ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିହାରରେ ଡେବ୍ୟୁ କରିବାକୁ ଯାଉଛି । ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ୧୨ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିପାରେ ଜେଏମଏମ । ଝାଡ଼ଖଣ୍ଡ ଏବଂ ବିହାର ସୀମାବର୍ତ୍ତୀ ଅଞ୍ଚଳରେ ଦଳର ମଜଭୁତ ସ୍ଥିତି ରହିଛି ବୋଲି ଜେଏମଏମ ପକ୍ଷରୁ ଦାବି ହୋଇଛି । ଫଳରେ ଜେଏମଏମ ମେଣ୍ଟ ମାଧ୍ୟମରେ ବିହାରର ୧୨ ଆସନରେ ନିର୍ବାଚନ ଲଢ଼ିବାକୁ ଆଶା ବ୍ୟକ୍ତ କରିଛି ।
ନିକଟରେ ଝାଡ଼ଖଣ୍ଡ ନିର୍ବାଚନ ଶେଷ ହୋଇଛି । ୫୬ଟି ଆସନରେ ବିଜୟୀ ହେବା ସହ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ମେଣ୍ଟ ସରକାର ପୁଣି ଥରେ ଶାସନକୁ ଫେରିଛି । ସେପଟେ ୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି । ମେଣ୍ଟରେ ସାମିଲ ହୋଇ ୧୨ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି ଜେଏମଏମ ।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ମୁଖପାତ୍ର ମନୋଜ ପାଣ୍ଡେୟ କହିଛନ୍ତି, ଜେଏମଏମର ପ୍ରଭାବ ବଢ଼ିଛି । ଏକଛତ୍ରବାଦୀଙ୍କ ସହ ଲଢ଼ି ହେମନ୍ତ ସୋରେନ ଯେଉଁଭଳି ଭାବରେ ପ୍ରଚଣ୍ଡ ବିଜୟ ହାସଲ କରିଛନ୍ତି, ସେଥିପାଇଁ ଦଳର ପ୍ରଭାବ ବିସ୍ତାର ହୋଇଛି । ରାଷ୍ଟ୍ରୀୟସ୍ତରରେ ଦଳର ପ୍ରଶଂସା ହେଉଛି । ବହୁ ସଂଖ୍ୟକ ଲୋକେ ଦଳରେ ସାମିଲ ହେଉଛନ୍ତି ।
ସେ କହିଛନ୍ତି, ୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିହାରର ସୀମାବର୍ତ୍ତୀ କ୍ଷେତ୍ରରେ ୧୨ ଆସନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟ ଜରିଆରେ ନିର୍ବାଚନ ଲଢ଼ିବ ଏବଂ ଜିତିବ । ଏହାକୁ ନେଇ ମେଣ୍ଟରେ ଥିବା ଦଳଗୁଡ଼ିକ ସହ ପ୍ରାରମ୍ଭିକ ଆଲୋଚନା ଜାରି ରହିଛି । ତେବେ ବିହାରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନିର୍ବାଚନ ଲଢ଼ିବା ନିଶ୍ଚିତ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ମନୋଜ ପାଣ୍ଡେୟ ।