କାଶୀପୁର, ୨୨/୦୫ : ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ୪ ଅଧିକାରୀ ଗିରଫ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ NREGS ଅନ୍ତର୍ଗତ କୃଷି ପୋଖରୀ ଖନନ ନକରି ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ୪ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ।
ସୂଚନାନୁଯାୟୀ, ରାୟଗଡ଼ା ଜିଲ୍ଲା ଜଳଛାୟା ପ୍ରକଳ୍ପରେ ୨୩ଟି ପୋଖରୀ ଖୋଳା ନଯାଇ ୨୦ ଲକ୍ଷ ଟଙ୍କାର ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ରାଜେନ୍ଦ୍ରନାଥ ନାଏକ, ଅସିଷ୍ଟାଣ୍ଟ ପ୍ରୋଜେକ୍ଟ ଡିରେକ୍ଟର (Class-I) କମ୍ PIA, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ଖୋସଲା ଏବଂ ଦୀପକ କୁମାର ସାହୁ, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ଶ୍ରୀକୁମାର ନାୟକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଏହି ୪ ଅଧିକାରୀ ସରକାରୀ ପାଣ୍ଠି ହଡ଼ପ କରିଥିବା ଜଣାପଡ଼ିଥିଲା। ଜବ କାର୍ଡ ଥିବା ଶ୍ରମିକଙ୍କ ଖାତାକୁ ଭିତ୍ତି କରି ଅର୍ଥ ହେରଫେର ହୋଇଥିବା ଜଣାପଡ଼ିଥିଲା। ଭିଜିଲାନ୍ସ ଏବେ ୪ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ଏ ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇଛି।