ମୁମ୍ବାଇ ୨୦/୧୨: ୨୦୧୨ରେ ମୁକ୍ତିପ୍ରାପ୍ତ ହୋମି ଆଦାଜାନିଆଙ୍କ ହିଟ୍ ଫିଲ୍ମ ‘କକ୍ଟେଲ’ର ସିକ୍ୱେଲ ଆସିବ । ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଏହାର ନିର୍ଦ୍ଦେଶନା ମଧ୍ୟ ହୋମି ଦେବେ । ତେବେ ଏ ଥର ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ କ୍ରିତି ସାନନ୍ ଓ ଶାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ‘ତେରି ବାତୋଁ ମେଁ ଐସା ଉଲ୍ଝା ଜିୟା’ରେ ଉଭୟ ସ୍କ୍ରିନ୍ ଶେୟାର କରିଥିଲେ । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।
ସୂଚନା ଅନୁସାରେ, ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବେ ଦିନେଶ ଭିଜନ । ପ୍ରଥମ ଭାଗ ଭଳି ଏହା ମଧ୍ୟ ତ୍ରିକୋଣୀୟ ପ୍ରେମ କାହାଣୀ ହେବ । ତେଣୁ ଆଉ ଜଣେ ମୁଖ୍ୟ ନାୟିକାଙ୍କୁ ଖୋଜାଚାଲିଛି । ରଶ୍ମିକା ମନ୍ଦାନାଙ୍କ ନାଁ ଏହି ପ୍ରୋଜେକ୍ଟରେ ଯୋଡ଼ାଯାଉଛି । ‘ତେରି ବାତୋଁ ମେଁ ଐସା ଉଲ୍ଝା ଜିୟା’ର ସଫଳତା ପରେ ଶାହିଦ ଓ କ୍ରିତି ରୋମାଣ୍ଟିକ୍ କମେଡି ଦୁନିଆରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି ‘କକ୍ଟେଲ’ ଫିଲ୍ମ ଦୀପିକାଙ୍କ କ୍ୟାରିଅର ପାଇଁ ଗେମ୍ ଚେଞ୍ଜର ହୋଇଥିଲା । ଫିଲ୍ମର କାହାଣୀ ଲେଖିଥିଲେ ଇମ୍ତିଆଜ ଅଲି । ଜଣେ ପ୍ଲେବୟ, ଜଣେ ଫଟୋଗ୍ରାଫର ଓ ଜଣେ ରକ୍ଷଣଶୀଳ ଝିଅ ମଧ୍ୟରେ ତ୍ରିକୋଣୀୟ ପ୍ରେମକୁ ଏହା ପରଦାକୁ ଆଣିଥିଲା । ଏହାର ସିକ୍ୱେଲ ଆସନ୍ତା ବର୍ଷ ମେ’ରେ ସୁଟିଂ ଫ୍ଲୋର୍କୁ ଆସିପାରେ ।