ଭୁବନେଶ୍ୱର, ୩୦/୧୨ : ରାଜ୍ୟରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ତତ୍ପରତା ପ୍ରକାଶ କରିଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି । ସୋମବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରି ଫସଲ ହରାଇଥିବା ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଯିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ନବୀନ ଆସନ୍ତା ୩୧ତାରିଖରେ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ । ଏହି ଅବସରରେ ସେ ପୁରୀ ଜିଲ୍ଲାର ସତ୍ୟବାଦୀ, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକରେ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବେ । ଏହା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ପଚାରି ବୁଝିବେ । ସମ୍ପୃକ୍ତ ଅଧିକାରୀମାନଙ୍କ ସହ ମଧ୍ୟ ଫସଲ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।