କଟକ ୨୨/୧୨: ସେ ପୁରୁଷ ନୁହେଁ, ନାରୀ ବି ନୁହେଁ । ସେ ‘ଦେବକନ୍ୟା’ । ସମାଜ ଯେତେବେଳେ ତା’ ସାମ୍ନାରେ ଠିଆ ହୁଏ ପ୍ରତିବନ୍ଧକ ସାଜି, ସେଇଠୁ ଆରମ୍ଭ ହୁଏ ତା’ର ସଂଘର୍ଷ । ଆଉ ସେ ରହୁଥିବା ପରିବାରଟି ଯେତେବେଳେ ତା’ ସାମ୍ନାରେ ବାଧା ସୃଷ୍ଟି କରେ, ସେଠି ହାରିଯାଏ ସଂଘର୍ଷ । ଉଭୟ ପରିବାର ଓ ସମାଜର ବିରୋଧାଭାସରେ ଲୋକ କଳାକାରଟିଏ କେମିତି ନିଆଁର ଶେଯରେ ଚାଲୁଛି, ସେଇଠି ‘ଦେବକନ୍ୟା’ ଚଳଚ୍ଚିତ୍ରର କାହାଣୀ ଆରମ୍ଭ ହୁଏ ।
ସୁପ୍ରିମ ଏଣ୍ଟର୍ଟେନମେଣ୍ଟର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ‘ଦେବକନ୍ୟା’ର ନାମ ସମର୍ପଣ ଓ ଦୀପଦାନ ପୂଜା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହୋଇଛି । ପୁରୀର ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ଏହି ଚଳଚ୍ଚିତ୍ରଟିକୁ ଲେଖିଛନ୍ତି ଶଙ୍କର ତ୍ରିପାଠୀ । ପ୍ରଯୋଜନା କରିଛନ୍ତି ସୁରେଶ ସାହୁ, ସହ-ପ୍ରଯୋଜକ ଭାର୍ଗବୀ ତ୍ରିପାଠୀ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାସେଶ ମହାନ୍ତି ଓ କ୍ରିଏଟିଭ ହେଡ ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର । ପବ୍ଲିସିଟି ମୁଖ୍ୟ ଅଛନ୍ତି ହର ପ୍ରସାଦ ମହାପାତ୍ର । ଶୁଭାଶିଷ ଶର୍ମା, କୁନା ତ୍ରିପାଠୀ, ଅଶ୍ରୁମୋଚନ, ରବି ମିଶ୍ର, ସୁଶ୍ରୀ, ନୂତନ, କେଦାର ମିଶ୍ର ପ୍ରମୁଖ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ଅନ୍ୟତମ ପ୍ରଯୋଜକ ଆଶୁତୋଷ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବକନ୍ୟା ସିନେମା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା ।