ପୁରୀ ୨୦/୧୨(ରାଜଶ୍ରୀ ସାହୁ): ନୂଆ ଉନ୍ମାଦନା ନେଇ ଆସିବ ନୂଆବର୍ଷ । ବଦଳିବ କ୍ୟାଲେଣ୍ଡର । ଉତ୍ସବ, ଉତ୍ସାହ, ଓ ଉତ୍କଣ୍ଠା ସ୍ୱାଦରେ ଭରି ରହିଥିଲା ବିଦାୟୀ ବର୍ଷ ୨୦୨୪ । ଜାନୁଆରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବଠାରୁ ଆରମ୍ଭ ହୋଇଥିବା ଉତ୍ସବ ଡିସେମ୍ବରରେ ନୌସେନା ଦିବସ ପାଳନ ସହ ଶେଷ ହୋଇଥିଲା । ବର୍ଷତମାମ ପୁରୀରେ ହୋଇଥିଲା ପ୍ରକଳ୍ପର ବର୍ଷା । ପର୍ଯ୍ୟଟକଙ୍କ ପାଇଁ ହୋଇଥିଲା ଅନେକ ବିକାଶମୂଳକ କାର୍ଯ୍ୟ । ଶ୍ରୀକ୍ଷେତ୍ରରେ ସତ୍ତାର ପରିବର୍ତ୍ତନ ମଧ୍ୟ ଅନେକଙ୍କୁ ତାଜୁବ କରିଦେଇଥିଲା । ନୂଆ ଚେହେରା ଧରିଥିଲେ ଶାସନ ଡୋରି । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବର୍ଷ ପୁରୀରେ ସମସ୍ତଙ୍କର ପାଦ ପଡ଼ିଥିଲା । ବର୍ଷ ସାରାର ଏଭଳି ଅନେକ ମଧୁର ଅନୁଭୂତି ସହ ବାହୁଡ଼ିବ ୨୦୨୪ । ନୂଆ ସମ୍ଭାବନା ସହ ୨୦୨୫କୁ ସ୍ୱାଗତ କରିବା ପୂର୍ବରୁ ବିଦାୟୀ ବର୍ଷର କିଛି ଝଲକକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା...
ନୂଆ କଳେବର ହେଲା ଶ୍ରୀକ୍ଷେତ୍ର
ବର୍ଷ ୨୦୨୪ରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଇତିହାସରେ ଯୋଡ଼ି ହୋଇଥିଲା ନୂଆ ଅଧ୍ୟାୟ । ପୁରୀର ନୂଆ କଳେବର ରୂପାଙ୍କିତ ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଙ୍ଗକୁ ଏକାଧିକ ପ୍ରକଳ୍ପ ପୁରୀର ନକ୍ସାରେ ସାମିଲ ହୋଇଥିଲା । ଗମନାଗମନ ସୁବିଧା ପାଇଁ ଶ୍ରୀସେତୁ ଲୋକାର୍ପିତ ହୋଇଥିବା ବେଳେ ଏକାଧିକ ପାର୍କିଂ ଯାତ୍ରୀଙ୍କ ଗାଡ଼ି ରଖିବା ସମସ୍ୟା ଦୂରେଇ ପାରିଥିଲା । ଶ୍ରୀଦାଣ୍ଡ ଶ୍ରୀମନ୍ଦିରକୁ ଯିବା ରାସ୍ତାକୁ ସହଜ କରିଦେଇଥିଲା । ପୁରୀରେ ଏକାଧିକ ମାର୍କେଟ କଂପ୍ଲେକ୍ସ ମଧ୍ୟ ୨୦୨୪ରେ ଖୋଲିଥିଲା । ପୁରୀରେ ଥିବା ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ବି ଏ ବର୍ଷ ଝଲସି ଉଠିଥିଲା । ଏହି ସମସ୍ତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ କରିଥିଲେ । ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ଅତ୍ୟନ୍ତ ଭବ୍ୟ ଢଙ୍ଗରେ ହୋଇଥିଲା । ୯୪୩ କୋଟି ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୦୦୦ରୁ ଊଦ୍ଧ୍ୱର୍ ଭିଆଇପି ଓ ଭିଭିଆଇପି ଅତିଥି ନିମନ୍ତ୍ରିତ ହୋଇ ଆସିଥିଲେ ।
ଏଥିପାଇଁ ସାରା ସହର ରଙ୍ଗୀନ ଆଲୋକରେ ସଜେଇ ହୋଇଥିଲା । ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଚାରିପାଖରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଯାତାୟତରେ ସୁବିଧା ପାଇଁ ମନ୍ଦିର ଚାରିପାଶ୍ୱର୍ରେ ବାହ୍ୟ ପ୍ରଦକ୍ଷଣ ମାର୍ଗ ଓ ଅନ୍ତଃ ପ୍ରଦକ୍ଷଣ ମାର୍ଗ ନିର୍ମାଣ କରାଯାଇଛି । ଅନ୍ୟପକ୍ଷରେ ୧୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ସର୍ବପ୍ରଥମ ‘ଟ୍ରମ୍ପେଟ୍ ବ୍ରିଜ’ ଶ୍ରୀସେତୁ ଯୋଗୁ ଭୁବନେଶ୍ୱର ଓ ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ଗାଡ଼ି ସହରର ଭିଡ଼ ମଧ୍ୟରେ ନ ଫସି ସିଧାସଳଖ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚି ପାରୁଛି । ଏହି ବିଦାୟୀ ବର୍ଷରେ ପୁରୀରେ ୨୩୦ କୋଟି ଟଙ୍କାରେ ଜଗନ୍ନାଥ ବଲ୍ଲଭ ପାର୍କିଂ ଲୋକାର୍ପିତ ହେବା ସହ ଜେଲ୍ ରୋଡ୍ ପାର୍କିଂ, ସମଙ୍ଗ ପାର୍କିଂ, ଦିଗବାରେଣୀ ପାର୍କିଂ, ଯାତ୍ରିକା ପାର୍କିଂ ଭଳି ଏକାଧିକ ପାର୍କିଂ ପୁରୀକୁ ମିଳିଥିଲା । ଏହା ସହ ପୁରୀରେ ଏକାଧିକ ମାର୍କେଟ କଂପ୍ଲେକ୍ସ ମଧ୍ୟ ଲୋକାର୍ପିତ ହୋଇଥିଲା । ମହୋଦଧି ମାର୍କେଟ, ପୌର ମାର୍କେଟ, ଜେଲ୍ ରୋଡ ମାର୍କେଟ ଭଳି ଅନେକ ମାର୍କେଟ କଂପ୍ଲେକ୍ସ ଲୋକାର୍ପିତ ହୋଇଥିଲା । ଏହି ସବୁ ମାର୍କେଟ କଂପ୍ଲେକ୍ସରେ ୫୫୦ରୁ ଊଦ୍ଧ୍ୱର୍ ଦୋକାନ ଘର ନିର୍ମାଣ ହୋଇଛି । ଏହା ସହିତ ବିଭିନ୍ନ ଜାଗା, ଆଖଡ଼ାଗୁଡ଼ିକ ମଧ୍ୟ ନୂଆ ରୂପ ପାଇଥିଲା।
ଉଠାଦୋକାନ ମୁକ୍ତ ବଡ଼ଦାଣ୍ଡ
୨୦୨୪ ମସିହାରେ ପୁରୀର କଳେବରରେ ଦେଖିବାକୁ ମିଳିଥିଲା ଆଉ ଏକ ବଡ଼ ପରିବର୍ତ୍ତନ । ସବୁବେଳେ କୋଳାହଳ ଓ ଉଠା ଦୋକାନୀଙ୍କ ଭିଡ଼ରେ ପୂରି ଉଠୁଥିବା ବଡ଼ଦାଣ୍ଡ ଉଠା ଦୋକାନ ମୁକ୍ତ ହୋଇଥିଲା । ଶ୍ରୀମନ୍ଦିରଠାରୁ ମେଡିକାଲ ଛକ ମଧ୍ୟରେ ଥିବା ପାଖାପାଖି ୧୨୦୦ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଅବ୍ୟାହତ ପୂର୍ବରୁ ଏହି ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା । ଯଥାଶୀଘ୍ର ସେମାନଙ୍କୁ ଥଇଥାନ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଥିଲା । ହେଲେ ମାସେ ଯାଇ ବର୍ଷେ ବିତିଥିଲେ ବି ଦୋକାନୀମାନଙ୍କୁ ଏଯାବତ୍ ଥଇଥାନ କରାଯାଇନି ।
