ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କିଏ ହଜାଇଲା? ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ କିଏ ହତ୍ୟା କଲା? ଗୁମୁଡ଼ୁମାହରେ ଏସଓଜି ଯବାନ ଗୁଳି କଲେ । ନିରୀହ ଆଦିବାସୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ତଦନ୍ତ କମିଶନ ରିପୋର୍ଟ ମିଳିଲା । ସାର୍ବଜନୀନ କରିବାକୁ କିନ୍ତୁ ସରକାରଙ୍କୁ ଡର। ଭାବମୂର୍ତ୍ତିର ସୁରକ୍ଷା ପାଇଁ ଆଉ କେତେଦିନ ଏ କମିଶନ ଭେଳିକି ?
ଭାବରେ ଭିଜୁଥିଲେ ଭକ୍ତ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଶୁଭୁଥିଲା ହରେକୃଷ୍ଣ... ହରେକୃଷ୍ଣର ସୁମଧୁର ସ୍ୱର । ଆକସ୍ମିକ ଭାବେ ଛୁଟିଲା ଗୁଳି । ଜଲେଶପଟ୍ଟା ଆଶ୍ରମରେ ଟଳି ପଡ଼ିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ନିର୍ମମ ହତ୍ୟାର ଶିକାର ହେଲେ ସ୍ୱାମୀଙ୍କ ୪ ସହଯୋଗୀ । ସ୍ତବ୍ଧ ହୋଇଗଲା ସାରା ରାଜ୍ୟ । ଶାନ୍ତିପ୍ରିୟ ଓଡ଼ିଶା ମଥାରେ ଲାଗିଲା ‘ଦଙ୍ଗା’ର କଳଙ୍କ । ଦଙ୍ଗା ନିଆଁରେ ଛଟପଟ ହେଲା କନ୍ଧମାଳ । ବିଜେଡି-ବିଜେପିର ମେଣ୍ଟ ଭାଙ୍ଗିଗଲା । କ୍ରାଇମବ୍ରାଞ୍ଚ ତଦନ୍ତ ହେଲା । ବିଚାର ବିଭାଗୀୟ ତଦନ୍ତ କମିଶନ ବସିଲା । ଏ ଲୋମହର୍ଷଣକାରୀ ଘଟଣାକୁ ୧୬ ବର୍ଷ ପୂରିଲାଣି । କିଏ ଏ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ? ଓଡ଼ିଶାବାସୀଙ୍କ ଆଗରେ ଏହା ଆଜି ବି ଅସମାହିତ ପ୍ରଶ୍ନ । ତଦନ୍ତ କମିଶନ ରିପୋର୍ଟରେ କ’ଣ ଅଛି ପ୍ରତିଟି ଓଡ଼ିଆଙ୍କର ଜାଣିବାର ଅଧିକାର ଅଛି । ସରକାର କିନ୍ତୁ ଏହାକୁ ସାର୍ବଜନୀନ କରିବାକୁ କୁନ୍ଥକୁନ୍ଥ । କମିଶନ୍ ଆଳରେ ସରକାର ଲୋକଙ୍କ ଅସନ୍ତୋଷରେ ଚାଦର ଘୋଡ଼ାଇ ଦେଲେ । ଗଳାବାଟରେ ଖସିଗଲେ । ବାଃ... ଭାବମୂର୍ତ୍ତି ବଞ୍ଚାଇବାକୁ କି ଚମତ୍କାର ଭେଳିକି ।
