗିରଫ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା, ରେଶ୍‌ମାର ନାବାଳିକା ଥିବା ବେଳେ ୨୦୨୦ ମସିହାରେ ତା’ର ମା’ଙ୍କ ଦେହାନ୍ତ  ହୋଇଥିଲା । ମା’ ମମତା ବିନା ରେଶ୍‌ମା ଅନେକ ସମୟରେ ଚମକୁଥିଲା । ଦୀର୍ଘଦିନ ଧରି ଜ୍ୱର ଲାଗି ରହୁଥିଲା । ଗୁଣିଆଜଣକ ମୁଣ୍ଡରୁ ପ୍ରେତ ଛଡ଼ାଇବା ବାହାନାରେ ତା’ ମୁଣ୍ଡରେ ୭୫ଟି ତାନ୍ତ୍ରିକ କଣ୍ଟା ଖୋଦି ଦେଇଥିଲା । ଏ ବାବଦକୁ  ବିଷ୍ଣୁଙ୍କଠାରୁ ଲକ୍ଷେ ୮୦ ହଜାର ଟଙ୍କା ଆଦାୟ କରିଥିଲେ ।

ସାମାଜିକ ବାସନ୍ଦର ଦଣ୍ଡ 

ପାଟଣାଗଡ଼ ଜବାହାରଲାଲ୍‌ କଲେଜର ଅବସରପ୍ରାପ୍ତ ପ୍ରଫେସର ମନମୋହନ ସାଏଙ୍କ ଇଞ୍ଜିନିୟର ପୁଅ ସୌମ୍ୟରଞ୍ଜନ ବେଙ୍ଗାଲୁରୁରେ ଜଣେ ମରାଠା ଜାତିର ଝିଅକୁ ବାହା ହୋଇଥିଲେ । ଅଲଗା ଜାତିରେ ବାହାଘରକୁ ବେଆଇନ୍‌ ବୋଲି ଦର୍ଶାଇ  ପୁଇଁତଳା ଗାଁର ଅଘରିଆ ସମାଜ ବାପା-ମା’ଙ୍କୁ ସାମାଜିକ ବାସନ୍ଦ କରିଥିଲେ । ଜାତିରେ ମିଶିବାକୁ ହେଲେ, ଜୀବିତ  ପୁଅର ଶୁଦ୍ଧିକ୍ରିୟା କରି ନଣ୍ଡା ହେବା ସହ ଆର୍ଥିକ ଜରିମାନା ଦେବାକୁ ପଡ଼ିବ ବୋଲି ଅଘରିଆ ସମାଜର ମୁରବୀମାନେ  ଜିଦ୍‌ ଧରିଥିଲେ । ଏମିତିକି ତାଙ୍କ ପରିବାରର କୌଣସି କାର୍ଯ୍ୟକ୍ରମକୁ କେହି ଆସିଲେନି । ନଭେମ୍ବର ମାସର ଏଭଳି  କୁତ୍ସିତ ପରମ୍ପରା ପୁଣି ଥରେ ଆଧୁନିକ ସମାଜ ପାଇଁ କଳଙ୍କ ସାଜିଥିଲା । ଆଉ ଏକ ସାମାଜିକ ବାସନ୍ଦର ଶିକାର  ହୋଇଥିଲେ ବାଲେଶ୍ୱର ଅତିରିକ୍ତ ଏସ୍‌ପି ନିରଞ୍ଜନ ବେହେରାଙ୍କ ପରିବାର । ଢ଼େଙ୍କାନାଳ ଭାପୁର ଫାଣ୍ଡି ଅଉଖମା  ଉପରସାହି ଗ୍ରାମ ରାସ୍ତା ଜବରଦଖଲକୁ ନେଇ ଗାଁ କମିଟି ସହ ଦୀର୍ଘ ଦିନର ବିବାଦ ରହିଛି । ଢ଼େଙ୍କାନାଳ  ତହସିଲଦାରଙ୍କ ଉପସ୍ଥିତିରେ ଘଟଣାର ଆପୋଷ ସମାଧାନ ପାଇଁ ଚେଷ୍ଟା କରାଇଥିଲେ ହେଁ ଏଯାଏଁ  ସ୍ଥିତି ସୁଧୁରିନି ।

