ରାଇରଙ୍ଗପୁର, ୨୯/୧୨: ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ନିର୍ମାଣ ଉପ ବିଭାଜନ ବିଭାଗର ଅଧିନ ତିରିଂ ବ୍ଳକ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ୱନାଥ ମୁର୍ମୁଙ୍କ ମୃତ୍ୟୁ ହୋଇଛି । ରାଇରଙ୍ଗପୁର ମହୁଲଡିହାସ୍ଥ ବିଭାଗୀୟ ସରକାରୀ କଲନି ସମ୍ମୁଖରେ ବାଘୁଆ ମହୁମାଛି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ତିରିଂ ବ୍ଳକ୍ ସେକ୍ସନର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ୱନାଥ ମୁର୍ମୁ ରବିବାର ପୂର୍ବାହ୍ନ ୮ ଟା ୪୫ ମିନିଟ୍ ପାଖାପାଖି ସମୟରେ ରାଇରଙ୍ଗପୁରସ୍ଥ ବିଭାଗୀୟ ବିଶ୍ରାମ କକ୍ଷରୁ ବାହାରି ତିରିଂ ଅଭିମୁଖେ ନିଜ କାର୍ଯ୍ୟସ୍ଥଳକୁ ଯିବାକୁ ବାହାରିଥିଲେ । ହଠାତ୍ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ କୃଷ୍ଣଚୂଡ଼ା ଗଛରେ ବହୁ ସଂଖ୍ୟାରେ ବସାବାନ୍ଧି ଥିବା ବାଘୁଆ ମହୁ ମାଛିମାନେ ହଠାତ୍ ଆକ୍ରମଣ କରିଥିଲେ । ଯାହା ଫଳରେ ସେ ବାନ୍ତି କରିବା ସହିତ ଅଚେତ ହୋଇପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପାଖାପାଖି ୧୦ଟା ସମୟରେ ପ୍ରାଣବାୟୁ ଉଡ଼ିଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ଡିପ୍ଲୋମା ଇଞ୍ଜିନିୟର ସଂଘର କାର୍ଯ୍ୟକର୍ତ୍ତାମାନେ ଶୋକ ପ୍ରକାଶ କରିଛନ୍ତି । ମା’ ଓ ପରିବାର ଲୋକ ପହଁଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ସୂଚନା ଦେଇଛି ।