ଭାତହାଣ୍ଡିରୁ ଗୋଟିଏ ଭଳି ଇଏ ହେଉଛି ତଦନ୍ତ କମିଶନର ଫଳ । ରାଜକୋଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ । ଶହ ଶହ ସତ୍ୟପାଠ, ତଦନ୍ତ, ଅନୁଧ୍ୟାନ ପରେ ଚୂଡ଼ାନ୍ତ ରିପୋର୍ଟ ସେଇମିତି ଫାଇଲ ଭିତରେ ସମାଧି ନେଇଛି । କମିଶନଙ୍କ ରିପୋର୍ଟରେ ସାପ ଅଛି ନା ବେଙ୍ଗ କିଏ କେମିତି ବା ଜାଣିବ? ଚିଟ୍ଫଣ୍ଡ ହେଉ କି ରତ୍ନଭଣ୍ଡାର, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ହେଉ ଅବା ମଦମୃତ୍ୟୁ । ନିଆଁ ଜାଳୁଥିବା ପ୍ରସଙ୍ଗକୁ ଲିଭାଇବାକୁ ସରକାର କମିଶନ ତଦନ୍ତର ପାଣି ଢାଳିଛନ୍ତି ।
ଭୁଆଁ ବୁଲାଇବାକୁ ଭେଳିକି
ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଲୋକ ପ୍ରାଣ ହରାଇଲେ । ମାର ମାର ଭଣ୍ଡାରିଆକୁ ମାର୍ ନୀତିରେ କିଛି ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରିଦେଲେ ସରକାର । ଲୋକଙ୍କ ରାଗ ଥମୁନି ଦେଖି ତଦନ୍ତ କରିବାକୁ କମିଶନ ଗଠନ କରିଦେଲେ । କନ୍ଧମାଳରେ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ସମାନ ଫର୍ମୁଲା ଧରିଲେ । ଆରଡିସିଙ୍କୁ ତଦନ୍ତ ଦାୟିତ୍ୱ ଦେଇ ହୋହଲ୍ଲା, ହଙ୍ଗାମାରେ ପୂର୍ଣ୍ଣଚ୍ଛେଦ ଟାଣିଦେଲେ । ନା ରହିଲା ବାଉଁଶ, ନା ବାଜିଲା ବଇଁଶି ।
ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ ପାଇଁ ଜଷ୍ଟିସ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୨୦୦୮ରେ ତଦନ୍ତ କମିଶନ ବସିଲା । ତାଙ୍କ ବିୟୋଗ ପରେ ଜଷ୍ଟିସ୍ ଏ.ଏସ୍ ନାଇଡୁଙ୍କୁ ନିଯୁକ୍ତି ଦିଆଗଲା । ୨୦୧୫ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଶନ । ହେଲେ ୯ ବର୍ଷ ପରେ ବି କମିଶନଙ୍କ ରିପୋର୍ଟରେ ଅଛି କ’ଣ ତାହା ସାମ୍ନାକୁ ଆସିପାରିଲା ନାହିଁ । ରାଜକୋଷରୁ କିନ୍ତୁ ଖର୍ଚ୍ଚ ହୋଇଛି ୨ କୋଟି ୧୧ ଲକ୍ଷ ଟଙ୍କା । ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କର । ଏ ନିଆଁକୁ ଲିଭାଇବାକୁ ସରକାର କମିଶନର ପାଣି ଢାଳିଲେ। ୨୦୦୮ରେ ଗଠନ କଲେ ଜଷ୍ଟିସ ପାଲ କମିଶନ । କମିଶନ ୨୦୧୪ରେ ସରକାରଙ୍କୁ ରିପୋର୍ଟ ଦେଲେ । କମିଶନଙ୍କ ପାଇଁ ଲୋକଙ୍କ ଟିକସ ପଇସାରୁ ୧ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । କମିଶନ କ’ଣ ସୁପାରିଶ କଲେ ତାହା ଏଯାଏଁ କେହି ଜାଣିପାରିଲେନି । ଚିଟ୍ଫଣ୍ଡର ରାଗକୁ ଶାନ୍ତ କରିବାକୁ ସରକାର ସମାନ ଫର୍ମୁଲା ଆପଣାଇଲେ । ଜଷ୍ଟିସ୍ ପାତ୍ର ଓ ଜଷ୍ଟିସ୍ ଦାସ କମିଶନ ଗଠନ ହେଲା । ୭ଟି ଅନ୍ତରୀଣ ରିପୋର୍ଟ ମିଳିଲା । ଖର୍ଚ୍ଚ ହେଲା ୬ କୋଟି ୧୯ ଳକ୍ଷ ଟଙ୍କା । ଫଳ କିନ୍ତୁ ଶୂନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିଗଲା । କିଏ ରଖିଥିଲା, କିଏ ହଜାଇଲା । ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହେଲା ଟୁପୁରୁ ଟାପୁରୁ । କାହାର ଏ ଫନ୍ଦିଫିକର ଜାଣିବାକୁ ସରକାର ବିଚାର ବିଭାଗୀୟ କମିଶନ ବସାଇଲେ । ୫ ମାସରେ କମିଶନଙ୍କ ବାବଦକୁ ୨୨ ଲକ୍ଷ ଖର୍ଚ୍ଚ ହେଲା । ହେଲେ କିଏ ହଜାଇଲା ଆପଣ ଜାଣିଲେଣି କି? ଉତ୍ତର ଆସିବ ନା । ଅତଏବ ତଦନ୍ତ କମିଶନ କେବଳ ସରକାରଙ୍କ ଆତ୍ମରକ୍ଷାର ପାରମ୍ପରିକ କୌଶଳ ନୁହେଁ କି?
ବିଚାର ବିଭାଗୀୟ ତଦନ୍ତ ଆଳରେ ପଳାୟନ । ସରକାରୀ ତଦନ୍ତ କମିଶନ ବସିଛି । ରିପୋର୍ଟ କିନ୍ତୁ ସାର୍ବଜନୀନ ହୋଇନି । ସୁପାରିଶ ବି କାର୍ଯ୍ୟକାରୀ ହେଉନି । ୧୦ ବର୍ଷରେ ୧୫ ତଦନ୍ତ କମିଶନ । ୭ଟି କମିଶନ ରିପୋର୍ଟ ଫାଇଲରେ ବନ୍ଧା ହୋଇ ପଡ଼ିଛି । ରାଜକୋଷରୁ ପାଣି ଭଳି ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଫଳ କିନ୍ତୁ ଶୂନ ।
ନୂଆ ବୋତଲ, ପୁରୁଣା ମଦ
ନୂଆ ସରକାର, ଲୋକଙ୍କ ସରକାର । ମହାଦ୍ରୁମ ବିଜେଡିକୁ ଉପାଡ଼ି ଶାସନକୁ ଆସିଥିବା ବିଜେପି ଏ ଦାବି କରୁଛି । ମାତ୍ର ଏ ସରକାର ବି ପୁରୁଣା ଗୁଳାରୁ ବାହାରି ପାରୁନି । ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଜାଉ ଖାଇ ୩ ମହିଳାଙ୍କ ପ୍ରାଣ ଗଲା । ସତକୁ ମାନିବା ବଦଳରେ ସରକାର ବିତଣ୍ଡା ଯୁକ୍ତି ଦର୍ଶାଇଲେ । ଚିକିଟି ମଦମୃତ୍ୟୁରେ ମଧ୍ୟ ନିଜକୁ ସୁରକ୍ଷା ଦେବାକୁ ଯାଇ ଯାହା ପାଇଲେ ତାହା କହିଲେ । ବିଜେଡି ସରକାର ଭଳି ଏ ସମ୍ବେଦନଶୀଳ ଘଟଣାରେ ନୂଆ ସରକାର ମଧ୍ୟ ଉପରଠାଉରିଆ ତଦନ୍ତ ନିର୍ଦ୍ଦେଶ ଦେଲେ । ମଦମୃତ୍ୟୁର ରାଜସ୍ପ ପର୍ଷଦ ସଦସ୍ୟ ତଦନ୍ତ କରୁଥିଲା ବେଳେ ଆମ୍ବଟାକୁଆର ଦକ୍ଷିଣାଞ୍ଚଳ ଆରଡିସି ତଦନ୍ତ ଆରମ୍ଭ କରିଛନ୍ତି । ନିଜକୁ ଦାୟିତ୍ୱମୁକ୍ତ କରି ପ୍ରସଙ୍ଗକୁ ପାଣିଚିଆ କରିବାରେ ସଫଳ ହେଲେ । ବିଜେଡି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇବାକୁ ନୂଆ ସରକାର ପାଲଟା ଯୁକ୍ତି କଲେ, ବିଜେଡିର ୨୪ ବର୍ଷ ଶାସନରେ ୨୪ଟି ବିଚାର ବିଭାଗୀୟ ତଦନ୍ତ ହୋଇଥିଲା । ସେ ରିପୋର୍ଟ କୁଆଡ଼େ ଗଲା? ପୁରୁଣା ଓ ନୂଆ ଲଢ଼େଇ, କଥା କଟାକଟିରେ ଅସଲ ସମସ୍ୟା କିନ୍ତୁ ଲୁଚି ଯାଉଛି ।
ଆମ୍ବଟାକୁଆ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣା ୨୦୦୧ର ଚିତ୍ରକୁ ପୁଣି ମନେ ପକାଇ ଦେଇଛି । ୨୦୦୧ରେ ରାୟଗଡ଼ା କାଶୀପୁର ଅଞ୍ଚଳରେ ଆମ୍ବ ଟାକୁଆ ଖାଇ ୨୪ ଜଣ ମୃତ୍ୟୁବରଣ କରିଥିଲେ । ୨୦୧୬ରେ ଏ ଘଟଣା ଗଣମାଧ୍ୟମରେ ପାଲଟିଥିଲା ବଡ଼ ଖବର । ମାତ୍ର ଇତିମଧ୍ୟରେ ଡଜନ ଡଜନ ସରକାରୀ ଯୋଜନା ସତ୍ତେ୍ୱ ଲୋକ ପୁଣି ଆମ୍ବଟାକୁଆ ଖାଇ ପ୍ରାଣ ହାରିବାଠୁ ବଳି ବିଡ଼ମ୍ବନା କ’ଣ ବା ହୋଇପାରେ? ଲୋକଙ୍କୁ ଖାଦ୍ୟ ସୁରକ୍ଷା ଦେବାକୁ ଆଇନ ଅଛି । ମାଗଣା ଚାଉଳ ମିଳୁଛି । ଲୋକ ଆମ୍ବଟାକୁଆ ଖାଇ ମୃତ୍ୟୁମୁଖରେ ପଡ଼ିବା ଆମ ସରକାରୀ ବ୍ୟବସ୍ଥା ପ୍ରତି ଉପହାସ ନୁହେଁ କି? ସରକାର ଖାଲି ତଦନ୍ତ ନିର୍ଦ୍ଦେଶ ଦେଇ ନିଜ ଜାମାକୁ ସ୍ୱଚ୍ଛ କରିଦେଲେ ହେବନି। କାରଣ ଖୋଜନ୍ତୁ । ଆଗକୁ ଯେପରି ଏଭଳି ଘଟଣା କଡ଼ ନ ଲେଉଟାଇବ ପଦକ୍ଷେପ ନିଅନ୍ତୁ । ଆନ୍ତରିକତା ଓ ନିଷ୍ଠାପଣ ଦେଖାନ୍ତୁ । ତଦନ୍ତ କମିଶନ ବସିଲା । ମାତ୍ର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କିଏ ହଜେଇଲା କିଏ ଡୁପ୍ଳିକେଟ୍ କଲା ତା’ର ଜବାବ ମିଳିନି । ଗୁମୁଡ଼ୁମାହରେ କେଉଁ ପରିସ୍ଥିତିରେ ଏସଓଜି ଯବାନ ଗୁଳି କଲେ । ନିରୀହ ଆଦିବାସୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ଯଦି ସରକାର ରିପୋର୍ଟ ସାର୍ବଜନୀନ କରିବାର ନଥିଲା କମିଶନ କାହିଁକି ବସାଇଥିଲେ? ଯଦି ବସାଇଲେ ରିପୋର୍ଟ ପ୍ରକାଶ କରିବାକୁ କାହିଁକି ଡର?