ବନଜାରା ଗୋଷ୍ଠୀରେ ରକ୍ତର ହୋଲି

ଅକ୍ଟୋବର ୩୦ରେ  ସୁନ୍ଦରଗଡ଼ ସଦର  ଥାନାରେ କରମଡିହିର ଯାଯାବର  ବସ୍ତିରେ ରକ୍ତର ହୋଲି ଖେଳିଥିଲେ ।  ଦକ୍ଷିଣି କାତି, ଖଣ୍ଡା, ଭୁଜାଲି ଚୋଟରେ  ୨ ପରିବାରର ୫ଜଣଙ୍କ ମୁଣ୍ଡ ଗଡି଼ଥିଲା ।  ସେଥିରେ ୩ଜଣ ମହିଳା, ୨ ଜଣ ପୁରୁଷ ଥିଲେ ।  ୩ଟି ଛୋଟ ଶିଶୁ ସହ ୪ଜଣ ଲହୁଲୁହାଣ ହୋଇଥିଲେ ।  ଏମିତିକି ଦୁର୍ବୃତ୍ତମାନେ ଜଣେ ମହିଳା ଓ ୪ଜଣ ଶିଶୁଙ୍କୁ  ଅପହରଣ କରିନେଇଥିଲେ । ୪ ମୁଖାଧାରୀ ଦୁର୍ବୃତ୍ତ ଏହି କାଣ୍ଡ  ଭିଆଇଥିଲେ । ଏହି ଗଣହତ୍ୟା ଓ ଅପହରଣ ଘଟଣା ସାରା ରାଜ୍ୟରେ  ଆଲୋଡ଼ନ ଖେଳାଇଥିଲା । ଏହା ପଛରେ କର୍ଣ୍ଣାଟକ-ମହାରାଷ୍ଟ୍ର ବନ୍‌ଜାରା  ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଓ ପରକୀୟା ପ୍ରୀତି ଥିବା ପୁଲିସ ତଦନ୍ତରୁ  ଜଣାପଡି଼ଥିଲା । ଗଣହତ୍ୟାର ପ୍ରାୟ ମାସକ ପରେ ପୁଲିସ ମହାରାଷ୍ଟ୍ର ଯାଇ ୬  ଜଣ ସୁପାରି କିଲରଙ୍କୁ କାବୁ କରିଥିଲା । ସେମାନେ ସମସ୍ତେ କର୍ଣ୍ଣାଟକ ଅଞ୍ଚଳର । ସେମାନଙ୍କଠାରୁ ସବୁ ସତ ଉଗାରିଥିଲା ପୁଲିସ । ଆହତ ମହାରାଷ୍ଟ୍ର ଗୋଷ୍ଠୀର  ଅବିନାଶଙ୍କ ସ୍ତ୍ରୀ ଅନ୍ୟଜଣେ ପୁରୁଷ ସହ ଫେରାର୍‌ ହୋଇଯାଇଥିଲା । ଅବିନାଶ  ୬ ବର୍ଷ ତଳେ ତଳେ କର୍ଣ୍ଣାଟକ ଗୋଷ୍ଠୀର ଜଣେ ବିବାହିତ ମହିଳା ଓ ତାଙ୍କ  ପୁଅକୁ ଜବରଦସ୍ତି ଉଠାଇ ଆଣିଥିଲା । ସେବେଠୁ ଅବିନାଶ ଉପରେ ରକ୍ତ  ଚାଉଳ ଚୋବାଉଥିଲେ ପ୍ରତିପକ୍ଷ ଗୋଷ୍ଠୀ । ଏମିତିକି ଅବିନାଶ ଆନ୍ଧ୍ରପ୍ରଦେଶରେ  ରହୁଥିବା ବେଳେ ପ୍ରତିପକ୍ଷ ଗୋଷ୍ଠୀ ତାଙ୍କ ବାପା, ମା ଓ ଭାଇକୁ ନିର୍ମମ ଭାବେ  ହତ୍ୟା କରିଥିଲା । ଅବିନାଶ ନିଜ ପରିବାରକୁ ସାଙ୍ଗରେ ଧରି ୩-୪ ଦିନ  ତଳେ ସୁନ୍ଦରଗଡ଼ର ଯାଯାବର ବସ୍ତିକୁ ଚାଲି ଆସିଥିଲା । କିନ୍ତୁ ପୁରା ଘଟଣାର ମାଷ୍ଟରମାଇଣ୍ଡ ତଥା ସମ୍ପୃକ୍ତ ମହିଳା ଏବେ ବି ଫେରାର୍‌।

