ମୁମ୍ବାଇ ୨୨/୧୨: ଅଭିନେତ୍ରୀ ଅମୀଷା ପଟେଲ ‘ଗଦର-୨’ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କର ଏକ ବୟାନକୁ ନେଇ ରାଗିଯାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଅନିଲ ତାଙ୍କ ବୟସକୁ ନେଇ ଆଲୋଚନା କରିଥିଲେ । କହିଥିଲେ ଯେ ଅମୀଷା ‘ଗଦର୨’ରେ ଶାଶୂ ଭୂମିକା ନିର୍ବାହ କରିବାକୁ ରାଜି ନ ଥିଲେ । ସେ ନିଜ ବୟସ ଦେଖିବା କଥା । ଅନିଲଙ୍କ ବୟାନର ଜବାବ ଦେଇ ଅମୀଷା କହିଛନ୍ତି, ୧୦୦ କୋଟି ମିଳିଲେ ବି ସେ ଶାଶୂ ଭୂମିକା ନିର୍ବାହ କରିବେ ନାହିଁ ।
ଅମୀଷା ଅନିଲଙ୍କ ସାକ୍ଷାତକାରକୁ ଏକ୍ସ ପ୍ଲାଟ୍ଫର୍ମରେ ପୁନଃ ପୋଷ୍ଟ୍ କରି କହିଛନ୍ତି ‘ପ୍ରିୟ ଅନିଲ ଜୀ, ଏହା ପ୍ରକୃତ ପରିବାରର ବାସ୍ତବତା ନୁହେଁ, ବରଂ ଏକ ଫିଲ୍ମ । ମୋତେ କ’ଣ କରିବା କଥା ଓ କ’ଣ ନୁହେଁ, ତାହା କହିବାରେ ମୋର ପୂରା ଅଧିକାର ଅଛି । ମୁଁ ଆପଣଙ୍କୁ ସମ୍ମାନ ଦିଏ । ଯଦି ଆପଣ ମୋତେ ୧୦୦ କୋଟି ବି ଦେବେ, ଗଦର କିମ୍ବା ଅନ୍ୟ କୌଣସି ଫିଲ୍ମରେ ମୁଁ ଶାଶୂ ଭୂମିକା ନିର୍ବାହ କରିବି ନାହିଁ । ଅନିଲ ସାକ୍ଷାତାକରରେ ‘ଗଦର-୨’ରେ ଅମୀଷାଙ୍କର ଅନେକ ଅଭିଳାଷ ବିଷୟରେ କହିଥିଲେ- ମୂଳ ଫିଲ୍ମ ଭଳି ସିକ୍ୱେଲରେ ତାଙ୍କୁ ସେତିକି ସ୍କ୍ରିନ୍ ସ୍ପେସ୍ ମିଳିନଥିଲା । ସେ ସୁନ୍ଦର, ନିଜ ପରିଶ୍ରମରେ କାମ କରୁଛନ୍ତି । କିନ୍ତୁ ବୟସ ମଧ୍ୟ ଏକ ବଡ଼ କାରକ । ଫିଲ୍ମରେ ଜିତେର ମା’ ହେଲେ, ତାଙ୍କ ପତ୍ନୀର ଶାଶୂ ବି ହେବାକୁ ପଡ଼ିବ । ନର୍ଗିସ ମଧ୍ୟ ଯୁବ ବୟସରେ ‘ମଦର ଇଣ୍ଡିଆ’ ଫିଲ୍ମରେ ମା’ ହୋଇଥିଲେ । ଏହା କରିବାକୁ ପଡ଼େ ।
ସୂଚନାଯୋଗ୍ୟ, ୨୦୨୩ରେ ‘ଗଦର-୨’ ରିଲିଜ୍ ପୂର୍ବରୁ ଅମୀଷା ଓ ଅନିଲଙ୍କ ମଧ୍ୟରେ ମନୋମାଳିନ୍ୟ ସାମ୍ନାକୁ ଆସିଥିଲା । ଫିଲ୍ମ ରିଲିଜ୍ର କିଛି ଦିନ ପୂର୍ବରୁ ଅନିଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅମୀଷା । ସୁଟିଂ ସମୟରେ ସେ କ୍ରୁ ସଦସ୍ୟଙ୍କୁ ଟଙ୍କା ଦେଇନଥିବା କଥା ଉଠାଇ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍ ଲେଖିଥିଲେ । ସୃଜନାତ୍ମକ ମତପାର୍ଥକ୍ୟ ଯୋଗୁ ଫିଲ୍ମ ସୁଟିଂ ସମୟରେ ଉଭୟ ପରସ୍ପର ସହ କଥା ହେଉନଥିଲେ ବୋଲି ଅମୀଷା ଅନେକ ସାକ୍ଷାତକାରରେ କହିଥିଲେ ।