ରାଜଗାଙ୍ଗପୁର,୨୨/୦୫: ଦେଶୀ ମଦ କାରବାର ଚାଲିଥିବା ବେଳେ ମଦ ଭାଟି କର୍ମଚାରୀଙ୍କୁ ଧରି ଚଢାଉ କଲା ବଡ଼ଗାଁ, ରାଜଗାଙ୍ଗପୁର ଓ ରାଉରକେଲାର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ମଦ ଭାଟି କର୍ମଚାରୀଙ୍କୁ ଦେଖି ଉତ୍ୟକ୍ତ ହୋଇ ସଂଘବଦ୍ଧ ଆକ୍ରମଣ କରିଲେ ଗ୍ରାମବାସୀ । ଆକ୍ରମଣର ଶିକାର ହୋଇ ୫ ଜଣ ଭାଟି କର୍ମଚାରୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ମନୀଷ ସିଂ ରାଜପୁତ, ଲମଲେଶ ସିଂ, କୂଳେନ୍ଦ୍ରର ସିଂ , ସୁନୀଲ କୁମାର, ମୁନ୍ନା କୁମାର ସିଂ । ସମସ୍ତ ଆହତଙ୍କୁ ରାଜଗାଙ୍ଗପୁର ସିଏଚସିରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାଲିଡ଼ିହି କରଲାକାନୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଦେଶୀ ମଦ କାରବାର ଚାଲୁଥିବା ଖବର ପାଇ ଗୁରୁବାର ସକାଳୁ ବଡ଼ଗାଁ ,ରାଜଗାଙ୍ଗପୁର ଓ ରାଉରକେଲାର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଓ ଦେଶୀ ମଦ ଭାଟି କର୍ମଚାରୀଙ୍କୁ ଧରି ମିଳିତ ଭାବରେ ରାଜଗାଙ୍ଗପୁର ମାଲିଡ଼ିହି କରଲାକାନୀ ଅଞ୍ଚଳରେ ଚଢଉ କରିଥିଲେ । ଏହି ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଦେଖି ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଭାଟି କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ୫ଜଣ ଭାଟି କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତ ରାଜଗାଙ୍ଗପୁର ଲିପଲୋଇ ଭାଟି କର୍ମଚାରୀ ବୋଲି ସୂଚନା ରହିଛି । ଆହତଙ୍କୁ ରାଜଗାଙ୍ଗପୁର ସିଏଚସିରେ ପ୍ରାଥମିକ ଚିକିତ୍ସା କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏତଲା ଦିଆଯାଇଛି।