ରାଜ୍ୟସଭା ଗଲେ ଶୁଭାଶିଷ
ଦୀର୍ଘ ବର୍ଷ ଧରି ପୁରୀରେ ନିର୍ବାଚନୀ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ସାଧାରଣ ନିର୍ବାଚନର କିଛିଦିନ ପୂର୍ବରୁ ରାଜ୍ୟସଭା ପଠାଯାଇଥିଲା । ଏହି ଘୋଷଣା ପୁରୀବାସୀଙ୍କୁ ଚକିତ କରିଥିଲା । ଶୁଭାଶିଷ ରାଜ୍ୟସଭା ଯିବା ସହ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ଟିକଟ ମିଳିବା ରାସ୍ତା ସଫା ହୋଇଯାଇଥିଲା ।
ଡରାଇଲା ‘ଦାନା’
ବର୍ଷ ଶେଷ ଆଡ଼କୁ ଡରାଇଥିଲା ଦାନା ବାତ୍ୟାର ଭୟ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏପରିକି ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା । କାର୍ତ୍ତିକ ମାସ ପାଇଁ ପୁରୀ ଆସିଥିବା ହଜାର ହଜାର ହବିଷ୍ୟାଳିଙ୍କ ନିରାପତ୍ତା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ ଦାନାର ପ୍ରଭାବ ପୁରୀରେ ସେତେମାତ୍ରାରେ ଅନୁଭବ ହୋଇନଥିବାରୁ ଏକ ବଡ଼ ବିପଦରୁ ରକ୍ଷା ପାଇଥିଲା ଶ୍ରୀକ୍ଷେତ୍ର ।
ମୋଦିଙ୍କ ରୋଡ୍ ସୋ'
୨୦୨୪ ମେ’ ୨୦ରେ ପୁରୀରେ ଦେଖିବାକୁ ମିଳିଥିଲା ରାଜନୈତିକ ହେଭିୱେଟ୍ଙ୍କ ଭିଡ଼ । ନିର୍ବାଚନ ପ୍ରଚାରର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ଦାଣ୍ଡରେ ରୋଡ୍ ସୋ କରିଥିବା ବେଳେ ସନ୍ଧ୍ୟାରେ ରୋଡ୍ ସୋ କରିଥିଲା ବିଜେଡ଼ି । ଯାହା ପୁରୀ ରାଜନୀତିରେ ଉଷ୍ଣତା ଭରି ଦେଇଥିଲା । ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସିଂହଦ୍ୱାର ନିକଟରୁ ରୋଡ୍ ସୋ’ ଆରମ୍ଭ କରିଥିଲେ । ଲକ୍ଷାଧିକ ଲୋକ ବଡ଼ଦାଣ୍ଡରେ ମୋଦିଙ୍କର ଝଲକ ପାଇବା ପାଇଁ ଏକତ୍ରିତ ହୋଇଥିଲେ । ସେହିଦିନ ସନ୍ଧ୍ୟାରେ ଭି କେ ପାଣ୍ଡିଆନ ରୋଡ୍ ସୋ’ କରିଥିଲେ । ଏହି ଦିନଟି ପୁରୀ ପାଇଁ ହେଭି ୱେଟ୍ ରାଜନେତାଙ୍କ ଦିନ ଥିଲା ବୋଲି ଅନେକ ମତବ୍ୟକ୍ତ କରିଥିଲେ ।
ନୂଆ ଚେହେରାଙ୍କ ହାତରେ ଡୋରି
୨୦୨୪ ନିର୍ବାଚନୀ ବର୍ଷରେ ପୁରୀ ନୂଆ ଶାସକଙ୍କ ହାତରେ ଧରାଇଥିଲା ଶାସନ ଡୋରି । ବଦଳିଲେ ସାଂସଦ ଓ ବିଧାୟକ । ନୂଆ ଚେହେରା ଧରିଲେ ଶାସନର ମଙ୍ଗ । ଗତ ନିର୍ବାଚନରେ ପରାଜିତ ହୋଇଥିବା ବିଜେପି ସାଂସଦ ସମ୍ବିତ ପାତ୍ର ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ । କେବଳ ପୁରୀ ଓ କାକଟପୁରକୁ ଛାଡ଼ିଲେ ଜିଲ୍ଲାର ଅନ୍ୟ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ହାତକୁ ଚାଲିଯାଇଛି । ପୂର୍ବତନ ବାଚସ୍ପତି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁତ୍ର ସୁନୀଲ ମହାନ୍ତି ବିଜେଡି ଟିକଟରେ ପୁରୀ ବିଧାୟକ ନିର୍ବାଚିତ ହୋଇଥିଲେ । କାକଟପୁରରେ ନିଜର ସତ୍ତାକୁ ଦୋହରାଇଥିଲେ ବିଧାୟକ ତୁଷାରକାନ୍ତି ବେହେରା । ଦୀର୍ଘ ବର୍ଷ ଧରି ପରାଜିତ ହେଉଥିବା ପ୍ରଭାତୀ ପରିଡ଼ା ଏଥର ଜିତିବା ସହ ଉପମୁଖ୍ୟମନ୍ତ୍ରୀ ମୁକୁଟ ମଧ୍ୟ ପିନ୍ଧିଥିଲେ । ହେଭିୱେଟ୍ ସଞ୍ଜୟ ଦାସବର୍ମାଙ୍କୁ ହରାଇ ସତ୍ୟବାଦୀରୁ ବିଜୟ ଲାଭ କରିଥିଲେ ଓମ୍ପ୍ରକାଶ ମିଶ୍ର । ପିପିଲି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ବ୍ରହ୍ମଗିରିରୁ ଦାଦାଙ୍କ ପରେ ଗଡ଼ସୁରକ୍ଷା କରିଥିଲେ ଝିଆରୀ ଉପାସନା ମହାପାତ୍ର । ଉପାସନା ବିଜେପି ଟିକଟରେ ବିଜେଡିର ଉମାକାନ୍ତ ସାମନ୍ତରାୟଙ୍କୁ ହରାଇଥିଲେ ।
ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ
ପୁରୀ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ପୁରୀରେ ଅନେକ ନୂଆ ସମ୍ଭାବନା ଦେଖିବାକୁ ମିଳିଥିଲା । ପୁରୀରେ ଏବର୍ଷ ଜାତୀୟ ସାଇକ୍ଲିଂ ଚାମ୍ପିୟନସିପ, ଜାତୀୟ ବିଚ୍ ଭଲିବଲ୍ ଚାମ୍ପିୟନସିପ୍, ଜାତୀୟ ଖୋ ଖୋ ପ୍ରତିଯୋଗିତା ସହ ଅନ୍ତର୍ଜାତୀୟ ବିଚ୍ ଆଣ୍ଡ ଓସେନ ସ୍ପୋର୍ଟସ୍ କାର୍ଣ୍ଣିଭାଲ ମଧ୍ୟ ପୁରୀରେ ଅନୁଷ୍ଠିତ ହୋଇଥିଲା । ପୁରୀର ଅନେକ ଖେଳାଳି ମଧ୍ୟ ଜାତୀୟ ସ୍ତରରେ ନାଁ କରିଥିଲେ ।
ମୁଣ୍ଡ ଟେକିଲା ଅଦିନିଆ ରଥଯାତ୍ରା
ବିବାଦ ଆମେରିକାରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ପାଳନକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଗଜପତି ମହାରାଜ ସମସ୍ତେ ଇସ୍କନର ଅଦିନିଆ ରଥଯାତ୍ରା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଥିଲେ । ଗଜପତି ମହାରାଜ ଏନେଇ ଇସ୍କନର ଉଚ୍ଚ ସ୍ତରୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏଭଳି ମନମାନୀ କାର୍ଯ୍ୟ ବନ୍ଦ କରିବାକୁ ମଧ୍ୟ ତାଗିଦ କରିଥିଲେ।
ନୌସେନା ଶୌର୍ଯ୍ୟ
ବର୍ଷ ଶେଷରେ ନୌସେନା ଶୌର୍ଯ୍ୟ ଓ ବୀରତ୍ୱକୁ ଅତି ନିକଟରୁ ଅନୁଭବ କରିଥିଲା ପୁରୀ । ପ୍ରଥମ ଥର ପାଇଁ ପୁରୀ ବେଳାଭୂମିରେ ପାଳନ ହୋଇଥିଲା ନୌସେନା ଦିବସ । ଡିସେମ୍ବର ୪ ନୌସେନା ଦିବସ କାର୍ଯ୍ୟକ୍ରମରେ ଖୋଦ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ୧୫ ଯୁଦ୍ଧ ଜାହଜ ଓ ୪୦ରୁ ଊଦ୍ଧ୍ୱର୍ ଏୟାରକ୍ରାଫ୍ଟ ପୁରୀ ସହରର ଉପକୂଳରେ ବିଛେଇ ହୋଇଥିଲେ । ଆକାଶରୁ ଖସୁଥିଲା ଗୋଳା ବାରୁଦ । ଏୟାରକ୍ରାଫ୍ଟର ଗର୍ଜନରେ ପ୍ରକମ୍ପିତ ହେଉଥିଲା ସହର । ଚାରିଆଡ଼ ରଣକ୍ଷେତ୍ର ସଦୃଶ୍ୟ ଦୃଶ୍ୟମାନ ହେଉଥିଲା । ଜଳ, ସ୍ଥଳ ଓ ଆକାଶ ସବୁଠି ନିଜର ପରାକ୍ରମକୁ ପ୍ରଦର୍ଶିତ କରିଥିଲେ ବୀର ଯବାନ ।
ଏହି ଅବସରରେ ଗୋଟିଏ ପରେ ଗୋଟିଏ ରଣ କୌଶଳ ପ୍ରଦର୍ଶନ କରାଯାଇଥିଲା । ନୌସେନା କେମିତି ଶତ୍ରୁଙ୍କୁ ନିପାତ କରେ ତା’ର ଡେମୋ ଦେଖାଇଥିଲେ । ମାର୍କୋସ୍ଙ୍କ ପାରାସ୍ୟୁଟ ଲ୍ୟାଣ୍ଡିଂ । ଜାହଜରୁ ବୀର ନୌସେନା ଯବାନ ଆସି ସ୍ଥଳ ଭାଗରେ ଶତ୍ରୁକୁ ନିପାତ କରିବାର ଦୃଶ୍ୟ । ଶତ୍ରୁ ନିପାତ ହେବା ପରେ ନୌସେନାର ବିଜୟ ଉତ୍ସବ ପାଳନର ଝଲକ ଦେଖିବାକୁ ମିଳିଥିଲା । ଫାଇଟର ଜେଟ୍ ଆକାଶରେ ପକ୍ଷୀ ଭଳି ବୁଲିବୁଲି ଉଡ଼ିବା ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଧାଡ଼ିଧାଡ଼ି ହୋଇ ହେଲିକପ୍ଟରରୁ ନିଆଁ ଗୋଳା ଖସୁଥିଲା। ଚଳନ୍ତା ଜାହଜରେ ହେଲିକପ୍ଟର ଅବତରଣ କରିବାର ଦୃଶ୍ୟ ମଧ୍ୟ ଆଶ୍ଚର୍ଯ୍ୟକର ଥିଲା । ଶେଷରେ ନୌସେନା ଯବାନମାନେ ମଞ୍ଚ ଉପରେ ବିଭିନ୍ନ କଳା କୌଶଳ ମଧ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ୍ରୋନ୍ ସୋ’ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଥର ପାଇଁ ପୁରୀ ଆକାଶରେ ଡ୍ରୋନ୍ ସୋ ମଧ୍ୟ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ସମେତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରକ୍ଷା ରାଜ୍ୟମନ୍ତ୍ରୀ୍, ନୌସେନା ମୁଖ୍ୟଙ୍କ ସମେତ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ବରିଷ୍ଠ ଅଧିକାରୀ ଜଷ୍ଟିସ ଚକ୍ରଧାରୀ ଶରଣସିଂହ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।