ଡବଲ ମର୍ଡର ପଛରେ ଗଞ୍ଜେଇ କାରବାର

ଅକ୍ଟୋବର ୨୦ରେ ବଲାଙ୍ଗୀରରେ ଏକ ରୁମ୍‌ରେ ବନ୍ଦୀ କରି ରଖି ଜାଭେଦ ଅହମ୍ମଦ ଓ ପଲକ ମିଶ୍ରଙ୍କୁ  ପିଟିପିଟି ଦରମଲା କଲେ । ଉଭୟଙ୍କୁ ପୁଇଁତଳା ଥାନା ତଣ୍ଡାମୁଣ୍ଡା ଗାଁର ଉପରଝର ଜଙ୍ଗଲରେ ଫିଙ୍ଗିଥିଲେ ।  କାଳେ ୨ଜଣ ବଞ୍ଚିଯିବେ, ଯିବା ପୂର୍ବରୁ ଉଭୟଙ୍କ ତଣ୍ଟି କାଟି ଦେଇଥିଲେ । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡର  ପର୍ଦ୍ଦାଫାଶ ବଲାଙ୍ଗିର ପୁଲିସ ପାଇଁ ଚାଲେଞ୍ଜ ପାଲଟିଥିଲା । ଖୋଦ୍‌ ଆଇଜି ହିମାଂଶୁ ଲାଲ୍‌ ନେତୃତ୍ୱ ନେଇ  ସପ୍ତାହେ ଭିତରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିଲେ । ଝାଡ଼ଖଣ୍ଡ ବୋକାରୋରୁ ୮ଜଣ ସୁପାରି କିଲରଙ୍କୁ  ଗିରଫ କରାଯାଇଥିଲା । ଗଞ୍ଜେଇ କାରବାର ହିଁ ହତ୍ୟା ପଛର କାରଣ ବୋଲି ପୁଲିସ ଦର୍ଶାଇଥିଲା । ଝାଡ଼ଖଣ୍ଡ  ବୋକାରୋର ମୁଖ୍ୟ ଅଭିଯୁକ୍ତ ତଥା ପେସାଦାର ଅପରାଧୀ ବବଲୁ କିଲ୍ଲୋର ମୁଖ୍ୟ ସହଯୋଗୀ ଥିଲା  ଜାଭେଦ । ସେ ଗଞ୍ଜେଇ କିଣିବା ପାଇଁ ଜାଭେଦକୁ ୭ ଲକ୍ଷ ଟଙ୍କା ଧରାଇ ବଲାଙ୍ଗୀର ପଠାଇଥିଲା । କିନ୍ତୁ  ଜାଭେଦ ଏସବୁ ଟଙ୍କା ପ୍ରେମିକା ପଛରେ ଉଡ଼ାଇ ଦେବାରୁ ବବଲୁ ସୁପାରି ଦେଇ ଉଭୟଙ୍କୁ ମାରିଦେଇଥିଲା।

ମା’କୁ ଛୁରି ଭୁସିଲେ ୨ ଇଞ୍ଜିନିୟର ପୁଅ

କଟକ ମହାନଦୀ ବିହାର ଅଞ୍ଚଳର ୭୪ ବର୍ଷୀୟା ବୃଦ୍ଧା ଅନିମା ମହାନ୍ତିଙ୍କୁ  ନିର୍ମମ ଭାବେ ହତ୍ୟା କରାଗଲା । ଚାଉଳିଆଗଞ୍ଜ ଥାନା ପୁଲିସ ତଦନ୍ତରୁ  ଜାଣିବାକୁ ପାଇଲା, ହତ୍ୟାକାଣ୍ଡ ପଛରେ ୨ ଇଞ୍ଜିନିୟର ପୁଅର ସମ୍ପୃକ୍ତି ଅଛି ।  ଜନ୍ମଦାତ୍ରୀ ମା’ଙ୍କୁ ଛୁରି ଭୁସି ମାରିଦେଇଥିଲେ । ବଡ଼ପୁଅ ଅଶୁଂମାନ ଓ ସାନ ପୁଅ  ଅନୁରାଗ ଉଭୟେ ସଫ୍ଟୱେର ଇଞ୍ଜିନିୟର । କୌଣସି କାରଣରୁ ଚାକିରି ପଳାଇବାରୁ  ଉଭୟ ଘରେ ରହୁଥିଲେ । ଧୀରେ ଧୀରେ ସେମାନଙ୍କ ମାନସିକସ୍ଥିତି ବିଗିଡ଼ିଥିଲା ।  ହତ୍ୟାର ୪ ଦିନ ପୂର୍ବରୁ ଉଭୟେ ଫୁଲନଖରାରେ ଉଲଗ୍ନ ଅବସ୍ଥାରେ ବୁଲୁଥିଲେ ।