ଛଳନା ନୁହଁ, ଆନ୍ତରିକତା ଲୋଡ଼ା
ଗଣତନ୍ତ୍ର ଲୋକଙ୍କର । ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା । ଲୋକଙ୍କ ଭୋଟ ପାଇ ସରକାର ଗଠନ ହୁଏ । ସେଇ ସରକାର ଏମିତି ଛଳନା କାହିଁକି କରନ୍ତି? କୌଣସି ଘଟଣାକୁ ନେଇ ଯଦି ବିକ୍ଷୋଭ, ପ୍ରତିବାଦ, ହୋହଲ୍ଲା ହେଲା ତେବେ ଏ ରୋଗର ଭଲ ଔଷଧ ହେଲା କମିଶନ । ଯଦି କେଉଁଠି ଶାସନ ବ୍ୟବସ୍ଥାରେ ଗଡ଼ବଡ଼ ହେଲା ଲୋକଙ୍କୁ ଚୁପ୍ କରେଇବାକୁ ତୁରନ୍ତ ଏକ ତଦନ୍ତ କମିଶନ କିମ୍ବା ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉଛି । ପ୍ରସଙ୍ଗ ଉପରେ ଚାଦର ଢାଙ୍କିବାକୁ ଏହା ହେଉଛି ସହଜ, ସରଳ ଓ ସୁନ୍ଦର ବାଟ । କିଛିଦିନ ପରେ ଲୋକଙ୍କ ମନରୁ ଘଟଣାଟି ହଜିଯାଏ । ଖୋଦ ସରକାର ବି ଭୁଲି ଯାଆନ୍ତି ଏମିତି କମିଶନ ଗଠନ କରିଥିଲେ ବୋଲି । ନିଜ ଗାଦିର ସୁରକ୍ଷା ପାଇଁ ଏ କମିଶନ ସୁରକ୍ଷା କବଚ ଭେଳିକି ଆଉ କେତେ ଦିନ? ଶ୍ରୀମନ୍ଦିର ଚାବି ହଜିବା ଘଟଣା ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ସଂପର୍କିତ ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବୁ । କ୍ଷମତାକୁ ଆସୁ ଆସୁ ଏମିତି ଦମ୍ଭପଣ ଦେଖାଇଲେ ସରକାର । ୬ ମାସ ପୂରିଲାଣି । ସରକାର ବାହାଦୂର କାହାକୁ ଡରୁଛନ୍ତି? ‘ଆପେ ବଞ୍ଚିଲେ ବାପର ନାଁ’ ନୀତିକୁ ଛାଡ଼ନ୍ତୁ ସରକାର । ଗମ୍ଭୀର ପ୍ରସଙ୍ଗର ଗହୀରକୁ ଯାଆନ୍ତୁ । ଅସଲ ଦୋଷୀଙ୍କୁ ଠାବ କରନ୍ତୁ । ଯଦି କମିଶନ ବସାଉଛନ୍ତି ରିପୋର୍ଟକୁ ବିଧାନସଭାକୁ ଆଣନ୍ତୁ । ଲୋକଙ୍କୁ ଜଣାନ୍ତୁ ସତ କ’ଣ? କିଏ ଅସଲ ଆସାମୀ । କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରାଯାଉ । ରାଜନୀତିର ଛଳ ଓ କପଟର ମହିମା ମଣ୍ଡନରେ ପଡ଼ୁ ପୂର୍ଣ୍ଣଛେଦ । ସରକାର ଛାଡ଼ନ୍ତୁ ଫମ୍ପାପଣ।