ଉଚ୍ଚଶିକ୍ଷିତଙ୍କ ଅଶିକ୍ଷିତ କାଣ୍ଡ

ନାମ ଅନିରୁଦ୍ଧ ଚୌଧୁରୀ ।  ଶିକ୍ଷାଗତ ଯୋଗ୍ୟତା, ଦିଲ୍ଲୀର  ଜବାହାରଲାଲ୍‌ ବିଶ୍ୱବିଦ୍ୟାଳୟର  ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ  ଆଇନ୍‌ (ଏଲ୍‌ଏଲ୍‌ଏମ୍‌) । ହାଭାର୍ଡ  ବିଶ୍ୱବିଦ୍ୟାଳୟରେ ଡକ୍ଟରେଟ୍‌ ଉପାଧି ବି  ହାତେଇଥିଲେ । ଏମିତିକି ଏକ ଘରୋଇ ବିଶ୍ୱବିଦ୍ୟାଳୟର  ଆଇନ୍‌ ପ୍ରଫେସର ଭାବେ ଛାତ୍ରଙ୍କୁ ଆଇନ୍‌ ପାଠ  ପଢ଼ାଉଥିଲେ । ବୈଦେଶିକ କୁଟନୀତି ଓ ଯୁଦ୍ଧ ରଣନୀତି  ଶାସ୍ତ୍ରରେ ସେ ବେଶ୍‌ ପାରଜ୍ଞମ ଥିଲେ । ବିଶେଷଜ୍ଞ  ଭାବେ ପ୍ରତିଷ୍ଠିତ ଟିଭି ଚ୍ୟାନେଲର ବିତର୍କରେ  ଜ୍ଞାନ ବାଣ୍ଟୁଥିଲେ । କିନ୍ତୁ ଦୁବାଇ, ସିଙ୍ଗାପୁର  ଓ ଅନ୍ୟ ଦେଶ ବୁଲାବୁଲିରେ ଅଜସ୍ର ଟଙ୍କା  ଉଡ଼ାଇବା ପରେ ପାଖାପାଖି ୨୭ ଲକ୍ଷ ଟଙ୍କା  ଋଣ ଭାର ମୁଣ୍ଡାଇଲେ । ଋଣ ସୁଝିବା ପାଇଁ  ବାପା ସୁନିଲ ଚୌଧୁରୀଙ୍କୁ ଟଙ୍କା ମାଗିଲେ । ବାପା  ଟଙ୍କା ଦେବାକୁ ରୋକଠୋକ ମନା କରିବାରୁ  ଉଚ୍ଚଶିକ୍ଷିତ ପୁଅ ସଇତାନ ପାଲଟିଗଲା ।  ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼  କରିଥିଲା । ସବୁ ଅଳିଅର୍ଦ୍ଦଳି ସହିଥିଲା । ସେହି  ଜନ୍ମଦାତାଙ୍କ ପାଟିକୁ ତକିଆରେ ଜାବୁଡି଼ ଧରି  ଛୁରି ଭୁସି ହତ୍ୟା କରିଥିଲା । ପିଲାଟି ବେଳୁ ଶାନ୍ତ  ସ୍ୱଭାବର ଅନିରୁଦ୍ଧ ରାଜଧାନୀ ରଙ୍ଗମାଟିଆସ୍ଥିତ  ‘ଡିଏଚ୍‌ପିଏଲ୍‌ ହୋମ୍ସ’ ଆପାର୍ଟମେଣ୍ଟର ଫ୍ଲାଟ୍‌  ନଂ- ୧୦୮ରେ ଜୁଲାଇ ୨ ରାତିରେ ଘଟିଥିବା ଏହି  ବିଭତ୍ସ ହତ୍ୟା ଘଟିଥିଲା । ଜଣେ ଉଚ୍ଚଶିକ୍ଷିତଙ୍କ ଏଭଳି  ଅଶିକ୍ଷିତ କାଣ୍ଡ ସାରା ରାଜ୍ୟକୁ ଚହଲାଇ ଦେଇଥିଲା ।



  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.